ମେଦ ବହୁଳତାର କାରଣ ଓ ଚିକିତ୍ସାକୁ ନେଇ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ୍ ଡାକ୍ତର ଅଭୟ କୁମାର ସାହୁ କ‘ଣ କହୁଛନ୍ତି ଆସନ୍ତୁ ଜାଣିବା। (obesity: causes, Problems and treatments in Odia)
- ମେଦ ବହୁଳତା କ’ଣ?
- ମେଦ ବହୁଳତାର କାରଣ କ’ଣ?
- ମେଦ ବହୁଳତା ହେଲେ କ’ଣ ଅସୁବିଧା ହୁଏ?
- ମେଦ ବହୁଳତାର ଚିକିତ୍ସା
- ମେଦ ବହୁଳତା ପାଇଁ ଡାଏଟ୍ ଓ ବ୍ୟାୟାମ
ମେଦ ବହୁଳତା ବା ମୋଟାପଣକୁ ନେଇ ସାଧାରଣ ଲୋକେ ଚିନ୍ତିତ ହୋଇପଡ଼ନ୍ତି। ବିଶେଷ କରି ବର୍ତ୍ତମାନ ଛୋଟ ପିଲାଙ୍କଠାରେ ମେଦ ବହୁଳତା ଦେଖିବାକୁ ମିଳୁଛି।
ମେଦ ବହୁଳତା ଅର୍ଥାତ ମୋଟାପଣ। ଡାକ୍ତରି ଭାଷାରେ ମେଦ ବହୁଳତାର କାରଣ ହେଉଛି ‘ମାଲ୍ ନ୍ୟୁଟ୍ରିସନ’ ବା ଅପପୁଷ୍ଟି। ଖାଦ୍ୟ ଖାଇବାରେ ବ୍ୟତିକ୍ରମ ଦେଖାଦେଲେ ସାଧାରଣତଃ ଆମେ ଅପପୁଷ୍ଟିର ଶୀକାର ହୋଇଥାଉ। ପ୍ରାୟ ୨୦-୩୦ ବର୍ଷ ପୂର୍ବକୁ ଗଲେ ଅପପୁଷ୍ଟି ଅର୍ଥ କିଛି ଅଲଗା ଥିଲା। ସେ ସମୟରେ ବିଭିନ୍ନ ସ୍ଥାନରେ ଖାଦ୍ୟ ମିଳୁନଥିବାରୁ ଶିଶୁମାନେ ବହୁତ ପତଳା ହୋଇଯାଉଥିଲେ, ଓଜନ କମିଯାଉଥିଲା। ଏହା ପ୍ରଭାବରୁ ଅନେକ ଶିଶୁଙ୍କ ମୃତ୍ୟୁ ମଧ୍ୟ ହେଉଥିଲା। ହେଲେ ବର୍ତ୍ତମାନ ଏହାର ଅର୍ଥ ବଦଳିଯାଇଛି।
ଏବେ ଲୋକେ ପୁଣିଥରେ ଅପପୁଷ୍ଟିର ଶୀକାର ହେଉଛନ୍ତି, ଯାହା ଫଳରେ ଲୋକଙ୍କର ଓଜନ ବଢ଼ିବାରେ ଲାଗିଛି। ତେଣୁ ଓଜନ ବଢ଼ିବା ମଧ୍ୟ ଏକ ପ୍ରକାରର ମାଲ୍ ନ୍ୟୁଟ୍ରିସନ ବା ଅପପୁଷ୍ଟି। ଆମ ଶରୀରକୁ ମିଳୁଥିବା ପୋଷକତତ୍ତ୍ୱ ଆମକୁ ସଠିକ୍ ରାସ୍ତାରେ ନମିଳିଲେ ଆମ ଶରୀରର ଓଜନ ବଢ଼ିଥାଏ ନଚେତ୍ କମିଥାଏ। ଏହି ଦୁଇଟି ପ୍ରକ୍ରିୟାକୁ ଆମେ ମାଲ୍ ନ୍ୟୁଟ୍ରିସନ ବା ଅପପୁଷ୍ଟି କହିଥାଉ।
