ମୁଣ୍ଡ ବିନ୍ଧା କାହିଁକି ଚିନ୍ତାର ବିଷୟ। ଏଥିରୁ କିପରି ପାଇବେ ମୁକ୍ତି? ଏନେଇ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟପ୍ରକାଶ ଶିବନାରାୟଣ ଚୌଧୁରୀ କ’ଣ କହୁଛନ୍ତି, ଜାଣନ୍ତୁ।
- ମୁଣ୍ଡ ବିନ୍ଧାର ପ୍ରକାର
- ମୁଣ୍ଡବିନ୍ଧାର କାରଣ କ’ଣ?
- ମାଇଗ୍ରେନ୍ର ଲକ୍ଷଣ
- ମାଇଗ୍ରେନ୍କୁ ଚିହ୍ନିବେ କେମିତି?
- ମୁଣ୍ଡବିନ୍ଧାର ଚିକିତ୍ସା
ଆଜିକାଲି ମୁଣ୍ଡ ବିନ୍ଧିବା ଏକ ସାଧାରଣ ସମସ୍ୟା। ପ୍ରାୟତଃ ୬୦ରୁ ୭୦ ପ୍ରତିଶତ ଲୋକଙ୍କୁ ତାଙ୍କ ଜୀବନକାଳ ମଧ୍ୟରେ କେବେ ନା କେବେ ମୁଣ୍ଡବିନ୍ଧା ଅନୁଭବ କରିଥିବେ। ମାନସିକ ଚାପ, ମାଇଗ୍ରେନ୍, ନିଦ୍ରାହୀନତା, ଖାଦ୍ୟପେୟରେ ଅନିୟମିତତା ଭଳି ବିଭିନ୍ନ କାରଣ ଯୋଗୁଁ ମୁଣ୍ଡ ବିନ୍ଧା ହୋଇଥାଏ। ସାଧାରଣତଃ ପୁରୁଷମାନଙ୍କ ଅପେକ୍ଷା ମହିଳାଙ୍କଠାରେ ମୁଣ୍ଡ ବିନ୍ଧିବା ସମସ୍ୟା ଅଧିକ ଦେଖାଦିଏ।
ମୁଣ୍ଡ ବିନ୍ଧାର ପ୍ରକାର (Types of Headache in Odia)
ମୁଣ୍ଡ ବିନ୍ଧା ଦୁଇ ପ୍ରକାରର। ପ୍ରାଇମେରି ମୁଣ୍ଡ ବିନ୍ଧା, ସେକେଣ୍ଡାରି ମୁଣ୍ଡ ବିନ୍ଧା।
ସେକେଣ୍ଡାରି ମୁଣ୍ଡ ବିନ୍ଧା – ମସ୍ତିଷ୍କ ଭିତରେ କୌଣସି ପ୍ରକାର ସମସ୍ୟା ଥିଲେ ଯେପରିକି ମସ୍ତିଷ୍କରେ ଟ୍ୟୁମର ହୋଇଥିଲେ, ବ୍ରେନ୍ ଷ୍ଟ୍ରୋକ୍ ହେଲେ, ମସ୍ତିଷ୍କରେ ସଂକ୍ରମଣ ହୋଇଥିଲେ ତାକୁ ସେକେଣ୍ଡାରି ମୁଣ୍ଡ ବିନ୍ଧା କହିଥାଉ।
ପ୍ରାଇମେରି ମୁଣ୍ଡ ବିନ୍ଧା – ଯେତେବେଳେ ମୁଣ୍ଡ ଭିତରେ କିଛି ଅସୁବିଧା ନଥାଏ କିମ୍ବା ସିଟି ସ୍କାନ କଲା ପରେ କୌଣସି ସମସ୍ୟା ପାଇନଥାଉ, କିନ୍ତୁ ମସ୍ତିଷ୍କର ସ୍ନାୟୁରେ ଅସନ୍ତୁଳନ ଯୋଗୁଁ ମୁଣ୍ଡ ବିନ୍ଧା ହୋଇଥାଏ, ତାକୁ ପ୍ରାଇମେରି ମୁଣ୍ଡ ବିନ୍ଧା କୁହାଯାଏ।
ସାଧାରଣତଃ ବିଭିନ୍ନ ପ୍ରକାରର ପ୍ରାଇମେରି ମୁଣ୍ଡ ବିନ୍ଧା ଥାଏ। ଯଥା: ୧- ମାଇଗ୍ରେନ୍, ୨- ଟେନ୍ସନ୍ ମୁଣ୍ଡ ବିନ୍ଧା, ୩- ଟ୍ରାଇଜେମିନାଲ ମୁଣ୍ଡ ବିନ୍ଧା 4- ପ୍ରାଇମେରି ହିପ୍ନିକ୍ ଇତ୍ୟାଦି।
ଆମ ସମାଜରେ ମାଇଗ୍ରେନ, ଟେନ୍ସନ୍ ମୁଣ୍ଡବିନ୍ଧା, ଟ୍ରାଇଜେମିନାଲ ମୁଣ୍ଡବିନ୍ଧା ଅଧିକ ଦେଖାଦିଏ।
![headache](https://www.swasthya.plus/wp-content/uploads/2021/03/headache-1024x578.jpg)
ଅଧିକ ପଢ଼ନ୍ତୁ: ବାରମ୍ବାର ମୁଣ୍ଡ ବିନ୍ଧା ହେଉଛି କି?
