ଆଧୁନିକ ସମାଜରେ ମୃତ୍ୟୁର ଅନ୍ୟତମ ପ୍ରତିଶବ୍ଦ କର୍କଟ ରୋଗ ବୋଲି କହିଲେ ବୋଧ ହୁଏ ଅତ୍ୟୁକ୍ତି ହେବ ନାହିଁ। କର୍କଟ ରୋଗ ଯେଉଁଭଳି ନିଜର କାୟା ବିସ୍ତାର କରିବାରେ ଲାଗିଛି ତାହା ଏବେ ଅତ୍ୟନ୍ତ ଚିନ୍ତାର ବିଷୟ ପାଲଟିଛି। ପ୍ରତିଦିନ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ସେହି ଅନୁପାତରେ ପ୍ରତିଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି ମଧ୍ୟ। ଚିକିତ୍ସା ବିଜ୍ଞାନର ଯଥେଷ୍ଟ ଅଗ୍ରଗତି ସତ୍ତ୍ୱେ କର୍କଟ ରୋଗ ସଫଳ ଚିକିତ୍ସା ବର୍ତ୍ତମାନ ପର୍ଯ୍ୟନ୍ତ ଆବଷ୍କାର ହୋଇପାରିନି। ଏପରି ସ୍ଥିତିରେ ଯଦି ଆପଣଙ୍କୁ ଏହା କୁହାଯିବ ଯେ କର୍କଟ ରୋଗ ମୁକ୍ତ ଜୀବନ ବଞ୍ଚିବା ଆପଣଙ୍କ ହାତରେ ଅଛି, ତାହାହେଲେ ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ। ବିଶ୍ୱାସ ନହେଲେ ମଧ୍ୟ ଏହା ସତ୍ୟ ଅଟେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବକ ୩୦-୫୦ ପ୍ରତିଶତ କର୍କଟ ରୋଗ ନିବାରଣ ସମ୍ଭବ ଅଟେ। ନିଜର ଜୀବନଶୈଳୀରେ ସାମାନ୍ୟ ପରିବର୍ତ୍ତନ କରି ଆପଣ କ୍ୟାନସର ଆଶଙ୍କା ହ୍ରାସ କରିପାରିବେ।

cancer

  ଆଜିର ଏହି ଆଲେଖ୍ୟ ମାଧ୍ୟମରେ କର୍କଟ ରୋଗ ମୁକ୍ତ ଏକ ସୁସ୍ଥ ଜୀବନ ଆଡକୁ ବାଟ କଢେଇ ନେବା ପାଇଁ କେତେକ ପଦକ୍ଷେପ ବିଷୟରେ ଆସନ୍ତୁ ଜାଣିବା।

ତମାଖୁ ସେବନ ବର୍ଜନ କରନ୍ତୁ

ତମାଖୁ ସେବନ କରିବା ଦ୍ୱାରା କର୍କଟ ରୋଗ  ଆଶଙ୍କା ବୃଦ୍ଧି ପାଇଥାଏ। ସିଗାରେଟ ଧୂଆଁରେ ୭୦୦ ପ୍ରକାରର ରାସାୟନିକ ରହିଛି। ଯାହା ମଧ୍ୟରୁ ପ୍ରାୟ ୨୫୦ ହାନିକାରକ ହୋଇଥିବା ବେଳେ ୫୦ ଟି ରାସାୟନିକ ଯୋଗୁଁ କ୍ୟାନସର ହେଉଥିବା ଜଣାପଡିଛି। ସିଗାରେଟ, ବିଡ଼ି ଆଦି ଧୂମ୍ରପାନ ଯୋଗୁ ଫୁସ୍‌ଫୁସ୍‌, ମୁଖ ଗହ୍ୱର, ଗଳା, ସ୍ୱରପେଟିକା, ଅଗ୍ନାଶୟ, ମୂତ୍ରାଶୟ ଥଳି, ସର୍ଭିକ୍ସ ଓ କିଡ୍‌ନୀ କର୍କଟ ରୋଗ  ହେବା ଆଶଙ୍କା ବୃଦ୍ଧି ପାଇଥାଏ। ତମାଖୁ ଚୋବାଇ ଖାଇବା ଦ୍ୱାରା ମୁଖ୍ ଗହ୍ୱର କର୍କଟ ରୋଗ  ଆଶଙ୍କା ବୃଦ୍ଧି ପାଏ। ଭାରତରେ ମୁଖ ଗହ୍ୱର କର୍କଟ ରୋଗ ଜନିତ ମୃତ୍ୟୁର ହାର ସର୍ବାଧିକ ଅଟେ।

କେବଳ ଯେ ଧୂମ୍ରପାନ କରୁଥିବା ବ୍ୟକ୍ତିମାନେ ବିଭିନ୍ନ ପ୍ରକାରର କର୍କଟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ତାହା ନୁହେଁ, ସେହି ଧୂଆଁ ସଂସ୍ପର୍ଶରେ ଆସୁଥିବା ଲୋକ ମାନେ ମଧ୍ୟ ଫୁସ୍‌ଫୁସ୍‌ ତଥା ଅନ୍ୟ କର୍କଟ ରୋଗରେ ଆକ୍ରାନ୍ତ ହେବା ଆଶଙ୍କା ରହିଛି। କର୍କଟ ରୋଗ ନିବାରଣ ପାଇଁ ତମାଖୁ ସେବନ ବର୍ଜନୀୟ ଅଟେ।

food for healthy hair

ସ୍ୱାସ୍ଥ୍ୟପ୍ରଦ ଭୋଜନ ଗ୍ରହଣ କରନ୍ତୁ

କୌଣସି ନିର୍ଦ୍ଦିଷ୍ଟ ଖାଦ୍ୟକୁ ଭୋଜନରେ ସାମିଲ କରି କର୍କଟ ରୋଗ ନିବାରଣ କରାଯାଇନପାରେ। ହେଲେ, ସ୍ୱାସ୍ଥ୍ୟପ୍ରଦ ତଥା କର୍କଟ ରୋଗ ବିରୋଧୀ ପୋଷକ ତତ୍ତ୍ୱ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କର୍କଟ ରୋଗର ଆଶଙ୍କା ହ୍ରାସ କରାଯାଇପାରିବ। ଏଣୁ ନିଜ ଭୋଜନରେ ବିଭିନ୍ନ ପ୍ରକାରର ପନିପରିବା, ଫଳ, ବିଭିନ୍ନ ଶସ୍ୟ ଜାତୀୟ ଖାଦ୍ୟ, ଡାଲି ଜାତୀୟ ଖାଦ୍ୟ, ଚଣା ଜାତୀୟ ଖାଦ୍ୟ ସାମିଲ୍‌ କରନ୍ତୁ। ଖାଦ୍ୟରେ ଫାଇବର୍‌ର ପରିମାଣ ବୃଦ୍ଧି କରନ୍ତୁ। ମଇଦାରୁ ପ୍ରସ୍ତୁତ ଖାଦ୍ୟ, ଅଧିକ ମିଠା ଯୁକ୍ତ ଖାଦ୍ୟଠାରୁ ଦୂରେଇ ରହନ୍ତୁ। ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ। ସେହିପରି ମଦ୍ୟପାନ କରନ୍ତୁ ନାହିଁ। କାରଣ ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା ସ୍ତନ, ଫୁସ୍‌ଫୁସ୍‌, କିଡ୍‌ନୀ ଓ ଯକୃତ କର୍କଟର ଆଶଙ୍କା ବଢିଥାଏ।

weight loose

ଓଜନ ନିୟନ୍ତ୍ରଣ କରନ୍ତୁ ଚଳଚଞ୍ଚଳ ରହନ୍ତୁ

ଅତ୍ୟଧିକ ଓଜନ ବୃଦ୍ଧି ଯୋଗୁଁ ସ୍ତନ, ଫୁସ୍‌ଫୁସ୍‌, ବୃହଦନ୍ତ୍ର ଓ କିଡ୍‌ନୀ କର୍କଟ ହେବା ସମ୍ଭାବନା ରହିଛି। ଏଣୁ ଏହିସବୁ ପ୍ରକାରର କର୍କଟ ଆଶଙ୍କା ହ୍ରାସ କରିବା ପାଇଁ ନିଜ ଓଜନକୁ ନିୟନ୍ତ୍ରଣ କରିବା ଜରୁରୀ। ଅଧ୍ୟୟନରୁ ଜଣାପଡିଛି ଯେ ଓଜନ କମାଇବା ପାଇଁ ଅତ୍ୟଧିକ ପରିଶ୍ରମ କରିବା ଆବଶ୍ୟକ ନାହିଁ। ସୁସ୍ଥ ରହିବା ପାଇଁ ଦୈନିକ ୩୦ମିନିଟର ହାଲୁକା ବ୍ୟାୟାମ କରନ୍ତୁ। ଏହା ସହିତ ଦିନ ସାରା ଶାରୀରିକ ସ୍ତରରେ ସକ୍ରିୟ ରହନ୍ତୁ।

