ଏବେ ଶିଶୁମାନଙ୍କ ନିୟମିତ ଟିକାକରଣରେ ସାମିଲ ହେବାକୁ ଯାଉଛି ନିମୋକୋକାଲ କଞ୍ଜୁଗେଟ୍ ଟିକା (ପିସିଭି)। ଜୁନ୍ ୩୦ରେ ଭର୍ଚୁଆଲ ମୋଡ୍ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହି ଟିକାର ଶୁଭାରମ୍ଭ କରିବେ। ଏନେଇ ମଙ୍ଗଳବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଭର୍ଚୁଆଲ ମିଟ୍ କରାଯାଇଥିଲା।
ଏହି ଟିକା ମୁଖ୍ୟତଃ ଶିଶୁମାନଙ୍କୁ ଦିଆଯାଇଥାଏ। ନିମୋନିଆଠାରୁ ଆରମ୍ଭ କରି ମେନିନଜାଇଟିସ ଓ ସେପ୍ଟିସେମିଆ ପର୍ଯ୍ୟନ୍ତ ସମସ୍ତ ପ୍ରକାର ରୋଗର ପ୍ରତିରୋଧକ ଭାବେ ଏହା କାମ କରିବ।
ସାର୍ବଜନୀନ ଟିକା କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ପ୍ରାୟ ୮ଲକ୍ଷ ଶିଶୁଙ୍କୁ ପିସିଭି ଟିକା ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଫଳରେ ନିମୋନିଆ, ମେନିଞ୍ଜିଟିସ୍ ଏବଂ ବ୍ୟାକ୍ଟେରିୟମ୍ ଦ୍ୱାରା ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ।
ଏହି ଟିକା ଶିଶୁମାନଙ୍କୁ ନିମୋକୋକାଲ, ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରୁ ସୁରକ୍ଷା ଦେଇଥାଏ। ନିମୋକୋକାଲ ଭୂତାଣୁ ଶିଶୁଙ୍କ ରକ୍ତ, ଫୁସ୍ଫୁସ୍ ଏବଂ ମସ୍ତିଷ୍କକୁ ସଂକ୍ରମଣ କରିଥାଏ। ଏହି ଟିକା ସମସ୍ତ ସ୍ଵାସ୍ଥ୍ୟକେନ୍ଦ୍ର ତଥା ଅଙ୍ଗନବାଡ଼ି କେନ୍ଦ୍ରରେ ସମ୍ପୂର୍ଣ୍ଣ ମାଗଣାରେ ଦିଆଯିବ। ପିସିଭିର ପ୍ରଥମ ଡୋଜ୍ ଦେଢ଼ ମାସରେ, ଦ୍ୱିତୀୟ ଡୋଜ୍ ସାଢ଼େ ୩ ମାସରେ ଓ ଶେଷ ବା ବୁଷ୍ଟର ଡୋଜ୍ ୯ମାସରେ ଦିଆଯିବ।
ନିମୋନିଆ ୫ ବର୍ଷରୁ କମ୍ ଏବଂ ବିଶେଷକରି ୨ ବର୍ଷରୁ କମ୍ ବୟସର ପିଲାଙ୍କର ମୃତ୍ୟୁର କାରଣମାନଙ୍କ ମଧ୍ୟରୁ ପ୍ରମୁଖ କାରଣ।