ଖରାଦିନେ କିପରି ନେବେ ତ୍ୱଚାର ଯତ୍ନ? ମାସ୍କ ଓ ସାନିଟାଇଜର ବ୍ୟବହାର ଯୋଗୁଁ ହେଉଥିବା ସମସ୍ୟାରୁ କିପରି ପାଇବେ ମୁକ୍ତି? ଏନେଇ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟାର୍ଥ ପ୍ରକାଶ କ’ଣ କହୁଛନ୍ତି, ଜାଣନ୍ତୁ।
- ଖରାଦିନେ ତ୍ୱଚା ସମସ୍ୟାର ଚିକିତ୍ସା
- ତ୍ୱଚାର କିପରି ନେବେ ଯତ୍ନ?
- ମାସ୍କ ଓ ସାନିଟାଇଜର ବ୍ୟବହାର ଯୋଗୁଁ ହେଉଥିବା ସମସ୍ୟା
- କୋଭିଡ୍ରୁ ସୁସ୍ଥ ହେବା ପରେ ତ୍ୱଚାର ଯତ୍ନ
- ସୁସ୍ଥ ତ୍ୱଚା ପାଇଁ ଜୀବନଶୈଳୀ ଓ ଡାଏଟ୍
ଖରାଦିନେ ଅତ୍ୟଧିକ ତାପମାତ୍ରା ଓ ଗୁଳୁଗୁଳି ଯୋଗୁଁ ସନ୍ବର୍ଣ୍ଣ, ସନ୍ଟ୍ୟାନ୍, ଘିମିରି, ଚର୍ମରେ ନାଲି ନାଲି ଫଳିଯିବା, ବ୍ରଣ ହେବା, ତ୍ୱଚା କୁଣ୍ଡାଇ ହୋଇ ଯାଦୁ କିମ୍ବା ସନ୍ ଆଲର୍ଜି, ମେଲାଜ୍ମା ଭଳି ସମସ୍ୟା ହେବାର ଆଶଙ୍କା ଥାଏ।
ଅଧିକ ପଢ଼ନ୍ତୁ: ଆଖି ତଳ କଳା ଦାଗ ପଡ଼ୁଛି କି?
ଖରାଦିନେ ତ୍ୱଚା ସମସ୍ୟାର ଚିକିତ୍ସା (Treatment of summer skin problems in Odia)
ବ୍ରଣ ହେଉଥିଲେ ତେଲ ନିୟନ୍ତ୍ରଣକାରୀ ଫେସ୍ଓ୍ୱାସ୍ ତଥା ସାଲିସାଇକ୍ଲିକ୍ ଯୁକ୍ତ ଫେସ୍ଓ୍ୱାସ୍ ବ୍ୟବହାର କରିପାରିବେ। ତେଲ ନିୟନ୍ତ୍ରଣକାରୀ ବା ନନ୍ କମୋଡୋଜେନିକ୍ ମଇଶ୍ଚରାଇଜର ବ୍ୟବହାର କରିବା ଦରକାର।
ତ୍ୱଚାରେ ବ୍ରଣ ହୋଇଥିଲେ ବାରମ୍ବାର ହାତ ମାରିବା କଥା ନୁହେଁ। ଯଦି ମୁହଁ ପୋଛିବା ପାଇଁ ତଉଲିଆ ବ୍ୟବହାର କରୁଛନ୍ତି, ତେବେ ମୁହଁକୁ ଥାପି ଥାପି ପୋଛନ୍ତୁ। ତଉଲିଆରେ ମୁହଁକୁ ଘଷନ୍ତୁ ନାହିଁ, ଏହାଦ୍ୱାରା ମହଁରେ ସଂକ୍ରମଣ ବଢ଼ିପାରେ।
ମୁହଁରେ ମେଲାଜ୍ମା ବା ଦାଗ ହୋଇଥିଲେ, ଭଲ ସନ୍ସ୍କ୍ରିନ୍ ବ୍ୟବହାର କରନ୍ତୁ। ଖରାକୁ ବାହାରୁଥିବା ବେଳେ ଏସ୍ପିଏଫ୍-୩୦ ଯୁକ୍ତ ସନ୍ସ୍କ୍ରିନ୍ ଲଗାଇ ବାହାରକୁ ଯାଆନ୍ତୁ।
