୯୫% କର୍କଟ ରୋଗର ମୁଖ୍ୟ କାରଣ ହେଉଛି ପରିବେଶ।
ଆମ ଶରୀର ବିଭିନ୍ନ ପ୍ରକାର କୋଷିକା ଦ୍ୱାରା ଗଠିତ ହୋଇଛି। ଶରୀରର ଆବଶ୍ୟକତା ଅନୁସାରେ ସେହି କୋଷିକାଗୁଡ଼ିକ ବିଭାଜିତ ଏବଂ ବୃଦ୍ଧି ହୋଇଥାଏ। କିନ୍ତୁ ସମୟ ସମୟରେ କୌଣସି ଆବଶ୍ୟକତା ବିନା କିଛି ଅଙ୍ଗର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବେ ବିଭାଜିତ ହୋଇଥାଏ। ସେହି କୋଷିକାଗୁଡ଼ିକ ଅସ୍ୱାଭାବିକ ଭାବେ ବୃଦ୍ଧି ମଧ୍ୟ ପାଇଥାଏ। କୋଷିକାଗୁଡ଼ିକର ଏହି ଅସାମାନ୍ୟ ବିକାଶକୁ କ୍ୟାନସର ବା କର୍କଟ ରୋଗ ବୋଲି କୁହାଯାଏ।
ଡାକ୍ତରୀ ବିଜ୍ଞାନ କ୍ଷେତ୍ରରେ ଏପର୍ଯ୍ୟନ୍ତ ୨୦୦ ପ୍ରକାର କର୍କଟ ରୋଗକୁ ଚିହ୍ନଟ କରାଯାଇଛି। ପ୍ରାରମ୍ଭିକ ଭାବେ ଶରୀରର ଯେକୌଣସି ସ୍ଥାନରେ ଆରମ୍ଭ ହୋଇ ପରେ ଶରୀରର ବିଭିନ୍ନ ସ୍ଥାନକୁ କର୍କଟ ରୋଗ ବ୍ୟାପିଥାଏ। ସର୍ବପ୍ରଥମେ ଶରୀରରେ କୌଣସି ଅଙ୍ଗରେ ହେଉଥିବା କର୍କଟକୁ ପ୍ରାଇମେରୀ ଟ୍ୟୁମର ବୋଲି କୁହାଯାଏ।
ଏହାପରେ ଶରୀରର ଅନ୍ୟ ଅଂଶକୁ ତାହା ପ୍ରସାରିତ ହେଲେ ତାକୁ ମେଟାଷ୍ଟେଟିକ୍ ବା ସେକେଣ୍ଡାରୀ ଟ୍ୟୁମର ବୋଲି କୁହାଯାଏ। ଅଧିକାଂଶ କର୍କଟ(୯୫%) ରୋଗର ମୁଖ୍ୟ କାରଣ ହେଉଛି ପରିବେଶ। ବାକି ୫ ପ୍ରତିଶତ ଆନୁବଂଶିକ କାରଣରୁ ହୋଇଥାଏ। କର୍କଟ ରୋଗକୁ ପ୍ରାଥମିକ ଅବସ୍ଥାରୁ ବିଭିନ୍ନ ପ୍ରକାର ପରୀକ୍ଷା ଦ୍ୱାରା ଚିହ୍ନଟ କରାଯାଇପାରିବ।
କର୍କଟ ରୋଗ ୪ଟି ମୁଖ୍ୟ ଅବସ୍ଥା
