ମେନୋପଜ୍ କ’ଣ? କେଉଁ ବୟସରେ ମହିଳାମାନଙ୍କର ପିରିୟଡ୍ସ ବନ୍ଦ ହୋଇଥାଏ? ପିରିୟଡ୍ସ ବନ୍ଦ ହେବା ପରେ କ’ଣ କ’ଣ ସ୍ୱାସ୍ଥ୍ୟ ଜଟିଳତା ଦେଖାଦିଏ? ଏନେଇ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣି କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
- ମେନୋପଜ୍ର କାରଣ କ’ଣ?
- ମେନୋପଜ୍ର ଲକ୍ଷଣ କ’ଣ?
- ମେନୋପଜ୍ ପରେ ସ୍ୱାସ୍ଥ୍ୟ ସମସ୍ୟା
- ମେନୋପଜ୍ ପରେ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଚିକିତ୍ସା
- ମେନୋପଜ୍ ପରେ ସ୍ୱାସ୍ଥ୍ୟର ଯତ୍ନ
ମେନୋପଜ୍ର ଅର୍ଥ ହେଉଛି ମାସିକ ଋତୁସ୍ରାବ ବନ୍ଦ ହେବା। ଭାରତୀୟ ମହିଳାଙ୍କଠାରେ ୪୮ ପାଖାପାଖି ବୟସରେ ଋତୁସ୍ରାବ ବନ୍ଦ ହୋଇଥିବା ବେଳେ ପାଶ୍ଚାତ ଦେଶଗୁଡ଼ିକରେ ୫୧ କିମ୍ବା ୫୨ ବର୍ଷ ବୟସରେ ମେନୋପଜ୍ ହୋଇଥାଏ।
ମେନୋପଜ୍ର କାରଣ କ’ଣ? (Cause of Menopause in Odia)
ଇଷ୍ଟ୍ରୋଜେନ୍ ଓ ପ୍ରୋଜେଷ୍ଟେରୋନ୍ ନାମକ ହରମୋନ୍ ଯୋଗୁଁ ଋତୁସ୍ରାବ ହୋଇଥାଏ। ଯେତେବେଳେ ଏହି ହରମୋନ୍ କ୍ଷରଣ ହେବା ବନ୍ଦ ହୋଇଯାଏ, ସେତେବେଳେ ମେନୋପଜ୍ ହୋଇଥାଏ।
ଏହାଛଡ଼ା ଯେଉଁମାନଙ୍କର ଗର୍ଭାଶୟ ଅପରେସନ୍ ହୋଇଥାଏ, ସେମାନଙ୍କର ମଧ୍ୟ ଋତୁସ୍ରାବ ବନ୍ଦ ହୋଇଥାଏ, ଯାହାକୁ ସର୍ଜିକାଲ ମେନୋପଜ୍ ବୋଲି କୁହାଯାଏ।
ଏହାସହ ଦୁଇଟା ଯାକ ଓଭାରି କଢ଼ା ହୋଇଯିବା ପରେ ଶରୀରରେ ଇଷ୍ଟ୍ରୋଜେନ୍ ହରମୋନ୍ କ୍ଷରଣ ହେବା ବନ୍ଦ ହୋଇଯାଇଥାଏ, ଫଳରେ ହଠାତ୍ ମେନୋପଜ୍ ହୋଇଥାଏ।
ଯେଉଁମାନେ କେମୋଥେରାପି କିମ୍ବା ରେଡିଏସନ୍ ଥେରାପି ନେଇଥାଆନ୍ତି କିମ୍ବା ଓଭାରି ପାଖାପାଖି ରେଡିଏସନ୍ ଥେରାପି ନେଇଥାଆନ୍ତି, ତେବେ ଏହା ପ୍ରିମାଚ୍ୟୁର ମେନୋପଜ୍ କରାଇଥାଏ।
ସାଧାରଣତଃ ୪୦ ବର୍ଷ ପୂର୍ବରୁ ଯେଉଁ ମେନୋପଜ୍ ହୋଇଥାଏ, ତାକୁ ପ୍ରିମାଚ୍ୟୁର ମେନୋପଜ୍ର ବୋଲି କୁହାଯାଏ। ଏହା ବଂଶଗତ କାରଣରୁ ହୋଇପାରେ।
ମେନୋପଜ୍ର ଲକ୍ଷଣ କ’ଣ? (Symptoms of Menopause in Odia)
କେତେକ ମହିଳାଙ୍କର ହଠାତ୍ ଋତୁସ୍ରାବ ବନ୍ଦ ହୋଇଥିବା ବେଳେ କେତେକ ମହିଳାଙ୍କର ଧିୀରେ ଧୀରେ ପିରିୟଡ୍ସ ବନ୍ଦ ହୋଇଥାଏ। ମେନୋପଜ୍ ହେବା ପୂର୍ବରୁ ଋତୁସ୍ରାବ ଅନିୟମିତତା ଦେଖାଦେବା, ଅତ୍ୟଧିକ ରକ୍ତସ୍ରାବ ହେବା, ଅତ୍ୟଧିକ ଝାଳ ବାହାରିବା, ଯୋନି ଶୁଷ୍କ ହୋଇଯିବା, ପରିସ୍ରାକୁ ନ ରୋକିପାରିବା, କାଶିବା ତଥା ଛିଙ୍କିବା ସମୟରେ ପରିସ୍ରା ହୋଇଯିବା, ମେଟାବଲିଜିମ୍ କମିଯିବା ଯୋଗୁଁ ଓଜନ ବୃଦ୍ଧି ହେବା ବା ମୋଟାପଣ ଭଳି ଲକ୍ଷଣ ଦେଖାଦିଏ। ଏହାଛଡ଼ା ମେନୋପଜ୍ ହେବା ପୂର୍ବରୁ ନିଦ୍ରାହୀନତା ଏବଂ ମୁଡ୍ ସୁଇଙ୍ଗ ହେବା ଭଳି ଲକ୍ଷଣ ଦେଖାଦିଏ।
