ଜଣାଶୁଣା ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁଜାତା କରଙ୍କଠାରୁ ଆସନ୍ତୁ ଜାଣିବା କରୋନା ଭଳି ମହାମାରୀ ସମୟରେ କିଭଳି ଗର୍ଭବତୀ ମା’ ଓ ନବଜାତ ଶିଶୁମାନଙ୍କୁ ସୁରକ୍ଷିତ ରଖିବା? (Impact of COVID-19 on Pregnant Women and Newborn, in Odia)
- ଗର୍ଭବତୀ ମହିଳା କିଭଳି ନିଜକୁ କରୋନା ସଂକ୍ରମଣରୁ ଦୂରେଇ ରଖିବେ?
- ନବଜାତ ଶିଶୁଙ୍କୁ କିଭଳି ହେବ ନାହିଁ କରୋନା ସଂକ୍ରମଣ?
- ମା’କୁ କରୋନା ହୋଇଥିଲେ ସ୍ତନ୍ୟପାନ କରୁଥିବା ଶିଶୁ ସଂକ୍ରମିତ ହେବ କି?
- କରୋନା ସମୟରେ ଗର୍ଭଧାରଣ କରିବାରେ କିଛି ଅସୁବିଧା ରହିଛି କି?
- ଏବେ ବନ୍ଧ୍ୟା ଦୋଷ ଚିକିତ୍ସା କରିବେ ନା ସାଧାରଣ ସମୟକୁ ଅପେକ୍ଷା କରିବେ?
କରୋନା ଭାଇରସ (କୋଭିଡ୍-୧୯) ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରିବାର ସାଧାରଣତଃ ୨ରୁ ୧୪ ଦିନ ମଧ୍ୟରେ ଏହାର ଲକ୍ଷଣ ଦେଖାଯାଏ। ଏହି ଲକ୍ଷଣଗୁଡ଼ିକ ହେଲା ସର୍ଦ୍ଦି, ଜ୍ୱର, ଲଗାତାର କାଶ ଓ ଛିଙ୍କ ଇତ୍ୟାଦି। ଏହି ଭୂତାଣୁ ଜଣେ ବ୍ୟକ୍ତିଠାରୁ ଅନ୍ୟ ଜଣକୁ ସହଜରେ ଡେଇଁଥାଏ। ସେହିପରି, ଏହା ନୂଆ ଭୂତାଣୁ ହୋଇଥିବାରୁ ଏଥିପାଇଁ କୌଣସି ଔଷଧ କି ଟୀକା ବାହାରି ନାହିଁ। ତେଣୁ, ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କ ଉପରେ କରୋନାର କି ପ୍ରଭାବ ପଡ଼ିଥାଏ ସେ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠେ।
ବିଭିନ୍ନ ବୟସ ବା ବର୍ଗର ବ୍ୟକ୍ତିଙ୍କୁ କରୋନା (କୋଭିଡ୍-୧୯) ସଂକ୍ରମଣ ହୋଇପାରେ। ଏହି ଭାଇରସ ଜଣେ ସାଧାରଣ ଲୋକ ଉପରେ ଯେଉଁଭଳି ଭାବେ ପ୍ରଭାବ ପକାଇଥାଏ, ଗର୍ଭବତୀ ମହିଳାଙ୍କୁ ମଧ୍ୟ ସେଭଳି ପ୍ରଭାବ ପକାଇଥାଏ। ବିଶେଷକରି କରୋନା ସଂକ୍ରମଣ ଖୁବ୍ଶୀଘ୍ର ଓ ବ୍ୟାପକ ଭାବରେ ହେଉଥିବାରୁ ଗର୍ଭବତୀ ମହିଳାମାନେ ସଚେତନ ରହିବା ଜରୁରୀ।
ଗର୍ଭବତୀ ମହିଳାଙ୍କ ଯତ୍ନ (Care of Pregnant women during COVID-19, in Odia)
କରୋନାଠାରୁ ଦୂରେଇ ରହିବାକୁ ଗର୍ଭବତୀ ମହିଳାମାନେ ଘର ଭିତରେ ରହିବା ଉଚିତ। ବାରମ୍ବାର ହାତକୁ ସାବୁନ ବା ହ୍ୟାଣ୍ଡଓ୍ୱାସ୍ରେ ୨୦ ସେକେଣ୍ଡ ପାଇଁ ଧୁଅନ୍ତୁ। ଖାଇବା ପୂର୍ବରୁ ହାତକୁ ସାବୁନରେ ଧୋଇ ଖାଆନ୍ତୁ। ସ୍ୱଚ୍ଛତା ବଜାୟ ରଖନ୍ତୁ।
