କୋଭିଡ୍‌ ଟିକାକୁ ନେଇ ଲୋକମାନଙ୍କ ମନରେ ଅନେକ ଭ୍ରାନ୍ତଧାରଣା ରହିଛି। କିଏ ଟିକା ନେବେ ବା କିଏ ନେବେନି, ଗୋଟେ ଡୋଜ୍‌ ଟିକା ନେବାର କେତେ ଦିନ ପରେ ଆଉ ଗୋଟେ ଡୋଜ୍‌ ଟିକା ନେବେ? ଏସମସ୍ତ ପ୍ରଶ୍ନକୁ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଜୟନ୍ତ କୁମାର ପଣ୍ଡା।

ଅଧିକ ପଢ଼ନ୍ତୁ: ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଆନ୍ତୁ ନାହିଁ – ଡାକ୍ତର ଜୟନ୍ତ ପଣ୍ଡା

କିପରି ନେବେ କୋଭିଡ୍‌ ଟିକା? (How to get the Covid Vaccine in Odia)

ବର୍ତ୍ତମାନ ଭାରତରେ କୋଭିସିଲ୍ଡ ଏବଂ କୋଭାକ୍ସିନ୍‌ ଟିକା ଦିଆଯାଉଛି। ଜୀବନ୍ତ ଭାଇରସ୍‌, ଯାହା ସିମ୍ପାଞ୍ଜୀରେ କୋଭିଡ୍‌ କରିଥାଏ, ସେଥିରୁ   କୋଭିସିଲ୍ଡ ପ୍ରସ୍ତୁତ ହୋଇଛି। କୋଭାକ୍ସିନ୍‌ ହେଉଛି ନୋବେଲ କରୋନା ଭାଇରସ୍‌, ଯାହା ମୃତ।

ପ୍ରଥମ ଡୋଜ୍‌ ଟିକା ନେବାର କିଛି ଦିନ ବ୍ୟବଧାନରେ ଦ୍ୱିତୀୟ ଡୋଜ୍‌ ନେଲେ, ତାହା ଶରୀରରେ ଆଣ୍ଟିବଡିକୁ ବଢ଼ାଇଥାଏ। ପୂର୍ବରୁ ପ୍ରଥମ ଡୋଜ୍‌ ଟିକା ନେବାର ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ୍‌ ଟିକା ନେବା ପାଇଁ କୁହାଯାଇଥିଲା। ହେଲେ ବିଶେଷଜ୍ଞମାନେ ଦେଖିଲେ ଯେ, ଗୋଟେ ଡୋଜ୍‌ ଟିକା ନେବାର ଛଅ କିମ୍ବା ଆଠ ସପ୍ତାହ ପରେ ଦ୍ୱିତୀୟ ଡୋଜ୍‌ ଟିକା ନେବା ଦ୍ୱାରା ଆଣ୍ଟିବଡି ତିଆରି ଭଲ ଭାବରେ ହେଉଛି।

ତେଣୁ ପରବର୍ତ୍ତୀ ପର୍ଯ୍ୟାୟରେ ଟିକାକରଣ ବ୍ୟବଧାନରେ ପରିବର୍ତ୍ତନ କରାଗଲା। କୋଭିସିଲ୍ଡ ଛଅରୁ ଆଠ ସପ୍ତାହ ପରେ ଏବଂ କୋଭାକ୍ସିନ୍‌ ୪ରୁ ୬ ସପ୍ତାହ ପରେ ଦ୍ୱିତୀୟ ଡୋଜ୍‌ ଟିକା ନେବା ପାଇଁ ପରାମର୍ଶ ଦିଆଯାଇଛି।

ପ୍ରଥମ ଡୋଜ୍‌ ନେବାର ଛଅ ସପ୍ତାହ ପରେ ଦ୍ୱିତୀୟ ଡୋଜ୍‌ ନେଇପାରିବେ। ଏପରିକି କୋଭିସିଲ୍ଡ ଟିକା ଆଠ ସପ୍ତାହ ପରେ ନେଇପାରିବେ।