ମେଦ ବହୁଳତାର କାରଣ? (Causes of Obesity in Odia)
କେତେକ କ୍ଷେତ୍ରରେ ବଂଶଗତ ବା ଜିନ୍ଗତ କାରଣରୁ ମେଦ ବହୁଳତା ହୋଇଥାଏ। ହେଲେ ୯୦ ପ୍ରତିଶତ ମେଦ ବହୁଳତାର ଆମମାନଙ୍କର ଭୁଲ ଯୋଗୁଁ ହୋଇଥାଏ। ଆମ ଶରୀରର ଓଜନ ୨ଟି ଜିନିଷ ଉପରେ ନିର୍ଭର କରେ। ପ୍ରଥମତଃ ଆମେ ଦୈନିକ କେତେ କ୍ୟାଲୋରି ବୃଦ୍ଧି କରୁଛନ୍ତି, ଦ୍ୱିତୀୟତଃ ଆମେ ଦୈନିକ କେତେ କ୍ୟାଲୋରି କମ କରୁଛନ୍ତି। ଖାଦ୍ୟ ଖାଇଲେ ଆମ ଶରୀରରେ କ୍ୟାଲୋରି ବଢ଼େ ଏବଂ ବ୍ୟାୟାମ କଲେ କ୍ୟାଲୋରି କମିଥାଏ।
ତେବେ ଆମ ଶରୀରରେ କ୍ୟାଲୋରି ବଢ଼ିବା ଅଧିକ ହେଲେ ଓ କ୍ୟାଲୋରି କମିବା କମ ହେଲେ ଆମର ଓଜନ ବଢ଼ିଥାଏ। କ୍ୟାଲୋରି ବଢ଼ିବା ଓ କ୍ୟାଲୋରି କମିବା ସମାନ ରହିଲେ ଓଜନ ମଧ୍ୟ ସମାନ ରହିଥାଏ। ସେହିପରି କ୍ୟାଲୋରି କମିବା ଅଧିକ ହେଲେ ଓ କ୍ୟାଲୋରି ବଢ଼ିବା କମ ହେଲେ ଓଜନ କମିବ।
ଆସନ୍ତୁ ନଜର ପକାଇବା, ଗତ ୩୦ ବର୍ଷରେ କ’ଣ ବଦଳିଛି ଯେଉଁଥିପାଇଁ ଆମ ଭିତରେ ମେଦ ବହୁଳତା ଦେଖିବାକୁ ମିଳୁଛି:
ଗାଁଠାରୁ ଆରମ୍ଭ କରି ସହର ଯାଏଁ ଚାରିଆଡ଼େ ବର୍ତ୍ତମାନ ଫାଷ୍ଟ୍ ଫୁଡ୍ର ଚାହିଦା ବଢ଼ିଯାଇଛି। ଫଳରେ ବିଭିନ୍ନ ଭେରାଇଟିର ଫାଷ୍ଟ ଫୁଡ୍ ଦୋକାନ ଖୋଲିଯାଇଛି। ଏହା ଛୋଟ ପିଲାଙ୍କ ଉପରେ ଅଧିକ ପ୍ରଭାବ ପକାଉଛି। ସକାଳୁ ଉଠିଲେ ପିଲାମାନେ ଫାଷ୍ଟ ଫୁଡ୍ ଖାଇବା ପାଇଁ ଜିଦ୍ କରୁଛନ୍ତି। ବାପା, ମା’ମାନେ ମଧ୍ୟ ପିଲାର କହିବା ଅନୁଯାୟୀ ଯୋଗାଇ ଦେଉଛନ୍ତି। ଫାଷ୍ଟଫୁଡ୍ ଛୋଟ ପିଲାଙ୍କଠାରେ ମେଦ ବହୁଳତା ଦେଖାଦେବାର ଏହା ବଡ଼ କାରଣ।
