ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ଭାରତରେ ହୃଦରୋଗୀମାନଙ୍କର ସଂଖ୍ୟା ଖୁବ୍ ଅଧିକ। ଡାକ୍ତରମାନଙ୍କ ଅନୁସାରେ ଅନେକ ଲୋକ ହୃଦୟ ସମ୍ବନ୍ଧୀୟ ରୋଗ ପାଇଁ କୋଲେଷ୍ଟେରୋଲକୁ ଦାୟୀ କରିଥାନ୍ତି। ପ୍ରକୃତରେ କିନ୍ତୁ କୋଲେଷ୍ଟେରୋଲ୍ ନୁହେଁ, ଆମର ଜୀବନଶେଳୀ ଏହି ରୋଗର ମୁଖ୍ୟ କାରଣ। ଅବଶ୍ୟ କିଛି କଥା ପ୍ରତି ଧ୍ୟାନ ଦେଲେ ଆପଣ ଏଥିରୁ ରକ୍ଷା ପାଇପାରିବେ।
ହୃଦରୋଗ ଓ କୋଲେଷ୍ଟେରୋଲ୍: କୋଲେଷ୍ଟେରୋଲ୍ କଥା ଉଠିଲେ ଲୋକମାନେ ଏହାକୁ ପ୍ରଥମେ ହୃଦରୋଗ ସହିତ ସଂଯୋଗ କରିଥାନ୍ତି। ବାସ୍ତବରେ କିନ୍ତୁ ଏହି ଧାରଣା ଠିକ୍ ନୁହେଁ। ଏହା ଯକୃତ ଦ୍ୱାରା ନିର୍ମିତ ଏକ ପଦାର୍ଥ ଯାହାକି ଶରୀରରେ ବହୁ ପ୍ରକାର କାର୍ଯ୍ୟ କରିବା ପାଇଁ ବିନିଯୋଗ ହୋଇଥାଏ। ଯକୃତ ପ୍ରାୟ ୭୫ ପ୍ରତିଶତ କୋଲେଷ୍ଟେରୋଲ୍ ସୃଷ୍ଟି କରୁଥିବାବେଳେ ଆମେ ଖାଉଥିବା ଖାଦ୍ୟରୁ ୨୫ ପ୍ରତିଶତ କୋଲେଷ୍ଟେରୋଲ୍ ମିଳିଥାଏ। ଏହା ପୁଣି ଦୁଇ ପ୍ରକାରର। ଭଲ ଏବଂ ଖରାପ କୋଲେଷ୍ଟେରୋଲ। କୋଲେଷ୍ଟେରୋଲ୍ କଥା ଉଠିଲେ କିନ୍ତୁ ଲୋକମାନେ ଏହାକୁ ଖରାପ କୋଲେଷ୍ଟେରୋଲ୍ ବୋଲି ମନେ କରନ୍ତି। ପ୍ରକୃତରେ କିନ୍ତୁ ହୃଦୟ ସମ୍ବନ୍ଧୀୟ ରୋଗରେ କୋଲେଷ୍ଟୋରୋଲ୍ର ଯୋଗଦାନ ମାତ୍ର ୩୦% ହୋଇଥାଏ। ଏଭଳି କ୍ଷେତ୍ରରେ ଜୀବନଶୈଳୀରେ ପରିବର୍ତ୍ତନ କଲେ ଆପଣ ଏହି ସମସ୍ୟାରୁ ରକ୍ଷା ପାଇପାରିବେ।
ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ: ହୃଦ୍ ସମ୍ବନ୍ଧୀୟ ରୋଗର ମୁଖ୍ୟ କାରକ ହେଲା ଓଜନ ବୃଦ୍ଧି। ଅଣ୍ଟା ଆଖପାଖରେ ଚର୍ବି ଜମିରହିଲେ ହୃଦରୋଗର ଆଶଙ୍କା ବଢ଼େ। ତେଣୁ ନିୟମିତ ଭାବେ ବ୍ୟାୟାମ କରିବାକୁ ଭୁଲନ୍ତୁ ନାହିଁ। ଅତି କମରେ ଦିନକୁ ୩୦-୪୦ ମିନିଟ୍ ଧରି ଚାଲିଲେ ଆପଣ ଫିଟ୍ ରହିପାରିବେ। ତେବେ ଥରେ ହୃଦରୋଗ ବାହାରିବା ପରେ ଆପଣ ଡାକ୍ତରମାନଙ୍କ ପରାମର୍ଶ ଅନୁସାରେ ବ୍ୟାୟାମ କରିବା ଆବଶ୍ୟକ। ମାନସିକ ଚାପକୁ ନିୟନ୍ତ୍ରଣରେ ରଖନ୍ତୁ। ଏବେକାର ବ୍ୟସ୍ତବହୁଳ ଜୀବନରେ ଯେକେହି ଚାପଗ୍ରସ୍ତ ହେବା ସ୍ୱାଭାବିକ କଥା। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାନସିକ ଚାପକୁ ନିୟନ୍ତ୍ରଣ କରିବା। ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ରୁଟିନ୍ ଯେପରିକି ଯୋଗ, ପ୍ରାଣାୟମ ନିହାତି କରନ୍ତୁ। ନିଜକୁ ଭଲ ଲାଗୁଥିବା କାମକୁ ପ୍ରତିଦିନ ନହେଲେ ସପ୍ତାହରେ ଥରୁଟିଏ ଅବଶ୍ୟ କରନ୍ତୁ।
ଖାଦ୍ୟପେୟରେ ନିୟମିତତା ଜରୁରୀ: ଆଜିକାଲି ଖୁବ୍ କମ୍ ବୟସରେ ଲୋକମାନେ ହୃଦ୍ ସମ୍ବନ୍ଧୀୟ ରୋଗର ଶିକାର ହେଉଛନ୍ତି। ଉପଯୁକ୍ତ ଖାଦ୍ୟାଭ୍ୟାସର ଅଭାବ ଏହାର ଅନ୍ୟତମ ପ୍ରମୁଖ କାରଣ। ତେଣୁ ଖାଦ୍ୟାଭ୍ୟାସ ପ୍ରତି ଗୁରୁତ୍ୱ ଦିଅନ୍ତୁ। ସପ୍ତାହରେ ଥରେ ପେଟକୁ ଖାଲି ରଖିବାକୁ ଅଭ୍ୟାସ କରନ୍ତୁ। ବାହାରର ଜଙ୍କଫୁଡ଼କୁ ଯଥାସମ୍ଭବ ଏଡ଼ାଇ ଯାଆନ୍ତୁ। ସାଲାଡକୁ ନିୟମିତ ଭାବେ ଖାଦ୍ୟରେ ସାମିଲ କରନ୍ତୁ। ରାତ୍ରିଭୋଜନକୁ ୭ଟା ପୂର୍ବରୁ କରନ୍ତୁ। ୭ଟା ପରେ ଆପଣ ଯାହା ଖାଇବେ ତାହା ଫ୍ୟାଟ୍ ଭାବେ ଶରୀରରେ ଲାଗିବ।
ରାତିରେ ଶୀଘ୍ର ଶୁଅନ୍ତୁ: ହୃଦ୍ ସମ୍ବନ୍ଧୀୟ ରୋଗକୁ ଏଡ଼ାଇ ଯିବାର ଏକ ମୁଖ୍ୟ ମହୌଷଧୀ ହେଲା ପର୍ଯ୍ୟାପ୍ତ ପରିମାଣରେ ଶୋଇବା। କାରଣ ନିଦ ଠିକ୍ ହେଲେ ହୃଦରୋଗର ଆଶଙ୍କା ପ୍ରାୟ ୩୦ ପ୍ରତିଶତ କମିଯାଏ। ଏଭଳି କ୍ଷେତ୍ରରେ ରାତିରେ ଯେତେ ଶୀଘ୍ର ସମ୍ଭବପର ଶୁଅନ୍ତୁ। ସକାଳୁ ଶୀଘ୍ର ଉଠି ନିତ୍ୟକର୍ମ କରିପାରିବେ।