ଥାଲାସେମିଆ ରୋଗକୁ ରୋକିହେବ କି? ଏନେଇ ବିଶିଷ୍ଟ ରକ୍ତରୋଗ ବିଶେଷଜ୍ଞ ଡାକ୍ତର ହେମଲତା ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
ମେ’ ୮ ବିଶ୍ୱ ଥାଲାସେମିଆ ଦିବସ। ଥାଲାସେମିଆର କାରଣ ଓ ନିରାକରଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଏହି ଦିବସର ମୂଳ ଲକ୍ଷ୍ୟ।
ଥାଲାସେମିଆ ହେଉଛି ରକ୍ତବିକାର ସମସ୍ୟା। ଏହା ଏକ ବଂଶାନୁଗତ ରୋଗ, ଯାହା ବାପାମା’ଙ୍କଠାରୁ ପିଲାମାନଙ୍କୁ ବ୍ୟାପିଥାଏ। ଏହି ରୋଗକୁ ଠିକ୍ ସମୟରେ ଚିହ୍ନିବା ଓ ଚିକିତ୍ସା କରିବା ନିହାତି ଆବଶ୍ୟକ।
ଥାଲାସେମିଆ କ’ଣ ଓ କାରଣ? (What is Thalassemia and know its causes in Odia)
ସାଧାରଣତଃ ଆମ ନାଲି ରକ୍ତ କୋଷରେ ହିମୋଗ୍ଲୋବିନ୍ ଉପାଦାନ ଥାଏ, ଯାହାକି ନାଲି ରଙ୍ଗ ତିଆରି କରେ ଓ ଅମ୍ଳଜାନ ସମସ୍ତ ଶରୀରକୁ ଯୋଗାଇଥାଏ। ମାତାପିତାଙ୍କଠାରେ ଜିନ୍ ଦ୍ଵାରା ଶିଶୁକୁ କେତୋଟି ଗୁଣ ସଂପ୍ରସାରଣ ହୋଇଥାଏ। ତାମଧ୍ୟରୁ ହିମୋଗ୍ଲୋବିନ୍ର ଜିନ୍ ମଧ୍ୟ ଗୋଟିଏ।
ଥାଲାସେମିଆ ଏକ ପ୍ରକାର ବଂଶାନୁକ୍ରମିକ ରକ୍ତଜନିତ ରୋଗ। ପିତା ଓ ମାତା ଦୁଇ ଜଣଙ୍କ ପାଖରେ ଯଦି ବିକାର ଥିବା ହିମୋଗ୍ଲୋବିନ୍ ଯଦି ଥାଏ, ଏହାକୁ କ୍ୟାରିୟର ବା ମାଇନର ଥାଲାସେମିଆ କହୁ। ଏହି ବିକାର ଥିବା ହିମୋଗ୍ଲୋବିନ୍ ଜିନ୍ ଯଦି ଉଭୟ ପିତାମାତାଙ୍କଠାରୁ ଶିଶୁକୁ ଯାଇଥାଏ, ତେବେ ପିଲାକୁ ଥାଲାସେମିଆ ମେଜର ହୋଇଥାଏ।
ଥାଲାସେମିଆର ପ୍ରକାର (Types of Thalassemia in Odia)
ହିମୋଗ୍ଲୋବିନ୍ର ମଲିକୁଲ ଭିତରେ ଆଲ୍ଫା ଓ ବିଟା ନାମକ ଦୁଇଟି ଶୃଙ୍ଖଳା ଥାଏ। ଯଦି ଆଲ୍ଫା ଜିନ୍ରେ ତ୍ରୁଟି ଥାଏ, ତେବେ ତାହା ଆଲ୍ଫା ଥାଲାସେମିଆ ଏବଂ ବିଟା ଜିନ୍ରେ ତ୍ରୁଟି ଥିଲେ ତାକୁ ବିଟା ଥାଲାସେମିଆ କହିଥାଉ। ଅଧିକାଂଶ କ୍ଷେତ୍ରରେ ବିଟା ଥାଲାସେମିଆ ରୋଗୀ ଦେଖିବାକୁ ମିଳିଥାଏ।
