ରଙ୍ଗର ପର୍ବ ହେଉଛି ହୋଲି। ହୋଲିରେ ପରସ୍ପରକୁ ରଙ୍ଗ ବୋଳି ଶୁଭକାମନା ଜଣାନ୍ତି ଲୋକମାନେ। ତେବେ ଅନେକ ସମୟରେ ଏହି ରଙ୍ଗ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ହୋଇଥାଏ। ଏପରିସ୍ଥଳେ ହୋଲିକୁ ସୁରକ୍ଷିତ ଭାବେ ପାଳନ କରିବା ଲାଗି କିଛି କଥାକୁ ଗୁରୁତ୍ୱ ଦିଅନ୍ତୁ।

holi celebration

-ହୋଲିରେ ସବୁଠୁ ଅଧିକ ବିପଦ ଚର୍ମ ପ୍ରତି ଥାଏ। ହୋଲି ପାଇଁ ସିନ୍ଥେଟିକ ରଙ୍ଗ ବ୍ୟବହାର କରିବା ଦ୍ୱାରା ଚର୍ମରେ ଆଲର୍ଜି, ଏକଜିମା ହେବା, ଚର୍ମ ଫୁଲିଯିବାର ଆଶଙ୍କା ଥାଏ। ତେଣୁ ରସାୟନିକ ରଙ୍ଗ ପରିବର୍ତ୍ତେ ସବୁବେଳେ ଅବିରକୁ ଗୁରୁତ୍ୱ ଦିଅନ୍ତୁ।

– ସୁବିଧା ଥିଲେ ଘରେ ହଳଦୀ, ଗେଣ୍ଡୁଫୁଲ, କୃଷ୍ଣଚୂଡ଼ା ଫୁଲକୁ ଗୁଣ୍ଡ କରି ହର୍ବାଲ ରଙ୍ଗ ପ୍ରସ୍ତୁତ କରିପାରିବେ। ନ ହେଲେ ବଜାରରେ ମିଳୁଥିବା ହାଲ୍‌କା ଗୋଲାପୀ, ନାଲି ଭଳି ରଙ୍ଗକୁ ବ୍ୟବହାର କରନ୍ତୁ। ଗାଢ଼ ବାଇଗଣୀ, ହଳଦିଆ, ସବୁଜ, ଗେରୁଆ ଭଳି ରଙ୍ଗରେ ଅଧିକ ରସାୟନିକ ପଦାର୍ଥ ମିଶୁଥିବାରୁ ସେସବୁକୁ ଏଡ଼ାଇ ଯାଆନ୍ତୁ।

– ଆଲର୍ଜି ଥିଲେ ହୋଲି ଖେଳିବା ପୂର୍ବରୁ ପୂରା ହାତ ବାଲା ପୋଷାକ, ଜୋତା ପିନ୍ଧନ୍ତୁ। ମୁଣ୍ଡକୁ ସଂପୂର୍ଣ୍ଣ ଭାବେ କଭର କରୁଥିବା ଷ୍ଟାଇଲିଶ୍ ଟୋପି ପିନ୍ଧିପାରିବେ। ଆଖିରେ ପାୱାର ଚଷମା ବଦଳରେ ସନଗ୍ଲାସ ଲଗାନ୍ତୁ। ଏହାଦ୍ୱାରା ଆଖି ଉପରେ ରଙ୍ଗ ପଡ଼ିବାର ଆଶଙ୍କା କମିବ।

cap during holi

-ହୋଲିରେ ରଙ୍ଗ ବୋଳାବୋଳି ହେବା ସମୟରେ ସମୟ ସମୟରେ ଦାନ୍ତରେ ବି ରଙ୍ଗ ଲାଗିଯାଏ। ଯାହାକି ଦାନ୍ତକୁ ବହୁତ କ୍ଷତି ପହଞ୍ଚାଇଥାଏ। ଏଥିରୁ ରକ୍ଷା ପାଇବା ଲାଗି ଦାନ୍ତରେ ପୂର୍ବରୁ ଡେଣ୍ଟାଲ କ୍ୟାପ୍ସ ଲଗାନ୍ତୁ।

