ଗର୍ଭାବସ୍ଥାରେ ଅଲ୍ଟ୍ରାସାଉଣ୍ଡର ଗୁରୁତ୍ୱ କେତେ? ଅଲଟ୍ରାସାଉଣ୍ଡ କେତେ ସୁରକ୍ଷିତ? ଏନେଇ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର କୋକିଳା ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
- ଗର୍ଭାବସ୍ଥାରେ ଅଲଟ୍ରାସାଉଣ୍ଡର ଗୁରୁତ୍ୱ
- ଗର୍ଭାବସ୍ଥାରେ ଅଲଟ୍ରାସାଉଣ୍ଡ କେତେଥର କରାଯାଏ?
- ଅଲଟ୍ରାସାଉଣ୍ଡ କେତେ ପ୍ରକାର ଓ କେମିତି ହୁଏ?
ଅଲଟ୍ରାସାଉଣ୍ଡ ହେଉଛି ଏକ ପ୍ରକାର ଶବ୍ଦ ତରଙ୍ଗ (Sound Waves)। ଏହା କୌଣସି ଏକ୍ସରେ ରେଡିଏସନ୍ ନୁହେଁ। ଅଲଟ୍ରାସାଉଣ୍ଡ କରିବା ବେଳେ ଗୋଟିଏ ମେସିନ୍ ବ୍ୟକ୍ତିଙ୍କ ଶରୀର ଉପରେ ରଖାଯାଏ, ସେଥିରେ ଶବ୍ଦ ତରଙ୍ଗ ହୁଏ। ସେହି ତରଙ୍ଗ ଦେହର ଟିସ୍ୟୁ ବାଟେ ଦେଇ ଏକ ଛବି ସୃଷ୍ଟିକରେ। ସେହି ଛବିକୁ ଅଲଟ୍ରାସାଉଣ୍ଡ ଛବି ବୋଲି କୁହାଯାଏ।
ଗର୍ଭାବସ୍ଥାରେ ଅଲଟ୍ରାସାଉଣ୍ଡର ଗୁରୁତ୍ୱ (Importance of ultrasound in Pregnancy in Odia)
ପୂର୍ବରୁ ଯେତେବେଳେ ମହିଳାମାନେ ଗର୍ଭାବସ୍ଥାରେ ସ୍ଵାସ୍ଥ୍ୟପରୀକ୍ଷା ପାଇଁ ଡାକ୍ତରଖାନା ଯାଉଥିଲେ, ସେତେବେଳେ ଉଚ୍ଚତା, ଓଜନ ଏବଂ ଷ୍ଟେଥୋସ୍କୋପ୍ ସାହାଯ୍ୟରେ ଗର୍ଭସ୍ଥ ଶିଶୁର ହୃଦ୍ସ୍ପନ୍ଦନ ଅନୁମାନ କରାଯାଉଥିଲା। ହେଲେ ବର୍ତ୍ତମାନ ସମୟରେ ଅଲଟ୍ରାସାଉଣ୍ଡ ଦ୍ଵାରା ବହୁତ କିଛି ଜାଣି ହେଉଛି।
ଅଲଟ୍ରାସାଉଣ୍ଡ ଦ୍ୱାରା ଶିଶୁର ସମ୍ପୂର୍ଣ୍ଣ ବିକାଶ ଓ ମା’ର ସ୍ୱାସ୍ଥ୍ୟ ବିଷୟରେ ସବିଶେଷ ତଥ୍ୟ ଜାଣିହୁଏ।
ଅଧିକ ପଢ଼ନ୍ତୁ: ଋୁତୁଚକ୍ର ବେଳେ ଅତ୍ୟଧିକ ରକ୍ତସ୍ରାବ ହେଉଛି କି? ହୋଇପାରେ ‘ମେନୋରେଜିଆ’
ଗର୍ଭାବସ୍ଥାରେ ଅଲଟ୍ରାସାଉଣ୍ଡ କେତେଥର କରାଯାଏ? (How often is an ultrasound performed during pregnancy)
ଗର୍ଭାବସ୍ଥାର ପର୍ଯ୍ୟାୟକୁ ତିନି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ତ୍ରୟମାସ, ଦ୍ୱିତୀୟ ତ୍ରୟମାସ, ତୃତୀୟ ତ୍ରୟମାସ।
