ପ୍ରୋଷ୍ଟେଟ୍‌ ସମସ୍ୟା କ’ଣ, ଏହାର ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ଜଣାଶୁଣା ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ ନନ୍ଦ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (Prostate Problem – symptoms and Treatment in Odia)

  • ପ୍ରୋଷ୍ଟେଟ୍ ସମସ୍ୟା କ’ଣ?
  • ପ୍ରୋଷ୍ଟେଟ୍ ସମସ୍ୟାର ଲକ୍ଷଣ
  • କାହାଠାରେ ଦେଖିବାକୁ ମିଳେ ପ୍ରୋଷ୍ଟେଟ୍ ସମସ୍ୟା
  • ପ୍ରୋଷ୍ଟେଟ୍ ସମସ୍ୟାର ଚିକିତ୍ସା ନକଲେ କ’ଣ ଅସୁବିଧା ହେବ?
  • ପ୍ରୋଷ୍ଟେଟ୍ ସମସ୍ୟାର ପରୀକ୍ଷା ଓ ଚିକିତ୍ସା

ପୁରୁଷଙ୍କ ଶରୀରର ମୂତ୍ରାଶୟର ମୁଖ ଭାଗରେ ଏକ ଗ୍ରନ୍ଥି ଥାଏ, ଯାହାକୁ ପ୍ରୋଷ୍ଟେଟ୍ ଗ୍ରନ୍ଥି ବୋଲି କୁହାଯାଏ। ଧାତୁ ତିଆରି କରିବା ଏହି ଗ୍ରନ୍ଥିର କାମ। ଶୁକ୍ରାଣୁମାନେ ସେହି ଧାତୁରେ ବଞ୍ଚିଥା’ନ୍ତି। ତେବେ ବୟସ ବଢ଼ିବା ସହିତ ଶରୀରରେ ହର୍‌ମୋନ ପରିବର୍ତ୍ତନ ହେଲେ ଏହି ପ୍ରୋଷ୍ଟେଟ୍‌ ଗ୍ରନ୍ଥି ଫୁଲି ବଡ଼ ହୋଇଯାଇଥାଏ। ୭୫ ପ୍ରତିଶତ ବ୍ୟକ୍ତିଙ୍କଠାରେ ପ୍ରୋଷ୍ଟେଟ୍‌ ଗ୍ରନ୍ଥି ବଢ଼ୁଥିବାର ଦେଖାଯାଉଛି। ଠିକ୍ ସମୟରେ ଏହାର ଚିକିତ୍ସା ନକଲେ ଆଗକୁ ଜଟିଳ ପରିସ୍ଥିତି ଆସିପାରେ।

ଆସନ୍ତୁ ଜାଣିବା ପ୍ରୋଷ୍ଟେଟ୍‌ ସମସ୍ୟାର ଲକ୍ଷଣ ସବୁ କ’ଣ ଏବଂ ଏହାର ଚିକିତ୍ସା ସମ୍ପର୍କରେ?

ପ୍ରୋଷ୍ଟେଟ୍‌ ସମସ୍ୟାର ଲକ୍ଷଣ (Symptoms of Prostate Problem in Odia)

ପ୍ରୋଷ୍ଟେଟ୍‌ ଗ୍ରନ୍ଥି ବଢ଼ିଗଲେ ପରିସ୍ରା ରୋକି ହୋଇଯାଏ ଫଳରେ ମୂତ୍ରାଶୟ ମୋଟା ହୋଇଯାଏ। ୟୁରିନାରି ବ୍ଲାଡର ବା ମୂତ୍ରାଶୟ ମୋଟା ହୋଇଗଲେ ଏହିସବୁ ଲକ୍ଷଣ ଦେଖାଯାଏ।

ବାରମ୍ବାର ପରିସ୍ରା ଲାଗିବା

ପ୍ରତି ଘଣ୍ଟାରେ ଥରେ ଥରେ ପରିସ୍ରା ଯିବା

ପରିସ୍ରାକୁ ରୋକି ନ ପାରିବା

ପରିସ୍ରାର ଧାରା କମିଯିବା

ପରିସ୍ରା କରିସାରିବା ପରେ ପେଟରେ କିଛି ପରିସ୍ରା ରହିଯାଇଥିବା ଭଳି ଲାଗିବା

କାହାଠାରେ ଦେଖିବାକୁ ମିଳେ ପ୍ରୋଷ୍ଟେଟ୍‌ ସମସ୍ୟା?

