ମହିଳାଙ୍କୁ ସ୍ତନ କର୍କଟ ହେବା ପରି ପ୍ରୋଷ୍ଟେଟ କ୍ୟାନସର ପୁରୁଷମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ। ପ୍ରାପ୍ତ ବୟସ୍କ ବିଶେଷ କରି ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଏହି ରୋଗ ହେବାର ଆଶଙ୍କା ରହିଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଭାରତରେ ଦୁଇ ଦଶନ୍ଧି ମଧ୍ୟରେ ପ୍ରୋଷ୍ଟେଟ କର୍କଟର ସଂଖ୍ୟା ଅନେକ ପରିମାଣରେ ବୃଦ୍ଧିପାଇଛି। ଏହା ଆନୁବଂଶିକ କାରଣରୁ ମଧ୍ୟ ହୋଇପାରେ। ତେବେ ଆସନ୍ତୁ ଜାଣିବା ପ୍ରୋଷ୍ଟେଟ୍ କ୍ୟାନସର କ’ଣ?
ପ୍ରୋଷ୍ଟେଟ୍ କ୍ୟାନସର କ’ଣ?
ପ୍ରୋଷ୍ଟେଟ୍ ଗ୍ରନ୍ଥି ହେଉଛି ପୁରୁଷଙ୍କ ଶରୀରରେ ଦେଖାଯାଉଥିବା ଅଖରୋଟ ଆକାରର ଏକ ଗ୍ରନ୍ଥି। ଏହା ଶରୀରର ଶୁକ୍ରାଣୁ ଫ୍ଲୁଇଡକୁ ବନାଇଥାଏ ଯେଉଁଥିରେ ଶୁକ୍ରାଣୁ ଥାଏ। ଏହା ଶୁକ୍ରାଣୁକୁ ପୋଷକ ତତ୍ତ୍ୱ ମଧ୍ୟ ପ୍ରଦାନ କରିଥାଏ। ପ୍ରୋଷ୍ଟେଟ ଗ୍ରନ୍ଥି ମୂତ୍ରମାର୍ଗର ଚାରିପଟେ ରହିଥିବାରୁ ମୂତ୍ରପ୍ରବାହକୁ ନିୟନ୍ତ୍ରିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ।
ସାଧାରଣ ଭାବେ ପ୍ରୋଷ୍ଟେଟ ଗ୍ରନ୍ଥିର ଓଜନ ୧୮ ଗ୍ରାମ ହୋଇଥାଏ। ତେବେ ତାର ଓଜନ ବୃଦ୍ଧିପାଇ ୩୦-୫୦ ଗ୍ରାମ ହୋଇଗଲେ କର୍କଟର ଆଶଙ୍କା ସୃଷ୍ଟି ହୋଇଥାଏ। ବିଶେଷ କରି ୪୦ ବର୍ଷ ପରେ ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧି ପାଇଥାଏ। ଆକାରରେ ବୃଦ୍ଧି ଯୋଗୁଁ ଏହା ମୂତ୍ରାଶୟ ଉପରେ ଚାପ ସୃଷ୍ଟି କରିଥାଏ। ତେଣୁ ପ୍ରଭାବିତ ବ୍ୟକ୍ତିଙ୍କର ଠିକ୍ ଭାବେ ପରିସ୍ରା ହୋଇପାରେ ନାହିଁ। ଅନେକ ସମୟରେ ଲୋକମାନେ ଏହାକୁ ସାଧାରଣ ସମସ୍ୟା ବୋଲି ମନେ କରିଥାନ୍ତି। ତେଣୁ ଏହାର ଚିକିତ୍ସା କ୍ଷେତ୍ରରେ ବିଳମ୍ବ ହୋଇଯାଏ।
ଲକ୍ଷଣ
– ବାରମ୍ବାର ପରିସ୍ରା ଲାଗିବା, ବିଶେଷ କରି ରାତିରେ ଏହି ସମସ୍ୟା ହୋଇଥାଏ।
– ପରିସ୍ରା ଭଲ ଭାବେ ନ ହେବା କିମ୍ବା ଅଳ୍ପ ଅଳ୍ପ କରି ହେବା।
– ପରିସ୍ରା କରିବା ସମୟରେ ଦରଜ, ଜ୍ୱଳାପୋଡ଼ା ହେବା
– ପରିସ୍ରାରେ ରକ୍ତ ପଡ଼ିବା
– ଜଙ୍ଘର ହାଡ଼ ଏବଂ ପିଠିରେ ଲଗାତର ଯନ୍ତ୍ରଣା ହେବା
