ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ

ଲକ୍‌ଡାଉନ୍‌ ଯୋଗୁଁ ଲୋକମାନଙ୍କ ଦିନଚର୍ଯ୍ୟା ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ଏହା ସହିତ କରୋନା ଦ୍ୱାରା ସଂକ୍ରମିତ ହେବା ଡର ସହିତ ଏକ ଅନିଶ୍ଚିତ ଭବିଷ୍ୟତର ଭାବନା ସମସ୍ତଙ୍କ ମନରେ ଆତଙ୍କ ଖେଳାଇ ଦେଇଛି ।

 

ଲକ୍‌ଡାଉନ୍‌ ବା ତାଲାବନ୍ଦର ଅବଧି ପୁଣି ଥରେ ବୃଦ୍ଧି ପାଇଛି। ଏହାର ଅର୍ଥ ହେଉଛି ଆମ ସମସ୍ତଙ୍କୁ ଆଉ କିଛି ଅଧିକ ସମୟ ଘର ଭିତରେ ବିତେଇବାକୁ ହେବ। ଆମେ ସମସ୍ତେ ଜାଣିଛେ ଓ ବୁଝିଛେ ଯେ ଲକ୍‌ଡାଉନ୍‌ ହେଉଛି ସର୍ବସାଧାରଣଙ୍କ ହିତରେ ଗ୍ରହଣ କରାଯାଇଥିବା ଏକ କଠୋର ପଦକ୍ଷେପ। ଏକଥା ମଧ୍ୟ ସମସ୍ତେ ଜାଣନ୍ତି ଯେ ଲକ୍‌ଡାଉନ୍‌ ଦ୍ୱାରା କରୋନା ଭୂତାଣୁର ପ୍ରକୋପକୁ ଶତ ପ୍ରତିଶତ ରୋକି ପାରିବା ନାହିଁ। ହେଲେ, ଏହା ଦ୍ୱାରା ଯେ ସଂକ୍ରମଣର ହାର ଯଥେଷ୍ଟ କମ୍‌ କରିହେବ ସେଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଏପରି ପରିସ୍ଥିତିରେ ଲୋକମାନେ ମାନସିକସ୍ତରରେ ଚାପଗ୍ରସ୍ତ ହେବା ଏକ ସାଧାରଣ କଥା। ଏହି ଚାପ ଯୋଗୁ ମନୁଷ୍ୟର ଶରୀର, ମସ୍ତିଷ୍କ, ଭାବନା ଓ ବ୍ୟବହାର ଆଦି ସବୁ ପ୍ରଭାବିତ ହେଉଥିବା ବେଳେ ସାଧାରଣ ଜୀବନଯାପନ ପଥରୁ ବିଚ୍ୟୁତ ହେବା ସମ୍ଭାବନା ରହିଛି। ଏଣୁ ଲକ୍‌ଡାଉନ୍‌ ସମୟରେ ନିଜ ମନକୁ ଶାନ୍ତ ରଖିବା ଅପରିହାର୍ଯ୍ୟ। ଆସନ୍ତୁ ଆଜିର ଚାପମୁକ୍ତ ରହିବା ପାଇଁ କେତୋଟି ସାଧାରଣ ଉପାୟ ବିଷୟରେ ଜାଣିବା-

mental pressure

୧- ସକାରାତ୍ମକ ହୁଅନ୍ତୁ। ନିଜକୁ ମାନସିକସ୍ତରରେ ମଜବୁତ କରନ୍ତୁ। ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଶାବାଦୀ ହୁଅନ୍ତୁ।

୨- କରୋନା ସମ୍ପର୍କିତ ଖବର ଜାଣନ୍ତୁ। ମିଥ୍ୟା ଓ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ।

