ଡାକ୍ତର ସଞ୍ଜୀବ କୁମାର ମିଶ୍ର
କର୍କଟ ହେଉଛି ଏକ ମାରାତ୍ମକ ରୋଗ। ରୋଗୀ ଆମ ପାଖକୁ ଆସିଲେ ପ୍ରଥମେ ଗୋଟେ ପ୍ରଶ୍ନ ପଚାରନ୍ତି ଯେ, ଏହାକୁ ଆମେ ପ୍ରାଥମିକ ଅବସ୍ଥାରୁ କେମିତି ଜାଣିପାରିବା। ଆମର ତ ଆଡଭାନ୍ସ ଷ୍ଟେଜ୍ ହୋଇଯାଇଛି, ପ୍ରାଥମିକ ଅବସ୍ଥାରୁ ଏହାର ଲକ୍ଷଣ ଆମେ କେମିତି ଜାଣିପାରିଥାନ୍ତେ?
ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କଥା ହେଲା କ୍ୟାନସର ଶରୀରର କେଉଁ ଅଙ୍ଗରେ ବାହାରୁଛି ତା’ ଉପରେ ତାର ଲକ୍ଷଣ ନିର୍ଭର କରିଥାଏ। ଉଦାହରଣସ୍ୱରୂପ ଯଦି ସ୍ତନକର୍କଟ ହେଲା ତା’ ହେଲେ ସାଧାରଣ ଭାବେ ସ୍ତନରେ ଗୋଟେ ମାଂସପିଣ୍ଡୁଳା ବଢ଼ିବ। ଧରନ୍ତୁ ଯଦି ଫୁସଫୁସରେ କର୍କଟ ରୋଗ ହେଲା ତା’ ହେଲେ ତାର ସାଧାରଣ ଲକ୍ଷଣ ହେଲା କାଶ ହେଉଥିବ କିନ୍ତୁ ଭଲ ହେଉନଥିବ। ୧୫-୨୦ ଦିନ କିମ୍ବା ମାସେ ଧରି ସାଧାରଣ ଔଷଧରେ କାଶ ଭଲ ହେଉନଥିବ।
ସାଧାରଣ କ୍ୟାନସରଗୁଡ଼ିକ ମଧ୍ୟରୁ ହେଡ୍ ଆଣ୍ଡ ନେକ୍ କ୍ୟାନସର ଏବଂ ମୁଖଗହ୍ୱର କ୍ୟାନସର ଅନ୍ୟତମ। ମୁଣ୍ଡ ଏବଂ ଗଳା କ୍ୟାନସରର ସାଧାରଣ ଲକ୍ଷଣ ହେଉଛି ନାକରୁ ରକ୍ତ ପଡ଼ୁଥିବ ଏବଂ ଖାଦ୍ୟ ଗିଳିବା ବେଳେ କଷ୍ଟ ଅନୁଭବ ହେବା। ଗଳାରେ ଗେଟା ବା ଗଣ୍ଠି ଭଳିଆ ହୋଇ ଏକ ମାଂସପିଣ୍ଡୁଳା ବାହାରିଥିବ ଯୋଉଟାକି କମୁନଥିବ।
ମୁଖଗହ୍ୱର କ୍ୟାନସରର ଲକ୍ଷଣ ହେଲା ପାଟି ଭିତରେ ଘା’ ହୋଇଥିବ ଏବଂ ଔଷଧ ଖାଇବା ସୁଦ୍ଧା ଏହା ଶୁଖୁନଥିବ। ଯନ୍ତ୍ରଣାବିହୀନ ଅଲସର ମଧ୍ୟ ମୁଖଗହ୍ୱର କ୍ୟାନସରର ଲକ୍ଷଣ।
ଆଉ ଏକ ସାଧାରଣ କ୍ୟାନସର ହେଲା ସ୍ତନ କର୍କଟ। ବର୍ତ୍ତମାନ ସ୍ତନ କର୍କଟ ଅଧିକାଂଶ ମହିଳାଙ୍କ ପାଖରେ ଦେଖିବାକୁ ମିଳୁଛି। ସ୍ତନ କର୍କଟରେ ସାଧାରଣତଃ ସ୍ତନରେ ଏକ ମାଂସପିଣ୍ଡୁଳା ବଢ଼ିଥାଏ। ଏହା ପ୍ରଥମେ ଟ୍ୟୁମର ଏବଂ ପରେ କ୍ୟାନସରର ରୂପ ନେଇଥାଏ। ସ୍ତନ କର୍କଟ ପୁରୁଷଙ୍କୁ ମଧ୍ୟ ହେବାର ଆଶଙ୍କା ଥାଏ।
ସ୍ତନ କର୍କଟ ଭଳି ସର୍ଭିକ୍ସ କ୍ୟାନସର ମହିଳାଙ୍କଠାରେ ଦେଖାଯାଏ। ଏହା ମହିଳାଙ୍କ ଜରାୟୁରେ ହୋଇଥାଏ। ତା’ର ଲକ୍ଷଣ ହେଲା, ମାସିକ ଋତୁସ୍ରାବ ଅନିୟମିତ ହେବା। ଅର୍ଥାତ୍ କେତେବେଳେ ଦୁଇଟି ପିରିୟଡ ମଝିରେ ବି ହୋଇଯିବା। ଏହି ସବୁ ଲକ୍ଷଣ ଦେଖି ଆମେ ସର୍ଭିକ୍ସରେ କର୍କଟ ଅଛି ବୋଲି ଆଶଙ୍କା କରିଥାଉ। ତେଣୁ ଯାହାର ଏହି ସବୁ ସାଧାରଣ ଲକ୍ଷଣ ଦେଖାଯାଉଛି ସେ ଯାଇ ଡାକ୍ତରଙ୍କୁ ଦେଖାଇବା ଉଚିତ୍।
ବହୁଦିନ ଧରି କାଶ ହେଉଥିବ, କାଶରେ ରକ୍ତ ପଡ଼ିବା ହେଉଛି ଫୁସଫୁସ କର୍କଟର ଲକ୍ଷଣ। ଓଡ଼ିଶାରେ ସାଧାରଣତଃ ଏହି ସବୁ କ୍ୟାନସର ଅଧିକ ଦେଖିବାକୁ ମିଳୁଛି। ଏହାର ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
(ଡାକ୍ତର ସଞ୍ଜୀବ କୁମାର ମିଶ୍ର ହେଉଛନ୍ତି ଉତ୍କଳ ହସ୍ପିଟାଲରେ କାର୍ଯ୍ୟରତ ରେଡିଏସନ୍ ଅଙ୍କୋଲୋଜିଷ୍ଟ)