ସୂର୍ଯ୍ୟ କିରଣ ଠାରୁ ଦୂରରେ ରହନ୍ତୁ

ଚର୍ମ କର୍କଟ ଜନିତ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ହେଲେ କେତେକ ସତର୍କତା ଅବଲମ୍ବନ କରି ଚର୍ମ କର୍କଟ ହେବା ଆଶଙ୍କା ଦୂର କରାଯାଇପାରିବ। ଚର୍ମ କର୍କଟ ମୁଖ୍ୟତଃ ସୂର୍ଯ୍ୟର ଅତିବାଇଗଣୀ ରଶ୍ମୀ ସଂସ୍ପର୍ଶରେ ଆସିବା ଯୋଗୁଁ ହୋଇଥାଏ। ଏଣୁ ଦ୍ୱିପହର ସମୟରେ ବାହାରେ ବୁଲନ୍ତୁ ନାହିଁ। ଯଦି ବାହାରକୁ ବାହାରିବା ନିତାନ୍ତ ଜରୁରୀ ଅଟେ ତାହାହେଲେ ଶରୀରର ସମସ୍ତ ଭାଗକୁ ସଠିକ୍‌ ଭାବେ କପଡାରେ ଆବୃତ୍ତ କରିବାକୁ ଭୁଲନ୍ତୁ ନାହିଁ। ଏହାସହିତ ଏକ ବ୍ରଡ-ସ୍ପେକ୍ଟ୍ରମ ସନ୍‌ସ୍କ୍ରୀନ ଲୋସନ୍‌ ମଧ୍ୟ ବ୍ୟବହାର କରନ୍ତୁ ନାହିଁ। ଏହାବ୍ୟତୀତ ତ୍ୱଚାରେ କୌଣସି ପ୍ରକାରର ଅସ୍ୱାଭାବିକ ପରିବର୍ତ୍ତନ ପରିଲକ୍ଷିତ ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

world cancer day

ଉପଯୁକ୍ତ ଟୀକାକରଣ କରନ୍ତୁ

ବିଭିନ୍ନ ପ୍ରକାରର ସଂକ୍ରମଣ ଯୋଗୁଁ ମଧ୍ୟ କର୍କଟ ରୋଗ ହେବା ସମ୍ଭାବନା ରହିଛି। ଯେପରିକି ହେପାଟାଇଟିସ୍‌ ବି ସଂକ୍ରମଣ ଯୋଗୁଁ ଯକୃତ କର୍କଟ ହେବା ସମ୍ଭାବନା ରହିଛି। ସେହିପରି ଅସୁରକ୍ଷିତ ଯୌନ ସମ୍ପର୍କ ସ୍ଥାପନ ମାଧ୍ୟମରେ ବ୍ୟାପୁଥିବା ଏଚ୍‌ପିଭି ବା ହ୍ୟୁମନ୍‌ ପାପିଲୋମା ଯୋଗୁଁ ସର୍ଭାଇକଲ୍‌ ତଥା ଅନ୍ୟାନ୍ୟ ଯୌନାଙ୍ଗ ସମ୍ବନ୍ଧୀୟ କର୍କଟ ହୋଇଥାଏ। ଉପଯୁକ୍ତ ସମୟରେ ଆବଶ୍ୟକ ଟୀକାକରଣ କରାଯାଇ ଏହିସବୁ କର୍କଟର ଆଶଙ୍କା ହ୍ରାସ କରାଯାଇପାରିବ।