ଥାଲାସେମିଆର ଲକ୍ଷଣ (Symptoms of Thalassemia in Odia)
ଥାଲାସେମିଆ ମେଜର ସାଧାରଣତଃ ବର୍ଷେ ମଧ୍ୟରେ ଲକ୍ଷଣ ଜଣାପଡ଼ିଥାଏ। ପିଲା ଅସ୍ଵାଭାବିକ ଭାବେ କାନ୍ଦିବା, ଚିଡ୍ଚିଡା ହେବା, ବାରମ୍ବାର ଥଣ୍ଡା ଜ୍ଵର ହେବା, ଖାଦ୍ୟ ପ୍ରତି ତାଙ୍କର ଆଗ୍ରହ କମିଯିବା ଭଳି ଲକ୍ଷଣ ଦେଖାଦିଏ। ଏସବୁ ଲକ୍ଷଣ ଦେଖାଦେଲେ ବାପାମା’ମାନେ ଡାକ୍ତରଙ୍କ ପାଖକୁ ନେଇଥାଆନ୍ତି। ଏହାପରେ ଇଲେକ୍ଟ୍ରୋଫୋରୋସିସ୍ ଟେଷ୍ଟ କରିବା ପରେ ଜଣାପଡ଼େ ଯେ, ପିଲା ପାଖରେ ଥାଲାସେମିଆ ରୋଗ ହୋଇଛି।
ଥାଲାସେମିଆ ମାଇନର କ୍ଷେତ୍ରରେ ରୋଗୀ ରକ୍ତ ଉପରେ ନିର୍ଭର କରନ୍ତି ନାହିଁ। ସେମାନଙ୍କଠାରେ ଲକ୍ଷଣ ମଧ୍ୟ ଜଣାପଡ଼ିଥାଏ। ମାଇନର ଥାଲାସେମିଆରେ ବ୍ୟକ୍ତିଙ୍କ ଶରୀରରେ ହିମୋଗ୍ଲୋବିନ୍ ମାତ୍ରା ସାଧାରଣଠାରୁ ଅଳ୍ପ ଥାଏ କିନ୍ତୁ ବ୍ୟକ୍ତି ଜଣକ ସୁସ୍ଥ ଥାଆନ୍ତି। ଯଦି ବାପାମା’ଙ୍କ ମଧ୍ୟରୁ ଜଣଙ୍କଠାରେ ଥାଲାସେମିଆ ମାଇନର ଥିବ, ତେବେ ପିଲାଠାରେ ଥାଲାସେମିଆ ମାଇନର ହେବାର ଆଶଙ୍କା ଥାଏ।
ଥାଲାସେମିଆର ଚିକିତ୍ସା (Treatment of Thalassemia in Odia)
ଜଣେ ଥାଲାସେମିଆ ରୋଗୀ ପାଖାପାଖି ୪୦ ବର୍ଷ ପର୍ଯ୍ୟନ୍ତ ଭଲରେ ବଞ୍ଚିପାରିବେ। ଯଦି ତାଙ୍କୁ ନିୟମିତ ବ୍ୟବଧାନରେ ଗୁଣାବତ୍ତା ରକ୍ତ ଦିଆଯାଏ। ଏଥିସହ ଯେଉଁମାନେ ରକ୍ତଦାନ କରୁଛନ୍ତି, ତାଙ୍କର ହିମୋଗ୍ଲୋବିନ୍ ସ୍ତର ୧୨.୫ ଉପରକୁ ଥିବା ଆବଶ୍ୟକ।
ଥାଲାସେମିଆ ରୋଗୀଙ୍କୁ ବାରମ୍ବାର ରକ୍ତ ଦେବା ଯୋଗୁଁ ଶରୀରରେ ଆଇରନ୍ ମାତ୍ରା ବଢ଼ିଯାଏ। ଫଳରେ ଆଇରନ୍ ଶରୀରରେ ଜମା ହୋଇ ଯକୃତ, ପାନ୍କ୍ରିୟାଜ୍, ହୃଦଜନିତ ଜନିତ ସମସ୍ୟା ହୋଇଥାଏ। ମୋଟାମୋଟି କହିବାକୁ ଗଲେ ଥାଲାସେମିଆ ରୋଗୀଙ୍କୁ ନିୟମିତ ଭାବେ ଗୁଣବତ୍ତା ରକ୍ତ ଦେବା ସହ ନିୟମିତ ସିରମ୍ ଫେରିଟିନ୍ ପରୀକ୍ଷା କରିବା ଜରୁରୀ। ଏହାଦ୍ୱାରା ଶରୀରରେ ଲୌହର ପରିମାଣ ଜାଣିହୁଏ ଓ ସେହିଅନୁସାରେ ରୋଗୀଙ୍କୁ ଆଇରନ୍ ଚିଲେସନ୍ ଥେରାପି ଦିଆଯାଏ। ଫଳରେ ବ୍ୟକ୍ତି ସୁସ୍ଥ ଜୀବନଯାପନ କରିପାରିବ।
