ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ମେଦବହୁଳତା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଜାଣନ୍ତୁ, ଏଥିରୁ କେମିତି ପାଇବେ ମୁକ୍ତି? (Obesity: causes, Risk factors and Preventions in Odia)
ମେଦବହୁଳତା ହେଉଛି ଏକ ଗୁରୁତର ରୋଗ। ଯେତେବେଳେ କୌଣସି ଲୋକ ଖାଦ୍ୟରେ ଅଧିକ କ୍ୟାଲୋରୀ ଗ୍ରହଣ କରନ୍ତି, କିନ୍ତୁ ବ୍ୟାୟାମ ଏବଂ ଦୈନନ୍ଦିନର କାର୍ଯ୍ୟକଳାପ ମାଧ୍ୟମରେ ତାକୁ ଖର୍ଚ୍ଚ କରି ପାରନ୍ତି ନାହିଁ ସେତେବେଳେ ତାଙ୍କ ଶରୀରରେ ସେହି ଅଧିକ କ୍ୟାଲୋରୀ ଚର୍ବି ଆକାରରେ ଜମା ହେବାକୁ ଲାଗେ। ଏହାଫଳରେ ଧୀରେ ଧୀରେ ବ୍ୟକ୍ତିଙ୍କର ଓଜନ ବୃଦ୍ଧି ହେବା ସହିତ ଶାରୀରିକ ପରିବର୍ତ୍ତନ ହୋଇଥାଏ ଏବଂ ସେ ମେଦବହୁଳତାର ଶିକାର ହୋଇଥାନ୍ତି। ଏହାଯୋଗୁଁ ଅନ୍ୟ ବିଭିନ୍ନ ପ୍ରକାର ରୋଗ ମଧ୍ୟ ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିଥାଏ।
ବଡି ମାସ୍ ଇଣ୍ଡେକ୍ସ(ବିଏମ୍ଆଇ) ଆଧାରରେ ବ୍ୟକ୍ତି ମେଦବହୁଳତାର ଶିକାର କି ନାହିଁ ତାହା ଜଣାପଡ଼େ। ଯଦି ତାହା ୧୮.୫-୨୪.୯ ମଧ୍ୟରେ ଥାଏ ତା’ ହେଲେ ତାକୁ ସାଧାରଣ ଅବସ୍ଥା ବୋଲି ଧରିନିଆଯାଇଥାଏ। ବିଏମଆଇ ୨୫.୦-୨୯.୯ ଥିଲେ ବ୍ୟକ୍ତିଜଣକ ଅଧିକ ଓଜନ ବା ଓଭରୱେଟ୍ ସମସ୍ୟାରେ ପୀଡ଼ିତ ବୋଲି ଜଣାପଡ଼େ। ବିଏମଆଇ ୩୦ କିମ୍ବା ତା’ଠାରୁ ଅଧିକ ଥିଲେ ତାହା ମେଦବହୁଳତାର ଲକ୍ଷଣ ହୋଇଥାଏ। ଏକବିଂଶ ଶତାଦ୍ଦୀରେ ଉପନୀତ ଭାରତରେ ମେଦବହୁଳତା ଏବେ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୫ପ୍ରତିଶତ ଏହାଦ୍ୱାରା ପ୍ରଭାବିତ। ବିଶ୍ୱର ଅନ୍ୟ ବିକଶିତ ଦେଶ ସହ ତାଳ ଦେଇ ଏଠାରେ ମେଦବହୁଳ ରୋଗୀଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି।
ମେଦବହୁଳତା କାରଣ (Causes of Obesity in Odia)
ମେଦବହୁଳତାର ବିଭିନ୍ନ କାରଣ ଥାଏ । ସେଥିମଧ୍ୟରୁ କିଛି କ୍ଷେତ୍ରରେ ତାହା ଆନୁବଂଶିକ ହୋଇଥାଏ। ବାକି ଅନ୍ୟ କ୍ଷେତ୍ରରେ ଏହା ଆମର ଖରାପ ଜୀବନଶୈଳୀ ଯୋଗୁଁ ସୃଷ୍ଟି ହୋଇଥାଏ। ଅସ୍ୱାସ୍ଥ୍ୟକର ଖାଦ୍ୟ ଯେପରିକି ଫାଷ୍ଟଫୁଡ୍, ଛଣାଛଣି ପ୍ରଭୃତି ଖାଇବା, କୋଲ୍ଡ ଡ୍ରିଙ୍କସ ପିଇବା, ଅଳସୁଆମୀ, ଶାରୀରିକ ପରିଶ୍ରମ ନ କରିବା ଦ୍ୱାରା ଓଜନ ବୃଦ୍ଧି ହେବାର ବହୁ ଆଶଙ୍କା ରହେ। କିଛି କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଔଷଧ ଖାଇବା ଦ୍ୱାରା ଓଜନ ବଢ଼ିଥାଏ। ସେହିପରି ପର୍ଯ୍ୟାପ୍ତ ପରିମାଣରେ ନ ଶୋଇବା, ମାନସିକ ଚାପ ମଧ୍ୟ ମେଦବହୁଳତାର କାରଣ।
