ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରାୟ ୪୧% କର୍କଟ ରୋଗୀ ଅଛନ୍ତି। ସେଥିମଧ୍ୟରୁ ଅଧିକାଂଶ ଲୋକ ରକ୍ତ କର୍କଟ ବା ବ୍ଲଡ୍ କ୍ୟାନସରରେ ପୀଡ଼ିତ। ଏହି ପରିସଂଖ୍ୟାନ ରକ୍ତ କର୍କଟ ରୋଗର ଭୟାବହ ସ୍ଥିତିକୁ ବର୍ଣ୍ଣନା କରୁଛି। ରକ୍ତ କର୍କଟ ରୋଗ ବୃଦ୍ଧି ପାଇବାର ଆଉ ଏକ କାରଣ ହେଲା ରୋଗୀଙ୍କୁ ଏ ସଂପର୍କରେ ପ୍ରଥମରୁ କିଛି ଜଣାପଡ଼େନାହିଁ। ଜଣାପଡ଼ିବା ବେଳକୁ ସ୍ଥିତି ଖରାପ ହୋଇଯାଇଥାଏ।
ରକ୍ତ କର୍କଟ କ’ଣ
ଆମର ରକ୍ତର ନିର୍ମାଣ ୩ ପ୍ରକାର କୋଷିକା ଦ୍ୱାରା ହୋଇଥାଏ। ତାହା ହେଲା ଲୋହିତ ରକ୍ତ କଣିକା(ରେଡ ବ୍ଲଡ୍ ସେଲ୍ସ), ପ୍ଲେଟଲେଟ୍ସ ଏବଂ ଶ୍ୱେତ ରକ୍ତକଣିକା(ହ୍ୱାଇଟ ବ୍ଲଡ୍ ସେଲ)। ସାଧାରଣତଃ ଏହି ସବୁ କୋଷିକା ଷ୍ଟେମ୍ ସେଲରୁ ଆସିଥାଏ। ଷ୍ଟେମ ସେଲ୍ର କାମ ହେଲା ଲୋହିତ ରକ୍ତ କଣିକାକୁ ସୃଷ୍ଟି କରିବା ଏବଂ ବିକଶିତ କରିବା। ଯେତେବେଳେ ଷ୍ଟେମ ସେଲ ଏହି କାମ କରିପାରେ ନାହିଁ ସେତେବେଳେ ଏଭଳି ସ୍ଥିତିକୁ ରକ୍ତ କର୍କଟ ବୋଲି କୁହାଯାଏ।
ରକ୍ତ କର୍କଟ କେତେ ପ୍ରକାର
ରକ୍ତ କର୍କଟ ମୁଖ୍ୟତଃ ୩ ପ୍ରକାରର ହୋଇଥାଏ।
- ଲ୍ୟୁକୋମିଆ
- ଲିମ୍ଫୋମା
- ମାଇଲୋମା
ଲ୍ୟୁକୋମିଆ ହେଲେ ବ୍ୟକ୍ତିର ଶରୀରରେ ଶ୍ୱେତ ରକ୍ତ କଣିକାର ମାତ୍ରା ଲୋହିତ ରକ୍ତ କଣିକାର ମାତ୍ରାଠାରୁ ଖୁବ୍ ଅଧିକ ହୋଇଯାଏ। ଶ୍ୱେତ ରକ୍ତ କଣିକା କୌଣସି ପ୍ରକାର ସଂକ୍ରମଣ ବିରୋଧରେ ଲଢ଼େଇ କରିପାରେ ନାହିଁ। ତେଣୁ ରୋଗ ପ୍ରତିରୋଧକ କ୍ଷମତା କମିଯାଏ।
ଲିମ୍ପୋମା ହେଲେ ବ୍ୟକ୍ତିର ଶରୀରରେ ଲିମ୍ଫୋସାଇଟର ବିକାଶ ଅସାମାନ୍ୟ ଭାବେ ହୋଇଥାଏ। ଏହି ରୋଗର ଚିକିତ୍ସା ଔଷଧ କିମ୍ବା ବିକିରଣ ଥେରାପି ଦ୍ୱାରା ସମ୍ଭବ। କିନ୍ତୁ ଦୀର୍ଘ ଦିନ ଧରି ଏହାର ଚିକିତ୍ସା କରାନଗଲେ ଅସ୍ତ୍ରୋପଚାର ହିଁ ଏକମାତ୍ର ବିକଳ୍ପ ହୋଇ ରହିଯାଏ।
ମାଇଲୋମା ହେଲେ ଶରୀରରେ ପ୍ଲାଜମା ସେଲ ପ୍ରଭାବିତ ହୋଇଥାଏ। ଏହାଯୋଗୁ ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ କ୍ଷମତା କମିଯାଇଥାଏ। ଏହାଯୋଗୁ ହାଡ଼ ଖୁବ୍ ଦୁର୍ବଳ ହୋଇଯାଏ। ତେଣୁ ଡାକ୍ତର ରୋଗୀଙ୍କୁ ହାଡ଼କୁ ସୁସ୍ଥ କରିବା ଲାଗି କ୍ୟାଲସିୟମ ଟାବଲେଟ୍ ଦେଇଥାନ୍ତି।