ପୂର୍ବରୁ ଲୋକମାନଙ୍କର ଯୌଥ ପରିବାର ଥିଲା, ଯେଉଁଠି ପରିବାରର ସଦସ୍ୟ ସଂଖ୍ୟା ଅଧିକ ଥିଲା ଏବଂ ରୋଜଗାର କରୁଥିବା ସଦ୍ୟସ ଜଣେ କିମ୍ବା ଦୁଇ ଜଣ ଥିଲେ। ଫଳରେ ସେମାନେ ନିଜ ଭିତରେ ଭାଗ କରି ଖାଉଥିଲେ ଏବଂ ସମସ୍ତଙ୍କ ଭାଗରେ ଅଳ୍ପ ଅଳ୍ପ ପଡ଼ୁଥିଲା। ହେଲେ ଆଜିକାଲି ସମସ୍ତଙ୍କର ବାପା, ମା’ ଏବଂ ଛୁଆକୁ ଛୋଟ ପରିବାର। ପିଲାର ଚାହିଦା ଅନୁଯାୟୀ ବିଭିନ୍ନ ଫାଷ୍ଟ ଫୁଡ୍ ବାପା ମା’ ଯୋଗାଇଦେଲେ। ଫଳରେ ପିଲାର ଓଜନ ବଢ଼ିବାରେ ଲାଗିଥାଏ।
ଆଗରୁ ସ୍କୁଲରୁ ପିଲାମାନେ ଆସିବା ପରେ ଖେଳକୁଦରେ ମାତୁଥିଲେ। କ୍ରିକେଟ ହେଉ କି କବାଡ଼ି ହେଉ,ବିଭିନ୍ନ ଖେଳରେ ପିଲାଙ୍କ ମନ ରହୁଥିଲା। ହେଲେ ବର୍ତ୍ତମାନ ସମୟରେ ପିଲାମାନେ ଶାରୀରିକ ପରିଶ୍ରମ ଥିବା ଖେଳ ଆଉ ଖେଳୁ ନାହାନ୍ତି। ଘରେ ବସି ଭିଡିଓ ଗେମ୍ ଖେଳୁଛନ୍ତି। ଟିଭି ଦେଖିବା କି ଭିଡିଓ ଗେମ୍ ଖେଳିବା, ଛୋଟ ବେଳୁ ପିଲାମାନଙ୍କର ଅଭ୍ୟାସ ହୋଇଯାଉଛି। ଫଳରେ ସେମାନଙ୍କର କୌଣସି ଶାରୀରିକ ବ୍ୟାୟାମ ହେଉନାହିଁ ଯାହା ମେଦ ବହୁଳତାର ଏକ ପ୍ରମୁଖ କାରଣ।
ଜଙ୍କ୍ ଫୁଡ୍ ଖାଇବା ଏବଂ ବ୍ୟାୟାମର ଅଭାବ ଯୋଗୁଁ ପିଲାମାନଙ୍କଠାରେ ଓଜନ ବୃଦ୍ଧି ଦେଖାଯାଉଛି।
ଖାଦ୍ୟ ଏବଂ ବ୍ୟାୟାମକୁ ଛାଡ଼ିଲେ ମେଦ ବହୁଳତାର ଅନ୍ୟାନ୍ୟ କାରଣ ମଧ୍ୟ ରହିଛି। ଶରୀରରେ ବିଭିନ୍ନ ଦୂରାରୋଗ୍ୟ ଥିଲେ ମଧ୍ୟ ଏହାର ପ୍ରଭାବରୁ ଓଜନ ବଢ଼ିପାରେ। ଶରୀରରେ ଯଦି କୌଣସି ଜିନ୍ଗତ ରୋଗ ରହିଛି ତେବେ ଉକ୍ତ ରୋଗକୁ ଚିକିତ୍ସା କଲେ ମେଦ ବହୁଳତା ହ୍ରାସ ପାଇଥାଏ। ଆମ ଶରୀରରେ ଲେପ୍ଟିନ୍, ଗ୍ରେହଲିନ୍ ଭଳି କିଛି ହରମୋନ ରହିଛି, ଯାହା ଶରୀରର ଓଜନକୁ ବଢ଼ାଇଥାଏ।
