କରୋନାର ଦ୍ୱିତୀୟ ଲହର ଭୟଙ୍କର ହେବାରେ ଲାଗିଛି। ରାଜ୍ୟରୁ କିଛିଦିନ ହେବ ଲଗାତାର ୬ହଜାରରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍ ଚିହ୍ନଟ ହେଉଥିବାବେଳେ, ଆଜି ପ୍ରଥମଥର ପାଇଁ ରେକର୍ଡ ସଂଖ୍ୟକ ପଜିଟିଭ୍ ହୋଇଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୮୩୮୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର ୪୭୮୧ ଜଣ ହୋଇଥିବାବେଳେ, ୩୬୦୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୨ହଜାର ମୁହାଁ ହେଲେଣି। ଆଜିର ତଥ୍ୟ ଅନୁସାରେ ସର୍ବାଧିକ ୧୮୪୦ ପଜିଟିଭ୍ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୯୩୩, କଟକରୁ ୪୯୬, ଝାରସୁଗୁଡ଼ାରୁ ୪୩୩, ନବରଙ୍ଗପୁରରୁ ୩୮୮, ବଲାଙ୍ଗୀରରୁ ୩୫୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହିଭଳି ଭାବରେ ସବୁ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି।
ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୪ଲକ୍ଷ ୨୮ହଜାର ୫୧୫ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୪୦୮୯ ଜଣଙ୍କୁ ମିଶାଇ ସମୁଦାୟ ୩ଲକ୍ଷ ୭୧ହଜାର ୨୦୦ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ୫୫ହଜାର ୨୪୫ ଟି ଆକ୍ଟିଭ କେସ୍ ରହିଛି।
ଅନ୍ୟପଟେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୂତାବକ ଆଜି ରାଜ୍ୟରେ ୧୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ବୌଦ୍ଧରୁ ଜଣେ, ଗଞ୍ଜାମରୁ ଜଣେ, ଖୋର୍ଦ୍ଧାରୁ ଜଣେ, ପୁରୀରୁ ୩ଜଣ, ରାୟଗଡ଼ାରୁ ୩ଜଣ ଓ ସୁନ୍ଦରଗଡ଼ରୁ ଜଣେ ରହିଛନ୍ତି। ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ଏହି ମୃତକମାନଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୧୭ ରେ ପହଞ୍ଚିଛି।
ସୌଜନ୍ୟ: ଓଡ଼ିଶାଲାଇଭ୍