କେମିତି ନିଜ କ୍ରୋଧକୁ ନିୟନ୍ତ୍ରଣ କରିବେ? ବିଶିଷ୍ଟ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
- କ୍ରୋଧ ବା ରାଗ କାହିଁକି ଲାଗେ?
- କ୍ରୋଧ କେତେବେଳେ କ୍ଷତିକାରକ?
- କ୍ରୋଧ ବା ରାଗର କୁପ୍ରଭାବ
- ଲୋକେ କ୍ରୋଧକୁ କିପରି ପ୍ରକାଶ କରନ୍ତି?
- କ୍ରୋଧ ବା ରାଗ ଲାଗିବାର କାରଣ କ’ଣ?
- କ୍ରୋଧ ନିୟନ୍ତ୍ରଣ କରିବେ କେମିତି?
- ଅନ୍ଧବିଶ୍ୱାସରୁ ଦୂରେଇ ରହନ୍ତୁ
କ୍ରୋଧ ବା ରାଗ କାହିଁକି ଲାଗେ? (What is the Anger issue in Odia)
କ୍ରୋଧ ବା ରାଗ ଲାଗିବା ଏକ ସାଧାରଣ ଅବସ୍ଥା। ଅନେକ ସମୟରେ କିଛି ବ୍ୟକ୍ତିଙ୍କଠାରେ ଅହେତୁକ କ୍ରୋଧ ଦେଖିବାକୁ ମିଳିଥାଏ। ଫଳରେ ବ୍ୟକ୍ତିଜଣକ ହିତାହିତ ଜ୍ଞାନ ଭୁଲିଯାଇ ନିଜର କିମ୍ବା ଅନ୍ୟର କ୍ଷତି ପହଞ୍ଚାଇଥାଏ।
ଆମ ମସ୍ତିଷ୍କରେ ଥିବା ଲିମ୍ବିକ୍ ସିଷ୍ଟମ୍ କ୍ରୋଧକୁ ନିୟନ୍ତ୍ରଣ କରିଥାଏ। ଯେତେବେଳେ ଜଣକୁ ରାଗ ଲାଗିଥାଏ, ସେତେବେଳେ ମସ୍ତିଷ୍କରେ ଆଡ୍ରୋନାଲିନ୍ ନାମକ ନ୍ୟୁରୋ ଟ୍ରାନ୍ସମିଟର କ୍ଷରଣ ହୋଇଥାଏ। ଏହି ନ୍ୟୁରୋ ଟ୍ରାନ୍ସମିଟର ଯୋଗୁଁ ଶରୀରରେ କେତେକ ପରିବର୍ତ୍ତନ ହୋଇଥାଏ, ଯେପରିକି ହୃଦ୍ ସ୍ପନ୍ଦନ ବଢ଼ିଯିବା, ହାତ ଥରିବା, ଦେହ ଗରମ ହୋଇଯିବା ଭଳି ଲକ୍ଷଣ ଦେଖାଦେଇଥାଏ।
କ୍ରୋଧ କେତେବେଳେ କ୍ଷତିକାରକ? (When anger is harmful in Odia)
ଯେତେବେଳେ ରାଗ ବା କ୍ରୋଧ ଅଧିକ ଲାଗିଥାଏ, ଅଧିକ ସମୟ ପର୍ଯ୍ୟନ୍ତ ଲାଗିରହିଥାଏ ବା ଯେଉଁ ପରିସ୍ଥିତିରେ ଆମକୁ ରାଗିବା କଥା ନୁହେଁ ସେ ସ୍ଥାନରେ ରାଗ ଲାଗିଥାଏ, ତେବେ ତାହା ଆମ ପାଇଁ କ୍ଷତିକାରକ ହୋଇଥାଏ।
ଅଧିକ ପଢ଼ନ୍ତୁ: ବାରମ୍ବାର ଛାନିଆ ଲାଗୁଛି କି?