ଶରୀରର ମେଦ ବହୁଳତାର ମାପିବା ପାଇଁ ଏକ ସୂଚକ ରହିଛି ଯାହାକୁ ବିଏମ୍ଆଇ ବା ବଡି ମାସ୍ ଇଣ୍ଡେକ୍ସ ବୋଲି କୁହାଯାଏ। ବିଏମ୍ଆଇ ଦ୍ୱାରା ବ୍ୟକ୍ତିଙ୍କ ମେଦ ବହୁଳତାକୁ ମାପି ବିଭିନ୍ନ ଗ୍ରେଡ୍ରେ ବିଭକ୍ତ କରାଯାଇଛି। ଯଦି କୌଣସି ବ୍ୟକ୍ତିର ବିଏମ୍ଆଇ ୨୩ରୁ କମ୍ ରହିଛି ତେବେ ତାଙ୍କର ଓଜନ ସଠିକ୍ ରହିଛି। ବିଏମ୍ଆଇ ୨୩ରୁ ୨୮ ଥିଲେ ତାହାକୁ ଗ୍ରେଡ୍-୧ ମେଦ ବହୁଳତା କୁହାଯାଏ। ବିଏମ୍ଆଇ ୨୮ରୁ ୩୩ ରହିଲେ କୁହାଯାଏ ଗ୍ରେଡ୍-୨ ମେଦ ବହୁଳତା। ବିଏମ୍ଆଇ ୩୩ରୁ ୩୮ କିମ୍ବା ୪୦ ଯାଏଁ ରହିଲେ ଗ୍ରେଡ୍-୩ ମେଦ ବହୁଳତା କୁହାଯାଏ। ସେହିପରି ବିଏମ୍ଆଇ ୪୦ ଉପରେ ରହିଲେ ତାହାକୁ ମରବିଡ୍ ଓବେସିଟି ବା ଅସୁସ୍ଥ ମେଦ ବହୁଳତା ବୋଲି କୁହାଯାଏ। ଏହି ଗ୍ରେଡ୍ ଅନୁଯାୟୀ ମେଦ ବହୁଳତାର ଚିକିତ୍ସା କରାଯାଇଥାଏ।
ମେଦ ବହୁଳତା ହେଲେ କ‘ଣ ଅସୁବିଧା ହେବ? (Problems with Obesity in Odia)
ମେଦ ବହୁଳତା ଥିବା ବ୍ୟକ୍ତି ବିଭିନ୍ନ ଶାରୀରିକ ଅସୁବିଧାରେ ସମ୍ମୁଖୀନ ହୋଇଥା’ନ୍ତି। ସାଧାରଣତଃ ମେଦ ବହୁଳତା ଥିବା ବ୍ୟକ୍ତିମାନେ ରାତିରେ ଘୁଙ୍ଗୁଡ଼ି ମାରନ୍ତି। ରାତିରେ ଘୁଙ୍ଗୁଡ଼ି ମାରିଲେ ବ୍ୟକ୍ତିଙ୍କ ମସ୍ତିସ୍କକୁ ସଠିକ୍ ପରିମାଣରେ ଅମ୍ଳଜାନ ମିଳିପାରେ ନାହିଁ। ଫଳରେ ରାତିରେ ଶୋଇଥିଲେ ମଧ୍ୟ ଦିନ ସାରା ବ୍ୟକ୍ତି ଘୁମେଇ ପଡ଼ୁଥିବେ ବା ଆଖି ଲାଗିଯାଉଥାଏ। ଏହା ଦ୍ୱାରା ଆପଣଙ୍କର କାର୍ଯ୍ୟ କରିବାର କ୍ଷମତା କିମଯିବ। ଏଭଳି ବ୍ୟକ୍ତିଙ୍କଠାରେ ହଠାତ୍ ହୃଦଘାତ ହେବାର ସମ୍ଭାବନା ଅଧିକ ଥାଏ। ଫଳରେ ମୃତ୍ୟୁ ହେବାର ମଧ୍ୟ ଆଶଙ୍କା ରହିଛି।
ଏହାଛଡ଼ା ମେଦ ବହୁଳତା ଥିବା ବ୍ୟକ୍ତିଙ୍କ ଫୁସ୍ଫୁସ୍ଜନିତ ରୋଗ ହେବାର ସମ୍ଭାବନା ରହିଛି। ମେଦ ବହୁଳତା ଯୋଗୁଁ ଯକୃତରେ ମଧ୍ୟ ସମସ୍ୟା ଦେଖାଦେଇପାରେ। ମୋଟାପଣ ଥିବା ବ୍ୟକ୍ତିଙ୍କଠାରେ ଆଣ୍ଠୁଗଣ୍ଠି ବ୍ୟଥା ଅଧିକ ଦେଖାଦେଇଥାଏ, ଯାହା ଅଷ୍ଟିଓ ଆର୍ଥ୍ରାଇଟିସ୍ ରୋଗର ଏକ ଲକ୍ଷଣ।
