ସ୍ୱାସ୍ଥ୍ୟପ୍ଲସ୍ କରୋନା ବ୍ୟୁରୋ
‘‘ସଚେତନତା ହିଁ କରୋନା ଭଳି ମାରାତ୍ମକ ଭାଇରସରୁ ମୁକ୍ତି ଦେଇପାରିବ। ଭୟଭୀତ ନ ହୋଇ ନିଜକୁ ସେଲ୍ଫ ଆଇସୋଲେସନ୍ରେ ରଖନ୍ତୁ, ଫଳରେ ଏହି ଭାଇରସ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସଂକ୍ରମିତ ହେବ ନାହିଁ’’, ଏ କଥା ଆମେ ନୁହେଁ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି କହୁଛନ୍ତି। ଯିଏ ଏହି ଭାଇରସ ସହ ୧୨ ଦିନ ହେବ ସଂଗ୍ରାମ କରୁଛନ୍ତି। ସେ ହେଲେ ଜବଲପୁରର ଉପନିଷଦ ଶର୍ମା।
ମାର୍ଚ୍ଚ ୧୬ରେ ଉପନିଷଦ ଜର୍ମାନୀରୁ ଫେରିଥିଲେ। ଘରକୁ ଫେରିବା ପରେ ହିଁ ସେ ନିଜକୁ ଆଇୋଲେସନ୍ରେ ରଖିଥିଲେ। ଆସିବାର ଠିକ୍ ୩ ଦିନ ପରେ ତାଙ୍କଠାରେ ଥଣ୍ଡା, କାଶ, ଛିଙ୍କ ଭଳି ସମସ୍ୟା ଦେଖାଦେଇଥିଲା। ସେ ଘରକୁ ଫେରି ଆଇସୋଲେସନ୍ରେ ରହିବା ଫଳରେ ସେ ଅନ୍ୟ ଲୋକଙ୍କୁ ତାଙ୍କଠାରୁ ଭୂତାଣୁ ସଂକ୍ରମିତ ହେବାରୁ ଏକପ୍ରକାର ବଞ୍ଚାଇଛନ୍ତି। ସେ ହସ୍ପିଟାଲରେ ଥିବା ବେଳେ ଏକ ଭିଡିଓ ଜାରି କରି କରୋନା ଭୂତାଣୁରୁ ନିଜକୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରହିବା ପାଇଁ ଅପିଲ କରିଛନ୍ତି।
ସାରା ବିଶ୍ଵରେ ଏଯାବତ୍ ୪ ଲକ୍ଷରୁ ଅଧିକ କରୋନା ଭୂତାଣୁରେ ସଂକ୍ରମିତ ହୋଇସାରିଛନ୍ତି। ଭାରତରେ ଏହି ସଂଖ୍ୟା ଏବେ ୬୯୦ ଉପରେ ଅଛି। କିଛି ଲୋକଙ୍କ ଅବହେଳା କାରଣରୁ ଏହି ଭୂତାଣୁ ନିଜର କାୟା ବିସ୍ତାର କରିଚାଲିଛି। କିନ୍ତୁ ଏପଟେ ଉପନିଷଦଙ୍କ ଭଳି ଯୁବକଙ୍କ ସଚେତନତା କାରଣରୁ କେତେ ଲୋକ କରୋନା କବଳରୁ ରକ୍ଷା ମଧ୍ୟ ପାଇଛନ୍ତି।
ଉପନିଷଦ ତାଙ୍କ ଭିଡିଓରେ କହିଛନ୍ତି, ‘‘ମୁଁ ୧୬ ମାର୍ଚ୍ଚରେ ଜର୍ମାନୀରୁ ଦିଲ୍ଲୀ ଫେରିଥିଲି। ଏହାପରେ ଜବଲପୁର ନିଜ ଘରକୁ ଫେରିଥିଲି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ମୁଁ ନିଜକୁ ୩ ଦିନ ଆଇସୋଲେସନ୍ରେ ରଖିଲି। ଧୀରେ ଧୀରେ ମତେ ଜ୍ଵର, କାଶ ଓ ଥଣ୍ଡା ଆଦି ଲକ୍ଷଣ ଦେଖାଦେଲା। ଏହାପରେ ମୁଁ ଡେରି ନ କରି ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କଲି। ଡାକ୍ତର ଘରକୁ ଆସି ମତେ ଚେକ୍ କଲେ। ଏହାପରେ ମତେ ଭିକ୍ଟୋରିଆ ହସ୍ପିଟାଲରେ ଆଡ୍ମିଟ୍ କରାଗଲା।’’
‘‘ହସ୍ପିଟାଲରେ ଯାଞ୍ଚ ହେବା ପରେ ୨୦ ମାର୍ଚ୍ଚରେ ମୋର ରିପୋର୍ଟ ଆସିଲା ଓ ମୁଁ କରୋନାରେ ଆକ୍ରାନ୍ତ ବୋଲି ଜାଣିବାକୁ ପାଇଲି। ସେବେଠାରୁ ମୁଁ ମେଡିକାଲ କଲେଜରେ ଚିକିତ୍ସିତ ହେଉଛି’’, ଭିଡିଓରେ ଉପନିଷଦ କହିଛନ୍ତି।
ଉପନିଷଦଙ୍କ କହିବା କଥା ଯେ, ଯେତିକି ସଚେତନ ରହିବେ, ସେତିକି ସୁସ୍ଥ ରହିବେ। ଏହି ରୋଗକୁ ନ ଡରି, ଏହାର ମୁକାବିଲା କରିବା ଉଚିତ୍।
ସେ ଆହୁରି ମଧ୍ୟ କହିଛନ୍ତି, ‘‘ଅଧିକାଂଶ ଲୋକ ଏହି ଭୂତାଣୁରୁ ସମ୍ପୂର୍ଣ୍ଣ ସୁସ୍ଥ ହେଉଛନ୍ତି। ହଁ, ତାଙ୍କର କିଛି ଦିନ ଥଣ୍ଡା, କାଶ ଲାଗି ରହିବ, ହେଲେ ଔଷଧ ଖାଇବା ପରେ ଠିକ୍ ହୋଇଯିବ। ମୋର ବି ନିଶ୍ୱାସ ନେବା ବେଳେ କଷ୍ଟ ହେଉଛି।’’
ସେ ସମସ୍ତଙ୍କୁ ଅପିଲ କରିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ବିଦେଶରୁ ଫେରୁଛନ୍ତି, ତେବେ ସେ ନିଜ ପରିବାରଠାରୁ ଦୂରେଇ ରହନ୍ତୁ। ନିଜ ହାତ ବାରମ୍ବାର ଧୋଇବା ସହ ମୁହଁରେ ମାସ୍କ ବାନ୍ଧି ରଖିବା। ନିଜକୁ ସେଲ୍ଫ ଆଇୋଲେସନ୍ରେ ରହିବାକୁ ପରାମର୍ଶ ଦେଇଛନ୍ତି ଉପନିଷଦ।