କାଶିବା ଓ ଛିଙ୍କିବା ବେଳେ ମୁହଁରେ ରୁମାଲ, କପଡ଼ା ବା ଟିସୁ ବ୍ୟବହାର କରନ୍ତୁ ଓ ତୁରନ୍ତୁ ସେହି ଟିସୁକୁ ଢାଙ୍କୁଣି ଥିବା ଡଷ୍ଟବିନ୍ରେ ଫୋପାଡ଼ନ୍ତୁ। ପାଖରେ ରୁମାଲ ନ ଥିଲେ ମୁହଁକୁ କହୁଣିରେ ଢାଙ୍କି କାଶନ୍ତୁ। ମୁହଁ, ହାତ, ନାକ ଓ ପାଟିରେ ବାରମ୍ବାର ହାତ ମାରନ୍ତୁ ନାହିଁ। ଯଦି କୌଣସି ବ୍ୟକ୍ତିଙ୍କୁ ଥଣ୍ଡା, ଜ୍ୱର ହେଉଥାଏ, ସେମାନଙ୍କଠାରୁ ଦୁରତା ରକ୍ଷା କରନ୍ତୁ। ଉଭୟ ଘର ଓ ବାହାର ଲୋକଙ୍କଠାରୁ ସାମାଜିତ ଦୂରତା ରଖନ୍ତୁ।
ଗର୍ଭବତୀ ମହିଳାମାନେ କରୋନା ଭଳି ମହାମାରୀ ସମୟରେ ନିଜର ଅଧିକ ଯତ୍ନ ନେବା ଦରକାର। ଏହି ସମୟରେ ନିୟମିତ ବ୍ୟବଧାନରେ ବା ନିର୍ଦ୍ଧାରିତ ସମୟ ଅନୁଯାୟୀ ଡାକ୍ତରଙ୍କ ସହ ପରାମର୍ଶ ତଥା ରୁଟିନ୍ ଚେକ୍ଅପ୍ କରିବା ଦରକାର। ଯେଉଁ ସମୟରେ ରକ୍ତ ପରୀକ୍ଷା କରିବା କଥା ସେହି ପରୀକ୍ଷା କରାଇବାକୁ ପଡ଼ିବ। ଏହାଛଡ଼ା ସଠିକ୍ ସମୟରେ ଔଷଧ ଖାଇବା ସହ ଟୀକାକରଣରେ ଯେପରି ହେଳା କରିବେ ନାହିଁ।
ପ୍ରସବ ସମୟ ପାଖେଇ ଆସିଲେ ମହିଳାମାନେ ନିଜକୁ ପ୍ରସ୍ତୁତ ରଖିବାକୁ ହେବ। ପ୍ରସବ ପାଇଁ ଉପଯୁକ୍ତ ମେଡିକାଲ ଆଗୁଆ ନିରୂପଣ କରିବା ଉଚିତ।
ତା’ ଛଡ଼ା ଏବେ ଯେଉଁ ଦମ୍ପତି ପିଲାଛୁଆ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ପରାମର୍ଶ ହେଉଛି ଯେ, ଆଗାମୀ ୩ ମାସ ଯାଏଁ ଗର୍ଭଧାରଣ ପାଇଁ ଯୋଜନା ନ କରିବା ଭଲ।
ମା’କୁ କରୋନା ହୋଇଥିଲେ ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପଡ଼ିବ କି? (Impact of COVID-19 on the fetus, in Odia)
ବିଭିନ୍ନ ବୟସ ବା ବର୍ଗର ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହୋଇପାରେ। କିନ୍ତୁ, କରୋନା ସଂକ୍ରମିତ ମା’ଠାରୁ ନବଜାତ ଶିଶୁକୁ କରୋନା ସଂକ୍ରମିତ ହୁଏ କି ନାହିଁ ସେଭଳି କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ମିଳିନାହିଁ।
ତେବେ କରୋନା ଭାଇରସ (କୋଭିଡ୍-୧୯) ହେଉଛି ଏକ ନୂଆ ଭାଇରସ୍। ଯେହେତୁ ଏହା ନୂଆ ଏହାର ପ୍ରକାର ଓ ପ୍ରଭାବ ସଂପର୍କରେ ବର୍ତ୍ତମାନ ଅନେକ କଥା ଜଣାପଡ଼ି ନାହିଁ। ପୂର୍ବରୁ ଇବୋଲା ଭଳି ଭାଇରସ୍ ମା’କୁ ହେଉଥିଲେ ଛୁଆ ବିକଳାଙ୍ଗ ହୋଇ ଜନ୍ମ ହେଉଥିଲା। କିନ୍ତୁ କରୋନା ଭାଇରସ୍ ମା’କୁ ହେଲେ ଛୁଆ ଉପରେ ଏହାର କ’ଣ ପ୍ରଭାବ ପଡ଼ିବ ତାହା ଏଯାଏଁ ଜଣାପଡ଼ି ନାହିଁ।
କରୋନା ସଂକ୍ରମିତ ମା’ଠାରୁ ସ୍ତନ୍ୟପାନ କରୁଥିବା ଶିଶୁ ସଂକ୍ରମିତ ହୁଏ କି? (Will the Nursing Mother transmit Coronavirus to the Baby, in Odia)
ମା’କୁ କରୋନା ହୋଇଥିଲେ ସ୍ତନ୍ୟପାନ କରୁଥିବା ଛୁଆକୁ ସିଧାସଳଖ କରୋନା ବ୍ୟାପିବାର ଏଯାଏଁ କୌଣସି ପ୍ରମାଣ ନାହିଁ। ଯଦି ଜଣେ ମହିଳାଙ୍କର କରୋନା ଭାଇରସ୍ ପଜିଟିଭ୍ ଅଛି ଏବଂ ସେ ଛୁଆ ଜନ୍ମ କରୁଛନ୍ତି, ତେବେ ଭାଇରସ ମା’ର ଶରୀରରୁ ଛୁଆର ରକ୍ତକୁ ଯାଇପାରିବ ବୋଲି ଏପର୍ଯ୍ୟନ୍ତ ପ୍ରମାଣିତ ହୋଇ ନାହିଁ। କିନ୍ତୁ ଗୋଟେ ଦୁଇଟି କେସ୍ରେ ମା’ଠାରୁ ଛୁଆକୁ କରୋନା ସଂକ୍ରମିତ ହୋଇଛି। ଯଦି ମା’ କରୋନା ଆକ୍ରାନ୍ତ, ତେବେ ନବଜାତ ଶିଶୁକୁ ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ଶିଶୁଟିକୁ ମା’ଠାରୁ ଅସ୍ଥାୟୀ ଭାବରେ ଅଲଗା ରଖିବାକୁ ହେବ।
କରୋନା ଆକ୍ରାନ୍ତ ମା’ମାନେ ସେମାନଙ୍କ ନବଜାତ ଶିଶୁକୁ ସ୍ତନ୍ୟପାନ କରାଇପାରିବେ। କିନ୍ତୁ ମା’ର କ୍ଷୀରକୁ ବୋତଲରେ ନେଇ ପିଲାକୁ ଦିଆଯାଇପାରିବ। ମା’ କରୋନା ପଜିଟିଭ୍ ଥିଲେ ଛୁଆର ଟେଷ୍ଟିଂ କରିବା ନିହାତି ଜରୁରୀ। ଯଦି ମା’ କରୋନା ଭାଇରସରେ ଆକ୍ରାନ୍ତ ନୁହେଁ, ତେବେ ମା’ଠାରୁ ଛୁଆକୁ ଅଲଗା ରଖିବାର କୌଣସି ଆବଶ୍ୟକତା ନାହିଁ।
କରୋନା ବେଳେ ଶିଶୁମାନଙ୍କ ପାଇଁ ବିଶେଷ ଯତ୍ନ (Special care for Newborns during Covid-19 pandemic, in Odia)
ନବଜାତ ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ। ଏଥିପାଇଁ ଶିଶୁମାନଙ୍କର ବିଶେଷ ଯତ୍ନ ନେବା ଜରୁରୀ। ଶିଶୁମାନଙ୍କୁ ଧରିବା ପୂର୍ବରୁ ହାତକୁ ୨୦ ସେକେଣ୍ଡ ପାଇଁ ହାଣ୍ଡଓ୍ୱାସ୍ ବା ସାବୁନରେ ଧୁଅନ୍ତୁ। ସ୍ତନ୍ୟପାନ ବେଳେ ସଂସ୍ପର୍ଶରେ ଆସୁଥିବା ସମସ୍ତ ଅଂଶକୁ ସଫା କରି ଶିଶୁଙ୍କୁ ସ୍ତନ୍ୟପାନ କରାନ୍ତୁ। ଶିଶୁ ବ୍ୟବହାର କରୁଥିବା ପୋଷାକ, ବ୍ୟବହୃତ କପଡ଼ାକୁ ପରିସ୍କାର ରଖିବା ସହ ଶିଶୁ ରହୁଥିବା ଘରକୁ ସଫା ରଖନ୍ତୁ। ଏହା ସହ ଶିଶୁ ଶୋଉଥିବା ବେଡସିଟ୍କୁ ସଫା ରଖନ୍ତୁ। ପିଲାଙ୍କୁ ଯେତେ ସମ୍ଭବ ଘରେ ରଖନ୍ତୁ। ଯଦି ଘରର କୌଣସି ବ୍ୟକ୍ତିଙ୍କୁ ଥଣ୍ଡା, ଜ୍ୱର ହୋଇଥାଏ, ତେବେ ଶିଶୁକୁ ତାଙ୍କଠାରୁ ଦୂରେଇ ରଖନ୍ତୁ।