କ୍ରୋଧ ବା ରାଗର କୁପ୍ରଭାବ (The negative impact of anger in Odia)
ରାଗ ବା କ୍ରୋଧ ଯୋଗୁଁ ସାମାଜିକ ଅଥବା ପାରିବାରିବ ଜୀବନ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ରାଗ ଯୋଗୁଁ ପାରିବାରିକ ସମ୍ପର୍କ, ବୈବାହିକ ଜୀବନରେ ସମସ୍ୟା, ବିବାହ ବିଛେଦ ହେବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଅତ୍ୟଧିକ ରାଗ ଯୋଗୁଁ ବୃତ୍ତିଗତ ଜୀବନରେ ମଧ୍ୟ ନାନାଦି ସମସ୍ୟା ଉପୁଜିଥାଏ। ଏଥିପାଇଁ ଲୋକଙ୍କ କ୍ୟାରିୟର ଉପରେ କୁପ୍ରଭାବ ପଡ଼ିଥାଏ।
କୌଣସି ବ୍ୟକ୍ତି ବେଶୀ ଦିନ ଯାଏଁ ରାଗିଲେ, ତାହା ଶାରୀରିକ ସମସ୍ୟା ଯେପରିକି ଉଚ୍ଚରକ୍ତଚାପ, ହୃଦ୍ରୋଗର ମଧ୍ୟ କାରଣ ପାଲଟେ।
ରାଗରେ ବ୍ୟକ୍ତି ଭୁଲ ନିଷ୍ପତ୍ତି ନେଇଥାଆନ୍ତି। ତେଣୁ ରାଗିବା ଦ୍ୱାରା ବ୍ୟକ୍ତିଙ୍କର ଅନେକ ପ୍ରକାର କ୍ଷତି ହୋଇଥାଏ।
ଲୋକେ କ୍ରୋଧକୁ କିପରି ପ୍ରକାଶ କରନ୍ତି? (How people express anger in Odia)
କେତେକ ଲୋକ ରାଗକୁ ପରିପ୍ରକାଶ ନ କରି ନିଜ ମନ ଭିତରେ ରଖିଥାଆନ୍ତି। ତେଣୁ ରାଗ ସହ କେତେକ କଥା ମନ ଭିତରେ ଆନ୍ଦୋଳିତ ହୋଇଥାଏ। ଫଳରେ ଏକାଗ୍ରତା କମିଯାଏ ଓ ଦୈନିକ ଜୀବନ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ।
କେତେକ ଲୋକ ନିଜ ଉପରେ ରାଗ ପ୍ରକାଶ କରିଥାଆନ୍ତି, ଯେମିତିକି ରାଗ ଆସିଲେ ମୁଣ୍ଡ ବାଡ଼େଇ ଦେବା, ହାତ କାଟିଦେବା ଭଳି ନିଜକୁ ଆଘାତ ଦେଇଥାଆନ୍ତି।
ଆଉ କେତେକ ଲୋକ ନିଜ ରାଗକୁ ସାମ୍ନା ଲୋକ ଉପରେ ପ୍ରକାଶ କରିଥାଆନ୍ତି। ଉଦାହରଣସ୍ବରୂପ ଅନ୍ୟ ଲୋକକୁ ଗାଳିଗୁଲଜ କରିଥାଆନ୍ତି, ପାଟିତୁଣ୍ଡ କରିଥାନ୍ତି, ମାର୍ପିଟ୍ କରିଥାଆନ୍ତି।
ଅଧିକ ପଢ଼ନ୍ତୁ: ମାନସିକ ଚାପରୁ କେମିତି ପାଇବେ ମୁକ୍ତି?
କ୍ରୋଧ ବା ରାଗ ଲାଗିବାର କାରଣ କ’ଣ? (What causes anger issues in Odia)
ଛୋଟ ପିଲାଙ୍କଠାରେ ରାଗ ଲାଗିବାର ପ୍ରମୁଖ କାରଣ ହେଉଛି, ଅପୋଜିସ୍ନାଲ ଡିଫିଏଣ୍ଟ ଡିସ୍ଅର୍ଡର, କଣ୍ଡକ୍ଟ ଡିସ୍ଅର୍ଡର ଏବଂ ଆଟେନ୍ସନ୍ ଡେଫିସିଟ୍ ହାଇପର ଆକ୍ଟିଭ୍ ଡିସ୍ଅର୍ଡର (ADHD)। ଏହିସବୁ ସମସ୍ୟା ଥିବା ପିଲାମାନଙ୍କୁ ଅଧିକ ରାଗ ଆସିଥାଏ।
କେତେକ ପିଲାମାନେ ଅତ୍ୟଧିକ ଜିଦି କରିଥାଆନ୍ତି। ସେମାନଙ୍କର ଜିଦି ପୂରଣ ନ ହେଲେ ସେମାନେ ଅତ୍ୟଧିକ ରାଗିଥାଆନ୍ତି ଏବଂ ଫୋପଡ଼ାଫିଙ୍ଗା ମଧ୍ୟ କରିଥାଆନ୍ତି।
ପର୍ସନାଲିଟି ଡିସ୍ଅର୍ଡର କାରଣରୁ ଯୁବାବସ୍ଥାରେ ଲୋକମାନେ ଅତ୍ୟଧିକ ରାଗିଥାଆନ୍ତି। ଏହାସହିତ ସ୍କିଜୋଫ୍ରେନିଆ, ବାଇପୋଲାର ଆଫେକ୍ଟିଭ୍ ଡିସ୍ଅର୍ଡର ଥିଲେ ମଧ୍ୟ ବ୍ୟକ୍ତି ଅତ୍ୟଧିକ କ୍ରୋଧ ବା ରାଗିଥା’ନ୍ତି। ମୋଟାମୋଟି କହିବାକୁ ଗଲେ ରାଗ ଏକ ପ୍ରକାର ଲକ୍ଷଣ। ଏହା କୌଣସି ମାନସିକ ସମସ୍ୟା ଯୋଗୁଁ ହୋଇପାର କିମ୍ବା ଅଧିକ ନିଶା ସେବନ ଯୋଗୁଁ ବି ହୋଇପାରେ, ଯାହା ସେମାନଙ୍କ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ।
କ୍ରୋଧକୁ ନିୟନ୍ତ୍ରଣ କରିବେ କିପରି? (How to control anger in Odia)
ରାଗ ହେଉଛି ଏକ ସାଧାରଣ ଅବସ୍ଥା। ହେଲେ ଏହା ସୀମା ଅତିକ୍ରମ କରିଗଲେ, ତାହା ସାଧାରଣ ଜୀବନ ଉପରେ କୁପ୍ରଭାବ ପକାଇଥାଏ। ତେଣୁ ରାଗକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ରାଗକୁ ନିୟନ୍ତ୍ରଣ କରିବା ପାଇଁ କେତେକ ପଦ୍ଧତି ରହିଛି।
୧- ହଠାତ୍ ପ୍ରତିକ୍ରିୟା ଦିଅନ୍ତୁ ନାହିଁ – କୌଣସି ପରିସ୍ଥିତିରେ ବା କାହା ଆଗରେ ଆପଣଙ୍କୁ ରାଗ ଲାଗିଲେ, ସେହି ସମୟରେ ହଠାତ୍ ପ୍ରତିକ୍ରିୟା ନ ଦେଇ କିଛି ସମୟ ଚୁପ୍ ରହିଯାଆନ୍ତୁ। କିଛି ସମୟ ପରେ ଆପଣଙ୍କ କଥା ପରିପ୍ରକାଶ କରନ୍ତୁ। ଏହାଦ୍ଵାରା ସେହି ସମୟରେ ଆସୁଥିବା ରାଗ କମ୍ ହୋଇଥାଏ।
୨- କଥାବାର୍ତ୍ତାର ଶୈଳୀ ବଦଳାନ୍ତୁ – ଯଦି ଆପଣ ଏକ ଖରାପ ପରିସ୍ଥିତିର ସାମ୍ନା କରିବେ ବୋଲି ଭାବୁଛନ୍ତି ଏବଂ ଆପଣଙ୍କୁ ରାଗ ଲାଗିବ ବୋଲି ଅନୁମାନ କରୁଛନ୍ତି। ସେଭଳି ପରିସ୍ଥିତିରେ ନିଜର ବ୍ୟବହାରକୁ ବଦଳାନ୍ତୁ ଅର୍ଥାତ୍ ନିଜର କହିବା ଶୈଳୀକୁ ବଦଳାନ୍ତୁ। ଫଳରେ ସାମ୍ନା ଲୋକ ସେହି ପରିସ୍ଥିତିରେ ଆପଣଙ୍କ ଉପରେ ରାଗିବନି ଏବଂ ଆପଣଙ୍କ ମଧ୍ୟରେ ଯୁକ୍ତିତର୍କ ହେବାର ଆଶଙ୍କା କମିଯିବ।
ଅଧିକ ପଢ଼ନ୍ତୁ: ସାଇକୋସିସ୍ ରୋଗର କାରଣ କ’ଣ?