-ଜବରଦସ୍ତ କେହି ଆପଣଙ୍କୁ ରଙ୍ଗ ବୋଳୁଥିଲେ ଯଥାସମ୍ଭବ ଆଖି ଓ ଓଠକୁ ବନ୍ଦ ରଖନ୍ତୁ। ସେହିପରି ନିଜେ ହୋଲି ଖେଳିବାକୁ ଯିବା ପୂର୍ବରୁ କେଶ ଓ ଦେହରେ ନଡ଼ିଆ ତେଲ କିମ୍ବା ଅନ୍ୟ କୌଣସି ତେଲ ଲଗାଇ ଯାଆନ୍ତୁ। ଏହାଦ୍ୱାରା ପରେ ରଙ୍ଗ ଛଡ଼ାଇବାକୁ ସୁବିଧା ହେବ। ସେହିପରି ସୂର୍ଯ୍ୟକିରଣରୁ ରକ୍ଷା ପାଇବା ପାଇଁ ଭଲ ବ୍ରାଣ୍ଡର ୱାଟରପ୍ରୁଫ୍ ସନସ୍କ୍ରିନ୍ ଲୋସନ ଲଗାଇବାକୁ ଭୁଲନ୍ତୁ ନାହିଁ।

washing your hand- ebola virus

-ରଙ୍ଗ ଛଡ଼ାଇବା ସମୟରେ ସବୁବେଳେ ହାଲକା ଉଷୁମ ପାଣି ବ୍ୟବହାର କରନ୍ତୁ। ଏହାଦ୍ୱାରା ରଙ୍ଗ ଭଲ ଭାବେ ଛାଡ଼ିଯାଇଥାଏ। ସେହିଭଳି ଯଦି ରଙ୍ଗ ଲଗାଇବା ପରେ କୌଣସି ସ୍ଥାନ କୁଣ୍ଡାଇ ହେଲେ ତୁରନ୍ତ ରଙ୍ଗକୁ ଧୋଇ ଦିଅନ୍ତୁ। ସେହି ସ୍ଥାନରେ ନଡ଼ିଆ ତେଲ ଲଗାଇ କିଛି ସମୟ ଛାଡ଼ି ଦିଅନ୍ତୁ। ଅଧିକ କୁଣ୍ଡାଇ ହେଲେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ।

-ଆଜ୍‌ମା ଭଳି ଶ୍ୱାସକ୍ରିୟାଜନିତ ରୋଗ ଥିଲେ ଶୁଖିରା ରଙ୍ଗ ବଦଳରେ ରଙ୍ଗକୁ ପାଣି କରି କିମ୍ବା ପିଚକାରୀ ମାଧ୍ୟମରେ ଖେଳନ୍ତୁ।

-ହୋଲି ପରେ ଏକ ସପ୍ତାହ ଯାଏ ପ୍ରଚୁର ପାଣି ପିଅନ୍ତୁ। କାରଣ ଏହି ପାଣି ମାଧ୍ୟମରେ ଶରୀରକୁ ଆସିଥିବା ରସାୟନିକ ରଙ୍ଗ ବାହାରି ଯିବା ସହଜ ହୋଇଥାଏ।

-ହୋଲି ଖେଳିବା ପରେ ଗାଧୋଇବା ସମୟରେ ରଙ୍ଗ ଛଡ଼ାଇବା ପାଇଁ କେବେହେଲେ ହାନିକାରକ ସାବୁନ ବ୍ୟବହାର କରନ୍ତୁ ନାହିଁ। ସାମ୍ପୁର ବ୍ୟବହାର କରିବା ସର୍ବୋତ୍କୃଷ୍ଠ । ଆବଶ୍ୟକ ହେଲେ ହଳଦୀ, ବେସନର ପ୍ୟାକ୍ ବି ଲଗାଇ ପାରିବେ।

holi child

ହୋଲି ପାଇଁ ପିଲାଙ୍କୁ କରନ୍ତୁ ପ୍ରସ୍ତୁତ:

ଦୀପାବଳୀ ହେଉ କିମ୍ବା ହୋଲି ସବୁ ପର୍ବ ପାଳନକୁ ନେଇ ପିଲାମାନେ ଅଧିକ ଆଗ୍ରହୀ ଥାଆନ୍ତି। କିନ୍ତୁ ଏହି ସବୁ ପର୍ବ ପାଳନ ସମୟରେ ଟିକିଏ ବି ଭୁଲ ହୋଇଗଲେ ଛୋଟ ପିଲାଙ୍କ ପାଇଁ କ୍ଷତିକାରକ ହୋଇଥାଏ।

