ଜଣେ ଯୁବ ମାନସିକ ଡାକ୍ତର ଭାବେ ଓଡ଼ିଶାରେ ସମ୍ରାଟ କର ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରୁ ଡାକ୍ତରୀ ପାସ୍‍ କରିବା ପରେ ରୋଗୀସେବା ବ୍ରତ ଭାବେ ଗ୍ରହଣ କରି ନେଇଛନ୍ତି। ସେ ମାନସିକ ରୋଗୀଙ୍କୁ ଚିକିତ୍ସା କରିବା ସହିତ ବିଭିନ୍ନ ଖବରକାଗଜରେ ସ୍ୱାସ୍ଥ୍ୟ ସମ୍ପର୍କିତ ଲେଖାମାନ ପ୍ରକାଶ କରି ଲୋକପ୍ରିୟତା ଅର୍ଜନ କରିଛନ୍ତି। ଏହାସହ ମାନସିକ ରୋଗକୁ ନେଇ ସେ ଦୁଇଟି ପୁସ୍ତକ ‘ମନ କଥା ଜାଣନ୍ତୁ’ ଏବଂ ‘ମନରେ ଅଛି କ’ଣ’ ପ୍ରକାଶ କରିଛନ୍ତି।

mentaldisord

ମାନସିକ ରୋଗୀଙ୍କୁ କେମିତି ଚିହ୍ନିବା?

ଡାକ୍ତର କର: ମାନସିକ ରୋଗୀଙ୍କୁ ଜାଣିବା ପାଇଁ ବାଟ ବହୁତ ଅଛି। ସିଜୋଫେନିଆ ରୋଗରେ ଲୋକଟିର ମନରେ ସନ୍ଦେହ ଜାତ ହୁଏ। କିଏ ବାଡ଼େଇ ଦେବ, ମାରିଦେବ ଭଳି ଅନୁଭବ ହୁଏ। ଆକାଶରୁ ଶୂନ୍ୟବାଣୀ ହେଲା ଭଳି ଲାଗେ। ମାନସିକ ବିଷାଦ ହେଉଛି ଆଉ ଏକ ଲକ୍ଷଣ। ଏହି ରୋଗରେ ଲୋକଟି ମନଦୁଃଖ କରିଥିବ। ବଞ୍ଚି ରହି ଆଉ କିଛି ଲାଭ ନାହିଁ ବୋଲି ଅନୁଭବ କରେ, ଖାଏ ନାହିଁ କି ଠିକ୍‌ରେ ଶୁଏ ନାହିଁ।

ଆଉ ଗୋଟିଏ ହେଲା ଛାନିଆ ରୋଗ। ସବୁବେଳେ ରୋଗୀକୁ ଭୟ ଲାଗେ। ଆଉ ଗୋଟିଏ ରୋଗ ହେଲା ଫୋବିୟା। ଏହି ରୋଗରେ ଲୋକଟି ମନରେ ଅହେତୁକ ଭୟ ସୃଷ୍ଟି ହୋଇଥାଏ। ଚାରି ମହଲା କୋଠା ଉପରକୁ ଯିବାକୁ ଭୟ ଲାଗିଥାଏ। ଭିଡ଼ ଭିତରେ ପଶିବାକୁ ଭୟ ଲାଗିଥାଏ। ଦୋଳିରେ ଝୁଲିବାକୁ ମଧ୍ୟ ଭୟ ଲାଗେ।

mental problem

ଆଉ ଗୋଟିଏ ରୋଗ ହେଉଛି ସୁଚିବାଇ ରୋଗ। ଏହି ରୋଗର ଲକ୍ଷଣ ହେଲା ବାରମ୍ବାର ଗାଧୋଇବା, ଧୂଆଧୋଇ ହେବା। ତା’ଛଡା ନିଦ ନ ହେବା, ଯୌନ ସମସ୍ୟା, ବାର୍ଦ୍ଧକ୍ୟଜନିତ ସମସ୍ୟା ହେଉଛି ଗୋଟିଏ ଗୋଟିଏ ମାନସିକ ରୋଗର ଲକ୍ଷଣ। ଶିଶୁମାନେ ଅଧିକ ବଦମାସୀ କରିବା, ପାଠ ନ ପଢ଼ିବା, ସ୍କୁଲ ନ ଯିବା ଆଦି ହେଉଛି ଶିଶୁଙ୍କ ମାନସିକ ସମସ୍ୟା।

ଓଡ଼ିଶାରେ ମାନସିକ ରୋଗୀଙ୍କ ସଂଖ୍ୟା ବଢ଼ୁଛି ନା କମୁଛି?

ଡାକ୍ତର କର: କେବଳ ଓଡ଼ିଶାରେ ନୁହେଁ ସମଗ୍ର ବିଶ୍ୱରେ ମାନସିକ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ବର୍ତ୍ତମାନ ଯେହେତୁ ମାନସିକ ଚାପ ବଢ଼ୁଛି ସେଥିପାଇଁ ମାନସିକ ସମସ୍ୟା ବଢ଼ୁଛି। ଆମେ ସମସ୍ୟା ଚିହ୍ନଟ କରିପାରୁ ନ ଥିବାରୁ ରୋଗ ସମ୍ପର୍କରେ ଜାଣିପାରୁନାହୁଁ। କିନ୍ତୁ ସମସ୍ୟା ସବୁବେଳେ ବଢ଼ୁଛି।

ମାନସିକ ରୋଗୀଙ୍କ ତୁଳନାରେ ଡାକ୍ତରଙ୍କ ସଂଖ୍ୟା ଓଡ଼ିଶାରେ କେତେ?

ଡାକ୍ତର କର: ଓଡ଼ିଶାରେ ରୋଗୀଙ୍କ ଅନୁପାତରେ ଡାକ୍ତରଙ୍କ ସଂଖ୍ୟା ବହୁତ କମ୍‍। ଓଡ଼ିଶାର ଜନସଂଖ୍ୟା ସାଢେ ଚାରି କୋଟି ହୋଇଥିବାବେଳେ ଡାକ୍ତରଙ୍କ ସଂଖ୍ୟା ମାତ୍ର ୫୦ରୁ ୬୦।