୩- ଶାନ୍ତ ରହନ୍ତୁ – ଯଦି ଆପଣଙ୍କୁ ହଠାତ୍ ରାଗ ଲାଗୁଛି, ସେହି ପରିସ୍ଥିତିରେ ବ୍ରିଦିଙ୍ଗ ଏକ୍ସରସାଇଜ୍ କରିପାରିବେ। ଅର୍ଥାତ୍ ଲମ୍ବା ଲମ୍ବା ପ୍ରଶ୍ଵାସ ନିଅନ୍ତୁ ଓ ଧୀରେ ଧୀରେ କରି ପାଟି ବାଟେ ନିଶ୍ୱାସ ଛାଡ଼ନ୍ତୁ। ରାଗ ଲାଗୁଥିବା ସମୟରେ ବ୍ରିଦିଙ୍ଗ ଏକ୍ସରସାଇଜ୍ କରିବା ଦ୍ୱାରା ରାଗ ନିୟନ୍ତ୍ରଣରେ ରହିଥାଏ।
୪- ରାଗ ଲାଗୁଥିବା ବେଳେ ସେହି ସ୍ଥାନକୁ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ। ଉଦାହରଣସ୍ବରୂପ – ଆପଣଙ୍କ ଘରେ କାହାସହ ଝଗଡ଼ା ହେଲେ ସେହି ରୁମ୍ ଛାଡ଼ି ଅନ୍ୟ ରୁମ୍କୁ ପଳାଇଯାଆନ୍ତୁ। ଏହାଦ୍ୱାରା ରାଗ ନିୟନ୍ତ୍ରଣରେ ରହିଥାଏ। ଏହାଛଡ଼ା ଯଦି ରାଗ ନିୟନ୍ତ୍ରଣ ହେଉନି ଏବଂ ସମସ୍ତ କଥା ମନରେ ଆନ୍ଦୋଳିତ ହେଉଛି, ତେବେ ମନ ଭିତରେ ୧୦୦ରୁ ୧ ପର୍ଯ୍ୟନ୍ତ ପଛୁଆ ଗଣନ୍ତୁ।
୫- ଗ୍ରାଉଣ୍ଡିଂ ପଦ୍ଧତି – ରାଗ ଲାଗୁଥିବା ସମୟରେ ଦେଖିପାରୁଥିବା ପାଞ୍ଚୋଟି ଜିନିଷ, ୪ଟି ଟେଷ୍ଟ କରିପାରୁଥିବା ଜିନିଷ, ତିନୋଟି ସ୍ମେଲ କରିପାରୁଥିବା ଜିନିଷ, ଦୁଇଟି ଶୁଣିପାରୁଥିବା ଜିନିଷ ଏବଂ ଗୋଟିଏ ଛୁଇଁପାରୁଥିବା ଜିନିଷକୁ କଳ୍ପନା କରନ୍ତୁ। ଏହାଦ୍ୱାରା ରାଗ ନିୟନ୍ତ୍ରଣରେ ରହିଥାଏ।
ଏସବୁ ପଦ୍ଧତି ଆପଣେଇବା ପରେ ବି ରାଗ ନିୟନ୍ତ୍ରଣରେ ନ ରହିଲେ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ। ରୋଗୀଙ୍କ ସମସ୍ୟାକୁ ଦେଖି ଡାକ୍ତର ରାଗ ନିୟନ୍ତ୍ରଣ କରିବା ପାଇଁ ଔଷଧ ଦେଇଥା’ନ୍ତି। ତା’ଛଡ଼ା କାଉନ୍ସେଲିଂ ମଧ୍ୟ କରିଥାଆନ୍ତି।
ଅନ୍ଧବିଶ୍ବାସରୁ ଦୂରେଇ ରହନ୍ତୁ (Stay away from superstation in Odia)
ଅଧିକାଂଶ ଲୋକଙ୍କର ଧାରଣା ଥାଏ ଯେ, ରାଗଜାତୀୟ ଖାଦ୍ୟ, ଆମିଷ ଖାଇବା ଦ୍ୱାରା କ୍ରୋଧ ବା ରାଗ ଆସିଥାଏ। ଖାଦ୍ୟ ସହ ରାଗର କୌଣସି ସାମଞ୍ଜସ୍ୟ ନାହିଁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସତ୍ୟକାମ ମହାପାତ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Anger Management, in Odia language, is based on an extensive interview with Psychiatrist Dr Satyakam Mohapatra.