ଶ୍ରବଣ ଯନ୍ତ୍ର କ’ଣ? କେତେବେଳେ ଜଣଙ୍କୁ ଶ୍ରବଣ ଯନ୍ତ୍ର ଦରକାର ହୋଇଥାଏ? ଏନେଇ ବିଶିଷ୍ଟ ଅଡିଓଲୋଜିଷ୍ଟ ଡାକ୍ତର ଦୀପକ କୁମାର ମିଶ୍ର କ’ଣ କହୁଛନ୍ତି, ଜାଣନ୍ତୁ।
- ଶ୍ରବଣ ଯନ୍ତ୍ରଣ ପ୍ରକାର
- କାନକୁ ଶୁଭା ନ ଗଲେ କେଉଁ ପରୀକ୍ଷା କରାଯାଏ?
- କେଉଁ ବୟସରେ ଶ୍ରବଣ ଶକ୍ତି କମିଯାଏ?
- ଶ୍ରବଣ ଯନ୍ତ୍ରର ପାର୍ଶ୍ୱପ୍ରତିକ୍ରିୟା
- ଡାକ୍ତରଙ୍କ ପରାମର୍ଶ
ଯେଉଁମାନଙ୍କୁ ସଠିକ୍ ଭାବେ ଶୁଭାଯାଏନି ବା ବୟସ ହେବା ସଙ୍ଗେ ସଙ୍ଗେ ଶ୍ରବଣ ଶକ୍ତି କମିଯାଏ, ସେମାନଙ୍କୁ ଶ୍ରବଣ ଯନ୍ତ୍ରର ଆବଶ୍ୟକତା ଥାଏ।
ଶ୍ରବଣ ଯନ୍ତ୍ର ପ୍ରକାର (Types of Hearing Aids in Odia)
ଶ୍ରବଣ ଯନ୍ତ୍ର ସାଧାରଣତଃ ଦୁଇ ପ୍ରକାରର। ଡିଜିଟାଲ ଏବଂ ମାନୁଆଲ।
ମାନୁଆଲ ଶ୍ରବଣ ଯନ୍ତ୍ର – ଏହି ଶ୍ରବଣ ଯନ୍ତ୍ର ବ୍ୟକ୍ତି ତାଙ୍କ ଆବଶ୍ୟକତା ଅନୁଯାୟୀ ବଢ଼େଇ ପାରିବେ କିମ୍ବା କମେଇ ପାରିବେ।
ଡିଜିଟାଲ ଶ୍ରବଣ ଯନ୍ତ୍ର – ଡିଜିଟାଲ ଶ୍ରବଣ ଯନ୍ତ୍ର ସମ୍ପୂର୍ଣ୍ଣ ଭାବେ ଅଟୋମେଟିକ୍। ବ୍ୟକ୍ତିଙ୍କୁ କେତେ ମାତ୍ରାରେ ଶୁଭାଯାଉଛି ତାର ପରୀକ୍ଷା କରି ତାଙ୍କର ଆବଶ୍ୟକତା ଅନୁସାରେ ଏବଂ କମ୍ପ୍ୟୁଟରାଇଜ୍ଡ୍ କରି ଶ୍ରବଣ ଯନ୍ତ୍ର ପରାମର୍ଶ କରାଯାଏ।
ଡିଜିଟାଲ ଶ୍ରବଣ ଯନ୍ତ୍ରରେ ବିଭିନ୍ନ ପ୍ରକାର ମେସିନ୍ ଆସିଗଲାଣି। ଗୋଟେ ହେଉଛି ବିଟିଇ ପ୍ରକାର, ଯାହା କାନର ପଛ ପଟେ ରହେ। ଅନ୍ୟଟି ହେଉଛି ଆଇଟିସି, ଏହା କାନ ଭିତରେ ରହେ।
ଆଇଆଇସି – ଏହା କାନ ଭିତରେ ରହେ, ଯାହା ବାହାରକୁ ଦେଖାଯାଏ ନାହିଁ। ଯେଉଁ ଲୋକମାନେ ସେମାନଙ୍କର ଶ୍ରବଣ ଯନ୍ତ୍ର ମେସିନ୍ ଦେଖେଇବାକୁ ଚାହୁଁ ନାହାନ୍ତି, ସେମାନେ ଆଇଆଇସି ହିଅରିଂ ଏଡ୍ ବ୍ୟବହାର କରିପାରିବେ। ଏହା କାନ ମାପ ଅନୁସାରେ ବନାଯାଏ।
ସିଆଇସି – ଏହାର ଆକାର ବିଭିନ୍ନ ପ୍ରକାର ରହିଛି।
ରିଚାର୍ଜ ଆର୍ଆଇସି – ଏହି ପ୍ରକାର ଶ୍ରବଣ ଯନ୍ତ୍ରରେ ବ୍ୟାଟେରି ଆଦୌ ପଡ଼େ ନାହିଁ। ଯେମିତି ଆପଣ ମୋବାଇଲ ଚାର୍ଜ କରି ଦିନଯାକ ବ୍ୟବହାର କରୁଛନ୍ତି। ସେମିତି ଆର୍ଆଇସି ଶ୍ରବଣ ଯନ୍ତ୍ରକୁ ଥରେ ଚାର୍ଜ କଲେ ଦିନ ଯାକ ବ୍ୟବହାର କରିପାରିବେ।
ଅଧିକ ପଢ଼ନ୍ତୁ: ଶ୍ରବଣ ଶକ୍ତି ଜନିତ ସମସ୍ୟା ଓ ଏହାର ସମାଧାନ
କାନକୁ ଶୁଭା ନ ଗଲେ କେଉଁ ପରୀକ୍ଷା କରାଯାଏ? (What tests do we need if the ear is deaf in Odia)