ମେଦ ବହୁଳତା ଥିବା ବ୍ୟକ୍ତିଙ୍କ ଶରୀରରେ କୋଲେଷ୍ଟ୍ରୋଲର ପରିମାଣ ବହୁତ ବଢ଼ିଯାଏ। ସେମାନଙ୍କଠାରେ ଡାଏବେଟିସ୍, ରକ୍ତଚାପ ଭଳି ବିଭିନ୍ନ ରୋଗ୍ ହେବାର ଆଶଙ୍କା ଥାଏ। ଏହା ସହିତ ଡାଏବେଟିସ୍, ରକ୍ତଚାପ, କୋଲେଷ୍ଟ୍ରୋଲ ଯୋଗୁଁ ହେଉଥିବା ରୋଗଗୁଡ଼ିକ ମଧ୍ୟ ହୋଇପାରେ। ତେଣୁ ମେଦ ବହୁଳତା ଯୋଗୁଁ ସବୁପ୍ରକାର ରୋଗ ହୋଇପାରେ। ଏଥିପାଇଁ ଆରମ୍ଭରୁ ଆମକୁ ସତର୍କ ରହିବାକୁ ହେବ।
ମେଦ ବହୁଳତାର ଚିକିତ୍ସା (Treatments of Obesity in Odia)
ଗ୍ରେଡ୍-୧ ଏବଂ ଗ୍ରେଡ୍-୨ ମେଦ ବହୁଳତା ଥିଲେ ଏହାର ମୁଖ୍ୟ ଚିକିତ୍ସା ହେଉଛି ହେଉଛି ଖାଦ୍ୟ ଓ ବ୍ୟାୟାମ ଉପରେ ଧ୍ୟାନ ଦେବା। ସଠିକ୍ ଡାଏଟ୍ ପ୍ଲାନ୍ ସହିତ ନିୟମିତ ବ୍ୟାୟାମ ଦ୍ୱାରା ଏହି ଗ୍ରେଡ୍ର ମେଦ ବହୁଳତାରୁ ରକ୍ଷା ପାଇପାରିବା। ଏଥିପାଇଁ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବେ ଜଙ୍କ୍ ଫୁଡ୍ ଛାଡ଼ିବାକୁ ହେବ। ଜଣେ ସୁସ୍ଥ ବ୍ୟକ୍ତିକୁ ଦୈନିକ ୧୪୦୦ରୁ ୧୬୦୦ କ୍ୟାଲୋରି ଆବଶ୍ୟକ। ତେଣୁ ଡାକ୍ତରଙ୍କ ସହ ପରାମର୍ଶ କରି ସଠିକ୍ ଡାଏଟ୍ ଆପଣାଇବାକୁ ହେବ।
ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ସନ୍ଧ୍ୟା ସ୍ନାକ୍ସ ଏବଂ ରାତି ଭୋଜନ ଛଡ଼ା ମଝିରେ କୌଣସି ଖାଦ୍ୟ ଗ୍ରହଣ କରିବେ ନାହିଁ। ଓଜନ କମାଇବାର ସବୁଠୁ ଭଲ ଡାଏଟ୍ ହେଉଛି: ଅଧିକ ପ୍ରୋଟିନ୍, କମ୍ ଶ୍ୱେତସାର, କମ୍ ଫ୍ୟାଟ୍ ଏବଂ ଫାଇବର ବା ତନ୍ତୁଜାତୀୟ ଖାଦ୍ୟ ଅଧିକ ଖାଇବେ।