ମେନୋପଜ୍ ପରେ ସ୍ୱାସ୍ଥ୍ୟ ସମସ୍ୟା (Health problems after Menopause in Odia)
ମେନୋପଜ୍ ପରେ କାର୍ଡିଓ ଭାସ୍କୁଲାର, ଅଷ୍ଟିଓପୋରସିସ୍, ନିଦ୍ରାହୀନତା, ମୁଡ୍ରେ ପରିବର୍ତ୍ତନ ଭଳି ସମସ୍ୟା ହୋଇଥାଏ।
ମେନୋପଜ୍ ପରେ ସର୍ଭାଇକାଲ କ୍ୟାନ୍ସର, ଗର୍ଭାଶୟ କର୍କଟ ଏବଂ ଓଭାରି କ୍ୟାନ୍ସର ହେବାର ଆଶଙ୍କା ବଢ଼ିଯାଇଥାଏ। ତେଣୁ ମେନୋପଜ୍ ସମୟରେ ପ୍ରତ୍ୟେକ ମହିଳା ନିୟମିତ ବ୍ୟବଧାନରେ ସ୍କ୍ରିନିଂ ଟେଷ୍ଟ, ରକ୍ତଚାପ, ଲିପିଡ୍ ପ୍ରୋଫାଇଲ, ବୋନ୍ ଡେନ୍ସିଟି ପରୀକ୍ଷା କରାଇ ନେବା ଆବଶ୍ୟକ।
ମେନୋପଜ୍ ପରେ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଚିକିତ୍ସା (Treatment after Menopause in Odia)
ପ୍ରାୟ ୮୦ ପ୍ରତିଶତ ମହିଳାଙ୍କଠାରେ ମେନୋପଜ୍ର କୌଣସି ଲକ୍ଷଣ ଦେଖାଦେଇ ନଥାଏ। ତେଣୁ ସେମାନେ ଡାକ୍ତରଙ୍କ ପାଖକୁ ଯାଇ ନଥାନ୍ତି। ଯେଉଁମାନଙ୍କଠାରେ ଲକ୍ଷଣ ଯେପରିକି ଅତ୍ୟଧିକ ଝାଳ ବାହାରିବା, ଯୋନି ଶୁଷ୍କ ହୋଇଯିବା ଭଳି ଲକ୍ଷଣ ନେଇ ଡାକ୍ତରଙ୍କ ପାଖକୁ ଯାଇଥା’ନ୍ତି। ଏଭଳି କ୍ଷେତ୍ରରେ ଇଷ୍ଟ୍ରୋଜେନ୍ ଥେରାପି, ଯୋନିରୁ ଶୁଷ୍କତା ହଟାଇବା ପାଇଁ ଜେଲ୍ ଦିଆଯାଇଥାଏ। ଏହାଛଡ଼ା ଜୀବନଶୈଳୀରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି।
ତେଣୁ ମେନୋପଜ୍ର ଲକ୍ଷଣ ଥାଉ କି ନ ଥାଉ ବର୍ଷକୁ ଥରେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ଓ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଅଲଟ୍ରାସାଉଣ୍ଡ ଓ ପାପ୍ସ୍ମିୟର୍ ପରୀକ୍ଷା କରାଇ ନିଅନ୍ତୁ। ଏହାଦ୍ୱାରା ସର୍ଭାଇକାଲ, ଓଭାରି ଓ ଗର୍ଭାଶୟ କର୍କଟକୁ ପ୍ରାଥମିକ ଅବସ୍ଥାରେ ଜଣାପଡ଼ିଥାଏ।
ମେନୋପଜ୍ ପରେ ସ୍ୱାସ୍ଥ୍ୟର ଯତ୍ନ (Health care after Menopause in Odia)
ମେନୋପଜ୍ ପରେ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ସହ ନିୟମିତ ବ୍ୟବଧାନରେ ସ୍କ୍ରିନିଂ ଟେଷ୍ଟ କରିବା ଆବଶ୍ୟକ। କେତେକ କ୍ଷେତ୍ରରେ ମେନୋପଜ୍ ପରେ ବି ମହିଳାଙ୍କର ରକ୍ତସ୍ରାବ ହେବାର ଦେଖାଦେଇଛି। ଏଭଳି କ୍ଷେତ୍ରରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଜୟ ପ୍ରକାଶ ପାଣିଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Menopause, in Odia language, is based on an extensive interview with Gynaecologist Dr Jay Prakash Pani.