ଶୀତଦିନେ ଥଣ୍ଡା,କାଶ, ଜ୍ୱରରେ ଆକ୍ରାନ୍ତ ହେବା ସାଧାରଣ ଘଟଣା। ତେବେ କିଛି ଲୋକ ଏହି ଋତୁରେ ବାରମ୍ବାର ଜ୍ୱରରେ ପଡିବା ଦେଖାଯାଏ। ଏହାର କାରଣ ହେଉଛି ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି। ଯଦି ଆପଣ ମଧ୍ୟ ବାରମ୍ବାର ଥଣ୍ଡା, କାଶ, ଜ୍ୱର ବା ଅନ୍ୟ ରୋଗ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି ଓ ଏଥିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଏଠାରେ ଦିଆଯାଇଥିବା ବିଭିନ୍ନ ଉପାୟ ଆପଣେଇ ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରିବେ ଓ ଶୀତଋତୁର ମଜା ନେଇ ପାରିବେ। ତେବେ ଆସନ୍ତୁ ସେଗୁଡିକ ବିଷୟରେ ଜାଣିବା..
ହଳଦୀ ଓ ଅଦା ଚା‘: ଏହି ଚା‘ ଉଭୟ ଆଣ୍ଟି-ବ୍ୟାକ୍ଟେରିଆ ଓ ଆଣ୍ଟି-ଭାଇରାଲ୍। ଏହାକୁ ପ୍ରସ୍ତୁତ କରିବା ପାଇଁ ୩ କପ୍ ପାଣି ନିଅନ୍ତୁ, ସେଥିରେ ୨ ଛୋଟ ଚାମଚ ହଳଦୀ ଗୁଣ୍ଡ ମିଶାନ୍ତୁ ଓ ୧ ସେମିର ଏକ ଅଦା ଖଣ୍ଡର ଚୋପା ଛଡେଇ ଓ ଛେଚି ପକାନ୍ତୁ। ଏହି ମିଶ୍ରଣକୁ କିଛି ସମୟ ପାଇଁ ଫୁଟାନ୍ତୁଓ ତାପରେ ଏହାକୁ ଘୋଡେଇ ୫-୧୦ ମିନିଟ ପର୍ଯ୍ୟନ୍ତ ରଖିଦଅନ୍ତୁ। ଦିନରେ ଥରେ ପିଅନ୍ତୁ। ଏଥିରେ ଆପଣ ମହୁ ବା ଲେମ୍ବୁରସ ମିଶେଇ ପାରିବେ।
ତୁଳସୀ, ଗୋଲମରିଚ ଓ ଅଦା ଚା‘: ୫-୬ଟି ତୁଳସୀ ପତ୍ରକୁ ଏକ କପ୍ ପାଣିରେ ଶିଝାନ୍ତୁ, ସେଥିରେ ୫ଟି ଗୋଲ୍ମରିଚ କୁଟି ପକାନ୍ତୁ ଓ ଏହା ସହିତ ଏକ ଇଂଚ ଅଦା ଖଣ୍ଡକୁ ମଧ୍ୟ କୁଟି ପକାନ୍ତୁ। ୨-୩ ମିନିଟ ଶିଝାନ୍ତୁ। ଉଷୁମ ଥିବା ବେଳେ ପିଅନ୍ତୁ।
ଲେମ୍ବୁ ପାଣି: ଲେମ୍ବୁରେ ଭିଟାମିନ୍ ସି ଭର୍ପୁର ରହିଥିବାରୁ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଆପଣ ଏକ ନିହାତି ସରଳ ଉପାୟ ଆପଣେଇ ଲେମ୍ବୁ ଦ୍ୱାରା ଲାଭବାନ୍ ହୋଇପାରିବେ। ଏଥିପାଇଁ ଆପଣ ଗୋଟିଏ ଗ୍ଲାସ୍ ଉଷୁମ ପାଣି ନିଅନ୍ତୁ ଓ ସେଥିରେ ୧-୨ ଛୋଟ ଚାମଚ ଲେମ୍ବୁ ରସ ମିଶାନ୍ତୁ ଓ ଏହାକୁ ସକାଳେ ଖାଲି ପେଟରେ ପିଅନ୍ତୁ। ପ୍ରତିଦିନ ଏପରି କଲେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହିତ ଆପଣଙ୍କ ଓଜନ ହ୍ରାସରେ ମଧ୍ୟ ସହାୟକ ହେବ।
ଅଦା, ଲେମ୍ବୁ ଓ ଡାଲ୍ଚିନି ଗୁଣ୍ଡ: ୧ ଛୋଟ ଚାମଚ କୋରା ଯାଇଥିବା ଅଦା, ୨ ଛୋଟ ଚାମଚ ଲେମ୍ବୁ ରସ ଓ ¼ ଛୋଟ ଚାମଚ ଡାଲ୍ଚିନିକୁ ମିଶାନ୍ତୁ। ଆପଣ ଚାହିଁଲେ ଏଥିରେ କିଛି ମହୁ ମଧ୍ୟ ମିଶେଇ ପାରିବେ। ଏହି ମିଶ୍ରଣକୁ ପ୍ରତିଦିନ ପିଅନ୍ତୁ।
ରସୁଣ ଓ ମହୁ: ରସୁଣ କୋଳର ଚୋପା ବାହାର କରିଦିଅନ୍ତୁ ଓ ସେଗୁଡିକୁ ଏକ କାଚ ବୋତଲ୍ରେ ରଖନ୍ତୁ। ତାପରେ ଏହି ବୋତଲ୍ରେ ମହୁ ଭର୍ତ୍ତି କରିଦିଅନ୍ତୁ, ଯେପରିକି ରସୁଣ ସେହି ମହୁରେ ବୁଡି ରହିବ। ଏବେ ଏହି ରସୁଣ ଓ ମହୁକୁ ସାଧାରଣ ତାପମାତ୍ରାରେ ୩-୫ ଦିନ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ।
ଅଁଳା ପାଣି: ଅଁଳାର ସର୍ବାଧିକ ଲାଭ ଉଠେଇବା ପାଇ ଅଁଳାଗୁଣ୍ଡକୁ ଏକ ଗ୍ଲାସ୍ ପାଣିରେ ରାତି ସାରା ବତୁରାଇ ରଖନ୍ତୁ। ସକାଳେ ଏହାକୁ ଛାଣିଦିଅନ୍ତୁ ଓ ଖାଲି ପେଟରେ ପିଅନ୍ତୁ।