କମ୍ ଶୁଭାଗଲେ, ଗୋଟେ କଥାକୁ ବାରମ୍ବାର ଦୋହରାଇଲେ ବୁଝିପାରନ୍ତି, ଥରକରେ ଶୁଣାଯାଏନି ବୋଲି ଅଭିଯୋଗ କରନ୍ତି। ଏଭଳି କ୍ଷେତ୍ରରେ ଅଡିଓମେଟ୍ରି ଟେଷ୍ଟ କରାଯାଏ। ଏହାଦ୍ଵାରା କେତେ ମାତ୍ରାରେ ଶୁଭାଯାଉନି ଏବଂ କେଉଁ ପ୍ରକାର ସମସ୍ୟା ଅଛି, ତାହା ଜଣାପଡ଼େ। ସେହି ଅନୁସାରେ ଶ୍ରବଣ ଯନ୍ତ୍ର ପରାମର୍ଶ କରାଯାଏ।
ଯଦି ବ୍ୟକ୍ତିଙ୍କର କାନର ସ୍ନାୟୁ ଦୁର୍ବଳ ଥିବ, ତେବେ ଅଡିଓଲୋଜିଷ୍ଟ ଆପଣଙ୍କୁ ଶ୍ରବଣ ଯନ୍ତ୍ର ପରାମର୍ଶ ଦେଇଥାଆନ୍ତି। ଯଦି ଆପଣଙ୍କର କାନରେ କିଛି ସଂକ୍ରମଣ ହୋଇଥାଏ, ତେବେ ଇଏନ୍ଟି ବିଭାଗର ଡାକ୍ତର ମେଡିସିନ୍ ଏବଂ ଅପରେସନ୍ ପରାମର୍ଶ କରିଥାଆନ୍ତି।
କେଉଁ ବୟସରେ ଶ୍ରବଣ ଶକ୍ତି କମିଯାଏ? (At what age does hearing loss occur in Odia)
ସାଧାରଣତଃ ୪୦ ବର୍ଷ ପରେ ଧୀରେ ଧୀରେ ଶୁଣିବା ଶକ୍ତି କମିଯାଏ। କାରଣ ବର୍ତ୍ତମାନ ଶବ୍ଦ ପ୍ରଦୂଷଣ ଯୋଗୁଁ ଜଲଦି ଶୁଣିବାର ଶକ୍ତି କମିଯାଏ। ଏହାଛଡ଼ା ନିୟମିତ ଡାଏବେଟିସ୍ ତଥା ଉଚ୍ଚରକ୍ତଚାପ ପାଇଁ ଔଷଧ ସେବନ କରୁଥିବା ଲୋକଙ୍କର ସ୍ନାୟୁ ଦୁର୍ବଳ ହୋଇଯାଏ, ଫଳରେ ଶ୍ରବଣ ଶକ୍ତି ଶୀଘ୍ର କମିଯାଏ।
କେତେକ କ୍ଷେତ୍ରରେ ଜନ୍ମରୁ ଶ୍ରବଣ ଶକ୍ତି କମିଥାଏ। ତେଣୁ ବର୍ତ୍ତମାନ ଜନ୍ମରୁ ଏକ ପ୍ରକାର ପରୀକ୍ଷା କରାଯାଉଛି, ଯେଉଁଥିରେ ଜଣାପଡ଼ିଯାଏ ପିଲାର ହିଅରିଂ ଲସ୍ ଅଛି କି ନାହିଁ।
ଶ୍ରବଣ ଯନ୍ତ୍ରର ପାର୍ଶ୍ୱପ୍ରତିକ୍ରିୟା (Side effects of Hearing Aids in Odia)
ଡିଜିଟାଲ ଶ୍ରବଣ ଯନ୍ତ୍ରର କୌଣସି ପାର୍ଶ୍ୱପ୍ରତିକ୍ରିୟା ନ ଥାଏ। ଯଦି ଆପଣ ବିନା ଅଡିଓଲୋଜିଷ୍ଟ ପରାମର୍ଶରେ ଅନ୍ଲାଇନ୍ କିମ୍ବା ପାଖ ଦୋକାନରୁ ଶ୍ରବଣ ଯନ୍ତ୍ର କିଣୁଛନ୍ତି, ତେବେ ଏହାର ପାର୍ଶ୍ୱପ୍ରତିକ୍ରିୟା ଥାଏ।
ଡାକ୍ତରଙ୍କ ପରାମର୍ଶ (Doctor’s Advice in Odia)
ପ୍ରତି ଛଅ ମାସ କିମ୍ବା ବର୍ଷକରେ ଥରେ ଶ୍ରବଣ ଶକ୍ତି ପରୀକ୍ଷା କରନ୍ତୁ ଏବଂ ଅଡିଓଲୋଜିଷ୍ଟଙ୍କ ପରାମର୍ଶରେ ଶ୍ରବଣ ଯନ୍ତ୍ର ନିଅନ୍ତୁ।
ପ୍ରତିଦିନ ୮ରୁ ୧୦ ଘଣ୍ଟା ଶ୍ରବଣ ଯନ୍ତ୍ର ଲଗାନ୍ତୁ। ଫଳରେ ଆପଣ ଭଲ ଭାବରେ ଶୁଣିପାରିବେ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଦୀପକ କୁମାର ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on How to use Hearing Aid, in Odia language, is based on an extensive interview with Audiologist Dr Deepak Kumar Mishra.