ସମସ୍ୟା କ’ଣ ହୁଏ? (Risk Factors in Odia)
–ମେଦବହୁଳ ରୋଗୀଙ୍କୁ ହୃଦରୋଗ ଏବଂ ହୃଦଘାତ ହେବାର ଆଶଙ୍କା ଅଧିକ ରହେ। ଏହାର ମୁଖ୍ୟ କାରଣ ହେଲା ଓଜନ ବୃଦ୍ଧି ସହିତ ରକ୍ତଚାପ ବଢ଼ିଯାଏ। କୋଲେଷ୍ଟେରୋଲର ସ୍ତରରେ ମଧ୍ୟ ପରିବର୍ତ୍ତନ ହୋଇଥାଏ। ଏହା ପରୋକ୍ଷରେ ହୃଦରୋଗର କାରଣ ପାଲଟେ।
-ମେଦବହୁଳତା ଯୋଗୁଁ ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରିତ ହୋଇ ରହେନାହିଁ। ତେଣୁ ଟାଇପ-୨ ମଧୁମେହ ହେବାର ଆଶଙ୍କା ରହେ।
-ଏହାଯୋଗୁଁ ୟୁଟେରସ, ସର୍ଭିକ୍ସ, ଓଭାରି, ସ୍ତନ, କୋଲନ୍, ରେକ୍ଟମ, ଲିଭର, ଗଲବ୍ଲାଡର, ପାନକ୍ରିୟାଜ, କିଡ୍ନି ଏବଂ ପ୍ରୋଷ୍ଟେଟ୍ରେ କର୍କଟ ହେବାର ଆଶଙ୍କା ରହେ।
-ଏହାଯୋଗୁଁ ହଜମ ଜନିତ ସମସ୍ୟା ବି ଦେଖାଯାଏ। ଫଳରେ ଛାତି ଜ୍ୱଳାପୋଡ଼ା ହେବା, ଗଲବ୍ଲାଡର ଓ ଲିଭରରେ ରୋଗ ସୃଷ୍ଟି ହୁଏ।
-ମେଦବହୁଳ ମହିଳାମାନଙ୍କଠାରେ ଋତୁସ୍ରାବ ଜନିତ ସମସ୍ୟା ବି ଦେଖାଯାଏ । କିଛି କ୍ଷେତ୍ରରେ ଲୋକମାନେ ନିଦ୍ରାହୀନତା ସମସ୍ୟା ଭୋଗିଥା’ନ୍ତି।
-ଏସବୁ ବ୍ୟତୀତ ଅଷ୍ଟିଓଆର୍ଥାଇଟିସ୍ର ଆଶଙ୍କା ଖୁବ୍ ବଢ଼ିଯାଇଥାଏ। ଫଳରେ ଗଣ୍ଠିଯନ୍ତ୍ରଣା, ଗଣ୍ଠିସ୍ଥାନମାନଙ୍କରେ ଫୁଲା ଭଳି ସମସ୍ୟା ଦେଖାଯାଏ।
-କିଛି କ୍ଷେତ୍ରରେ ଲୋକମାନେ ଏହାଯୋଗୁଁ ହୀନମାନ୍ୟତାର ଶିକାର ହୋଇଥା’ନ୍ତି। ଏହା ପରବର୍ତ୍ତୀ ସମୟରେ ମାନସିକ ଅବସାଦର ରୂପ ନିଏ।
କିଭଳି ରକ୍ଷା ପାଇବେ
-ମେଦବହୁଳତା ସମସ୍ୟାକୁ ଦୂର କରିବାର ସବୁଠୁ ବଡ଼ ଉପାୟ ହେଲା ବ୍ୟାୟାମ କରିବା। ସପ୍ତାହକୁ ଆପଣଙ୍କୁ ୮ ଘଣ୍ଟା ପାଖାପାଖି ବ୍ୟାୟାମ କରିବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ ଏଥିପାଇଁ ଜିମ୍ ଯାଇପାରନ୍ତି।
-ଜିମ୍ ଯିବା ସମ୍ଭବପର ନଥିଲେ ଅତି ତୀବ୍ର ଗତିରେ ଚାଲନ୍ତୁ ନ ହେଲେ ପହଁରିବା ଅଭ୍ୟାସ କରନ୍ତୁ।
-କମ୍ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଏକାଥରକେ ଅଧିକ ନଖାଇ ଅଳ୍ପ ଅଳ୍ପ ମାତ୍ରାରେ ଖାଦ୍ୟ ଖାଇପାରିବେ।
-ଅତ୍ୟଧିକ ତେଲ ମସଲା, ଛଣାଛଣି, ଲୁଣ ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ। ସେହିପରି ମାଂସ ବଦଳରେ ମାଛ ଖାଇପାରିବେ।
-ପ୍ରତିଦିନ କ’ଣ ଖାଉଛନ୍ତି, କେତେ ପରିମାଣରେ ଖାଉଛନ୍ତି ତାର ଏକ ତାଲିକା ପ୍ରସ୍ତୁତ କରନ୍ତୁ। ସବୁଦିନ ସନ୍ଧ୍ୟାରେ ତାକୁ ଦେଖନ୍ତୁ। ଏହାଦ୍ୱାରା ଖରାପ ଖାଦ୍ୟ ଖାଇବାର ଅଭ୍ୟାସରୁ ଆପଣ ନିବୃତ୍ତ ହୋଇପାରିବେ।
(Everything you need to know about obesity in Odia. Odia Health Tips)