ଏହାଛଡ଼ା କରୋନା ସମୟରେ ଚାକିରି କରୁଥିବା ଗର୍ଭବତୀ ମହିଳାମାନେ ଅଧିକ ଯତ୍ନ ନେବା ଜରୁରୀ। ଏହି ସମୟରେ ମହିଳାମାନେ ଯଦି ଘରୁ ରହି କାମ କରିପାରିବେ ତାହା ଅତ୍ୟନ୍ତ ଭଲ। ଯଦି ଅଫିସ୍ ଯିବାକୁ ପଡ଼ୁଛି, ତେବେ ଅନ୍ୟମାନଙ୍କଠାରୁ ସାମାଜିକ ଦୂରତା ରକ୍ଷା, ବାରମ୍ବାର ସାବୁନରେ ହାତ ଧୋଇବା ଓ ନିଜର ସମ୍ପୂର୍ଣ୍ଣ ଭାବେ ଯତ୍ନ ନେବା ଜରୁରୀ।
ନବଜାତ ଶିଶୁଙ୍କ ଟୀକାକରଣ ଜରୁରୀ (Routine Immunization of babies during COVID-19, in Odia)
କରୋନା ଭୂତାଣୁର ସଂକମଣ ବ୍ୟାପିଛି ବୋଲି ଆମେ ଅନ୍ୟ ରୋଗକୁ ଭୁଲିଯିବା ନାହିଁ। ଏଭଳି ଜଟିଳ ସମୟରେ ବି ଶିଶୁମାନଙ୍କ ଟୀକାକରଣ ଜରୁରୀ। ନବଜାତ ଶିଶୁକୁ ନିର୍ଦ୍ଦିଷ୍ଟ ସମୟରେ ଯେଉଁ ଯେଉଁ ଟୀକା ଦେବା ଦରକାର ତାହା ଯେପରି ଅଟକି ନଯାଏ। କିନ୍ତୁ ଟିକା ଦେବାକୁ ଯିବା ବେଳେ ଉଭୟ ବାପା ମା’ ଓ ଶିଶୁ ସେଠାରେ ସାମାଜିକ ଦୂରତା ଅବଲମ୍ବନ କରିବା ଆବଶ୍ୟକ। ଏହା ସହ ମାସ୍କ ପିନ୍ଧି ବାହାରକୁ ଗଲେ ସୁରକ୍ଷିତ ରହିବେ।
ପ୍ରସବ ଉପରେ କରୋନା ଭାଇରସ୍ର ପ୍ରଭାବ! (Impact of COVID-19 on Child Birth, in Odia)
କରୋନା ଭାଇରସ (କୋଭିଡ୍-୧୯)କୁ ନେଇ ଏବେ ସମସ୍ତେ ଭୟଭୀତ। ଏହି ସମୟରେ ଲୋକଙ୍କ ମନରେ ବିଭିନ୍ନ ଦ୍ୱନ୍ଦ୍ୱ ସୃଷ୍ଟି ହେବା ସ୍ୱାଭାବିକ। ଏପରିକି ଗର୍ଭବତୀ ମହିଳାମାନଙ୍କ ମନରେ ବି ଅନେକ ପ୍ରଶ୍ନ ସୃଷ୍ଟି ହେଉଥିବ।
କରୋନା ସମୟରେ ମହିଳାଙ୍କ ପ୍ରସବ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଯଦି ଗର୍ଭବତୀ ମହିଳାଙ୍କର ଗର୍ଭଧାରଣ ବେଳେ କୌଣସି ଜଟିଳତା ଦେଖାଦିଏ ନାହିଁ ଓ ମହିଳା ସୁସ୍ଥ ଥିବେ ତେବେ ନରମାଲ ଡେଲିଭରି ହୋଇପାରିବ। ଗର୍ଭବତୀ ମହିଳାଙ୍କ ଶିଶୁର ଅବସ୍ଥିତି ଓ ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ଯଦି ଅପରେସନ୍ ଦରକାର ପଡ଼ିବ ବୋଲି ଡାକ୍ତର ଭାବିବେ ତେବେ ସିଜରିଆନ୍ ଡେଲିଭରି କରାଯାଇପାରେ। ତେଣୁ କରୋନା ଭାଇରସ୍ର ନରମାଲ ଡେଲିଭରି ବା ସିଜରିଆନ୍ ଡେଲିଭରି ସହ କୌଣସି ସଂପର୍କ ନାହିଁ।