ଡାଲିଜାତୀୟ ଖାଦ୍ୟ, ରାଜମା, ଆମିଷ ଖାଦ୍ୟରେ ଅଧିକ ପ୍ରୋଟିନ୍ ରହିଛି। ଏହି ଖାଦ୍ୟ ଅଧିକ ଖାଇବା ଦରକାର। କମ ଫ୍ୟାଟ୍ ଅର୍ଥାତ୍ ତେଲଜାତୀୟ ଖାଦ୍ୟ କମ ଖାଇବେ। ଘିଅ ଆଦୌ ଖାଇବେ ନାହିଁ। ଦୈନିକ ୨୦ ଏମ୍ଏଲ୍ ପର୍ଯ୍ୟନ୍ତ ତେଲ ଖାଇପାରିବେ। ଭାତ, ରୁଟି, ଆଳୁ ଇତ୍ୟାଦି ହେଉଛି ଶ୍ୱେତସାରଯୁକ୍ତ ଖାଦ୍ୟ। ଶ୍ୱେତସାର ଖାଦ୍ୟ କମ ଖାଇବେ। ଗ୍ରିନ୍ ସାଲାଡ୍ରେ ଭରପୁର ଫାଇବର ରହିଛି। ତେଣୁ ସାଲାଡ୍ ନିୟମିତ ଖାଇବା ଉଚିତ୍।
ଛୋଟ ପିଲାମାନେ ସାଧାରଣତଃ ଖାଦ୍ୟ ଖାଇବା ସମୟରେ ଟିଭି ଦେଖନ୍ତି। ମା’ମାନେ ମଧ୍ୟ ଟିଭି ଲଗାଇ ପିଲାଙ୍କୁ ଖାଇବାକୁ ଦିଅନ୍ତି। ତେବେ ଏହା ଭଲ ନୁହେଁ। ଖାଇବା ସମୟରେ ଟିଭି ଦେଖିଲେ ଖାଦ୍ୟର ପରିମାଣ ବଢ଼ିଯାଏ। ଫଳରେ ଓଜନ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଖାଇବା ସମୟରେ ଟିଭି ଦେଖିବା ମନା।
ଗ୍ରେଡ୍-୩ ଏବଂ ଗ୍ରେଡ୍-୪ ମେଦ ବହୁଳତା ଖାଦ୍ୟ ଓ ବ୍ୟାୟାମ ଦ୍ୱାରା କମ କରାଯାଇପାରିବ ନାହିଁ। ମୋଟାପଣ ଏତେ ବଢ଼ିଯାଇଥାଏ ଯେ, ସେମାନେ ବ୍ୟାୟାମ କରିବା ଅବସ୍ଥାରେ ନଥା’ନ୍ତି। ଏଥିପାଇଁ ସ୍ୱତନ୍ତ୍ର ସର୍ଜରୀ ଚିକିତ୍ସା ରହିଛି। ଗ୍ରେଡ୍-୩ ଏବଂ ଗ୍ରେଡ୍-୪ ମେଦ ବହୁଳତା ସର୍ଜରୀ ଚିକିତ୍ସା ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ। ଅନ୍ୟ ପକ୍ଷରେ ଡାଏବେଟିସ୍, କୋଲେଷ୍ଟ୍ରୋଲ, ଉଚ୍ଚ ରକ୍ତଚାପ କାରଣରୁ ମଧ୍ୟ ଓଜନ ବଢ଼ିଥାଏ। ତେଣୁ ଡାକ୍ତରଙ୍କ ସହ ପରାମର୍ଶ କରି ଏହାକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ଏହା ଦ୍ୱାରା ମେଦ ବହୁଳତା କମ କରାଯାଇପାରିବ।
ମେଦ ବହୁଳତା ପାଇଁ ବ୍ୟାୟାମ (Exercise for Obesity in Odia)
ଯଦି ଆମ ପାଖରେ ମେଦ ବହୁଳତା ଦେଖାଦେଉଛି ତେବେ ଏହାର ପ୍ରତିକାର ପାଇଁ ଆମର ଖାଦ୍ୟଶୈଳୀ ଏବଂ ବ୍ୟାୟାମ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତେବେ ମେଦ ବହୁଳତା ପାଇଁ କେମିତି କରିବେ ବ୍ୟାୟାମ ଆସନ୍ତୁ ଜାଣିବା।