ଖରାଦିନେ ଘିମିରି ସମସ୍ୟା ଦେଖାଦିଏ। ତେଣୁ ଖାସ୍କରି ଖରାଦିନେ ଢିଲା ପୋଷାକ ପିନ୍ଧିବା ଦରକାର। ବଜାରରେ ଘିମିରି ପାଇଁ ପାଉଡର ଉପଲବ୍ଧ ରହିଛି, ତାହା ଲଗାଇବା ଦ୍ୱାରା ଝାଳ ବେଶି ବାହାରିନଥାଏ। ଏହାଛଡ଼ା ଏଲୋଭେରା ଯୁକ୍ତ କ୍ରିମ୍ କିମ୍ବା କାଲାମାଇନ୍ ଲୋସନ୍ ଲଗାଇବା ଦ୍ଵାରା ଚର୍ମ ଥଣ୍ଡା ରହେ ଓ ଘିମିରି ହୋଇନଥାଏ।
ତ୍ୱଚାର କିପରି ନେବେ ଯତ୍ନ? (How to take care of your skin in Odia)
ସାଧାରଣତଃ ଖରାଦିନେ ଗରମ ପାଣିରେ ଗାଧାନ୍ତୁ ନାହିଁ କିମ୍ବା ମୁହଁ ଧୁଅନ୍ତୁ ନାହିଁ। ତେଲିଆ ତ୍ୱଚା ହୋଇଥିଲେ ସାଲିସାଇକ୍ଲିକ୍ ଯୁକ୍ତ ଫେସ୍ଓ୍ୱାସ୍ ବ୍ୟବହାର କରନ୍ତୁ। ଏହାପରେ ଟୋନର ଏବଂ ମଇଶ୍ଚରାଇଜର ବ୍ୟବହାର କରନ୍ତୁ। ଖାସ୍କରି ଖରାଦିନେ ତେଲନିୟନ୍ତ୍ରଣକାରୀ ମଇଶ୍ଚରାଇଜର ବ୍ୟବହାର କରିବା ଭଲ। ବାହାରକୁ ଯିବା ବେଳେ ସନ୍ସ୍କ୍ରିନ୍ ନିଶ୍ଚୟ ବ୍ୟବହାର କରନ୍ତୁ।
ସୁସ୍ଥ ତ୍ୱଚା ପାଇଁ ଖାଦ୍ୟ ଓ ପାନୀୟର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଖରାଦିନେ ଜଳୀୟଅଂଶର ଅଭାବକୁ ଏଡ଼ାଇବା ପାଇଁ ପ୍ରଚୁର ପରିମାଣରେ ପାଣି ପିଇବା ଦରକାର। ଏହାଛଡ଼ା ପଇଡ଼ ପାଣି, ତରଭୁଜ, କମଳା ରସ ଆଦି ପିଇବା ଦରକାର। ଏହାଦ୍ୱାରା ତ୍ୱଚା ସୁସ୍ଥ ରହିଥାଏ।
ଅଧିକ ପଢ଼ନ୍ତୁ: ତ୍ୱଚାକୁ ନେଇ କରନ୍ତୁ ନାହିଁ ଏହି ଭୁଲ
ମାସ୍କ ଓ ସାନିଟାଇଜର ବ୍ୟବହାର ଯୋଗୁଁ ହେଉଥିବା ସମସ୍ୟା (Skin problems caused by masks & sanitizers in Odia)
କୋଭିଡ୍ ଯୋଗୁଁ ବର୍ତ୍ତମାନ ସମସ୍ତେ ମାସ୍କ ପିନ୍ଧୁଛନ୍ତି। ଅଧିକାଂଶ ସମୟ ମାସ୍କ ପିନ୍ଧିବା ଫଳରେ ମୁହଁରେ ବ୍ରଣ ହେବା, ଲାଲ ପଡ଼ିବା ଭଳି ସମସ୍ୟା ଦେଖାଦେଉଛି। ତେଣୁ ସବୁବେଳେ କଟନ୍ ମାସ୍କ ବ୍ୟବହାର କରନ୍ତୁ, ମାସ୍କ ପିନ୍ଧିବା ପୂର୍ବରୁ ପିଏଚ୍ ବାଲାନ୍ସ ଫେସ୍ଓ୍ୱାସ୍ରେ ମୁହଁ ସଫା କରି ମଇଶ୍ଚରାଇଜର ବ୍ୟବହାର କରିବା ଦରକାର। ଯେଉଁମାନଙ୍କର ମାସ୍କ ପିନ୍ଧିବା ଯୋଗୁଁ ବ୍ରଣ ବାହାରୁଛି, ସେମାନେ ନନ୍ କମୋଡୋଜେନିକ୍ ମଇଶ୍ଚରାଇଜର ଲଗାଇ ମାସ୍କ ପିନ୍ଧିବା ଆବଶ୍ୟକ।