ପ୍ରୋଷ୍ଟେଟ୍‌ ସମସ୍ୟା କେବଳ ପୁରୁଷଙ୍କଠାରେ ଦେଖାଯାଏ। ସାଧାରଣତଃ ୬୦ରୁ ୭୦ ବର୍ଷ ବୟସ୍କ ବ୍ୟକ୍ତି ପ୍ରୋଷ୍ଟେଟ୍‌ ସମସ୍ୟାରେ ଅଧିକ ପୀଡ଼ିତ ହୁଅନ୍ତି। ପ୍ରୋଷ୍ଟେଟ୍‌ ସମସ୍ୟା ଏକ ଧୀର ପ୍ରକ୍ରିୟା ଏଥିପାଇଁ କିଛି ଲୋକ ଭାବନ୍ତି ଏହା ବୟସ ହେଲେ ହୁଏ ଓ ଏହାକୁ ଅଣଦେଖା କରନ୍ତି। କିନ୍ତୁ ଏହା ପ୍ରୋଷ୍ଟେଟ୍‌ ସମ୍ବନ୍ଧୀୟ ସମସ୍ୟା ଏବଂ ଏହାର ଚିକିତ୍ସା କରିବା ଆବଶ୍ୟକ।

ପ୍ରୋଷ୍ଟେଟ୍‌ ସମସ୍ୟାର ଚିକିତ୍ସା ନ କଲେ କ’ଣ ସବୁ ଅସୁବିଧା ହୁଏ?

ପ୍ରୋଷ୍ଟେଟ୍‌ ସମସ୍ୟାକୁ ଅଣଦେଖା କଲେ ପରିସ୍ଥିତି ଜଟିଳ ହୋଇପାରେ। ଯେପରିକି ପରିସ୍ରା ବନ୍ଦ ହୋଇଯିବ ବା ଚେଷ୍ଟା କଲେ ବି ପରିସ୍ରା ହେବ ନାହିଁ ଫଳରେ ପରିସ୍ରା ପାଇପ୍‌ ଦେବାକୁ ପଡ଼ିଥାଏ। ଏହାଛଡ଼ା ବାରମ୍ବାର ମୂତ୍ରାଶୟ ସଂକ୍ରମଣ ହେବ, ପରିସ୍ରାରେ ରକ୍ତ ପଡ଼ିବ, ପରିସ୍ରା ବ୍ଲାଡରରେ ଜମିଯାଇ ଧୀରେ ଧୀରେ କିଡ୍‌ନି ଉପରେ ପ୍ରଭାବ ପଡ଼ିବ ଫଳରେ କିଡ୍‌ନି ସମସ୍ୟା ସୃଷ୍ଟି ହେବ।

ଏହିସବୁ ସମସ୍ୟାରୁ ବଞ୍ଚିବାକୁ ହେଲେ ଡାକ୍ତରଙ୍କ ପରାମର୍ଶ କରି ଚିକିତ୍ସା କରିବା ଜରୁରୀ।

ପ୍ରୋଷ୍ଟେଟ୍‌ ସମସ୍ୟାର ପରୀକ୍ଷା ଓ ଚିକିତ୍ସା (Treatment of Prostate Problem in Odia)

ପ୍ରୋଷ୍ଟେଟ୍‌ ସମସ୍ୟାର ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରି ପରୀକ୍ଷା କରନ୍ତୁ। ମୂତ୍ର ପରୀକ୍ଷା, ରକ୍ତ ପରୀକ୍ଷା ଅଲଟ୍ରାସାଉଣ୍ଡ ଦ୍ୱାରା ପ୍ରୋଟେଷ୍ଟ ସମସ୍ୟା ଜଣାପଡ଼ିଥାଏ।

ପ୍ରୋଷ୍ଟେଟ୍‌ ବଢ଼ିଛି ଯେ  ଅପରେସନ୍‌ ଦରକାର ସେଭଳି ଭାବିବା ଠିକ୍‌ ନୁହେଁ। ସବୁ ପ୍ରୋଷ୍ଟେଟ୍‌ ସମସ୍ୟା ପାଇଁ ଅପରେସନ୍‌ ଆବଶ୍ୟକ ପଡ଼େ ନାହିଁ। ପ୍ରାୟତଃ ୭୫ ପ୍ରତିଶତ ଲୋକ ଔଷଧ ଖାଇଲେ ପ୍ରୋଟେଷ୍ଟ ସମସ୍ୟା ଭଲ ହୋଇଯାଏ ମାତ୍ର ୨୫ ପ୍ରତିଶତ ଲୋକଙ୍କୁ ଅପରେସନ୍‌ ଦରକାର ପଡ଼ିଥାଏ।