ପ୍ରଥମରୁ ଆପଣ ଧୀରେ ଧୀରେ ବ୍ୟାୟାମ କରିବା ଆରମ୍ଭ କରନ୍ତୁ। ହଠାତ ବହୁତ ସମୟ ଯାଏଁ ବ୍ୟାୟାମ କରିବାକୁ ଚାହିଁଲେ କରିପାରିବେ ନାହିଁ। ତେଣୁ ପ୍ରଥମ ସପ୍ତାହରେ ୧ ମିନିଟ୍ରୁ ଆରମ୍ଭ କରି ଏହାର ସମୟ ପରିମାଣ ବଢ଼ାନ୍ତୁ। ଏହିପରି ଭାବେ ଦୈନିକ ୩୦ରୁ ୪୫ ମନିଟ୍ ଯାଏଁ ବ୍ୟାୟାମ କରନ୍ତୁ।
ବ୍ରିସ୍କ୍ ୱାକିଂ ବା ଦ୍ରୁତ ଗତିରେ ଚାଲିବେ, ଯେମିତି ଆପଣ ଘଣ୍ଟାକୁ ୪-୫ କିଲୋମିଟର ଚାଲିପାରୁଥିବେ। ସପ୍ତାହକୁ ୫ ଦିନ ବ୍ୟାୟାମ କରିବେ। ଲଗାତାର ଦୁଇ ଦିନ ବିଶ୍ରାମ ନେବେ ନାହିଁ। ଯଦି ଆପଣ ମସଲ ବିଲ୍ଡିଂ କିମ୍ବା ପହଁରା ଭଳି ବ୍ୟାୟାମ କରୁଥା’ନ୍ତି, ତେବେ ଦିନକୁ ଅତିକମ୍ରେ ୧୫ ମିନିଟ୍ ଓ ସପ୍ତାହକୁ ୯୦ ମିନିଟ୍ କରିବା ଦରକାର।
ମେଦ ବହୁଳତା ଥିବା ବ୍ୟକ୍ତି ଓଜନ କମାଇବା ପାଇଁ ମେଡିସିନ୍ ଉପରେ ନିର୍ଭର କରନ୍ତୁ ନାହିଁ। ମେଡିସନ୍ର ଖାଇବାର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ରହିଛି। ଓଜନ କମାଇବା ପାଇଁ ମୁଖ୍ୟ ରାସ୍ତା ହେଉଛି ଡାଏଟ୍ ଏବଂ ବ୍ୟାୟାମ। ଯଦି ନିୟମିତ ବ୍ୟାୟାମ କରିବେ ଏବଂ ସଠିକ୍ ଡାଏଟ୍ ଆପଣାଇବେ, ତେବେ ମେଦ ବହୁଳତାରେ ନିଶ୍ଚୟ ସୁଧାର ଆସିବ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଅଭୟ କୁମାର ସାହୁଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
A brief medical advice, in Odia language, on types, symptoms and treatment of thyroid, based on the interview with Professor Dr. Abhay Kumar Sahoo, Senior Consultant, Endocrinology.