-ପ୍ରଥମ ଦୁଇଟି ପର୍ଯ୍ୟାୟରେ କର୍କଟର ଟ୍ୟୁମର ଛୋଟ ହୋଇଥାଏ। ତେଣୁ ଆଖ ପାଖର କୋଷିକାକୁ ଏହା ପ୍ରଭାବିତ କରିନଥାଏ।
-ତୃତୀୟ ପର୍ଯ୍ୟାୟରେ କର୍କଟ ବିକଶିତ ହୋଇସାରିଥାଏ। ଟ୍ୟୁମର ବଡ଼ ହୋଇଯାଇଥାଏ। ଶରୀରର ଅନ୍ୟ କୋଷିକାକୁ ଏହା ପ୍ରଭାବିତ କରିବାର ଆଶଙ୍କା ଅଧିକ ଥାଏ।
-ଚତୁର୍ଥ ପର୍ଯ୍ୟାୟ କର୍କଟ ରୋଗର ଶେଷ ଅବସ୍ଥା। ଏହି ପର୍ଯ୍ୟାୟରେ ଟ୍ୟୁମର ଶରୀରର ଅନ୍ୟ ଅଙ୍ଗକୁ ବ୍ୟାପିଯାଇଥାଏ। ଏଭଳି ଅବସ୍ଥାକୁ ମେଟାଷ୍ଟେଟିକ୍ କର୍କଟ କୁହାଯାଏ। ଏହି ପର୍ଯ୍ୟାୟରେ କର୍କଟ ରୋଗର ଜୀବାଣୁ ସୁସ୍ଥ କୋଷିକାକୁ ଆକ୍ରମଣ କରି ତାକୁ ମଧ୍ୟ ସଂକ୍ରମିତ କରିଦିଅନ୍ତି।
କିଭଳି ବ୍ୟାପେ?
କର୍କଟ ତିନି ପ୍ରକାରରେ ବ୍ୟାପିଥାଏ। ସେଥିମଧ୍ୟରୁ ପ୍ରଥମଟି ହେଲା ଡାଇଟେକ୍ଟ ଏକ୍ସଟେନସନ୍। ଏହି ସମୟରେ ପ୍ରାଇମେରୀ ଟ୍ୟୁମର ଶରୀରର ଆଖପାଖର ଅନ୍ୟ ଅଙ୍ଗକୁ ପ୍ରସାରିତ ହୋଇଥାଏ। ଉଦାହରଣସ୍ୱରୂପ ପ୍ରୋଷ୍ଟେଟ କର୍କଟ ବ୍ଲାଡର ପର୍ଯ୍ୟନ୍ତ ବ୍ୟାପିଥାଏ।
-ଲିମ୍ଫୋଟିକ୍ ସିଷ୍ଟମରେ କର୍କଟର କୋଷିକା ପ୍ରାଇମେରୀ ଟ୍ୟୁମରରୁ ଅଲଗା ହୋଇ ଶରୀରର ଅନ୍ୟ ଅଙ୍ଗକୁ ଚାଲିଯାଏ।
-କର୍କଟ ରକ୍ତ ଦ୍ୱାରା ମଧ୍ୟ ବ୍ୟାପିଥାଏ। ଏହାକୁ ହିମେଟୋଜିନସ୍ ସ୍ପ୍ରେଡ୍ ବୋଲି ମଧ୍ୟ କୁହାଯାଏ। ଏହି ପର୍ଯ୍ୟାୟରେ କର୍କଟର କୋଷିକା ପ୍ରାଇମେରୀ ଟ୍ୟୁମରରୁ ଅଲଗା ହୋଇ ରକ୍ତରେ ମିଶିଯାଏ। ପରେ ରକ୍ତ ମାଧ୍ୟମରେ ତାହା ଶରୀରର ଅନ୍ୟ ଅଙ୍ଗକୁ ବ୍ୟାପିଥାଏ।
କର୍କଟ କେତେ ପ୍ରକାର?