ଏହାଛଡ଼ା ବାରମ୍ବାର ସାନିଟାଇଜର ହାତରେ ଲଗାଇବା ଯୋଗୁଁ ହାତ ଶୁଷ୍କ ହେବା ସହ ହାତରୁ ଚୋପା ଛାଡ଼େ। ତେଣୁ ଇଥାନଲ କିମ୍ବା ଆଲୋଭେରା ଯୁକ୍ତ ସାନିଟାଇଜର ବ୍ୟବହାର କରନ୍ତୁ। ଏହାସହ ସାନିଟାଇଜର ଲଗାଇବା ପରେ ହାତରେ ହ୍ୟାଣ୍ଡ କ୍ରିମ୍ ଲଗାଇବାକୁ ଭୁଲନ୍ତୁ ନାହିଁ।
କୋଭିଡ୍ରୁ ସୁସ୍ଥ ହେବା ପରେ ତ୍ୱଚାର ଯତ୍ନ (Skincare after recovering from COVID in Odia)
କୋଭିଡ୍ ଯୋଗୁଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ସହ ଶରୀରରେ ହରମୋନାଲ ଅସନ୍ତୁଳନ ହୋଇଥାଏ। ତେଣୁ କୋଭିଡ୍ରୁ ସୁସ୍ଥ ହେବା ପରେ ତ୍ୱଚା ମଳିନ ପଡ଼ିଯାଇଥାଏ। ଏଥିପାଇଁ ଡାଏଟ୍ରେ ପ୍ରଚୁର ପରିମାଣର ଫଳ, ସବୁଜ ପନିପରିବା, ଭିଟାମିନ୍ ସପ୍ଲିମେଣ୍ଟ ଯେପରିକି ଓମେଗା-୩ ଫ୍ୟାଟି ଏସିଡ୍, ଭିଟାମିନ୍ ସି, ମଲ୍ଟି ଭିଟାମିନ୍ ଔଷଧ ଖାଇବା ସହ ପ୍ରଚୁର ପରିମାଣର ପାଣି ପିଇବା ଆବଶ୍ୟକ। ଏହାସହ ତ୍ୱଚା ପାଇଁ ଭଲ ମଇଶ୍ଚରାଇଜର ବ୍ୟବହାର କରିବା ଆବଶ୍ୟକ।
ସୁସ୍ଥ ତ୍ୱଚା ପାଇଁ ଜୀବନଶୈଳୀ ଓ ଡାଏଟ୍ (Lifestyle and diet for healthy skin in Odia)
ସୁସ୍ଥ ତ୍ୱଚା ପାଇଁ ସୁସ୍ଥ ଲାଇଫ୍ଷ୍ଟାଇଲ ଦରକାର ହୋଇଥାଏ। ଏଥିପାଇଁ ସ୍ୱାସ୍ଥ୍ୟକର ଡାଏଟ୍ ନେବା ଦରକାର, ବ୍ୟାୟାମ କରିବା ଦରକାର, ଖରାକୁ ଗଲେ ସନ୍ସ୍କ୍ରିନ୍ ବ୍ୟବହାର କରିବା ଦରକାର, ତେଲ ମସଲାଯୁକ୍ତ ଖାଦ୍ୟ ନ ଖାଇଲେ ଭଲ, ପ୍ରଚୁର ପରିମାଣର ପାଣି କିମ୍ବା ଫଳ ରସ ପିଇବା ଦ୍ୱାରା ତ୍ୱଚା ସୁସ୍ଥ ଓ ଉଜ୍ୱଳ ରହିଥାଏ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସତ୍ୟାର୍ଥ ପ୍ରକାଶଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Summer Skincare Tips, in Odia language, is based on an extensive interview with a Cosmetologist Dr Satyartha Prakash.