ମା’ ଆଜି ସ୍କୁଲ ଯିବିନାହିଁ, ମୁଣ୍ଡ ବିନ୍ଧୁଛି, ପେଟ କାଟୁଛି, ବାନ୍ତି ମାଡୁଛି, ଆଉ ଟିକେ ଶୋଇବାକୁ ଦିଅ, ଇତ୍ୟାଦି…ଇତ୍ୟାଦି…। ଯେଉଁମାନଙ୍କ ଘରେ ଛୋଟ ପିଲା ଥାଆନ୍ତି ଅଧିକାଂଶ ସମୟରେ ସେମାନଙ୍କ ଘରେ ସକାଳୁ ଏଭଳି କଥା ଶୁଣିବାକୁ ମିଳେ। ବିଶେଷ କରି ନୂଆ କରି ସ୍କୁଲରେ ପିଲାଙ୍କର ନାମ ଲେଖାଇଥିଲେ ଏସବୁ ଦୃଶ୍ୟ ସାଧାରଣ। ତେବେ ଯଦି ଏହି ସମସ୍ୟା ଅଧିକ ଦିନ ଧରି ଲାଗିରହେ ତା’ ହେଲେ ଏହା ଚିନ୍ତା କରିବାର ବିଷୟ। ଆପଣଙ୍କ ପିଲା ସ୍କୁଲ ରିଫ୍ୟୁଜାଲ ସମସ୍ୟାରେ ପୀଡ଼ିତ ହୋଇପାରେ। ଆସନ୍ତୁ ଜାଣିବା ସେ ବିଷୟରେ…

School Refusal

କ’ଣ ଏହି ସମସ୍ୟା?

ମନୋବୈଜ୍ଞାନିକମାନଙ୍କ ଅନୁସାରେ ୪-୮ ବର୍ଷ ବୟସର ପିଲାଙ୍କୁ ଏହି ସମସ୍ୟା ଅଧିକ ଦେଖାଯାଏ। ପ୍ରକୃତ କଥା ହେଲା ଛୋଟ ପିଲାଙ୍କୁ ଯେଉଁ କଥା ପସନ୍ଦ ଆସିନଥାଏ ସେମାନେ ପାଟିକରି, ଜିଦ୍ଦି କରି, କାନ୍ଦି ତାର ପ୍ରତିବାଦ କରିବାକୁ ଚେଷ୍ଟା କରନ୍ତି। ଯେତେବେଳେ ସେମାନଙ୍କର ମନ କୌଣସି ପ୍ରକାରରେ ବି ସ୍କୁଲ ଯିବାକୁ ରାଜି ନଥାଏ ସେତେବେଳେ ଶରୀରରେ ମଧ୍ୟ ତାର ପ୍ରଭାବ ଦେଖିବାକୁ ମିଳେ। ପେଟ ଦରଜ, ଝାଡ଼ା, ବାନ୍ତି ଇତ୍ୟାଦି ରୋଗ ହୋଇଥାଏ। ଏହା ସହ ଶରୀରରେ ଉତ୍ତାପ ମଧ୍ୟ ଅନୁଭୂତ ହୋଇଥାଏ। କିନ୍ତୁ ଯଦି ସ୍କୁଲ ଯିବା ବନ୍ଦ କରିଦିଆଯାଏ ସେମାନେ ସଙ୍ଗେ ସଙ୍ଗେ ଠିକ୍‌ ହୋଇଯାଇଥାନ୍ତି। ସେମାନେ ଜାଣିଶୁଣି ଏଭଳି କରନ୍ତି ନାହିଁ, ସେମାନଙ୍କର ଅବଚେତନ ମନର ସକ୍ରିୟତା ଯୋଗୁ ଏମିତି ହୁଏ। ଏଭଳି ସ୍ଥିତିରେ ପିଲାକୁ ଗାଳି ନ ଦେଇ ତାର ସ୍କୁଲ ନ ଯିବାର ପ୍ରକୃତ କାରଣ ସଂପର୍କରେ ଜାଣିବାକୁ ଚେଷ୍ଟା କରନ୍ତୁ।

SwasthyaPlus

କାରଣ କ’ଣ?

