![covid vaccine](https://www.swasthya.plus/wp-content/uploads/2021/04/covid-vaccine-1024x576.jpg)
ରାଜ୍ୟରେ ଏବେ ୧୮ ବର୍ଷରୁ କମ୍ ପିଲାଙ୍କଠାରେ କୋଭିଡ୍ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଥିଲା ବେଳେ ପିଲାଙ୍କୁ ଟିକା ଦେବାକୁ ସଜବାଜ ଆରମ୍ଭ ହେଲାଣି। ଏବେ କେବଳ କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ଅପେକ୍ଷା ରହିଛି। କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କଲେ ତୁରନ୍ତ ପିଲାଙ୍କୁ ଟିକା ଦେବାକୁ ବ୍ୟବସ୍ଥା କରାଯିବ ବୋଲି ଶନିବାର ଚିକିତ୍ସା ଓ ଶିକ୍ଷା ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ(ଡିଏମ୍ଇଟି)ର ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି।
ଶୁକ୍ରବାର ଜାଇଡସ୍ କାଡିଲାର ୩ ଡୋଜ୍ କରୋନା ଟିକା ‘ଜାଇକୋଭ-ଡି’କୁ ଦେଶରେ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଡ୍ରଗ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ (ଡିସିଜିଆଇ)ର ବିଶେଷଜ୍ଞ କମିଟି ଏହି ଟିକାକୁ ବ୍ୟବହାର ପାଇଁ ମଞ୍ଜୁରି ପ୍ରଦାନ କରିଛି। ଏହି ଟିକା ୧୨ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ।
‘‘ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ମଧ୍ୟରୁ ୧୨ ପ୍ରତିଶତ ଶିଶୁ ଚିହ୍ନଟ ହେଉଛନ୍ତି। କଟକ ଓ ଭୁବନେଶ୍ୱରରୁ ସର୍ବାଧିକ ଚିହ୍ନଟ ହେଉଛନ୍ତି। ଏହାର କାରଣ ହେଉଛି ଏଠାକାର ଲୋକ କଟକଣା ମାନୁନାହାନ୍ତି।’’, କହିଛନ୍ତି ଡାକ୍ତର ସିବିକେ ମହାନ୍ତି।
ସୌଜନ୍ୟ: ଓଡ଼ିଶାଲାଇଭ୍