ଦେଖିବାକୁ ମିଳିଛି ଯେ, ଦୁଇ ଡୋଜ୍‌ ଟିକା ନେବାର ଗୋଟେ ମାସ ପରେ ବ୍ୟକ୍ତି ଯଦିଓ ଆକ୍ରାନ୍ତ ହେଉଛନ୍ତି, ତେବେ ତାଙ୍କଠାରେ ଗୁରୁତର ଲକ୍ଷଣ ଦେଖାଯାଉ ନାହିଁ ଏବଂ ବ୍ୟକ୍ତି ଶୀଘ୍ର ସୁସ୍ଥ ମଧ୍ୟ ହୋଇଯାଉଛନ୍ତି।

ଟିକା ନେବା ପରେ ବି ସତର୍କ ରହନ୍ତୁ (Be careful after taking the vaccine in Odia)

ଟିକା ନେବା ପରେ ବି ଲୋକ କୋଭିଡ୍‌ରେ ଆକ୍ରାନ୍ତ ହେଉଛନ୍ତି। କାରଣ ଭିନ୍ନ ଲୋକଙ୍କଠାରେ ଭିନ୍ନ ଭିନ୍ନ ରୋଗ ପ୍ରତିରୋଧକ ଶକ୍ତି ଉତ୍ପନ୍ନ ହେଉଛି। ତେଣୁ ଟିକା ନିହାତି ନେବା ଜରୁରୀ କିନ୍ତୁ ତା’ପରେ ବି ଆମକୁ ସତର୍କ ରହିବାର ଆବଶ୍ୟକତା ରହିଛି। କୋଭିଡ୍‌ ନ ଯିବା ଯାଏଁ, ଆମକୁ ମାସ୍କ ପିନ୍ଧବାକୁ ହେବ, ହାତ ଧୋଇବାକୁ ହେବ, ସାମାଜିକ ଦୂରତା ପାଳନ କରିବାକୁ ହେବ ଏବଂ ଘରଦ୍ୱାରା ସଫା ରଖିବାକୁ ହେବ। ଏହାଦ୍ୱାରା ଆମେ ସଂକ୍ରମଣକୁ ଏଡ଼ାଇପାରିବା।

ଘରେ ଥିଲେ ବି ମାସ୍କ ପିନ୍ଧନ୍ତୁ (Wear masks at home in Odia)

ଘରେ ଥିଲେ ବି ମାସ୍କ ପିନ୍ଧନ୍ତୁ। କାରଣ ଆପଣଙ୍କ ଘରକୁ ବନ୍ଧୁବାନ୍ଧବ, ପଡ଼ିଶା ଘର ଲୋକ ଓ କାମ କରିବାକୁ ଲୋକ, ଡ୍ରାଇଭର ଏଭଳି ନାନାଦି ଲୋକ ଆସୁଥାଇପାରନ୍ତି। ଆମେ ଜାଣିଛେ କୋଭିଡ୍‌ ପଜିଟିଭ୍‌ ଥିଲେ ବି କେତେକ ଲୋକଙ୍କଠାରେ କୌଣସି ଲକ୍ଷଣ ଦେଖଶଦେଉ ନାହିଁ। ତେଣୁ ଘରେ ଥିଲେ ବି ମାସ୍କ ପିନ୍ଧିବା ଜରୁରୀ।

ଅଧିକ ପଢ଼ନ୍ତୁ: ମାସ୍କ ପିନ୍ଧନ୍ତୁ, କୋଭିଡ୍‌ରୁ ସୁରକ୍ଷିତ ରହନ୍ତୁ

ଡବଲ ମାସ୍କର ଗୁରୁତ୍ଵ (Importance of a double mask in Odia)