ରକ୍ତ କର୍କଟର ଲକ୍ଷଣ
- କାଶ ହେବା କିମ୍ବା ଛାତିରେ ଯନ୍ତ୍ରଣା ହେବା: ଏହା ରକ୍ତ କର୍କଟର ପ୍ରମୁଖ ଲକ୍ଷଣ। ଏଭଳି ସ୍ଥିତିରେ ବ୍ୟକ୍ତିଜଣଙ୍କୁ ପ୍ରବଳ କାଶ ହୋଇଥାଏ। ଏହାଛଡ଼ା ଛାତି ଯନ୍ତ୍ରଣା ବି ହୋଇଥାଏ।
- ଅଧିକାଂଶ ଲୋକଙ୍କୁ ରକ୍ତ କର୍କଟ ହେବା ପୂର୍ବରୁ ଜ୍ୱର ଲାଗି ରହିଥାଏ। ଲୋକମାନେ ଏହାକୁ ସାଧାରଣ ସମସ୍ୟା ବୋଲି ଭାବୁଥିବାରୁ ପରିସ୍ଥିତି ଗୁରୁତର ହୋଇଥାଏ।
- ତ୍ୱଚା କୁଣ୍ଡାଇ ହେବା: ଅନେକ ସମୟରେ ରକ୍ତ କର୍କଟ ରୋଗୀଙ୍କର ତ୍ୱଚା କୁଣ୍ଡାଇ ହୋଇଥାଏ। ତେଣୁ ଲୋକମାନେ ଏହାକୁ ଧ୍ୟାନ ନ ଦେଇ କ୍ରିମ ବା ଲୋସନ୍ର ସହାୟତା ନେଇଥାନ୍ତି। ଏପରି ନ କରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
- ଭୋକ ନଲାଗିବା ମଧ୍ୟ ରକ୍ତ କର୍କଟର ଲକ୍ଷଣ।
- ରକ୍ତ କର୍କଟ ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତିକୁ କମ କରିଦେଇଥାଏ। ତେଣୁ ବ୍ୟକ୍ତି ଦୁର୍ବଳ ହୋଇଯାଇଥାନ୍ତି।
ରକ୍ତ କର୍କଟର କାରଣ
- ରକ୍ତ କର୍କଟର ବିଭିନ୍ନ ପ୍ରକାର କାରଣ ଥାଏ। ସେଥିମଧ୍ୟରୁ ଏହି ୫ଟି କାରଣ ଗୁରୁତ୍ୱପୂର୍ଣ୍ଣ। ତାହା ହେଲା ଯେଉଁ ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ କ୍ଷମତା କମିଯାଏ ତାଙ୍କୁ ରକ୍ତ କର୍କଟ ହେବାର ଆଶଙ୍କା ରହେ।
- କୌଣସି ପ୍ରକାର ସଂକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ରକ୍ତ କର୍କଟ ହେବାର ଆଶଙ୍କା ରହେ।
- ବିକିରଣ ଥେରାପିର ଖରାପ ପ୍ରଭାବ ମଧ୍ୟ ବ୍ୟକ୍ତିଙ୍କ ଉପରେ ପଡ଼ିଥାଏ। ଏହାଯୋଗୁ ତାଙ୍କୁ ରକ୍ତ କର୍କଟ ସମେତ ଅନ୍ୟ ରୋଗ ହୋଇଥାଏ।
- ଆନୁବଂଶିକ କାରଣରୁ ମଧ୍ୟ ରକ୍ତ କର୍କଟ ହୋଇଥାଏ।
- ଏହାଛଡ଼ା ଧୂମପାନ ଏବଂ ମଦ୍ୟପାନ ରକ୍ତ କର୍କଟର କାରଣ ପାଲଟେ।
ଚିକିତ୍ସା
ରକ୍ତ କର୍କଟ ରୋଗ ହୋଇଥିଲେ ଔଷଧ , ବିକିରଣ ଥେରାପି, କେମୋଥେରାପି, ଅସ୍ତ୍ରୋପଚାର ମାଧ୍ୟମରେ ତାର ଚିକିତ୍ସା କରାଯାଇଥାଏ।