ସ୍କୁଲରେ ସହପାଠୀଙ୍କ ସହ ଖରାପ ସମ୍ପର୍କ, ନୂଆ କେୟାରଟେକର, ଶିକ୍ଷକମାନଙ୍କ ସହ ପିଲା ଆଡଜଷ୍ଟ କରି ନପାରିବା ଯୋଗୁ ଏଭଳି ହୋଇଥାଏ। କିଛିକ୍ଷେତ୍ରରେ ବାପା ମା’ ସେମାନଙ୍କର ପିଲାକୁ ବହୁତ ଅଧିକ ଗେହ୍ଲା କରିଦେଇଥାନ୍ତି। ତେଣୁ ପିଲାଟି ସେମାନଙ୍କୁ ଛାଡ଼ି ସ୍କୁଲ ଯିବାକୁ ମଙ୍ଗେ ନାହିଁ। ଅନ୍ୟ କିଛି କ୍ଷେତ୍ରରେ କୌଣସି କାରଣ ପାଇଁ ପିଲାକୁ ସ୍କୁଲରୁ ଛୁଟିରେ ରହିବାକୁ ପଡୁଥିଲେ ପରେ ସେ ଆଉ ଯିବାକୁ ଇଚ୍ଛା କରେନାହିଁ। ଏହାକୁ ହୋମ୍ସିକନେସ ବୋଲି ମଧ୍ୟ କୁହାଯାଇଥାଏ।

school refusal symptoms

କ’ଣ କରିବେ?

ବାପା, ମା’ ବଳପୂର୍ବକ କେବେହେଲେ ସ୍କୁଲକୁ ପଠାଇବା ଅନୁଚିତ। ଏହାଦ୍ୱାରା ପିଲାର ମାନସିକ ସନ୍ତୁଳନ ବିଗିଡ଼ିବାର ଆଶଙ୍କା ଥାଏ। ପିଲାକୁ ବଳପୂର୍ବକ ସ୍କୁଲ ନ ପଠାଇ ବରଂ ତାର ସ୍କୁଲ ନଯିବା ପଛର କାରଣକୁ ବୁଝିବାକୁ ଉଦ୍ୟମ କରନ୍ତୁ। ତାର ସହପାଠୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଆବଶ୍ୟକସ୍ଥଳେ ବସ୍‌ର ଡ୍ରାଇଭରଙ୍କ ସହ ବି କଥା ହୁଅନ୍ତୁ। ସମୟ ସମୟରେ ସହପାଠୀଙ୍କର ହିଂସ୍ରକ ଆଚରଣ ଯୋଗୁ ମଧ୍ୟ ପିଲାମାନେ ସ୍କୁଲ ଯିବାକୁ ଅମଙ୍ଗ ହୁଅନ୍ତି। ଯଦି ତାର ପ୍ରକୃତ କାରଣ ଜଣାପଡ଼ିବ ତା’ ହେଲେ ଆପଣ ଶିକ୍ଷକମାନଙ୍କୁ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ କହିପାରିବେ।

ଏସବୁ ଛଡ଼ା ଯଦି ପିଲାଟି ପ୍ରକୃତରେ ଜାଣିଶୁଣି ସ୍କୁଲ ନଯିବାର ବାହାନା କରୁଥିବ ତା’ ହେଲେ ତାକୁ ଦିନେ ଦୁଇ ଦିନ ସ୍କୁଲ ନ ପଠାଇ ତାର ଗତିବିଧି ଲକ୍ଷ୍ୟ କରନ୍ତୁ। ସ୍କୁଲ ବନ୍ଦ କଲେ ସୁଦ୍ଧା ତାକୁ ଖେଳିବାକୁ କିମ୍ବା ପ୍ରିୟ କାର୍ଟୁନ ଧାରାବାହିକ ଦେଖିବାକୁ ଦିଅନ୍ତୁ ନାହିଁ। ଏପରିହେଲେ ସେ ନିଜର ଭୁଲ ବୁଝିପାରିବ। ସବୁଠାରୁ ଭଲ କଥା ହେଲା ପିଲାକୁ ସ୍କୁଲକୁ ପଠାଇବାର ମାସେ ଦୁଇମାସ ପୂର୍ବରୁ ତାକୁ ସ୍କୁଲ ପାଇଁ ମାନସିକ ଭାବେ ପ୍ରସ୍ତୁତ କରନ୍ତୁ। ସ୍କୁଲ ଯାଉଥିବା ପିଲାଙ୍କୁ ଦେଖାଇ ତାକୁ ମାସେ ଦୁଇମାସ ପରେ ଏଭଳି ସ୍କୁଲ ଯିବାକୁ ପଡ଼ିବ, ସେଥିପାଇଁ ନୂଆ ବ୍ୟାଗ୍‌, ପୋଷାକ ଆସିବ, ସ୍କୁଲରେ ତାର ନୂଆ ସହପାଠୀ ହେବେ, କେତେକଥା ଜାଣିବାକୁ ମିଳିବ ଇତ୍ୟାଦି ବୁଝାନ୍ତୁ। ଏପରିହେଲେ ସେମାନେ ସ୍କୁଲକୁ ଆଉ ଭୟ କରିବେ ନାହିଁ।