ଅନ୍ୟପକ୍ଷରେ ଯଦି ଜଣେ ଗର୍ଭବତୀ ମହିଳା କରୋନାରେ ସଂକ୍ରମିତ ହୁଅନ୍ତି, ତେବେ ଡରିବାର କିଛି ନାହିଁ। କାରଣ ଏହି ରୋଗରୁ ସୁସ୍ଥ ହେବାର ସମ୍ଭାବନା ଅଧିକ।
କରୋନା ସଂକ୍ରମିତ ଗର୍ଭବତୀ ମହିଳାଙ୍କ ଚିକିତ୍ସା (Treatment of Pregnant women affected with Coronavirus, in odia)
କରୋନା ଭାଇରସର ଏଯାଏଁ କୌଣସି ଚିକିତ୍ସା ବାହାରି ନାହିଁ। ବର୍ତ୍ତମାନ ପ୍ରାଥମିକ ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧକୁ ବ୍ୟବହାର କରାଯାଉଛି। ଅନ୍ୟପକ୍ଷରେ ଲକ୍ଷଣ ଅନୁଯାୟୀ କରୋନା ରୋଗୀଙ୍କର ଚିକିତ୍ସା ରାଯାଉଛି। ଯଦି ଗର୍ଭବତୀ ମହିଳା କରୋନାରେ ସଂକ୍ରମିତ ହୁଅନ୍ତି ତେବେ ସେହି ଅନୁଯାଇ ତାଙ୍କର ମଧ୍ୟ ଚିକିତ୍ସା କରାଯାଇ ପାରିବ।
ଏ ସମୟରେ ବନ୍ଧ୍ୟାଦୋଷ ଚିକିତ୍ସା କିରବା ଉଚିତ କି ନୁହେଁ? (Treatment for Infertility during COVID-19 time is not advisable, in Odia)
ଆଜିକାଲି ୧୫ରୁ ୨୦ ପ୍ରତିଶତ ମହିଳାଙ୍କଠାରେ ବନ୍ଧ୍ୟାଦୋଷ ଦେଖାଯାଉଛି। ଗର୍ଭଧାରଣରେ ଅସୁବିଧା ହେବା, ବୟସ ବଢ଼ିବା ସହ ଗର୍ଭଧାରଣ କରିବା ଶକ୍ତି କମିଯିବାକୁ ସାଧାରଣତଃ ବନ୍ଧ୍ୟାଦୋଷ ବୋଲି କୁହାଯାଏ। ଏଥିପାଇଁ ମହିଳାମାନେ ଡାକ୍ତରଙ୍କଠାରେ ଚିକିତ୍ସା କରାଉଛନ୍ତି।
ତେବେ କରୋନା ସମୟରେ ବନ୍ଧ୍ୟାଦୋଷର ସମସ୍ତ ଚିକିତ୍ସା ବନ୍ଦ କରିବାକୁ ଡାକ୍ତରମାନଙ୍କୁ ଆଡଭାଇଜରି ଜାରି କରାଯାଇଛି। ବନ୍ଧ୍ୟାଦୋଷ ଚିକିତ୍ସା ବର୍ତ୍ତମାନ କିଛି ମାସ ବନ୍ଦ କରିବାକୁ ପରାମର୍ଶ ଦିଆଯାଇଛି।
(ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁଜାତା କରଙ୍କ ସହ ସ୍ୱାସ୍ଥ୍ୟପ୍ଲସ୍ର ସାକ୍ଷାତକାର ଉପରେ ଆଧାରିତ।)
Note: This article, published on leading Odia digital platfrom ‘Swasthya Plus’, is based on the interview with Dr Sujata Kar, a renowned Gynecologist and Obstetrician. She is speaking on the probable impact of COVID-19 during pregnancy and advises on how to keep the mother and the newborn safe from this pandemic.