କର୍କଟ ବିଭିନ୍ନ ପ୍ରକାରର ହୋଇଥାଏ। ସେଥିମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ହେଲା ସ୍ତନ କର୍କଟ, ସର୍ଭାଇକାଲ କ୍ୟାନସର, ପ୍ରୋଷ୍ଟେଟ କ୍ୟାନସର, ମୁଖଗହ୍ୱର କର୍କଟ, ଫୁସଫୁସ କର୍କଟ, ଓଭାରିଆନ କ୍ୟାନସର, ପେଟ, ହାଡ଼ରେ ହେଉଥିବା କର୍କଟ, ରକ୍ତ କର୍କଟ, କଲୋନ୍ କ୍ୟାନସର, ଗଳା କର୍କଟ, ଚର୍ମ, ବ୍ଲାଡର, ବ୍ରେନ, କିଡନି କ୍ୟାନସର ପ୍ରଭୃତି।
ଭାରତରେ କେଉଁ ପ୍ରକାର କର୍କଟ ଅଧିକ ହୁଏ?
ଭାରତରେ ସବୁଠୁ ଅଧିକ ମୁଖଗହ୍ୱର, ଗର୍ଭାଶୟ, ସ୍ତନ, ସର୍ଭାଇକାଲ, ଫୁସଫୁସ ଏବଂ ପ୍ରୋଷ୍ଟେଟ୍ କର୍କଟର ଘଟଣା ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ ୬୦ ପ୍ରତିଶତ ହେଉଛି ଗର୍ଭାଶୟ, ମୁଖଗହ୍ୱର ଏବଂ ସ୍ତନ କର୍କଟର ମାମଲା। ଅବଶ୍ୟ ଏହି ସବୁ କର୍କଟ ରୋଗର ନିଦାନ ବା ଚିକିତ୍ସା ସମ୍ଭବପର। ତେବେ ପ୍ରାଥମିକ ପର୍ଯ୍ୟାୟରେ ରୋଗ ଚିହ୍ନଟ ହେଲେ ହିଁ ଆରୋଗ୍ୟ ଲାଭ କରିବାର ସମ୍ଭାବନା ରହିଥାଏ । ସେହିଭଳି ଭାରତରେ ମୁଖଗହ୍ୱର କର୍କଟ ଯୋଗୁଁ ସର୍ବାଧିକ ମୃତ୍ୟୁ ହୋଇଥାଏ। ଏହାର କାରଣ ହେଲା ଧୂମପାନ ଏବଂ ତମାଖୁ ସେବନ।
ଲକ୍ଷଣ
କର୍କଟର କୋଷିକାଗୁଡ଼ିକ ଛୋଟ ଥିବାବେଳେ ଏହାର ଲକ୍ଷଣ ଜଣାପଡ଼ିନଥାଏ। କିନ୍ତୁ ଏହି କୋଷିକା ବୃଦ୍ଧି ହେବା ପରେ ତାର ଲକ୍ଷଣ ଜଣାପଡ଼ିଥାଏ।
ଯନ୍ତ୍ରଣା: କିଛି ପ୍ରକାର କର୍କଟ ରୋଗ ଯନ୍ତ୍ରଣାହୀନ ହୋଇଥାଏ। କିନ୍ତୁ ଆଉ କିଛି ପ୍ରକାର କର୍କଟ ରୋଗ ହେଲେ ଯନ୍ତ୍ରଣା ଖୁବ୍ ଅଧିକ ହୁଏ। ଉଦାହରଣ ସ୍ୱରୂପ ମସ୍ତିଷ୍କ କର୍କଟ ଭଳି ରୋଗ ହେଲେ ଦୀର୍ଘ ଦିନ ଧରି ମୁଣ୍ଡବିନ୍ଧା, ଗଳା ଓ ତାର ଆଖପାଖ ଦରଜ ହେବା ପ୍ରଭୃତି ଲକ୍ଷଣ ଦେଖାଯାଏ।
