ଗୀତା ଦାସ
ପ୍ରଥମେ ପିଲା ମା’ଠାରୁ କ୍ଷୀର ଖାଇ ଭୋକ ଶୋଷରୁ ରକ୍ଷା ପାଇ ତୃପ୍ତ ହୁଏ। ଓଦା ମଇଳା ହୋଇ ପଡ଼ିଥିଲେ ମା’ ସଫା କରି ଶୁଖିଲା ବିଛଣାରେ ଶୁଆଇ ଦେଲେ ପିଲାକୁ ଆରାମ ଲାଗେ। ମାଆ ଏହିପରି ଭାବରେ ତୃପ୍ତିଦାୟିନୀ ଓ ଶାନ୍ତିଦାୟିନୀ ହୋଇଥିବାରୁ ମାଆକୁ ଦେଖିଲେ ଆନନ୍ଦ ହେବା ସ୍ଵାଭାବିକ।
କେତେକ ଶିଶୁ-ଚିକିତ୍ସକ ପରୀକ୍ଷା କରି ଦେଖିଛନ୍ତି ଯେ ପିଲା କାନ୍ଦୁଥିଲା ବେଳେ ମାଆର ହୃତପିଣ୍ଡର ସ୍ପନ୍ଦନକୁ ରେକର୍ଡ କରି ପିଲା ପାଖରେ ବଜେଇଲେ ପିଲା ଶାନ୍ତ ଓ ଚୁପ୍ ହୋଇଯାଉଛି। ସେମାନେ ଆହୁରି ମଧ୍ୟ ଦେଖିବେ ଯେ ଅନେକ ମାଆଙ୍କର ଅଭ୍ୟାସ ହେଲା ପିଲା କାନ୍ଦିଲେ ପିଲାକୁ ଛାତିରେ ବାଁ କରରେ ଜାକିଧରି ତାକୁ ଚୁପ୍ କରେଇବେ। ବାଁ କଡରେ ହୃତପିଣ୍ଡ ଥାଏ, ଏହିପରି ଆଉ କେତେକ ପରୀକ୍ଷା କରି ସେମାନେ ଜାଣିଲେ ଯେ ଗର୍ଭରେ ଥିଲାବେଳେ ମାଆର ହୃତପିଣ୍ଡର ଶବ୍ଦ ଶୁଣି ପିଲା ବଢ଼ୁଥିବାରୁ ସେଇ ଶବ୍ଦ ଶୁଣିଲେ ସେ ଆଶ୍ଵସ୍ତିବୋଧ କରେ।
ଜନ୍ମ ପରେ ମାଆ ସାଙ୍ଗରେ ପିଲାର ବେଶି ବେଳ କଟୁଥିବାରୁ ସାଧାରଣତଃ ମା’ ପ୍ରତି ପିଲାର ଅନୁରକ୍ତି ଭାବ ଜନ୍ମେ। ଏଇ ଅନୁରକ୍ତି ଭାବ ପିଲାର ମାନସିକ ବିକାଶ ଲାଗି ଅତ୍ୟନ୍ତ ପ୍ରଯୋଜନୀୟ। ପରବର୍ତ୍ତୀ ଜୀବନରେ ଅନ୍ୟ ସବୁ ସାମାଜିକ ସମ୍ପର୍କ ଏଇ ପ୍ରଥମ ସମ୍ପର୍କ ଅନୁସାରେ ଗଢ଼ିଉଠେ। ଯଦି ସେ ଜାଣେ ଭୋକ କଲେ ଜଣେ ଖାଇବାକୁ ଦେବ, ଖରାପ ଲାଗିଲେ ଜଣେ କୋଳ କରିବ, କାନ୍ଦିଲେ ବୋଧଶୋଧ ଦବ, ତା’ ହେଲେ ଦୁନିଆ ପ୍ରତି ତା’ର ବିଶ୍ଵାସର ଭାବ ଜନ୍ମେ। ଲୋକ ଦେଖିଲେ ସେ ଖୁସି ହୁଏ, ବଡ଼ ହେଲେ ସମସ୍ତଙ୍କ ସହିତ ସଜଜରେ ବନ୍ଧୁତା କରିପାରେ। ତା’ ମନରେ ଧାରଣା ହୁଏ ଦୁନିଆଟା ମାଆ ପରି, ମାଆର ସ୍ନେହଟା ହେଲା ‘ପୁରସ୍କାର’ ମା’ର ସ୍ନେହ ହରାଇବାର ଭୟ ହେଲା ‘ଶାସ୍ତି’। ତେଣୁ ମା’ ରାଗିଲେ କି ବିରକ୍ତ ହେଲେ ପିଲା ମା’ର କହିବା ଅନୁସାରେ କାମ କରେ, ଅନେକ ସମୟରେ ନିଜର ଇଚ୍ଛା ବିରୋଧରେ ଯାଇ ମା’ର ଆଦେଶ ମାନିନିଏ, କିନ୍ତୁ ଯେଉଁ ପିଲା ମୂଳରୁ ସ୍ନେହ ପାଇ ନାହିଁ ସ୍ନେହର ଅଭାବ ତାକୁ ବାଧିବ ନାହିଁ।
କ‘ଣ କଲେ ମାଆ ପ୍ରତି ପିଲାର ଅନୁରକ୍ତି ବଢେ?
ମାଆ ଯଦି ପିଲାକୁ ଅନେଇ ହସେ, ଗେଲ କରେ, ପାଖରେ ଥାଇ ଗୀତ ବୋଲେ, କୋଳରେ ଧରି ଝୁଲାଏ ଓ ସାଧାରଣ ଭାବରେ ପିଲାର ଭଲମନ୍ଦ ବୁଝେ, ମା’ ପ୍ରତି ପିଲାର ଏଇ ଭାବେ ଆପେ ଆପେ ଆସିଯାଏ। ସାଧାରଣତଃ ୩ ମାସ ବେଳରୁ (ଯେତେବେଳେ ସେ ମାଆକୁ ଚିହ୍ନିବାକୁ ଆରମ୍ଭ କରେ) ୮ ମାସ ଭିତରେ ମାଆ ପ୍ରତି ତା’ର ଅନୁରକ୍ତି ବଢ଼େ ଯେ ୮ମାସ ହେଲାବେଳକୁ ନୂଆ ଲୋକ ଦେଖିଲେ ପିଲା ମା’ ପାଖକୁ ଘୁଞ୍ଚିଆସି ଲାଗିକରି ବସେ, ଅଚିହ୍ନା ଲୋକ କିମ୍ବା ଦରଚିହ୍ନା ଲୋକ କୋଳକୁ ଦେଲେ ସେ କାନ୍ଦି ଘର କମ୍ପାଏ। ଯେଉଁ ଘରେ ବେଶି ଲୋକ ଯିବାଆସିବା କରୁଥାନ୍ତି ବା ଘର ବହୁକୁଟୁମ୍ବୀ ହୋଇଥାଏ, ସେ ଘରର ପିଲା ଏତେ ଅଚିହ୍ନା ବାରନ୍ତି ନାହିଁ। ଘରେ ଗୋଟିଏ ପିଲା ହୋଇ ରହିଥିଲେ ବା ମା’ ପାଖରେ ବେଶି ବେଳ ରହି ଅନ୍ୟ ପିଲାଙ୍କୁ ବେଶି ଦେଖୁ ନଥିଲେ ପିଲା ବେଶି ଅଚିହ୍ନା ବାରିବା ସ୍ଵାଭାବିକ।
ମା‘କୁ ଛାଡ଼ି ରହିବା