ମୁଣ୍ଡବିନ୍ଧାର କାରଣ କ’ଣ? (Cause of headache in Odia)
ଜେନେଟିକ୍ ଏବଂ ପରିବେଶ କାରକ ଯୋଗୁଁ ମୁଣ୍ଡ ବିନ୍ଧା ହୋଇପାରେ। ମୁଖ୍ୟତଃ ଷ୍ଟ୍ରେସ୍, ରାତି ଅନିଦ୍ରା, ଖାଦ୍ୟଶୈଳୀ ଯୋଗୁଁ ମୁଣ୍ଡ ବିନ୍ଧା ହୋଇପାରେ। ଜଙ୍କ୍ଫୁଡ୍, ମସଲା ଖାଦ୍ୟ, ଅତ୍ୟଧିକ ଚା’, କଫି, ଆଇସ୍କ୍ରିମ୍, ଆମ୍ବିଳା ଖାଦ୍ୟ, ବାସି ଖାଦ୍ୟ ଖାଇବା ଯୋଗୁଁ ଏହା ମାଇଗ୍ରେନ୍କୁ ବଢ଼େଇ ଦେଇଥାଏ। ଏହାଛଡ଼ା ଅତ୍ୟଧିକ ଲାଇଟ୍ ପଡ଼ିଥିବା ସ୍ଥାନରେ କାର୍ଯ୍ୟ କଲେ ବା ଅତ୍ୟଧିକ ଶବ୍ଦ ଆସୁଥିବା ସ୍ଥାନରେ କାର୍ଯ୍ୟ କଲେ ମଧ୍ୟ ମୁଣ୍ଡ ବିନ୍ଧା ହୋଇପାରେ।
ମାଇଗ୍ରେନ୍ର ଲକ୍ଷଣ (Symptoms of migraine in Odia)
ଅତ୍ୟଧିକ ମୁଣ୍ଡ ବିନ୍ଧା ହେବା
ଅଚେତ୍ ହେବା
ଅଧକପାଳି ବା ଫାଳିକିଆ ମୁଣ୍ଡ ବିନ୍ଧା ହେବା – ସାଧାରଣତଃ ୪ ଘଣ୍ଟାରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ମୁଣ୍ଡ ବିନ୍ଧା ହେବା
ମୁଣ୍ଡ ଭିତରେ ଧକ୍ ଧକ୍ ହେବା ଭଳି ଲାଗିବା
ବାନ୍ତି ହେବା – ବେଳେ ବେଳେ ବାନ୍ତି ହୋଇ ଅଚେତ୍ ହୋଇଯିବା ଭଳି ଲକ୍ଷଣ ଦେଖାଦିଏ।
ଖରାକୁ ଗଲେ, ଅଧିକ ଶବ୍ଦ ସଂସ୍ପର୍ଶରେ ଆସିଲେ ଅତ୍ୟଧିକ ମାତ୍ରାରେ ମୁଣ୍ଡ ବିନ୍ଧା ହୁଏ।
![Woman holding her head](https://www.swasthya.plus/wp-content/uploads/2020/12/woman-holding-her-head-stockpack-pexels-1024x683.jpg)
ଅଧିକ ପଢ଼ନ୍ତୁ: ଅଫିସ୍ରେ ମୁଣ୍ଡ ବିନ୍ଧାର କିଭଳି କରିବେ ମୁକାବିଲା?
