ପେଟରେ ଗ୍ୟାସ୍ ହେବା ଏକ ସାଧାରଣ ସମସ୍ୟା। ଖାଦ୍ୟ ହଜମ ହୋଇନପାରିଲେ ପେଟରେ ସାଧାରଣତଃ ଗ୍ୟାସ୍ ସୃଷ୍ଟି ହୋଇଥାଏ। ପେଟରେ ଗ୍ୟାସ୍ ହେବା ଦ୍ୱାରା, ଶରୀର ଓଜନିଆ ଲାଗେ, ମୁଣ୍ଡବ୍ୟଥା ଓ ବାନ୍ତି ମଧ୍ୟ ହୋଇଥାଏ। ଠିକ୍ ସମୟରେ ପେଟରେ ଗ୍ୟାସର ସ୍ତର କମ୍ କରିବା ପାଇଁ ପଦକ୍ଷେପ ଗ୍ରହଣ କରାନଗଲେ ପରିସ୍ଥିତି ଗମ୍ଭୀର ହୋଇପାରେ। ତେବେ ଏଥିପାଇଁ ଆମକୁ ବେଶୀ ପରିଶ୍ରମ କରିବାକୁ ପଡିବନାହିଁ। ଘରେ ଉପଲବ୍ଧ ହେଉଥିବା କେତେକ ଅତି ସାଧାରଣ ସାମଗ୍ରୀ ବ୍ୟବହାର କରି ଆମେ ଏହି ସମସ୍ୟା ଦୂର କରିପାରିବା। ଆସନ୍ତୁ ସେହି ଉପାୟଗୁଡିକ ବିଷୟରେ ଜାଣିବା…
ଡାଲ୍ଚିନି: ଡାଲ୍ଚିନି ବ୍ୟବହାର କରି ଗ୍ୟାସ୍ ସମସ୍ୟା ଦୂର କରାଯାଇ ପାରିବ। ଏଥିପାଇଁ ଆପଣ ଏକ ଗ୍ଲାସ୍ ଉଷୁମ ପାଣିରେ ଏକ ଛୋଟ ଚାମଚ ଡାଲ୍ଚିନି ଗୁଣ୍ଡ ମିଶାଇ ପିଅନ୍ତୁ। ଏଥିରେ ଆପଣ ମହୁ ମଧ୍ୟ ମିଶେଇ ପାରିବେ।
ଅଦା: ଅଦା ମଧ୍ୟ ଗ୍ୟାସ୍ କମ୍ କରିଥାଏ। ଅଦା, ପାନମହୁରୀ ଓ ଗୁଜୁରାତିକୁ ସମାନ ପରିମାଣରେ ନିଅନ୍ତୁ ଓ ପାଣିରେ ଭଲ ଭାବେ ମିଶେଇ ଦିଅନ୍ତୁ। ଏଥିରେ ଏକ ଚିମୁଟା ହେଙ୍ଗୁ ମଧ୍ୟ ମିଶାନ୍ତୁ। ଏହି ମିଶ୍ରଣକୁ ଦିନରେ ଥରେ ବା ଦୁଇଥର ପିଅନ୍ତୁ।
ଲେମ୍ବୁ ଓ ବେକିଂ ସୋଡା: ଲେମ୍ବୁ ଓ ବେକିଂ ସୋଡା ଦ୍ୱାରା ଖୂବ୍ ଶୀଘ୍ର ଗ୍ୟାସ୍ ସମସ୍ୟାରୁ ମୁକ୍ତି ମିଳିଥାଏ। ଏଥିପାଇଁ ଆପଣ ଗୋଟିଏ ଗ୍ଲାସ୍ରେ ଏକ ବଡ ଚାମଚ ଲେମ୍ବୁ ରସ ନିଅନ୍ତୁ ଓ ସେଥିରେ କିଛି ବେକିଂ ସୋଡା ମିଶାନ୍ତୁ ଓ ପରେ ଏଥିରେ ପାଣି ମିଶେଇ ପିଅନ୍ତୁ। ପାଣିରେ କେବଳ ବେକିଂ ସୋଡା ମିଶେଇ ପିଇଲେ ମଧ୍ୟ ଆରାମ ମିଳିଥାଏ।
ରସୁଣ: ରସୁଣ ଖାଇଲେ ମଧ୍ୟ ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ। ଏଥିପାଇଁ କିଛି କୋଳ ରସୁଣକୁ କାଟି ପାଣିରେ ଶିଝାନ୍ତୁ। ଏବେ ସେଥିରେ କିଛି ଗୋଲ୍ମରିଚ ଗୁଣ୍ଡ ଓ ଜୀରା ମିଶାନ୍ତୁ। ଏହି ମିଶ୍ରଣକୁ କିଛି ସମୟ ପାଇଁ ଛାଡି ଦିଅନ୍ତୁ। ଥଣ୍ଡା ହୋଇଯିବା ପରେ ଏହାକୁ ପିଅନ୍ତୁ। ଦିନରେ ଦୁଇ ରୁ ତିନି ଥର ପିଅନ୍ତୁ।
ହେଙ୍ଗୁ: ହେଙ୍ଗୁ ଖାଇଲେ ମଧ୍ୟ ସୁଫଳ ମିଳିଥାଏ। ଏଥିପାଇଁ ଏକ ଗ୍ଲାସ୍ ଉଷୁମ ପାଣିରେ ଏକ ଚିମୁଟା ହିଙ୍ଗୁ ମିଶାନ୍ତୁ ଓ ଏହାକୁ ପିଅନ୍ତୁ। ଏହାକୁ ଆପଣ ଦିନରେ ଦୁଇ ତିନି ଥର ପିଇପାରିବେ।
ଗୋଲ୍ମରିଚ: ଗ୍ୟାସ୍ ସମସ୍ୟା ଦେଖାଦେଲେ ୭-୬ଟି ଗୋଲ୍ମରିଚକୁ ସାମାନ୍ୟ କୁଟି ଦିଅନ୍ତୁ, ସେଥିରେ ଏକ ଚିମୁଟା ସୈନ୍ଧବ ଲବଣ ମିଶାନ୍ତୁ ଓ ଏହାକୁ ଖାଇ ସାରିବା ପରେ ଏକ ଗ୍ଲାସ୍ ଗରମ ପାଣି ପିଅନ୍ତୁ।