ଓଜନ କମିଯିବା, ଥକ୍କାପଣ: କର୍କଟ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଏହି ଲକ୍ଷଣ ସବୁଠୁ ଅଧିକ ଦେଖାଯାଏ। କିଛି ଲୋକ ଠିକ୍ ଭାବେ ଖାଦ୍ୟ ଖାଉଥିଲେ ମଧ୍ୟ ତାଙ୍କର ଓଜନ କମିଯାଏ। ଆଉ କିଛି ଲୋକଙ୍କୁ ଭୋକ ଖୁବ୍ କମ ହୁଏ। ତେଣୁ ସେମାନେ ଖାଇପାରନ୍ତି ନାହିଁ। କର୍କଟର ଅନ୍ତିମ ପର୍ଯ୍ୟାୟ ହୋଇଥିଲେ ବହୁତ ଥକ୍କାପଣ ଲାଗେ।
ଲିମ୍ଫ ନୋଡ୍ସ ଫୁଲିଯିବା: କର୍କଟ ରୋଗ ଯେତେବେଳେ ଶରୀରର ଅନ୍ୟ ଅଙ୍ଗକୁ ପ୍ରଭାବିତ କରିଥାଏ ସେତେବେଳେ ତା’ ପାଖରେ ଥିବା ଲିମ୍ଫ ନୋଡ୍ସ ଫୁଲିବାକୁ ଲାଗେ। ତେବେ ଏହା ଯନ୍ତ୍ରଣାଦାୟକ ହୋଇନଥାଏ।
ପେଟ ଯନ୍ତ୍ରଣା: ମେଦବହୁଳତା କାରଣରୁ ଫ୍ୟାଟିଲିଭର ହୋଇ କର୍କଟ ରୋଗ ହୋଇଥିଲେ ତାହା ଖୁବ୍ ଯନ୍ତ୍ରଣାଦାୟକ ହୋଇଥାଏ। ରୋଗୀର ପେଟରେ ପ୍ରଥମେ ଗ୍ୟାସ ଭଳି ସମସ୍ୟା ଆରମ୍ଭ ହୋଇ ପରେ ପେଟ କାଟିବା, ଭୀଷଣ ପେଟ ଦରଜ ଭଳି ସମସ୍ୟା ଦେଖାଯାଏ।
କଫ ଏବଂ ଛାତିରେ ଯନ୍ତ୍ରଣା: ଦୀର୍ଘଦିନ ଧରି କଫ ସମସ୍ୟା ଲାଗିରହିଲେ ଏବଂ ଛାତିରେ ଯନ୍ତ୍ରଣା ହେଲେ ଏହା ଲ୍ୟୁକୋମିଆ ସହିତ ଅନେକ ପ୍ରକାର କର୍କଟ ରୋଗର କାରଣ ପାଲଟିଥାଏ।
ଶ୍ୱାସକ୍ରିୟାରେ ସମସ୍ୟା: ଶ୍ୱାସକ୍ରିୟାରେ ସମସ୍ୟା ହେଲେ ଲୋକମାନେ ପ୍ରାୟତଃ ତାକୁ ହୃଦରୋଗ ବୋଲି ମନେ କରନ୍ତି। ପ୍ରକୃତରେ ଏହାକର୍କଟ ରୋଗର ଲକ୍ଷଣ ବି ହୋଇପାରେ।
କଫରେ ରକ୍ତ ପଡ଼ିବା: କାଶିଲେ କିମ୍ବା କଫ ବାହାରିବା ସମୟରେ ଯଦି ରକ୍ତ ବାହାରୁଥାଏ ତା’ହେଲେ ସତର୍କ ହୋଇଯିବା କଥା। ଏହା କର୍କଟ ରୋଗର ଲକ୍ଷଣ ହୋଇପାରେ।
ଘା‘ ନ ଶୁଖିବା: ଶରୀରରେ ହୋଇଥିବା କୌଣସି ଘା’ ଯଦି ଦୀର୍ଘଦିନ ଧରି ନଶୁଖେ ତା’ ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ। ଏହି ଛୋଟ ଘଟଣା କର୍କଟର ଲକ୍ଷଣ ହୋଇପାରେ।
