ଗୀତା ଦାସ
ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି। (ପ୍ରସ୍ତୁତି: ସ୍ଵାସ୍ଥ୍ୟ ପ୍ଲସ୍)
ପିଲାମାନେ ବାହାରେ ଖେଳିବା ପାଇଁ ବ୍ୟାକୁଳ। ଦିନ ପରେ ଦିନ ସେମାନଙ୍କୁ ଅଧିକାଂଶ ବିଷୟରେ ମନା କଲାରୁ ସେମାନେ ଅବୁଝା ହେଉଛନ୍ତି। ସେମାନଙ୍କୁ କ’ଣ କଲେ ସମ୍ଭାଳି ହେବ?
ଗାଆଁ ଗହଳରେ ଲୋକେ ପିଣ୍ଡା, ଅଗଣା, ବାଡିଆଡ଼କୁ ଯାଇ ଚଳପ୍ରଚଳ ହେଉଥାଆନ୍ତି। ମାତ୍ର ସହରରେ ଅଧିକାଂଶ ଲୋକ ଛୋଟ ଛୋଟ ଯାଗାରେ ବନ୍ଦ ହେଇ ରହିଲାରୁ ସେମାନଙ୍କର ଅସୁବିଧା ବିଭିନ୍ନ ପ୍ରକାରର। ସାନ ପିଲାଙ୍କୁ ସ୍ଵାଭାବିକ ଅବସ୍ଥାରେ ଘର ଭିତରେ ସମ୍ଭାଳିବା କଷ୍ଟ। ବର୍ତ୍ତମାନ ଘରେ ସମସ୍ତେ ପାଳି କରି ପିଲା ସାଙ୍ଗରେ ସମୟ କଟାଇଲେ, ତା’ ସହିତ ଖେଳିଲେ, ନୂଆ ନୂଆ କଥା ଶିଖାଇଲେ ଅନେକ ପରିମାଣରେ ସମ୍ଭାଳ ହୁଏ।
ଯେଉଁ ପିଲାମାନେ ନର୍ସରୀ ସ୍କୁଲ ଯାଉଥିଲେ ସେମାନେ ସ୍କୁଲର ରୁଟିନ୍ ଅନୁସାରେ ଘରେ କାମ କରିବେ ଓ ଅନ୍ୟ ବେଳେ ପିଲାଙ୍କ ଗୀତ ଓ ନାଚ ସେମାନଙ୍କୁ ଅଭ୍ୟାସ କଲେ ସେମାନେ ବେଶୀ ଅବୁଝା ହେବେ ନାହିଁ।
ଅସୁବିଧା ହେଲା ଯେଉଁମାନଙ୍କର ଏପିଲେପ୍ସି, ସିସ୍ଟିକ୍ ଫାଇବ୍ରୋସିସ୍ ଓ ଡାଉନ୍ ସିଣ୍ଡ୍ରୋମ୍ ପରି ଶାରୀରିକ ସମସ୍ୟା ଅଛି ସେମାନଙ୍କର କରୋନା ଭାଇରସ୍ ଦ୍ଵାରା ସଂକ୍ରମିତ ହେବାର ସମ୍ଭାବନା ବେଶୀ ଥିବାରୁ ବାପା, ମାଆଙ୍କର ଦୁଶ୍ଚିନ୍ତା ଓ ସେମାନଙ୍କୁ ସମ୍ଭାଳିବା ସହଜ ନୁହେଁ।
ସେହିପରି ଯେଉଁ ପିଲା ଖୁଜୁବୁଜିଆ ଓ ଅତି ଅସ୍ଥିର ଯିଏ ଅଟିଷ୍ଟିକ୍ ଓ ଯିଏ କଥା କହି ପାରୁନି, ଶୁଣି ପାରୁନି ସେଭଳି ଭିନ୍ନକ୍ଷମ ସାନ ପିଲା ବା ବଡ଼ ପିଲାଙ୍କୁ ସମ୍ଭାଳିବା ସହଜ ନୁହେଁ ଓ ବିଶେଷଜ୍ଞଙ୍କର ପରାମର୍ଶ ନେବା ଦରକାର। ଘର ଲୋକେ ମଧ୍ୟ ଏସବୁ କ୍ଷେତ୍ରରେ ସହଯୋଗିତା କଲେ ଓ ପିଲାର ମାଆର ଭୁଲ ତ୍ରୁଟି ନ ବାଛି ଓ ମାଆକୁ ଦୋଷ ନ ଦେଇ ପିଲାର ଯଥାସାଧ୍ୟ ଯତ୍ନ ନେଲେ ସମସ୍ତେ କମ୍ ହଇରାଣ ହେବେ।
ମନେରଖିବା କଥା ଯେ, ସବୁ ଅସୁବିଧା ଦୂର କରି ହେବ ନାହିଁ। ସବୁ ଅଚାନକ ଭାବରେ ଗୋଟିଏ ଅଭାବିତ ପରିସ୍ଥିତି ଦେଖାଦେଲେ କ’ଣ କରିବା ଉଚିତ ସେ କଥା କାହାକୁ ଜଣାନାହିଁ। ଏ ବିଷୟରେ କାହାର ପୂର୍ବ ଅଭିଜ୍ଞତା ନାହିଁ କିମ୍ବା ମନର ପ୍ରସ୍ତୁତି ନାହିଁ। ତେଣୁ ଅନ୍ଧାରରେ ବାଡ଼ି ବୁଲାଇଲା ପରି ଆମେ ଘରେ ପଶିଥିବା ଚୋରକୁ ତଡ଼ିବାକୁ ଚେଷ୍ଟା କରୁ।
ଏ ପରିସ୍ଥିତି ସାମୟିକ ବୋଲି ଜାଣି ଧୈର୍ଯ୍ୟ ଧରି ସାବଧାନ ହୋଇ ଚଳିବାକୁ ପଡ଼େ। ଘର ଲୋକଙ୍କୁ ସାହସ ଦେବାକୁ ପଡ଼େ। ଅକୁଣ୍ଠ ଭାବରେ ସାହାଯ୍ୟ କରିବାକୁ ପଡ଼େ। ବାପା ମାଆ ମଧ୍ୟ ଅନ୍ୟ ବାପା ମାଆଙ୍କର ଯାହାର ସାନ ପିଲା ଅଛି ସେମାନେ କେମିତି ପିଲାଙ୍କୁ ଭୁଲଉଛନ୍ତି ସେ ବିଷୟ ପଚାରି ବୁଝିଲେ ସମସ୍ତଙ୍କର ସମାନ ଅବସ୍ଥା ଜାଣି କମ୍ ବ୍ୟସ୍ତ ହେବେ।