-ଛୋଟ ପିଲାଙ୍କ ପାଇଁ ଭୁଲରେ ମଧ୍ୟ ସିନ୍ଥେଟିକ୍ କଲର ଆଣନ୍ତୁ ନାହିଁ। ତାର ଅନ୍ୟ ସାଙ୍ଗମାନଙ୍କର ଅଭିଭାବକଙ୍କ ସହ କଥା ହୋଇ ସମସ୍ତେ ଅର୍ଗାନିକ୍ କଲର କିଣିପାରିବେ। ବଡ଼ ଲୋକଙ୍କ ପରି ସେମାନଙ୍କୁ ମଧ୍ୟ କୁର୍ତ୍ତା, ପାଇଜାମା ପିନ୍ଧାନ୍ତୁ। ହୋଲି ପାଇଁ ବଜାରରେ ବିଭିନ୍ନ ଡିଜାଇନର ଚଷମା ଆସିଥାଏ। ପିଲାଙ୍କୁ ସେହି ଚଷମା ସହିତ ଟୋପି ପିନ୍ଧାଇ ଦିଅନ୍ତୁ। ଏହାଦ୍ୱାରା ସେମାନଙ୍କ ତ୍ୱଚା ରଙ୍ଗ ସଂସ୍ପର୍ଶରେ କମ୍ ଆସିବ। ସେହିଭଳି ପିଲାର ଦେହରେ ପେଟ୍ରୋଲିୟମ ଜେଲି, ସନସ୍କ୍ରିନ୍ ଲୋସନ ମାରି ହୋଲି ଖେଳିବାକୁ ପଠାନ୍ତୁ।

-ୱାଟର ବେଲୁନ ଛୋଟ ପିଲାଙ୍କୁ ଖୁବ୍ ମଜା ଲାଗିଥାଏ। କିନ୍ତୁ ସେମାନଙ୍କୁ ଏହି ୱାଟର ବେଲୁନ ଦେବା ଅନୁଚିତ। କାରଣ ତାହା ଯାହା ଉପରେ ପଡ଼େ ସେହି ଲୋକକୁ ଖୁବ୍ କଷ୍ଟ ଦେଇଥାଏ। ଏପରିସ୍ଥଳେ ସେମାନଙ୍କୁ ଭଲ ପିଚକାରୀ ଦ୍ୱାରା ରଙ୍ଗ ଖେଳିବାକୁ ବୁଝାନ୍ତୁ।

holi

-ହୋଲିରେ ପିଲାମାନେ ପିଚକାରୀରେ ରଙ୍ଗ ଭରିବା ପାଇଁ ଯେଉଁଠୁ ବି ପାଣି ପାଆନ୍ତି ତାକୁ ବ୍ୟବହାର କରନ୍ତି। ଏହି ଅଭ୍ୟାସ ଦ୍ୱାରା ବ୍ୟାକ୍ଟେରିଆ ସଂକ୍ରମଣର ଆଶଙ୍କା ଥାଏ। ତେଣୁ ସେମାନଙ୍କ ପାଇଁ ସବୁବେଳେ ଘର ଆଗରେ ବଡ଼ ବାଲଟିରେ ପାଣି ରଖନ୍ତୁ।

-ଆଖିରେ କିମ୍ବା ପାଟିରେ ରଙ୍ଗ ଲାଗିଗଲେ ତୁରନ୍ତ ଧୋଇବାକୁ ସେମାନଙ୍କୁ ଶିଖାନ୍ତୁ।

-ଯଦି ଘର ଆଗରେ ବଡ଼ ଡ୍ରମ, କିମ୍ବା ଟାଙ୍କିରେ ରଙ୍ଗ ଭରି ରଖିଥାନ୍ତି ତା’ ହେଲେ ସେମାନଙ୍କୁ କେବେହେଲେ ଏକୁଟିଆ ଛାଡ଼ନ୍ତୁ ନାହିଁ। ପିଚକାରୀରେ ପାଣି ଭରିବା ଲାଗି ଯାଇ ହୁଏତ ପିଲାଟି ଡ୍ରମ ଭିତରେ ଖସି ପଡ଼ିପାରେ। ତେଣୁ ଘରର କେହି ବରିଷ୍ଠ ସଦସ୍ୟଙ୍କୁ ସେମାନଙ୍କ ପାଖରେ ଛାଡ଼ନ୍ତୁ।

-ପିଚକାରୀର ସୁରକ୍ଷିତ ବ୍ୟବହାର ପାଇଁ ତାକୁ ଶିଖାନ୍ତୁ। ଅନ୍ୟ ପିଲାମାନଙ୍କର ଆଖି, କାନ ଉପରେ ପିଚକାରୀ ନ ମାରିବା ଲାଗି ତାକୁ ବୁଝାନ୍ତୁ।

-ସବୁବେଳେ ପିଲାଙ୍କ ଉପରେ ସତର୍କ ଦୃଷ୍ଟି ରଖନ୍ତୁ। ଆବଶ୍ୟକ ହେଲେ ସେ ଯେଉଁ ସାଙ୍ଗ ଘରକୁ ହୋଲି ଖେଳିବାକୁ ଯାଉଛି ତା ସହ ଯାଆନ୍ତୁ। ଘର ପାଖରେ ନଦୀ କିମ୍ବା କେନାଲ ବା ପୋଖରୀ ଥିଲେ ପିଲାମାନଙ୍କୁ ସେଠାକୁ ଯିବାରୁ ନିବୃତ୍ତ କରାନ୍ତୁ।