ଆଖିର ଯତ୍ନ ନେବା ନିହାତି ଆବଶ୍ୟକ। ଆମେ ଯଦି ଆମ ଆଖିର ସଠିକ୍ ଭାବେ ଯତ୍ନ ନେବା, ତେବେ ଆଗାମୀ ଦିନରେ ସୃଷ୍ଟି ହେବାକୁ ଥିବା ସମସ୍ୟାକୁ ଏଡ଼ାଇ ପାରିବା। ଆସନ୍ତୁ, ଜଣାଶୁଣା ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ସାହୁଙ୍କଠାରୁ ଶୁଣିବା ଆଖିର ସମସ୍ୟାକୁ କେମିତି ଏଡ଼ାଇବେ। (EYE CARE TIPS IN ODIA)
ଚକ୍ଷୁ ସମ୍ବନ୍ଧୀୟ ବିଭିନ୍ନ ରୋଗ ଓ ସମସ୍ୟା
ବର୍ତ୍ତମାନ ସମୟରେ ଆଖି ସମ୍ବନ୍ଧୀୟ ଅନେକ ରୋଗ ତଥା ସମସ୍ୟା ଲୋକମାନଙ୍କ ପାଖରେ ଦେଖାଦେଉଛି। ମୁଖ୍ୟତଃ କିଛି ଲୋକଙ୍କୁ ବିନା ଚଷମାରେ ଦେଖା ନ ଯିବା ବର୍ତ୍ତମାନ ସମୟରେ ପ୍ରମୁଖ ଚକ୍ଷୁ ସମସ୍ୟା ଭାବେ ଦେଖାଦେଇଛି। ଯାହା ଅନ୍ଧତ୍ୱର ପ୍ରମୁଖ କାରଣ ପାଲଟିଛି। ଏହାସହ କାଟ୍ରାଟ୍, ଆଖିର ଅଲସର, ଡାଏବେଟିସ, ରକ୍ତଚାପ, କୋର୍ନିଆଲ ଅଲସର ଓ ଗ୍ଲାକୋମା ଆଦି ବିଭିନ୍ନ ରୋଗ କାରଣରୁ ଆଖିରେ ସମସ୍ୟା ଦେଖାଯାଇଥାଏ। ଏଥିମଧ୍ୟରୁ କେତେକ ଜନ୍ମଗତ ହୋଇଥିଲା ବେଳେ ଆଉ କେତେକ ଆମର ଭୁଲ କାରଣରୁ ହୋଇଥାଏ।
ଚକ୍ଷୁରୋଗର ବିଭିନ୍ନ ଲକ୍ଷଣ
କୋର୍ନିଆଲ ଅଲସର ଭଳି ରୋଗ ଆଖିରେ କୌଣସି ପ୍ରକାର ମାଡ଼ ହେବା କାରଣରୁ ହୋଇଥାଏ। ଏହା ହେବା ଦ୍ୱାରା ଆଖି ଲାଲ ପଡ଼ିବା ସହ ଆଖିରୁ ପାଣି ବାହାରିଥାଏ ଓ ଆଖିରେ ଆଲର୍ଜି ହୋଇ ଆଖି କୁଣ୍ଡାଇହେବା ଭଳି ସମସ୍ୟା ସୃଷ୍ଟି ହୁଏ।
ଯେମିତିକି ଚଷମା ପିନ୍ଧୁଥିବା ଲୋକଙ୍କୁ ଦୂର ଜିନିଷ ଠିକ୍ ସେ ଦେଖାନଯିବ କିମ୍ବା ସ୍କୁଲରେ ପିଲାଙ୍କୁ କଳାପଟା ଦୂରରୁ ଦେଖା ନ ଯିବା, ବହିର ଅକ୍ଷର ଦେଖା ନ ଯିବା ଭଳି ସମସ୍ୟା ଉପୁଜିଥାଏ। ଏଥିପାଇଁ ଡାକ୍ତରଙ୍କୁ ପରାମର୍ଶ କରି ଚିକିତ୍ସା ଅନୁସାରେ ଚିକିତ୍ସା କରିବା ଉଚିତ୍।
ଆଖିରେ ଆଘାତ ଲାଗିଲେ କ’ଣ କରିବେ?