କାରଣ
କର୍କଟ ରୋଗର ବିଭିନ୍ନ ପ୍ରକାର କାରଣ ରହିଛି। ସେଥିମଧ୍ୟରୁ ମୁଖ୍ୟ ହେଲା ପରିବେଶ ଓ ଜୀବନଶୈଳୀ ସଂପର୍କିତ। ଏହା ଛଡ଼ା ବଂଶାନୁକ୍ରମ, ବୟସ, ଖରାପ ଖାଦ୍ୟ ଖାଇବା, କିଛି ନିର୍ଦ୍ଦିଷ୍ଟ ପ୍ରକାର ଔଷଧକୁ ଦୀର୍ଘଦିନ ଧରି ଖାଇବା, ସଂକ୍ରମଣ, ରୋଗ ପ୍ରତିରୋଧକ ଶକ୍ତି କମିଯିବା ଯୋଗୁଁ ଏହା ହୋଇଥାଏ।
ପରୀକ୍ଷା
ପରୀକ୍ଷା କର୍କଟ ରୋଗର ନିଦାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। କିଛି ଶାରୀରିକ ପରିବର୍ତ୍ତନ ଯେପରିକି ଶରୀରର କୌଣସି ସ୍ଥାନରେ ଆବୁ ଭଳି ଦେଖାଗଲେ, ତ୍ୱଚାର ରଙ୍ଗ ପରିବର୍ତ୍ତନ ହେଲେ କିମ୍ବା କୌଣସି ଅଙ୍ଗ ଅନାଚକ ବୃଦ୍ଧିପାଇଚାଲିଲେ ଡାକ୍ତର ତାକୁ କର୍କଟ ରୋଗ ବୋଲି ଆଶଙ୍କା କରିଥାନ୍ତି। ଏପରିସ୍ଥଳେ ପ୍ରଥମେ ରକ୍ତ, ମଳ, ମୂତ୍ର ପରୀକ୍ଷଣ କରିବାକୁ କୁହାଯାଇଥାଏ। ସେଥିରେ କିଛି ଅସ୍ୱାଭାବିକତା ଥିଲେ ଏକ୍ସରେ, ଅଲଟ୍ରାସାଉଣ୍ଡ, ସିଟି ସ୍କାନ, ଏମଆରଇ, ପିଇଟି ସ୍କାନ୍ ପ୍ରଭୃତି ପର୍ଯ୍ୟାୟକ୍ରମେ କରାଯାଏ। ଏସବୁ ବ୍ୟତୀତ ବାୟୋପ୍ସି ଦ୍ୱାରା ମଧ୍ୟ କର୍କଟ ନିରୂପଣ କରାଯାଇଥାଏ। ଏହି ସମୟରେ ଡାକ୍ତରମାନେ ପ୍ରଭାବିତ ସ୍ଥାନରୁ ରକ୍ତ ବା ମାଂସ ନେଇ ତାକୁ ପ୍ରୟୋଗଶାଳାରେ ପରୀକ୍ଷା କରାଇଥାନ୍ତି।
ଚିକିତ୍ସା
କର୍କଟ ରୋଗର ବିଭିନ୍ନ ପ୍ରକାର ଚିକିତ୍ସା ରହିଛି। ସେଥିମଧ୍ୟରୁ ପ୍ରଥମଟି ହେଲା ଅସ୍ତ୍ରୋପଚାର। ଏହାଛଡ଼ା ରେଡିଏସନ୍ ଥେରାପି, କେମୋଥେରାପି, ଇମ୍ୟୁନୋଥେରାପି, ଟାରଗେଟେଡ୍ ଥେରାପି, ହରମୋନ୍ ଥେରାପି, ଷ୍ଟେମ ସେଲ ପ୍ରତିରୋପଣ ମାଧ୍ୟମରେ ଏହାର ନିଦାନ କରାଯାଇଥାଏ।