ଶରୀରରେ ହିମୋଗ୍ଲୋବିନର ଅଭାବ ହେଲେ ଆନିମିଆ ଭଳି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଏହି ସମୟରେ ଲୋହିତ ରକ୍ତକଣିକାଗୁଡ଼ିକ ନଷ୍ଟ ହେବା ଅପେକ୍ଷା ସେଗୁଡ଼ିକର ନିର୍ମାଣ ପ୍ରକ୍ରିୟା ବିଳମ୍ବିତ ହୋଇଥାଏ। ତେଣୁ ଶରୀରରେ ରକ୍ତର ଅଭାବ ଦେଖାଯାଏ। ଏହାଯୋଗୁଁ ମୁଣ୍ଡ ବୁଲାଇବା, ରୋଗୀ ଦୁର୍ବଳ ଅନୁଭବ କରିବା ସହିତ ଦୈନନ୍ଦିନ କାମ କରିବାରେ ଅସହଜତା ଅନୁଭବ କରିଥା’ନ୍ତି।
ବିଭିନ୍ନ ଆୟୁ ବର୍ଗର ଲୋକଙ୍କୁ ଏହା ପ୍ରଭାବିତ କରିଥାଏ।ମହିଳାମାନଙ୍କୁ ଏହା ଅଧିକ ଭାବେ ପ୍ରଭାବିତ କରୁଥିବାବେଳେ ପୁରୁଷଙ୍କଠାରେ ବି ଆନିମିଆ ଦେଖାଯାଇଥାଏ। ଦ ଲ୍ୟାସେଣ୍ଟ ଗ୍ଲୋବାଲ ହେଲଥରେ ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତରେ ୧୫-୫୪ ବର୍ଷ ବୟସ ମଧ୍ୟରେ ପ୍ରତି ୪ ଜଣ ପୁରୁଷଙ୍କ ମଧ୍ୟରୁ ଜଣେ ଆନିମିଆ ଦ୍ୱାରା ପୀଡ଼ିତ। ପୁରୁଷଙ୍କଠାରେ ହିମୋଗ୍ଲୋବିନର ସ୍ତର ୧୩.୫ ଏବଂ ମହିଳାଙ୍କଠାରେ ୧୨ରୁ କମ ରହିଲେ ତାହାକୁ ଆନିମିଆର ସ୍ଥିତି ଭାବେ ଗଣନା କରାଯାଏ।
ଲକ୍ଷଣ
-ମୁଣ୍ଡ ବୁଲାଇବା
-ରୋଗୀ ଦୁର୍ବଳ ଅନୁଭବ କରିବା
-ଚର୍ମ ଫିକା ଦେଖାଯିବା ବା ହଳଦିଆ ଦେଖାଯିବା
-ହୃଦୟର ଗତି ଅନିୟନ୍ତ୍ରିତ ହେବା
-ନିଃଶ୍ୱାସ ନେବାରେ ସମସ୍ୟା
-ସମୟ ସମୟରେ ଆଖି ସାମ୍ନାରେ ଅନ୍ଧାର ହୋଇଯିବା
-ଛାତି ଯନ୍ତ୍ରଣା
-ହାତ ଓ ପାଦ କାଲୁଆ ହୋଇଯିବା
-ମୁଣ୍ଡବିନ୍ଧା
-ବ୍ୟକ୍ତି ବେହୋସ ହେବା
-କେଶ ଝଡ଼ିବା
କାରଣ
ଆନିମିଆର ସବୁଠୁ ବଡ଼ କାରଣ ହେଲା ଲୌହଯୁକ୍ତ ଖାଦ୍ୟ ନ ଖାଇବା। ଏହାଛଡ଼ା ମ୍ୟାଲେରିଆ ପରେ ରୋଗୀର ଶରୀରରେ ରକ୍ତକଣିକା କମିଯାଏ। ତେଣୁ ଆନିମିଆ ହୋଇଥାଏ। ସେହିପରି ଯଦି କୌଣସି ପ୍ରକାର ଦୁର୍ଘଟଣା ଯୋଗୁଁ ରୋଗୀର ଶରୀରରୁ ଅଧିକ ରକ୍ତସ୍ରାବ ହୋଇଥାଏ ତା’ ହେଲେ ମଧ୍ୟ ସେ ଆନିମିଆର ଶିକାର ହେବାର ଆଶଙ୍କା ରହେ। କିଛି ଲୋକଙ୍କର ମଳତ୍ୟାଗ ସମୟରେ, ବାନ୍ତିରେ ଅନ୍ୟ ରୋଗ ଯୋଗୁଁ ରକ୍ତ ପଡ଼ିଥାଏ। ସେମାନେ ଆନିମିଆ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହେ। ଏହାଛଡ଼ା ଅଧିକ ଋତୁସ୍ରାବ ହେଉଥିବା ମହିଳା, ପେଟରେ ଅଲସର ହୋଇଥିଲେ, ବାରମ୍ବାର ଗର୍ଭଧାରଣ କରୁଥିଲେ ରକ୍ତହୀନତା ହେବାର ଆଶଙ୍କା ଥାଏ।
ଉପଚାର କ’ଣ
-ଯଦି ମ୍ୟାଲେରିଆ ଯୋଗୁଁ ଆନିମିଆ ହୋଇଥାଏ ତା’ ହେଲେ ପ୍ରଥମେ ତା’ର ଚିକିତ୍ସା କରନ୍ତୁ।
-ଲୌହଯୁକ୍ତ ଖାଦ୍ୟ, ଭିଟାମିନ ବି, ସିଯୁକ୍ତ ଖାଦ୍ୟ ଖାଇବାକୁ ପଡ଼ିବ।
-ଗର୍ଭବତୀ ମହିଳା ଏବଂ କିଶୋରୀ ରକ୍ତହୀନତାର ଶିକାର ହୋଇଥିଲେ ସେମାନଙ୍କୁ ନିୟମିତ ଭାବେ ୧୦୦ ଦିନ ଯାଏ ଲୌହଯୁକ୍ତ ତତ୍ତ୍ୱ ଖାଇବା ଏବଂ ଫୋଲିକ ଏସିଡର ଟାବଲେଟ ଖାଇବା ଆବଶ୍ୟକ।
-ବାରମ୍ବାର ଗର୍ଭଧାରଣରୁ ନିବୃତ୍ତ ରହିବା ଆବଶ୍ୟକ।
-ଖାଦ୍ୟ ଖାଇବା ପରେ ଚା’ ପିଇବା ଅନୁଚିତ। କାରଣ ଚା’ ଖାଦ୍ୟରୁ ମିଳୁଥିବା ପୋଷକ ତତ୍ତ୍ୱକୁ ନଷ୍ଟ କରିଦିଏ।
-ସଂକ୍ରମଣରୁ ରକ୍ଷା ପାଇବା ଲାଗି ସ୍ୱଚ୍ଛ ଶୌଚାଳୟ ଏବଂ ପାନୀୟ ଜଳ ବ୍ୟବହାର କରନ୍ତୁ।