ଏକ ବା ଏକାଧିକ ମାଂସପେଶୀ ଅଚାନକ ପରସ୍ପର ଉପରେ ଚଢ଼ିଗଲେ କ୍ରାମ୍ପସ୍ ହୋଇଥାଏ। କିଛି ସମୟ ପରେ ତାହା ଠିକ ହୋଇଯାଏ। ଏହାଦ୍ୱାରା ଶରୀରର କିଛି କ୍ଷତି ହୁଏନାହିଁ, କିନ୍ତୁ କିଛି ସମୟ ପାଇଁ ମାଂସପେଶୀ କାମ କରିପାରେନାହିଁ। ଏହାର ବିଭିନ୍ନ ପ୍ରକାର କାରଣ ରହିଛି।

ରକ୍ତ ପ୍ରବାହ ହୋଇ ନ ପାରିବା: ଆଣ୍ଠୁ ଏବଂ ହାତକୁ ପର୍ଯ୍ୟାପ୍ତ ପରିମାଣରେ ରକ୍ତ ପ୍ରବାହ ହୋଇ ନ ପାରିଲେ କ୍ରାମ୍ପସ୍ ହୋଇଥାଏ। ଏହାର ଦୁଇଟି କାରଣ ରହିଛି। ପ୍ରଥମଟି ହେଲା ଶରୀରରେ କୋଲେଷ୍ଟେରୋଲର ପରିମାଣ ଅଧିକ ହୋଇଥିଲେ ତାର କିଛି ଅଂଶ ରକ୍ତ ପ୍ରବାହୀ ନଳୀରେ ଜମା ହୋଇଯାଇଥାଏ । ଦ୍ୱିତୀୟଟି ହେଲା ଗର୍ଭାଶୟରେ ଟ୍ୟୁମର ହୋଇଥିଲେ ରକ୍ତପ୍ରବାହୀ ନଳୀ ଉପରେ ଚାପ ପଡ଼ିଥାଏ। ସେତେବେଳେ ହାତ ବା ଆଣ୍ଠୁ ଯାଏ ରକ୍ତ ପ୍ରବାହ ହୋଇପାରେନାହିଁ। ଏହା ସାଧାରଣ କ୍ରାମ୍ପସ ନୁହେଁ, ଏପରି ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଅଧିକ ବ୍ୟାୟାମ: ସମୟ ସମୟରେ ଅଧିକ ବ୍ୟାୟାମ କଲେ କିମ୍ବା ଶାରିରୀକ ପରିଶ୍ରମ କଲେ ଆଣ୍ଠୁକୁ ରକ୍ତ ଯୋଗାଣ କରୁଥିବା ରକ୍ତପ୍ରବାହୀ ନଳୀ ସଙ୍କୁଚିତ ହୋଇଯାଇଥାଏ। ଏହାଯୋଗୁ ରକ୍ତ ପ୍ରବାହରେ ବାଧା ସୃଷ୍ଟି ହୁଏ। ତେଣୁ କ୍ରାମ୍ପସ ହୋଇ ଯନ୍ତ୍ରଣା ହୋଇଥାଏ।

ଶରୀରରେ ପାଣିର ଅଭାବ: ଶରୀରରେ ପାଣିର ଅଭାବ ହେଲେ ସନ୍ତୁଳନ ବିଗିଡ଼ିଯାଏ । ଏହାଯୋଗୁ ମସ୍ତିଷ୍କରୁ ଆସୁଥିବା ସଙ୍କେତ ଠିକ ଭାବେ ମାଂସପେଶୀରେ ପହଞ୍ଚିପାରେନାହିଁ। ତେଣୁ କ୍ରାମ୍ପସ ହୋଇଥାଏ।