– ଶାରୀରିକ ସଂପର୍କ ରକ୍ଷା ବେଳେ ରକ୍ତସ୍ରାବ ହେବା
– ଶରୀରର କୌଣସି ଭାଗରେ ତ୍ୱଚାରେ ପରିବର୍ତ୍ତନ ମଧ୍ୟ ପ୍ରୋଷ୍ଟେଟ୍ କର୍କଟର ଲକ୍ଷଣ
– କୌଣସି କାମ ନ କରି ଶରୀରର କୌଣସି ଅଙ୍ଗରେ ଯନ୍ତ୍ରଣା ହେଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ
ପ୍ରୋଷ୍ଟେଟ୍ କର୍କଟର କାରଣ
ପ୍ରୋଷ୍ଟେଟ୍ କର୍କଟର ଅନେକଗୁଡ଼ିଏ କାରଣ ଥାଏ। ବୃଦ୍ଧ ଲୋକଙ୍କ ନିକଟରେ ଏହା ଅଧିକ ଦେଖାଯାଏ। ସେହିପରି ଅଧିକ ମାଂସ, ଚର୍ବିଜାତୀୟ ଖାଦ୍ୟ ଖାଇବା ଦ୍ୱାରା ପ୍ରୋଷ୍ଟେଟ୍ କ୍ୟାନସର ହେବାର ଆଶଙ୍କା ଥାଏ। ଅନେକ କ୍ଷେତ୍ରରେ ଏହା ବଂଶାନୁକ୍ରମିକ ଭାବେ ନୂଆ ପିଢ଼ିକୁ ମଧ୍ୟ ହୋଇଥାଏ।
କିଭଳି ଜାଣିବେ:
ପ୍ରୋଷ୍ଟେଟ୍ କର୍କଟର କିଛି ବି ଲକ୍ଷଣ ଅନୁଭବ ହେଉଥିଲେ ପ୍ରୋଷ୍ଟେଟ ସ୍ପେସିଫିକ୍ ଆଣ୍ଟିଜେନ୍(ପିସିଏ) ଟେଷ୍ଟ କରାଯାଇଥାଏ। ଏହା ଶରୀରରେ ଥିବା ଏକ ପ୍ରକାର ରସାୟନ। ଏହାର ପରିମାଣ ବଢ଼ିଗଲେ ପ୍ରୋଷ୍ଟେଟ୍ କର୍କଟ ହେବାର ଆଶଙ୍କା ବୃଦ୍ଧି ପାଇଥାଏ। ଏହାଛଡ଼ା ଅଲଟ୍ରାସାଉଣ୍ଡ ଏବଂ ରେକ୍ଟଲ ପରୀକ୍ଷଣ ଦ୍ୱାରା ମଧ୍ୟ ପ୍ରୋଷ୍ଟେଟ୍ କ୍ୟାନସର ଜଣାପଡ଼େ। ପ୍ରୋଷ୍ଟେଟ୍ର ବାୟୋପ୍ସି ଦ୍ୱାରା ଏହାକୁ ଚିହ୍ନଟ କରାଯାଏ। ସମୟ ସମୟରେ ଡାକ୍ତରମାନେ ପ୍ରୋଷ୍ଟେଟ୍ କ୍ୟାନସର ପାଇଁ ଏମଆରଆଇ ମଧ୍ୟ କରାଇଥାନ୍ତି।
ଚିକିତ୍ସା
ପ୍ରାଥମିକ ଅବସ୍ଥାରେ ଏହା ଜଣାପଡ଼ିଗଲେ ଏହାର ଚିକିତ୍ସା ସଂପୂର୍ଣ୍ଣ ଭାବେ ସମ୍ଭବପର ହୋଇଥାଏ। ପ୍ରୋଷ୍ଟେଟ୍ କ୍ୟାନସରର ପ୍ରାଥମିକ ଅବସ୍ଥାରେ ରୋବୋଟିକ୍ ସର୍ଜରୀ ମାଧ୍ୟମରେ ତାକୁ ମୂଳରୁ ବାହାର କରିଦିଆଯାଇଥାଏ। ଯଦି ପ୍ରୋଷ୍ଟେଟ୍ କ୍ୟାନସର ପ୍ରସାରିତ ହୋଇଯାଇଥାଏ ତା’ ହେଲେ ରୋଗୀକୁ ହରମୋନାଲ ଥେରାପି ଦିଆଯାଇଥାଏ।
ଯେତେବେଳେ କର୍କଟ ଅଧିକ ବ୍ୟାପିଯାଇଥାଏ ସେତେବେଳେ ବ୍ୟକ୍ତିକୁ କେମୋଥେରାପି ଏବଂ ସେକେଣ୍ଡ ହରମୋନାଲ ଥେରାପି ଦିଆଯାଇଥାଏ। ଯେତେବେଳେ କର୍କଟ ହାଡ଼ ପର୍ଯ୍ୟନ୍ତ ପହଞ୍ଚିଯାଏ ସେତେବେଳେ ହାଡ଼କୁ ଶକ୍ତ କରିବାକୁ ଡାକ୍ତର ବିଭିନ୍ନ ପ୍ରକାର ଇଞ୍ଜେକସନ୍ ଦେଇଥାନ୍ତି। ତେଣୁ ୪୦-୫୦ ବର୍ଷ ବୟସର ଲୋକ ଥରେ ନିଶ୍ଚିତ ଭାବେ ପ୍ରୋଷ୍ଟେଟର ଯାଞ୍ଚ କରାଇନେବା ଆବଶ୍ୟକ।