ସାନ ଥିଲାବେଳେ ପିଲାକୁ ଛାଡ଼ି ମାଆ ବୁଲିଗଲେ ପିଲା ମାଆକୁ ଖୋଜି କାନ୍ଦେ ନାହିଁ। ବଡ଼ ହେଲେ ମାଆକୁ ଚିହ୍ନିଲେ ଏଇ ସ୍ଵଭାବ ବଦଳିଯାଏ। ସାଧାରଣତଃ ଆଠମାସରୁ ତିନି ଚାରିବର୍ଷ ବୟସ ପର୍ଯ୍ୟନ୍ତ ମା’ ପିଲାକୁ ଅନ୍ୟ ଲୋକ ପାଖରେ ଛାଡ଼ି ଗଲେ ପିଲା ମାଆକୁ ଖୋଜନ୍ତି। ଅନ୍ୟ ଲୋକ ପାଖରେ ରହିବାର ଅଭ୍ୟାସ ନଥିଲେ ଅଝଟ ହୋଇ କାନ୍ଦନ୍ତି, ବେଶି ଦିନ ପାଇଁ ମାଆ କୁଆଡେ ଗଲେ ମନେ ମନେ ଖୋଜି ଝୁରି ହୁଅନ୍ତି, ଚିଡଚିଡ, ଖିନ୍ ଖିନ୍ ହୁଅନ୍ତି। ଖାଇବା ଶୋଇବାରେ ଠିକ୍ ଠିକଣା ହୋଇ ରୁହେ ନାହିଁ। ଆଙ୍ଗୁଠି ଚୁଚୁମି ଚୁପଚାପ୍ ହୋଇ ବସି ରହନ୍ତି, ଦୁଇ ତିନି ବର୍ଷର ବଡ଼ ପିଲା ହୋଇଥିଲେ, ହଠାତ୍ ତା’ଠାରୁ ସାନ ପିଲା ପରି ବ୍ୟବହାର କରିବାକୁ ଆରମ୍ଭ କରେ, ବିଛଣାରେ ମୂତେ, ଅନ୍ୟ ଲୋକକୁ ମାରେ ବା ରାମ୍ପୁଡେ, କଥା ବନ୍ଦ କରିଦିଏ, ଖାଇବାକୁ ଇଚ୍ଛା କରେନା, ରହି ରହି ତୁଚ୍ଛାଟାରେ କାନ୍ଦେ ଓ ଅବୁଝା ହୁଏ।
ନୂଆ ନୂଆ ପିଲାକୁ ଛାଡ଼ି ବଜାର ଗଲେ କି ସିନେମା ଗଲେ ପିଲା ଅବୁଝା ହୋଇ କାନ୍ଦନ୍ତି, ଯେତେ ମାଆକୁ ଛାଡ଼ି ରହିବାର ଅଭ୍ୟାସ ବଢ଼େ ସେତେ ପିଲା କମ୍ କମ୍ କାନ୍ଦେ। ସାଧାରଣତଃ, ଘର ଲୋକଙ୍କ ପାଖରେ ଛାଡ଼ିଗଲେ ପିଲା କମ୍ କାନ୍ଦନ୍ତି, ମାତ୍ର ଅଚିହ୍ନା ଲୋକ କି ଅବହେଳା କରୁଥିବା ଚାକରବାକର ପାଖରେ ଛାଡ଼ିଲେ ବେଶି କାନ୍ଦନ୍ତି, ଏହା ପିଲାର ଅସ୍ଵାଭାବିକ ବ୍ୟବହାର ନୁହେଁ, ସବୁ ପିଲାଙ୍କଠାରେ ଏପରି ବ୍ୟବହାର କମ୍ ବେଶି ଦେଖାଯାଇଥାଏ।
(ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଲେଖିକା। ଦୀର୍ଘ ବର୍ଷରୁ ସେ କାନାଡାର ଆଲବର୍ଟା ସହରରେ ରହୁଛନ୍ତି। ତାଙ୍କର ବିଭିନ୍ନ ଓଡ଼ିଆ ବହି ଭିତରେ ‘ଆଜିର ଶିଶୁ କାଲିର ମଣିଷ’ ଏକ ଲୋକପ୍ରିୟ କୃତି।)