ସବୁବେଳେ ମାସ୍କ ପିନ୍ଧିବା ବେଳେ ଧ୍ୟାନ ଦିଅନ୍ତୁ ଯେ, ମୁହଁରେ ଯେପରି କୌଣସି ଗ୍ୟାପ୍‌ ରହିବ ନାହିଁ। କପଡ଼ାରା ମାସ୍କ ପିନ୍ଧିଲେ, ସେଥିରେ ଗ୍ୟାପ୍‌ ରହିଯାଉଛି। ତେଣୁ ପ୍ରଥମେ ଏକ ସର୍ଜିକାଲ ମାସ୍କ ପିନ୍ଧନ୍ତୁ ଏବଂ ସେହି ମାସ୍କର ରବର ଧାରକୁ ମୋଡ଼ିକି କାନରେ ଲଗାନ୍ତୁ। ଏହା ଉପରେ ଏକ କପଡ଼ା ମାସ୍କକୁ ପିନ୍ଧନ୍ତୁ। ଫଳରେ ମାସ୍କ ମୁହଁ ସହ ଟାଇଟ୍‌ ହୋଇ ରହିବ। ଏଭଳି ପିନ୍ଧିବା ଦ୍ଵାରା ନାକରୁ ବାହାରୁଥିବା ଡ୍ରପ୍‌ଲେଟ୍‌କୁ ବ୍ୟାପିବାରେ ଅଟକାଇପାରିବା। ଫଳରେ ଭୂତାଣୁ ସଂକ୍ରମଣ କରିବାର ସମ୍ଭାବନା ରହିବ ନାହିଁ।

ଗୁଜବରୁ ଦୂରେଇ ରହନ୍ତୁ (Stay away from rumors in Odia)

ମହିଳାମାନେ ଋତୁସ୍ରାବ ସମୟରେ ଟିକା ନେଲେ ପାର୍ଶ୍ଵପ୍ରତିକ୍ରିୟା ହେବାର ଆଶଙ୍କା ରହୁଛି ଏବଂ ଟିକାର କୌଣସି ପ୍ରଭାବ ରହୁନାହିଁ। ହେଲେ ଏସବୁ ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ। ଏନେଇ କୌଣସି ବୈଜ୍ଞାନିକ ତଥ୍ୟ ପ୍ରକାଶ ପାଇନାହିଁ। ଏହାକୁ ବିଶ୍ୱାସ କରନ୍ତୁ ନାହିଁ।

ଏହାଛଡ଼ା ଆଉ କେତେକ ଗୁଜବ ବ୍ୟାପୁଛି ଯେପରିକି ଶ୍ୱାସ ଥିଲେ ଟିକା ନେବ ନାହିଁ, ଆଲର୍ଜି ଥିଲେ ନେବ ନାହିଁ କିମ୍ବା ମଧୁମେହ ଥିଲେ ଟିକା ନେବ ନାହିଁ। କିନ୍ତୁ, ଏସବୁ ଗୁଜବ। ଏହିସବୁ ସମସ୍ୟା ଥିବା ବ୍ୟକ୍ତି ଟିକା ଆଗ ନେବା ଦରକାର। କାରଣ ସେମାନଙ୍କ ପାଖରେ ସଂକ୍ରମଣର ସମ୍ଭାବନା ବେଶୀ।

ଯେଉଁମାନଙ୍କର କୌଣସି ବି ରୋଗ ଅଛି ବା କୌଣସି ଔଷଧ ସେବନ କରୁଛନ୍ତି, ସେମାନେ ନିକଟସ୍ଥ ଡାକ୍ତରଙ୍କୁ ପରାମର୍ଶ କରି କୋଭିଡ୍‌ ଟିକା ନେଇପାରିବେ। ତାହା ଆପଣଙ୍କୁ ସୁରକ୍ଷିତ ରଖିବା ସହ ଆପଣଙ୍କ ପରିବାର, ଆଖପାଖ ଲୋକଙ୍କୁ ସୁରକ୍ଷିତ ରଖିବ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଜୟନ୍ତ କୁମାର ପଣ୍ଡାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Vaccination & Double Mask, in Odia language, is based on an extensive interview with Medicine Specialist Dr Jayant Kumar Panda.