କିଏ କହେ ‘ଜୀବନର ସେକେଣ୍ଡ ଇନିଂସ’, ହେଲେ ଆଉ କାହା ଭାଷାରେ ‘LIFE BEGINS AT 60’ ! ବାସ୍ତବରେ ୬୦ ବର୍ଷ ପରେ ଆପଣ ଯେମିତି ଚାହିଁବେ ସେମିତି ହିଁ କଟିବ ଆପଣଙ୍କ ଦିନ।
ବୟସ ବଢ଼ିବା କାହା ଉପରେ ବୋଝ କିମ୍ବା ଅଭିଶାପ ନୁହେଁ, ଜୀବନର ଅନେକ ରଙ୍ଗ ମଧ୍ୟରୁ ଭଳି ବୃଦ୍ଧାବସ୍ଥା ବି ଏକ ଫର୍ଦ୍ଦ। ବୟସ ବଢ଼ିଲେ କେହି ଦୁର୍ବଳ ବା ଅସହାୟ ହୋଇଯାଏ ନାହିଁ। ଅବଶ୍ୟ ଏଥିପାଇଁ ନିଜର ଚିନ୍ତାଧାରା, ଦୃଷ୍ଟିଭଙ୍ଗୀକୁ ଆପଣଙ୍କୁ ବଦଳାଇବାକୁ ପଡ଼ିବ। ଏପରି କଲେ ଆପଣ କୌଣସି ମାନସିକ ଅବସାଦ ବିନା ଆନନ୍ଦମୟ ଜୀବନ ବଞ୍ଚିପାରିବେ। ଜୀବନକୁ ଉପଭୋଗ କରିପାରିବେ।
ବୟସ ବଢ଼ିବା ସହିତ ବ୍ୟକ୍ତିଙ୍କର ଶରୀର ଓ ମନ ଦୁର୍ବଳ ହୋଇଯିବାର କିଛି ସଂପର୍କ ନାହିଁ। ପ୍ରଥମଃ ଆପଣଙ୍କୁ ମନରୁ ବାହାର କରିଦେବାକୁ ପଡ଼ିବ ଯେ ଆପଣ ଆଉ ପୂର୍ବ ଭଳି ହୋଇରହିନାହାନ୍ତି। ସବୁକିଛି ବଦଳିଯାଇଛି। ପ୍ରକୃତରେ କିନ୍ତୁ କିଛି ବଦଳିନଥାଏ। ଯାହା ଅଳ୍ପ କିଛି ବଦଳିଥାଏ ତା’ ହେଉଛି ସ୍ୱାଭାବିକ ଓ ପ୍ରାକୃତିକ ପ୍ରକ୍ରିୟା। ସେ ଅନୁସାରେ ନିଜକୁ ଖାପଖୁଆଇ ଚଳିଲେ ଆପଣ ଆନନ୍ଦମୟ ଜୀବନ ବଞ୍ଚିପାରିବେ।
-ଜୀବନର ଅନ୍ୟ ଅବସ୍ଥା ଭଳି ବୃଦ୍ଧାବସ୍ଥା ମଧ୍ୟ ଏକ ମହତ୍ୱପୂର୍ଣ୍ଣ ଅବସ୍ଥା। ତେଣୁ ଆପଣ ନିଜକୁ ଦୁର୍ବଳ ବୋଲି ମନେ କରନ୍ତୁ ନାହିଁ। ଲୋକେ କ’ଣ ଭାବିବେ ସେ କଥା ଛାଡ଼ି ନିଜ ହିସାବରେ ଜୀବନ ବଞ୍ଚନ୍ତୁ। ନିଜର ପସନ୍ଦ, ସଉକକୁ ଦିନଚର୍ଯ୍ୟାରେ ସାମିଲ କରନ୍ତୁ। କାହାରିକୁ ନିଜର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବାକୁ ଦିଅନ୍ତୁ ନାହିଁ।
-ବୟସ ବଢ଼ିବା ସହ ପରିବାରର ଦାୟିତ୍ୱ କମି କମି ଯାଏ। ତେଣୁ ଅନାବଶ୍ୟକ ଖର୍ଚ୍ଚ ବି କମ୍ ହୋଇଚାଲେ। ଏପରିସ୍ଥଳେ ଆର୍ଥିକ ଭାବେ ସକ୍ଷମ ହୋଇଥିଲେ ନିଜର ମନ ମୁତାବକ କାମ କରନ୍ତୁ। ଉଦାହରଣସ୍ୱରୂପ ଆପଣ ଅନାଥ ପିଲାମାନଙ୍କ ପାଇଁ ଏକ ଛୋଟ ସ୍କୁଲ କରି ସେମାନଙ୍କୁ ପଢ଼ାଇପାରିବେ, ଆର୍ଥିକ ଅନଟନରେ ଥିବା ପିଲାଙ୍କୁ ପଢ଼ିବାକୁ ସାହାଯ୍ୟ କରିପାରିବେ। ଏହାଦ୍ୱାରା ସେମାନେ ଉନ୍ନତି କରିବା ସହିତ ଆପଣ ମଧ୍ୟ ଆତ୍ମସନ୍ତୋଷ ପାଇବେ। ସବୁଠୁ ବଡ଼ କଥା ହେଲା ଏହାଦ୍ୱାରା ଆପଣଙ୍କୁ ପ୍ରତିଦିନ ଘରୁ ବାହାରି ଯିବା, କାମ କରିବାର ଏକ ସୁଯୋଗ ମିଳିବ। ସେହି କାମ ଆପଣଙ୍କୁ ଫିଟ୍ ରଖିବ।
-ସାରା ଜୀବନ ଆପଣ ଯେଉଁ ଆଦର୍ଶପଥରେ ଚାଲିଛନ୍ତି ସେଥିରୁ ବିଚ୍ୟୁତ ହୁଅନ୍ତୁ ନାହିଁ। ଅନ୍ୟ ଉପରେ ନିର୍ଭର ହୋଇ ନିଜର ବିଚାରକୁ କେବେହେଲେ ବଳି ଦିଅନ୍ତୁ ନାହିଁ। ଅନ୍ୟମାନଙ୍କ ହଁ ରେ ହଁ ମିଶାନ୍ତୁ ନାହିଁ। ଆବଶ୍ୟକ ପଡ଼ିଲେ ପରିବାରର ସଦସ୍ୟଙ୍କୁ ମଧ୍ୟ ଏହି ପରାମର୍ଶ ଦିଅନ୍ତୁ।
-କଲୋନିରେ ନିଜ ବୟସର ଲୋକଙ୍କୁ ନେଇ ଏକ ଗ୍ରୁପ୍ କରନ୍ତୁ। ସେମାନଙ୍କୁ ନେଇ କିଛି ସାମାଜିକ ଉନ୍ନତିମୂଳକ କାମ କରିବା, ପିକନିକ ଯିବା ଏସବୁ ଜାରି ରଖନ୍ତୁ। ଏହା ଆପଣଙ୍କୁ ଏକ ଅର୍ଥପୂର୍ଣ୍ଣ ଜୀବନ ବଞ୍ଚିବାର ପ୍ରେରଣା ଦେବ।
-ବାପା ମା’ ମାନଙ୍କର କାର୍ଯ୍ୟବସ୍ତତା ଯୋଗୁ ଆଜିକାଲି ଖୁବ୍ ଛୋଟ ପିଲାମାନଙ୍କୁ ସେମାନେ ଟ୍ୟୁସନ୍ ପଠାଇ ଦେଉଛନ୍ତି। ଯଦି ଆପଣ ସେହିଭଳି କିଛି ପିଲାଙ୍କୁ ପଢ଼ାନ୍ତି ତା’ ହେଲେ ଏହି କାମ ଆପଣଙ୍କୁ ମାନସିକ ଭାବେ ପ୍ରସନ୍ନତା ଆଣିଦେବ। ସେମାନଙ୍କ ଗହଣରେ ରହି ଆପଣ ଚିନ୍ତାକୁ ବି ଭୁଲିଯିବେ।
-ବୟସ ବଢ଼ିବା ଓ ମଣିଷ ନିଜକୁ ବୋଝ ବୋଲି ଭାବିବା ପଛରେ ସବୁଠୁ ବଡ଼ କଥା ହେଲା ଇଚ୍ଛାଶକ୍ତିର ଅଭାବ। ତେଣୁ କେବେହେଲେ କୌଣସି କାମ କରିବା ପୂର୍ବରୁ ପଛାନ୍ତୁ ନାହିଁ। ନିୟମିତ ଭାବେ ବ୍ୟାୟାମ ଜାରି ରଖି ନିଜକୁ ଫିଟ୍ ରଖନ୍ତୁ।
-ଅବସର ନେବା ପରେ ହାତରେ ସମୟ ବହୁତ ଥାଏ। ସେହି ସମୟର ସଦୁପଯୋଗ କରନ୍ତୁ। ନିଜର ପସନ୍ଦ ମୁତାବକ କୌଣସି ସଂସ୍ଥା ସହ ଯୋଡ଼ି ହୁଅନ୍ତୁ। ଏହା ଯେ ଆପଣଙ୍କ ସମ୍ମାନକୁ କମ୍ କରିବ ସେ ଧାରଣା ଭୁଲ୍। ବରଂ ଏହା ଆପଣଙ୍କୁ ଆତ୍ମସମ୍ମାନର ସହ ବଞ୍ଚିବା ଶିଖାଇବ।