ବିଶୃଙ୍ଖଳିତ ଆଚରଣ ଠାରୁ ଦୂରେଇ ରହନ୍ତୁ

ଅସୁରକ୍ଷିତ ଯୌନାଭ୍ୟାସ ଯୋଗୁଁ ବିଭିନ୍ନ ପ୍ରକାରର ସଂକ୍ରମଣର ଶିକାର ହେବା ଆଶଙ୍କା ରହିଛି ଯାହା ପରବର୍ତ୍ତୀ ସମୟରେ କର୍କଟ ରୋଗର ଆଶଙ୍କା ବୃଦ୍ଧି କରିଥାଏ। ଏଣୁ ସୁରକ୍ଷିତ ଯୌନ ସମ୍ପର୍କ ସ୍ଥାପନ କରିବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଏକାଧିକ ବ୍ୟକ୍ତିଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କରିବାଠାରୁ ନିବୃତ୍ତ ରହନ୍ତୁ କାରଣ ଆପଣ ଯେତେ ଅଧିକ ବ୍ୟକ୍ତିଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କରିବେ ଆପଣ ସେହି ଅନୁପାତରେ ଯୌନ ସଂକ୍ରମଣ ଜନିତ ରୋଗର ଶିକାର ହେବା ଆଶଙ୍କା ମଧ୍ୟ ବଢ଼ିଥାଏ – ଯେପରିକି ଏଚ୍‌ଆଇଭି ଓ ଏଚ୍‌ପିଭି। ଏଡ୍‌ସ ବା ଏଚ୍‌ଆଇଭି ସଂକ୍ରମିତ ବ୍ୟକ୍ତିମାନଙ୍କଠାରେ ମଳଦ୍ୱାର, ଯକୃତ ଓ ଫୁସ୍‌ଫୁସ୍‌ କର୍କଟ ହେବା ଆଶଙ୍କା ଅଧିକ ଅଟେ। ସେହିପରି ଏଚ୍‌ପିଭି ଯୋଗୁଁ ସର୍ଭାଇକଲ୍‌ କ୍ୟାନସରର ଆଶଙ୍କା ବୃଦ୍ଧି ପାଇଥାଏ। ଏଚ୍‌ପିଭି ଯୋଗୁ ମଳଦ୍ୱାର, ପୁରୁଷ ଯୋନି, ମହିଳା ଯୋନି, ଗଳା କର୍କଟ ହେବା ଆଶଙ୍କା ମଧ୍ୟ ରହିଥାଏ।

alcoholic person consulting

ନିୟମିତ ନିଜେ ନିଜେ ତଥା ଡାକ୍ତରୀ ଯାଞ୍ଚ କରନ୍ତୁ

ପ୍ରାରମ୍ଭିକ ସ୍ତରରେ ବିଭିନ୍ନ ପ୍ରକାରର କର୍କଟ ରୋଗର ଲକ୍ଷଣଗୁଡିକୁ ଚିହ୍ନଟ କରାଯାଇପାରିଲେ ଏହାର ସଫଳ ଚିକିତ୍ସା କରିବା ସମ୍ଭବ ହୋଇଥାଏ। ବିଶେଷକରି ଚର୍ମ, ବୃହଦନ୍ତ୍ର, ସର୍ଭିକ୍ସ ଓ ସ୍ତନ କର୍କଟ କ୍ଷେତ୍ରରେ। ଅଧ୍ୟୟନରୁ ଜଣାପିଡିଛି ଯେ ଅଧିକରୁ ଅଧିକ ମହିଳା ଯଦି ନିଜ ଶରୀରରେ ହେଉଥିବା ବିଭିନ୍ନ ପରିବର୍ତ୍ତନ ବିଷୟରେ ସଚେତନ ହେବା ସହିତ ଉଚିତ ସମୟରେ ଡାକ୍ତରଙ୍କ ସହିତ ପରାମର୍ଶ କରିବେ, ତାହାହେଲେ ସ୍ତନ କର୍କଟ ରୋଗ ହାରକୁ ବହୁ ମାତ୍ରାରେ ହ୍ରାସ କରାଯାଇ ପାରିବ।

ମନୁଷ୍ୟମାନେ ୧୦୦ରୁ ଅଧିକ ପ୍ରକାରର କର୍କଟ ରୋଗରେ ଆକ୍ରାନ୍ତ ହେବା ସମ୍ଭାବନା ରହିଛି। ସେଥିମଧ୍ୟରୁ କେବଳ ଦଶ ପ୍ରତିଶତ ଆନୁବଂଶୀକ କାରଣରୁ ହେଉଥିବା ବେଳେ ବାକି ନବେ ପ୍ରତିଶତ କର୍କଟ ପାଇଁ ପରିବେଶ ଦାୟୀ। ବିଭିନ୍ନ ପରିବେଶ କାରକ ଯୋଗୁଁ ସୃଷ୍ଟି ହେଉଥିବା କର୍କଟର ନିବାରଣ ସମ୍ଭବ। ଜୀବନଶୈଳୀରେ ପରିବର୍ତ୍ତନ ଆଣି ବିଶ୍ୱ କର୍କଟ ରୋଗର ନିବାରଣ କରିହେବ। ତାହାହେଲେ ଆସନ୍ତୁ କର୍କଟ ଦିବସ ଅବସରରେ କର୍କଟ ନିବାରଣ ପାଇଁ ଶପଥ ନେବା, ଏକ ସୁସ୍ଥ ସମାଜ ଗଢ଼ିବା।