କରୋନା ଟିକାକରଣକୁ ନେଇ ଏବେ ବି ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ରହିଛି। କେରାନା ଟିକା କ’ଣ? କିଏ ଟିକା ନେଇ ପାରିବେ, କିଏ ନେଇ ପାରିବେ ନାହିଁ? ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ରଙ୍କଠାରୁ ଆସନ୍ତୁ ଏବିଷୟରେ ଅଧିକ ଜାଣିବା।
ବର୍ତ୍ତମାନ ଓଡ଼ିଶାରେ ଦୁଇଟି ଟିକାର ବ୍ୟବସ୍ଥା ରହିଛି। କୋଭିସିଲ୍ଡ ଏବଂ କୋଭାକ୍ସିନ୍। କୋଭିସିଲ୍ଡ ୭୦ ପ୍ରତିଶତ ଭୂତାଣୁ ରୋକିବାରେ ସକ୍ଷମ। କୋଭିସିଲ୍ଡ ପ୍ରଥମ ଡୋଜ୍ ନେବାର ୨୧ ଦିନ ପରେ କୋଭିଡ୍ର ଗୁରୁତର ଲକ୍ଷଣ ଦେଖିବାକୁ ମିଳୁନାହିଁ।
ସେହିଭଳି କୋଭାକ୍ସିନ୍ ଭୂତାଣୁ ରୋକିବା ପାଇଁ ୮୧ % ସକ୍ଷମ। ବିଶେଷକରି କୋଭାକ୍ସିନ୍କୁ ନେଇ କେତେକ ପ୍ରଶ୍ନ ଉଠିଥିଲା। ହେଲେ ବର୍ତ୍ତମାନ ଜଣାପଡ଼ିଛି ଯେ, କୋଭାକ୍ସିନ୍ ଟିକା ଡବଲ ମ୍ୟୁଟାଣ୍ଟକୁ ରୋକିବାରେ ସମର୍ଥ। ଯଦି ଜଣେ କୋଭାକ୍ସିନ୍ ନେଇଛନ୍ତି, ତେବେ କୋଭିଡ୍ର ଡବଲ ମ୍ୟୁଟାଣ୍ଟ ଭାଇରସ୍ ସଂକ୍ରମଣ କରିବାର ଆଶଙ୍କା କମ୍। ଆଗାମୀ ଦିନରେ ଜନ୍ସନ୍ ଆଣ୍ଡ ଜନ୍ସନ୍ର ଫାଇଜର ଏବଂ ରୁଷିଆର ସ୍ପୁଟ୍ନିକ୍ ଭ୍ୟାକ୍ସିନ୍ ଆସିବାକୁ ଯାଉଛି।
ଟିକା ନେବା ନିହାତି ଜରୁରୀ। ପାଞ୍ଚ ଛଅ ମାସ ଭିତରେ ଯଦି ଅଧିକରୁ ଅଧିକ ଲୋକ ଟିକା ନେଇଥିବେ, ତାହାହେଲେ ହର୍ଡ ଇମ୍ୟୁନିଟି ତିଆରି ହୋଇଯାଇଥିବ, ଯାହା କୋଭିଡ୍କୁ ରୋକିବାରେ ବହୁତ ସହାୟକ ହେବ।
ଅଧିକ ପଢ଼ନ୍ତୁ: କୋଭିଡ୍ ଦ୍ୱିତୀୟ ଲହରୀ – ପଜିଟିଭ୍ ଥିଲେ କ’ଣ କରିବେ?
କେଉଁମାନେ ନେଇପାରିବେ କୋଭିଡ୍ ଟିକା? (Who Can Get the COVID Vaccine in Odia)
ବର୍ତ୍ତମାନ ଭାରତରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଭ୍ୟାକ୍ସିନ୍ ଉପଲବ୍ଧ ହୋଇଛି।
ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନ କରାଉଥିବା ମା’ମାନେ ଟିକା ନେଇପାରିବେ ନାହିଁ। ଏହାଛଡ଼ା ଗୁରତର ଆଲର୍ଜି ସମସ୍ୟା ଥିଲେ ଟିକା ନ ନେବା ଭଲ। ହୃଦ୍ରୋଗୀମାନେ ଯେଉଁମାନେ ଆଣ୍ଟିକୋଆଗୁଲାଣ୍ଟ ଡ୍ରଗ୍ସ ନେଉଛନ୍ତି, ସେମାନେ ଭ୍ୟାକ୍ସିନ୍ ନେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଯଦି କୌଣସି ଗୁରୁତର ରୋଗରେ ପୀଡ଼ିତ ଅଛନ୍ତି, ତେବେ ଭ୍ୟାକ୍ସିନ୍ ନେବା ପୂର୍ବରୁ ଡାକ୍ତରଙ୍କୁ ପରାମର୍ଶ କରିବା ନିହାତି ଜରୁରୀ।
ଅଧିକ ପଢ଼ନ୍ତୁ: କରୋନାରୁ ସୁସ୍ଥ ହେବା ପରେ ନିଜର କାର୍ଯ୍ୟକ୍ଷମତା ବୃଦ୍ଧି କରିବେ କିପରି?
ଟିକା ନେବା ପରେ ବି ସତର୍କ ରହନ୍ତୁ (Precaution after vaccination in Odia)
ସିଡିସିର ଗାଇଡ୍ଲାଇନ୍ ଅନୁସାରେ, ଆପଣ ଯଦି ଡବଲ ଡୋଜ ଟିକା ନେଇସାରିଛନ୍ତି ଏବଂ ଆପଣଙ୍କର ଗ୍ରୁପ୍ରେ ୧୦ ଜଣ ଯାକ ଡବଲ ଡୋଜ୍ ଭ୍ୟାକ୍ସିନ୍ ନେଇସାରିଛନ୍ତି, ତେବେ ଆପଣ ଗୋଟେ ରୁମ୍ରେ ବିନା ମାସ୍କରେ ତଥା ବିନା ସାମାଜିକ ଦୂରତାରେ ବସିପାରିବେ। କିନ୍ତୁ, ଯଦି ବାହାରକୁ ଯାଉଛନ୍ତି ତାହେଲେ ମାସ୍କ ପିନ୍ଧିବାକୁ ପଡ଼ିବ, ସାମାଜିକ ଦୂରତା ପାଳନ କରିବାକୁ ହେବ।
ଟିକା ନେବା ପରେ ବି ସଂକ୍ରମଣ ହେବାର ଆଶଙ୍କା ରହିଛି। ହଁ, ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣବିହୀନ ହୋଇପାରେ। ହେଲେ ଆପଣଙ୍କଠାରୁ ଅନ୍ୟମାନଙ୍କୁ ଯେପରି ନ ବ୍ୟାପେ, ସେଥିପାଇଁ ମାସ୍କ ପିନ୍ଧିବା ଜରୁରୀ, ସାମାଜିକ ଦୂରତା ପାଳନ କରିବା ଜରୁରୀ ଏବଂ ହାତ ଧୋଇବା ଜରୁରୀ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ନିରୋଜ କୁମାର ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on COVID Vaccination, in Odia language, is based on an extensive interview with medicine specialist Dr Niroj Kumar Mishra.