ଇବୋଲାରେ ମୃତ୍ୟୁ ହାର ପ୍ରାୟ ୫୦% ରହିଥାଏ, ହସ୍ତ ପରିଛନ୍ନତା ହେଉଛି ଏଥିରୁ ସୁରକ୍ଷିତ ରହିବାର ମୁଖ୍ୟ ଚାବିକାଠି।
ଇବୋଲା ଭାଇରସ୍ ଡିଜିଜ୍ (ଇଭିଡି) ପୂର୍ବରୁ ଇବୋଲା ରକ୍ତସ୍ରାବ କରାଉଥିବା ଜ୍ୱର ଭାବରେ ଜଣାଶୁଣା ଥିଲା। ଏହା ଅତ୍ୟନ୍ତ ଗମ୍ଭୀର ହୋଇଥାଏ ଓ ବହୁ ସମୟରେ ମୃତ୍ୟୁର କାରଣ ହୋଇଥାଏ। ଏହା ମନୁଷ୍ୟ, ମାଙ୍କଡ଼, ବାଦୁଡ଼ି ପରି ସ୍ତନ୍ୟପାୟୀ ପ୍ରାଣୀମାନଙ୍କୁ ପ୍ରଭାବିତ କରିଥାଏ।
ଏହି ଭୂତାଣୁ ବନ୍ୟପଶୁ (ଯେପରିକି ବାଦୁଡ଼ି, ମାଙ୍କଡ଼) ଇତ୍ୟାଦିଙ୍କଠାରୁ ମନୁଷ୍ୟମାନଙ୍କୁ ବ୍ୟାପିଥାଏ। ଏହା ମଧ୍ୟ ସଂକ୍ରମିତ ମନୁଷ୍ୟମାନଙ୍କର ରକ୍ତ, ଶରୀରର ସ୍ରାବ, ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା (ଶେଯ, ପୋଷାକ) ଦ୍ୱାରା ଅନ୍ୟମାନଙ୍କୁ ବ୍ୟାପିଥାଏ।
ସବୁଠାରୁ ଭୟଙ୍କର କଥା ହେଉଛି ଇଭିଡି ବା ଇବୋଲା ଭାଇରସ୍ ଡିଜିଜ୍ ଘଟଣାରେ ମୃତ୍ୟୁର ହାର ପ୍ରାୟ ୫୦% ରହିଥାଏ। ଅତୀତରେ ଏହା ବ୍ୟାପିଥିବା ସମୟରେ ମୃତ୍ୟୁର ହାର ୨୫%ରୁ ୯୦% ପର୍ଯ୍ୟନ୍ତ ପରିଲକ୍ଷିତ ହୋଇଛି।
ପ୍ରଥମେ ଇବୋଲା ଭାଇରସ୍ କେନ୍ଦ୍ରୀୟ ଆଫ୍ରିକାର ଦୁର୍ଗମ ଗ୍ରାମରେ ଦେଖାଦେଇଥିଲା। ୨୦୧୪- ୨୦୧୬ରେ ପଶ୍ଚିମ ଆଫ୍ରିକାରେ ଜଟିଳ ଇବୋଲା ମହାମାରୀ ଦେଖାଦେଇଥିଲା। ଅନ୍ୟ ସ୍ଥାନରେ ମଧ୍ୟ ଏହାର ବିଭିନ୍ନ ଘଟଣା ଦେଖିବାକୁ ମିଳିଛି।
ସଂକ୍ରମଣ ଅବଧି
ଭୂତାଣୁ ସଂକ୍ରମଣ ଓ ଲକ୍ଷଣ ମଧ୍ୟରେ ପ୍ରାୟ ୨ରୁ ୨୧ ଦିନ ସମୟ ବ୍ୟବଧାନ ରହିଥାଏ। ଜଣେ ବ୍ୟକ୍ତିଙ୍କଠାରେ ଇବୋଲା ଲକ୍ଷଣ ଦେଖାଯାଉନଥିବା ସମୟରେ ମଧ୍ୟ ତାଙ୍କଠାରୁ ଅନ୍ୟମାନଙ୍କୁ ଏହା ବ୍ୟାପିପାରେ।
ଲକ୍ଷଣ