୩- କେବଳ ବିଶ୍ୱସନୀୟ ସୂତ୍ରରୁ ମିଳିଥିବା କରୋନା ସମ୍ବନ୍ଧୀୟ ଖବର ଉପରେ ବିଶ୍ୱାସ କରନ୍ତୁ।

୪- ସୋସିଆଲ୍‌ ମିଡିଆଠାରୁ ଦୂରରେ ରୁହନ୍ତୁ। ସୋସିଆଲ୍‌ ମିଡିଆରେ କରୋନା ସମ୍ବନ୍ଧୀୟ ବିଭିନ୍ନ ପ୍ରକାରର ଖବର ପ୍ରକାଶ ପାଇଥାଏ, ଯାହା ବେଳେ ବେଳେ ଗୁଜବ ହୋଇଥାଏ ଓ ଆପଣ ତାକୁ ସତ ବୋଲି ଧରି ନିଅନ୍ତି। ଏଣୁ ଆପଣ ଟ୍ୱିଟର୍‌, ଫେସ୍‌ବୁକ୍‌ରେ ଥିବା ଏପରି ଏକାଉଣ୍ଟଗୁଡିକୁ ମ୍ୟୁଟ୍‌ କରିଦିଅନ୍ତୁ। ସେହିପରି ଯଦି କୌଣସି ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ରେ ଏପରି ଗୁଜବ ପ୍ରଚାରିତ ହେଉଛି ତେବେ ସେଥିରୁ ବାହାରି ଆସନ୍ତୁ।

୫- ହାତ ଧୁଅନ୍ତୁ କିନ୍ତୁ ବାରମ୍ବାର ନୁହେଁ। ଏହାର ଅର୍ଥ ହେଉଛି ସଂକ୍ରମଣଠାରୁ ସୁରକ୍ଷିତ ରହିବା ପାଇଁ ଯେତିକି ଆବଶ୍ୟକ ସେତିକି ଥର ହାତ ଧୁଅନ୍ତୁ। ଏହାକୁ ଆପଣଙ୍କ ମାନସିକତାରେ ପ୍ରଭାବ ପକାଇବାକୁ ଦିଅନ୍ତୁ ନାହିଁ।

corona ku darana

୬- ପରିବାରର ସମସ୍ତଙ୍କ ସହିତ ଯୋଡି ହୋଇ ରୁହନ୍ତୁ। ଲକ୍‌ଡାଉନ୍‌ ପାଇଁ ଘରୁ ବାହାରିବା ମନା ହୋଇ ଥାଇପାରେ କିନ୍ତୁ ପରିବାରର ସଦସ୍ୟଙ୍କ ସହିତ ମିଳିମିଶି ଭଲ ସମୟ ବିତାଇବା ପାଇଁ ଏହା ଏକ ସୁଯୋଗ ଆଣିଦେଇଛି। ଏଣୁ ଏହାର ଭର୍‌ପୂର୍‌ ଫାଇଦା ଉଠାନ୍ତୁ।

୭- ନିଜକୁ ବ୍ୟସ୍ତ ରଖନ୍ତୁ। ନୂଆ ନୂଆ ଜିନିଷ ଶିଖନ୍ତୁ। ଏଥିପାଇଁ ଆପଣ ଇଣ୍ଟରନେଟ୍‌ର ସାହାଯ୍ୟ ନେଇପାରିବେ।

୮- ନିଜର ତଥା ପରିବାରର ଖାଦ୍ୟ ଓ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ।

୯- ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଆପଣଙ୍କ ଶାରିରୀକ ସ୍ୱାସ୍ଥ୍ୟ ଉପରେ ନିର୍ଭର କରିଥାଏ। ଏଣୁ ବ୍ୟାୟାମକୁ ନିଜର ଜୀବନଚର୍ଯ୍ୟାରେ ସାମିଲ କରନ୍ତୁ। ଏହା ସହିତ ଏକାଗ୍ରତା ଲାଭ କରିବା ପାଇଁ ଦିନରେ କିଛି ସମୟ ମେଡିଟେସନ୍‌ କରନ୍ତୁ।

୧୦- ନିଜ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ। ଏକ ସମ୍ଭାବନାପୂର୍ଣ୍ଣ ଆସନ୍ତା କାଲି ପାଇଁ ଆଶାବାଦୀ ହୁଅନ୍ତୁ।

ଲକ୍‌ଡାଉନ୍‌ ଯୋଗୁ ଆପଣଙ୍କ ଜୀବନ ଡାଉନ୍‌ ନହେଉ। ଲକ୍‌ଡାଉନ୍‌ ସମୟରେ ନିଜ ପରିବାର ସହିତ ମିଳିତ ଭାବେ ପାରିବାରିକ ଜୀବନକୁ ଉପଭୋଗ କରନ୍ତୁ। କରୋନାକୁ ଡରନ୍ତୁ ନାହିଁ ବରଂ ମାନସିକ ସ୍ତରରେ ସୁଦୃଢ ହୋଇ ଏହା ଉପରେ ବିଜୟ ଲାଭ କରନ୍ତୁ।