ଯଦି ଜଣେ ଲୋକଙ୍କର ପ୍ରୋଷ୍ଟେଟ୍‌ ବଢ଼ିଯାଇ ୟୁରିନାରି ରିଟେନ୍‌ସନ୍‌ ହେଲା, ତା’ପରେ ତାଙ୍କୁ ମେଡିସିନ୍ ଦିଆଯାଏ ଏବଂ କ୍ୟାଥେଟର ଖୋଲାଯାଏ। କିନ୍ତୁ କ୍ୟାଥେଟର ଖୋଲିବା ପରେ ବି ପରିସ୍ରା ନ ହୁଏ, ତେବେ ଅପରେସନ୍‌ ଦରକାର ପଡ଼ିଥାଏ। ଯଦି ମେଡିସିନ୍‌ରେ ରୋଗ ଭଲ ନ ହୁଏ, ମୂତ୍ରାଶୟରେ ଷ୍ଟୋନ୍‌ ହୋଇଥିଲେ, କିଡ୍‌ନି ପ୍ରଭାବିତ ହୋଇଥିଲେ, ବାରମ୍ବାର ମୂତ୍ରାଶୟ ସଂକ୍ରମଣ ହେଉଥିଲେ ଅପରେସନ୍‌ କରିବାକୁ ପଡ଼ିଥାଏ।

ବର୍ତ୍ତମାନ ପ୍ରୋଷ୍ଟେଟ୍‌ ସମସ୍ୟାର ଚିକିତ୍ସା ପାଇଁ ଓପନ୍‌ ସର୍ଜରୀ କରାଯାଉ ନାହିଁ। ଏବେ ପରିସ୍ରା ରାସ୍ତାରେ ଲେଜର ବା ଇଲେକ୍ଟ୍ରିକ୍‌ କରେଣ୍ଟ ଦ୍ୱାରା ପ୍ରୋଷ୍ଟେଟ୍‌ ସଫା କରାଯାଉଛି।

ପ୍ରୋଷ୍ଟେଟ୍‌ ଅପରେସନର ସୁବିଧା ଓ ଅସୁବିଧା

ପ୍ରୋଷ୍ଟେଟ୍‌ ଅପରେସନ୍‌ କରିବା ପରେ ମୁଖ୍ୟତଃ ୨, ୩ଟି ଅସୁବିଧା ହୋଇପାରେ। ପ୍ରାୟ କିଛି ଲୋକଙ୍କର ପରିସ୍ରା ଲିକ୍‌ ହୋଇପାରେ, ପ୍ରାୟ ୧୬ରୁ ୩୦ ପ୍ରତିଶତ ଲୋକଙ୍କର ପରିସ୍ରା ରାସ୍ତାରେ ଷ୍ଟ୍ରିକ୍‌ଚର ସୃଷ୍ଟି ହୁଏ। ଏହି ଷ୍ଟିକ୍‌ଚର ଲାଗି ପୁଣି ଏକ ଛୋଟ ଅପରେସନ୍‌ କରିବାକୁ ପଡ଼ିଥାଏ। ପ୍ରୋଷ୍ଟେଟ୍‌ ଅପରେସନ୍‌ ପରେ ମଧ୍ୟ ପ୍ରୋଷ୍ଟେଟ୍‌ ବଢ଼ିବାର କ୍ୱଚିତ ସମ୍ଭାବନା ଥାଏ କିନ୍ତୁ ଏହା ବଢ଼ିବା ପାଇଁ ୧୦ରୁ ୧୫ ବର୍ଷ ସମୟ ଲାଗିଥାଏ।

ପ୍ରୋଷ୍ଟେଟ୍‌‌ ସମସ୍ୟା ଥିଲେ ଡରିବାର ନାହିଁ। କୌଣସି ଲକ୍ଷଣ ଦେଖାଗଲେ ମାତ୍ରେ ଅବହେଳା କରନ୍ତୁ ନାହିଁ, ଚିକିତ୍ସା କରନ୍ତୁ। ଅନ୍ୟପକ୍ଷରେ ବେଳେ ବେଳେ ଏହି ସମସ୍ୟାର ଲକ୍ଷଣ ଜଣାପଡ଼ି ନଥାଏ କିମ୍ବା ରୋଗୀ ତାହା ଜାଣି ପାରି ନଥା’ନ୍ତି। ଏହି ସମସ୍ୟାକୁ ଦୂର କରିବାର ଗୋଟିଏ ସମାଧାନ ହେଉଛି ନିୟମିତ ହେଲ୍‌ଥ ଚେକ୍‌ଅପ୍। ଆପଣ ସୁସ୍ଥ ଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ରୁଟିନ୍ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଦରକାର। ଏଥିରେ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇଥାଏ। ୪୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ନିୟମିତ ହେଲ୍‌ଥ ଚେକ୍‌ଅପ୍ ନିହାତି ଦରକାର। ସେହିପରି ସୁସ୍ଥ ବ୍ୟକ୍ତି ମଧ୍ୟ ବର୍ଷକୁ ଥରେ ହେଲ୍‌ଥ ଚେକ୍‌ଅପ୍‌ କରିବା ଦରକାର।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ବିଶ୍ୱଜିତ ନନ୍ଦଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on symptoms and treatment of prostate problem based on the interview with Dr Biswajit Nanda, Consultant Urology, Andrology and Kidney Transplant Surgeon.