ଇବୋଲା ଭାଇରସ୍ ଡିଜିଜ୍ର ଲକ୍ଷଣଗୁଡ଼ିକ ଆକସ୍ମିକ ଭାବରେ ଦେଖାଦେଇପାରେ ଏବଂ ଏହା ଅନ୍ତର୍ଭୁକ୍ତ କରେ: ଜ୍ୱର, ହାଲିଆ ଲାଗିବା, ମାଂସପେଶୀ ବ୍ୟଥା, ମୁଣ୍ଡ ବ୍ୟଥା ଏବଂ ତଣ୍ଟି ଦରଜ। ଏହି ଲକ୍ଷଣ ପରେ ପରେ ଝାଡ଼ା, ବାନ୍ତି, ଦେଶସାରା ଫଳିଯିବା, ବୃକକ୍ ଓ ଯକୃତ କାର୍ଯ୍ୟ କରିବା ପ୍ରଭାବିତ ହେବା ଦେଖାଦେଇଥାଏ, ଏବଂ କେତେକ ଘଟଣାରେ ଆଭ୍ୟନ୍ତରୀଣ ଓ ବାହ୍ୟ ରକ୍ତସ୍ରାବ (ମାଢ଼ିରୁ ରକ୍ତ ଝରିବା, ମଳରେ ରକ୍ତ ପଡ଼ିବା) ଦେଖାଦେଇଥାଏ। ରକ୍ତ ପରୀକ୍ଷାରେ ଶ୍ୱେତ ରକ୍ତକୋଷ ଗଣନା ହ୍ରାସ ପାଇବା ଏବଂ ପ୍ଲେଟଲେଟ୍ ଗଣନା ବୃଦ୍ଧି ପାଇବା ଓ ଯକୃତ ଏଞ୍ଜାଇମ୍ ବୃଦ୍ଧି ପାଇବା ଦେଖାଦେଇଥାଏ।
ଇଭିଡିକୁ ମ୍ୟାଲେରିଆ, ଟାଇଫଏଡ୍ ଓ ମେନିଞ୍ଜାଇଟିସ୍ ପରି ସଂକ୍ରାମକ ରୋଗରୁ ଚିହ୍ନିବା କଷ୍ଟକର ହୋଇପାରେ। ଏହି ଭୂତାଣୁ ପାଇଁ ନିର୍ଦ୍ଦିଷ୍ଟ ଭାବରେ ଉଦ୍ଦିଷ୍ଟ ପରୀକ୍ଷା ସହାୟକ ହୋଇଥାଏ।
ଚିକିତ୍ସା
ଇବୋଲା ପାଇଁ କୌଣସି ପ୍ରମାଣିତ ଚିକିତ୍ସା ନାହିଁ। କିନ୍ତୁ କେତେକ ସରଳ ଉପଚାର ବଞ୍ଚି ରହିବାର ସମ୍ଭାବନା ବହୁ ପରିମାଣରେ ବଢ଼ାଇ ଦେଇପାରେ। ଯେପରିକି:
- ଶରୀରକୁ ଯଥେଷ୍ଟ ତରଳ ପଦାର୍ଥ ଓ ଲବଣଯୁକ୍ତ କରି ରଖିବା
- ନିମ୍ନ ରକ୍ତଚାପ, ବାନ୍ତି, ଡାଇରିଆ ଓ ସଂକ୍ରମଣର ଲକ୍ଷଣଭିତ୍ତିକ ଚିକିତ୍ସା କରିବା
ଇବୋଲାରୁ କିପରି ଦୂରେଇ ରହିବେ?
ଇବୋଲାଠାରୁ ଦୂରେଇ ରହିବାର ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ହସ୍ତ ପରିଛନ୍ନତା। ଯଦି ଆମେ ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ, ଖାଇବା ପୂର୍ବରୁ, ଖାଇବା ପରେ, ଶୌଚ ହେବା ପରେ, ସାବୁନ୍ ଓ ପାଣିରେ ଭଲ ଭାବରେ ହାତ ଧୋଇବା ଓ ହାତ ପାଟିରେ ଭର୍ତ୍ତି ନ କରିବା ତେବେ ଏହି ଭୂତାଣୁଠାରୁ ନିଜକୁ ରକ୍ଷା କରିପାରିବା। ବାଦୁଡ଼ି ଖାଇଥିବା ଅଇଁଠା ଫଳ କେବେବି ଉଠାଇ ଖାଆନ୍ତୁ ନାହିଁ। ସଚେତନ ରହନ୍ତୁ, ସାବଧାନ ରହନ୍ତୁ, ସୁସ୍ଥ ରହନ୍ତୁ ଓ ଦୀର୍ଘଜୀବୀ ହୁଅନ୍ତୁ।