ପୁରୁଷମାନଙ୍କ ଅପେକ୍ଷା ସାଧାରଣତଃ ମହିଳାମାନଙ୍କ ଠାରେ ଅଷ୍ଟ୍ରିଓ ଆର୍ଥ୍ରାଇଟିସ୍ ଅଧିକ ଦେଖାଦେଇଥାଏ। ସାଧାରଣତଃ ୪୦ରୁ ୭୦ ବର୍ଷ ବୟସ୍କଙ୍କଠାରେ ଏହି ରୋଗ ଦେଖାଦେଇଥାଏ। ବଂଶାନୁକ୍ରମିକ କାରଣରୁ, ଆଘାତ କିମ୍ବା ନିୟମିତ ଚାପ ଯୋଗୁଁ ଏହି ରୋଗ ହୁଏ।
ଆଣ୍ଠୁରେ ଅଷ୍ଟ୍ରିଓ ଆର୍ଥ୍ରାଇଟିସ୍ ହେଲେ ଚାଲିବା, ସିଡି ଚଢିବା, ଏପରିକି ବସିବା ସ୍ଥାନରୁ ଉଠିବା କଷ୍ଟକର ହୋଇପଡେ। ଆଙ୍ଗୁଠିରେ ହେଲେ ହାତ ମୁଠା କରିବା, ଲେଖାଲେଖି କରିବା କିମ୍ବା କାମଦାମ କରିବାରେ ଅସୁବିଧା ହୁଏ। କହିବାକୁ ଗଲେ ଦୈନ୍ୟନ୍ଦିନ କାମଦାମ କରିହୁଏ ନାହିଁ।
ଅଷ୍ଟ୍ରିଓ ଆର୍ଥ୍ରାଇଟିସ୍ ହେଲେ କ’ଣ କରିବେ?
ନିୟମିତ ବ୍ୟାୟାମ: ପ୍ରଥମେ ପ୍ରଥମେ ବ୍ୟାୟାମ କରିବାରେ କଷ୍ଟ ଅନୁଭବ କରିବେ। କିନ୍ତୁ ନିୟମିତ ବ୍ୟାୟାମ କରିବା ପରେ ଆଙ୍ଗୁଠିର ନମନିୟତା ବଜାୟ ରହିବ। ବ୍ୟଥା ଦୂର ହୁଏ। ହାଲିଆ ଲାଗେନାହିଁ। ଆଣ୍ଠୁର ଚଳନଶୀଳତା ବୃଦ୍ଧି ହୁଏ। ସପ୍ତାହକରେ ଘଣ୍ଟାଏରୁ ଦୁଇ ଘଂଟା ବ୍ୟାୟାମ କଲେ ଉପଶମ ମିଳିଥାଏ। ଡାକ୍ତରଙ୍କ ସହ ପରାମର୍ଶ ପରେ ଅଧିକ ସମୟ ବ୍ୟାୟାମ କରିପାରନ୍ତି।
ଶରୀରର ଓଜନ କମାନ୍ତୁ: ଶରୀରର ଓଜନ ବଢିଲେ ଅସ୍ଥି ସନ୍ଧି କିମ୍ବା ଜଏଣ୍ଟରେ ଚାପ ପଡେ। ତେଣୁ ନିୟମିତ ବ୍ୟାୟାମ ସହ ଖାଦ୍ୟ ନିୟନ୍ତ୍ରଣ କଲେ ଶରୀରର ଓଜନ ସୀମା ଭିତରେ ରହିପାରିବ।
ଆକ୍ୟୁପଙ୍କଚର: ଆଣଣ୍ଠୁ ଓ ଅଂଟାର ବ୍ୟଥା କମାଇବା ପାଇଁ ଆକ୍ୟୁପଙ୍କଚର ଏକ ଫଳପ୍ରଦ ଚିକିତ୍ସା। ଜଣେ ଆକ୍ୟୁପଙ୍କଚର ବିଶେଷଜ୍ଞଙ୍କ ପରାମର୍ଶ ନେଇ ଆକ୍ୟୁପଙ୍କଚର କରିପାରିବେ।
ତାପ ଚିକିତ୍ସା: ପ୍ରତିଦିନ ଗାଧେଇବାରେ ଉଷୁମ ପାଣି ବ୍ୟବହାର କରନ୍ତୁ। ବ୍ୟଥା ସ୍ଥାନରେ ଗରମ ପାଣି ସେକ ଦିଅନ୍ତୁ। ଏକ ତଉଲିଆ ସାହାଯ୍ୟରେ ସେକ ଦେଲେ କିଛି ସମୟ ପାଇଁ ଉପଶମ ପାଇପାରିବେ।
ବରଫ ସେକ: ଯେଉଁ ସ୍ଥାନ ଫୁଲିଥିବ ସେ ସ୍ଥାନରେ ବରଫ ବ୍ୟାଗରେ ବରଫ ଖଣ୍ଡ ରଖି ଚାପ ଦିଅନ୍ତୁ। ପ୍ରାୟ ୨୦ମିନିଟ୍ ଯାଏଁ ଏହି ଚାପ ଦିଅନ୍ତୁ।
ଅଷ୍ଟ୍ରିଓ ଆର୍ଥ୍ରାଇଟିସ୍ ରୋଗୀ ଡାକ୍ତରଙ୍କ ପରାମର୍ଶ କ୍ରମେ ନିୟମିତ ଔଷଧ ସେବନ ସହ ଏସବୁ ଉପାୟ ଆପଣେଇଲେ ସୁଫଳ ପାଇପାରିବେ।