ଥାଲାସେମିଆ ମେଜରମାନଙ୍କୁ ପ୍ରତ୍ୟେକ ଦୁଇ ସପ୍ତାହରେ କିମ୍ବା ଚାରି ସପ୍ତାହରେ ରକ୍ତ ଚଢ଼େଇବାକୁ ପଡ଼ିଥାଏ।
ଥାଲାସେମିଆକୁ ରୋକିହେବ କି? (Could Thalassemia be prevented in Odia)
ଥାଲାସେମିଆକୁ ରୋକିବାର ପ୍ରଥମ ଉପାୟ ହେଲା ସଚେତନତା। ଇଲେକ୍ଟ୍ରୋଫୋରୋସିସ୍ ପରୀକ୍ଷା ଦ୍ୱାରା ଆମେ ଥାଲାସେମିଆ କ୍ୟାରିୟରଙ୍କୁ ଚିହ୍ନଟ କରିପାରିବୁ। ଥରେ ଚିହ୍ନଟ ହୋଇସାରିବା ପରେ ଥାଲାସେମିଆ କ୍ୟାରିୟର ଥିବା ବ୍ୟକ୍ତି ଆଉ ଜଣେ ଥାଲାସେମିଆ କ୍ୟାରିୟରଙ୍କୁ ବିବାହ ନ କରିବା ଦରକାର।
ଏହାସହ ଯଦି ବାପା କିମ୍ବା ମା’ ଜଣଙ୍କର ଥାଲାସେମିଆ କ୍ୟାରିୟର ଅଛି ଓ ଅନ୍ୟ ଜଣେ ସୁସ୍ଥ, ତେବେ ମଧ୍ୟ ବିବାହ କରିପାରିବେ। କାରଣ ତାଙ୍କ ପିଲା ଥାଲାସେମିଆ କ୍ୟାରିୟର ହୋଇପାରନ୍ତି କିମ୍ବା ସୁସ୍ଥ ବି ହୋଇପାରନ୍ତି।
ଯଦି ବାପାମା’ ଚାହୁଁଛନ୍ତି ତାଙ୍କର ଦ୍ୱିତୀୟ ପିଲା ଥାଲାସେମିଆ ମେଜର ନ ଆସୁ, ତାହେଲେ ଗର୍ଭଧାରଣର ତିନିମାସ ଭିତରେ ଭ୍ରୁଣ ପରୀକ୍ଷା କରିପାରିବେ। ଯଦି ଗର୍ଭସ୍ଥ ପିଲାଠାରେ ଥାଲାସେମିଆ ମେଜର ଆସୁନାହିଁ, ତାହେଲେ ଗର୍ଭଧାରଣକୁ ଆଗେଇ ନେଇପାରିବେ। କିନ୍ତୁ ପିଲାଠାରେ ଥାଲାସେମିଆ ମେଜର ଆସୁଛି, ତେବେ ଗର୍ଭପାତ କରେଇପାରିବେ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ହେମଲତା ଦାସଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Thalassemia, in Odia language, is based on an extensive interview with Blood Disorder Specialist Dr Hemalta Das.