ମାଇଗ୍ରେନ୍କୁ ଚିହ୍ନିବେ କେମିତି? (How to recognize Headache or Migraine in Odia)
ଫାଳିକିଆ ମୁଣ୍ଡ ବିନ୍ଧା, ଗୋଟେ ଦିନ ଧରି ରହୁଥିବ, ଧକ୍ ଧକ୍ ହେଲା ଭଳି ଲାଗୁଥିବ, ବାନ୍ତି ଲାଗୁଥିବ, ତେବେ ଏହାକୁ ମାଇଗ୍ରେନ୍ ଭଳି ଧରାଯାଏ। ହେଲେ ସିଟି ସ୍କାନ୍ କରିବା ପରେ ମସ୍ତିଷ୍କରେ କୌଣସି ସମସ୍ୟା ଜଣାପଡ଼ିନଥଏ।
ମୁଣ୍ଡବିନ୍ଧାର ଚିକିତ୍ସା (Treatment of Headache or Migraine in Odia)
ମାଇଗ୍ରେନ୍ରୁ ଚିକିତ୍ସାକୁ ତିନି ଭାଗରେ ବିଭକ୍ତ କରାଯାଇଛି।
୧- ଯେଉଁ ଜିନିଷରେ ମାଇଗ୍ରେନ୍ ଟ୍ରିଗର ହେଉଛି, ତାଠାରୁ ଦୂରେଇ ରହିବା। ଯେପରିକି, ଜଙ୍କଫୁଡ୍, ତେଲ ମସଲାଯୁକ୍ତ ଖାଦ୍ୟ, ଅତ୍ୟଧିକ ଆଲୋକ, ଶବ୍ଦଠାରୁ ଦୂରେଇ ରହିବା ଆବଶ୍ୟକ।
୨- ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ହେବ। ଯେପରିକି ନିୟମିତ ବ୍ୟାୟାମ, ଯୋଗ, ପ୍ରାଣାୟାମ କରିବା ସହ ସନ୍ତୁଳିତ ଖାଦ୍ୟ ଖାଇବା ଜରୁରୀ।
୩- ଔଷଧ ଚିକିତ୍ସା – ଆକ୍ୟୁଟ୍ ଚିକିତ୍ସା ଏବଂ ପ୍ରିଭେନ୍ଟିଭ୍ ଚିକିତ୍ସା
ଆକ୍ୟୁଟ୍ ଚିକିତ୍ସା – ସିଭିୟର ମୁଣ୍ଡ ବିନ୍ଧା ହେଉଥିଲେ, ସେହି ସମୟରେ କେତେକ ଔଷଧ ଖାଇବା ଦ୍ୱାରା ସଙ୍ଗେ ସଙ୍ଗେ ମାଇଗ୍ରେନ୍ ଜନିତ ମୁଣ୍ଡ ବିନ୍ଧା ଭଲ ହୋଇଯାଇଥାଏ।
ମନେକର ଜଣକର ମାସକୁ ଥରେ କିମ୍ବା ଦୁଇଥର ମାଇଗ୍ରେନ୍ ମୁଣ୍ଡ ବିନ୍ଧା ହେଉଛି, ତାହେଲେ ଆକ୍ୟୁଟ୍ ଚିକିତ୍ସା କରାଯାଏ।
ପ୍ରିଭେନ୍ଟିଭ୍ ଚିକିତ୍ସା – ଯଦି ମାସକୁ ୪ରୁ ୫ ଦିନ ମାଇଗ୍ରେନ୍ ମୁଣ୍ଡ ବିନ୍ଧା ରହୁଛି, ତାହେଲେ ପ୍ରିଭେନ୍ଟିଭ୍ ଚିକିତ୍ସା କରିବା ଆବଶ୍ୟକ। ରୋଗୀଙ୍କ ଅବସ୍ଥାକୁ ଦେଖି ପ୍ରିଭେନ୍ଟିଭ୍ ଚିକିତ୍ସାର ସମୟ ଭିନ୍ନ ଭିନ୍ନ ହୋଇଥାଏ। କେତେକ କ୍ଷେତ୍ରରେ ୪ରୁ ୬ ମାସ ଯାଏଁ ଏହି ଚିକିତ୍ସା କରାଯାଇଥାଏ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସୂର୍ଯ୍ୟପ୍ରକାଶ ଶିବନାରାୟଣ ଚୌଧୁରୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Headache, in Odia language, is based on an extensive interview with Neurologist Dr Surjyaprakash S Choudhury.