ଆଖିରେ ଆଘାତ ଲାଗିଲେ କେତେକ ଲୋକ ଡାକ୍ତରଙ୍କଠାରୁ ପରାମର୍ଶ ନ କରି ଆଖିରେ ମେଡିସିନ ବ୍ୟବହାର କରିଥା’ନ୍ତି, ଯାହାକି ପରବର୍ତ୍ତୀ ସମୟରେ ଅଲସର ହେବା ସହ ଆଖି ନଷ୍ଟ ହେବାର ଆଶଙ୍କା ଥାଏ।ତେଣୁ ଆଖିରେ କୌଣସି ପ୍ରକାରର ଆଘାତ ଲାଗିଲେ ସାଙ୍ଗେସାଙ୍ଗେ ଆଖିକୁ ଖାଲି ପାଣିରେ ଧୋଇବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମେଡିସିନ୍ ବ୍ୟବହାର କରନ୍ତୁ।
ସେହିପରି ୪୫ବର୍ଷରୁ ଅଧିକ ବୟସର ଲୋକ ଓ ଡାଏବେଟିସ୍ ରୋଗରେ ପୀଡ଼ିତ ଲୋକ ଡାକ୍ତରଙ୍କ ପାଖରେ ନିୟମିତ ଆଖି ପରୀକ୍ଷା କରିବା ଆବଶ୍ୟ ରହିଛି।
ଆଖିକୁ ବିଶ୍ରାମ ଦିଅନ୍ତୁ
ଆଖିକୁ ବିଶ୍ରାମ ଦିଅନ୍ତୁ। କାରଣ ଆଖିକୁ ଠିକ୍ ଭାବେ ବିଶ୍ରାମ ନ ମିଳିଲେ, ଏହା ମୁଣ୍ଡ ବିନ୍ଧାର କାରଣ ହୋଇଥାଏ। ଆଖିକୁ ଅତିକମ୍ରେ ୬ ରୁ ୮ଘଣ୍ଟା ବିଶ୍ରାମ ଦେବା ଉଚିତ। ରାତି ଅନିଦ୍ରା ହୋଇ କୌଣସି କାମ କରନ୍ତୁ ନାହିଁ। ମୋବାଇଲ, କମ୍ପ୍ୟୁଟର, ଟିଭିର ବ୍ୟବହାର ବେଶି କରନ୍ତୁ ନାହିଁ। ପ୍ରତି ୨୦ ମିନିଟରେ ଥରେ ଆଖିକୁ ୨୦ ସେକେଣ୍ଡ ପାଇଁ ବିଶ୍ରାମ ଦିଅନ୍ତୁ ଓ ୨୦ଫୁଟ୍ ଦୂର କୌଣସି ଜିନିଷକୁ ଚାହିଁ ରହନ୍ତୁ। ଫଳରେ ଆଖିକୁ ଉପଯୁକ୍ତ ବିଶ୍ରାମ ମିଳିପାରିଥାଏ।
ଆଖିପତାକୁ ଅଳ୍ପ ଉଷୁମ ପାଣିରେ ଧୁଅନ୍ତୁ
ବାହାରୁ ଆସିବାପରେ ଆଖିକୁ ବନ୍ଦ କରି ଅଳ୍ପ ଉଷୁମ୍ ପାଣିରେ ଭଲରେ ଧୋଇଦେବା ଉଚିତ୍। ଏହାଦ୍ୱାରା ଆଖିପତା ପରିଷ୍କାର ରହିବା ସହ ଆଖି ସମସ୍ୟା ଦେଖାଯାଇନଥାଏ। ବେଳେ ବେଳେ ଆଖି ନାଲି ପଡ଼ିଯାଏ, ଏଭଳି କ୍ଷେତ୍ରରେ ଆଖିରେ ଥଣ୍ଡା ପାଣି ଛାଟନ୍ତୁ।
ଆଖିକୁ ପରିଷ୍କାର ରଖିବାକୁ କେତେକ ଲୋକ ବିଭିନ୍ନ ପ୍ରକାରର କୁତ୍ରିମ ଜିନିଷର ବ୍ୟବହାର କରିଥା’ନ୍ତି। ଯାହାଫଳରେ ଆଖି ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ। ତେଣୁ ସାଧାରଣ କିମ୍ବା ଅଳ୍ପ ଉଷୁମ ପାଣିରେ ହିଁ ଆଖିକୁ ଧୋଇବା ଦ୍ୱାରା ଆଖି ପରିଷ୍କାର ରହିଥାଏ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଶ୍ରୀକାନ୍ତ କୁମାର ସାହୁଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: A brief medical advice, in Odia language, on Eye Care based on the interview with Dr Srikant Kumar Sahoo.