ଶିରା ଦବିଯିବା: ଆମର ମସ୍ତିଷ୍କ ଦେଇ ତଳଆଡ଼କୁ ମେରୁଦଣ୍ଡ ମାଧ୍ୟମରେ ଅନେକଗୁଡ଼ିଏ ଶିରା ଯାଇଛି। ଏହି ଶିରା ମଧ୍ୟରୁ କିଛି କୌଣସି କାରଣରୁ ଦବିଗଲେ ମଧ୍ୟ ଆଣ୍ଠୁର ମାଂସପେଶୀରେ କ୍ରାମ୍ପସ ଭଳି ଦରଜ ଅନୁଭବ ହୋଇଥାଏ। ଅଧିକ ଚାଲିଲେ ଦରଜ ବଢ଼ିଥାଏ। ତେଣୁ ଧୀରେ ଧୀରେ ଚାଲନ୍ତୁ। ଏହାଛଡ଼ା ଅନେକ ସମୟ ଧରି ଠିଆ ହୋଇ ରହିଲେ ମଧ୍ୟ ମାଂସପେଶୀରେ କ୍ରାମ୍ପସ ଆସିଯାଏ।

ମିନେରାଲସ ଅଭାବ: ଶରୀରରେ ପୋଟାସିୟମ, ମ୍ୟାଗ୍ନେସିୟମ, କ୍ୟାଲସିୟମ କିମ୍ବା ସୋଡ଼ିୟମ ଭଳି ମିନେରାଲ୍ସର ଅଭାବ ଯୋଗୁ ମଧ୍ୟ ମାଂସପେଶୀ ଉପରେ ଚାପ ପଡ଼ିଥାଏ। ତେଣୁ ପ୍ରତିଦିନ ଆବଶ୍ୟକତା ଅନୁସାରେ ୧୦୦୦ ମିଲିଗ୍ରାମ କ୍ୟାଲସିୟମ, ୪.୭ ଗ୍ରାମ ପୋଟାସିୟମ ଗ୍ରହଣ କରିବା ଆବଶ୍ୟକ। ସେହିପରି ପୁରୁଷମାନେ ୪୦୦-୪୨୦ ମ୍ୟାଗ୍ନେସିୟମ ଗ୍ରହଣ କରିବାର ଆବଶ୍ୟକତା ଥିାବବେଳେ ମହିଳାଙ୍କ ପାଇଁ ଏହା ୩୧୦-୩୨୦ ମିଲିଗ୍ରାମ ନେବା ଜରୁରୀ। ଉଚ୍ଚ ରକ୍ତଚାପ ପାଇଁ ଖାଉଥିବା ଔଷଧ ମଧ୍ୟ ଏହି ସବୁ ମିନେରାଲସକୁ ଶୋଷି ନେଇଥାଏ। ତେଣୁ ଏଭଳି ଔଷଧ ଖାଉଥିଲେ କ୍ୟାଲସିୟମ ଏବଂ ପୋଟାସିୟମରେ ଭରପୁର ଖାଦ୍ୟ ଖାଆନ୍ତୁ।

କ’ଣ କରିବେ?

  • କ୍ରାମ୍ପସ୍‌ ନ ହେବା ଲାଗି ଶରୀରର ମସାଜ କରାନ୍ତୁ। ଏହାଦ୍ୱାରା ରକ୍ତ ସଞ୍ଚାଳନ ଭଲ ହେବା ସହିତ ମାଂସପେଶୀ ରିଲାକ୍ସ ହେବ।
  • ପାଦରେ କ୍ରାମ୍ପସ ଆସିଲେ ନଖ ଉଷୁମ ପାଣିରେ ତାକୁ ବୁଡ଼ାଇ ରଖି ମସାଜ କରନ୍ତୁ।
  • ପ୍ରତିଦିନ ରାତିରେ ପାଦର ଷ୍ଟ୍ରେଚିଙ୍ଗ କରନ୍ତୁ। ରାତିରେ କ୍ରାମ୍ପସ ଆସୁଥିଲେ ଶୋଇବା ପୂର୍ବରୁ ହାଲକା ବ୍ୟାୟାମ କରନ୍ତୁ।
  • ଯନ୍ତ୍ରଣା ହେଉଥିବା ସ୍ଥାନରେ ତୁଳସୀ ରସ କିମ୍ବା ଅଦାରସକୁ ସୋରିଷ ତେଲରେ ମିଶାଇ ଘଷନ୍ତୁ।