ଗର୍ଭାବସ୍ଥାର ପ୍ରଥମ ତିନିମାସ, ଦ୍ୱିତୀୟ ତିନିମାସ ଓ ତୃତୀୟ ତିନିମାସରେ ଅଲଟ୍ରାସାଉଣ୍ଡ କରିବା ଦ୍ୱାରା ଯଦି ଶିଶୁର ବିକାଶରେ କୌଣସି ଅସୁବିଧା ହୁଏ, ତାହା ଜାଣିହୁଏ। ଅଲଟ୍ରାସାଉଣ୍ଡ କରିବାର ମୁଖ୍ୟ କାରଣ ହେଉଛି, ଯେପରି ଜଣେ ମହିଳା ସୁସ୍ଥ ଶିଶୁ ଜନ୍ମ କରିପାରିବ।
ପ୍ରଥମ ତିନି ମାସରେ ଅଲଟ୍ରାସାଉଣ୍ଡ କରି ପିଲାର ହୃଦ୍ସ୍ପନ୍ଦନ ଆସିଛି କି ନାହିଁ ଜାଣିହୁଏ। ଦ୍ୱିତୀୟ ତ୍ରୟମାସରେ ଟିଫା ଅଲଟ୍ରାସାଉଣ୍ଡ କରାଯାଏ। ଏଥିରେ ପିଲାର ହାତ, ଗୋଡ଼ ଛାଡ଼ିକି ଅନ୍ୟାନ୍ୟ ସମସ୍ୟା ଯେପରିକି ଶିଶୁର ହାର୍ଟ ସମସ୍ୟା ଥାଇପାରେ, କିଡ୍ନି ସମସ୍ୟା ଥାଇପାରେ, ମସ୍ତିଷ୍କର ବିକାଶରେ ସମସ୍ୟା ଥାଇପାରେ, ପିଲାର ସମସ୍ତ ବିକାଶ ଜାଣିହୁଏ। ଏହି ପର୍ଯ୍ୟାୟରେ ଜାଣିହେବ ଯେ, ପିଲା ସୁସ୍ଥ ଅଛି କି ନାହିଁ।
ଶେଷ ତ୍ରୟମାସରେ ପିଲାର ଓଜନ ସଠିକ୍ ଭାବେ ବୃଦ୍ଧି ହେଉଛି କି ନାହିଁ, ପିଲା ଗର୍ଭର କେଉଁ ସ୍ଥାନରେ ଅଛି, ତାହା ଜଣାପଡ଼େ।
ଗର୍ଭାବସ୍ଥାର ୯ ମାସ ଅଲଟ୍ରାସାଉଣ୍ଡ କରିବା ଦ୍ୱାରା ଅନୁମାନ କରାଯାଇପାରିବ ଯେ, ମହିଳାଙ୍କର ସାଧାରଣ ପ୍ରସବ ହୋଇପାରିବ ନାହିଁ। କିନ୍ତୁ, ଅଲଟ୍ରାସାଉଣ୍ଡ ରିପୋର୍ଟ ସବୁ ସଠିକ୍ ଥିଲେ, ତଥାପି କହିହେବନି ଯେ, ମହିଳାଙ୍କର ସାଧାରଣ ପ୍ରସବ ହେବ ନା ସିଜରିଆନ୍ ପ୍ରସବ ହେବ।
ଅଲଟ୍ରାସାଉଣ୍ଡ ସମ୍ପୂର୍ଣ୍ଣ ସୁରକ୍ଷିତ। ଏହା କୌଣସି ରେଡିଏସନ୍ ନୁହେଁ, ଏହା ଶବ୍ଦ ତରଙ୍ଗ।
ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ମହିଳାଙ୍କଠାରେ ଦେଖାଦିଏ ଅନେକ ସ୍ୱାସ୍ଥ୍ୟ ସମସ୍ୟା, କେମିତି କରିବେ ସମାଧାନ
ଅଲଟ୍ରାସାଉଣ୍ଡ କେତେ ପ୍ରକାର ଓ କେମିତି ହୁଏ? (What are the types of ultrasound and how in Odia)
ଅଲଟ୍ରାସାଉଣ୍ଡ କରିବା ପୂର୍ବରୁ ମହିଳାଙ୍କୁ ପାଣି ପିଇବାକୁ ପରାମର୍ଶ ଦିଆଯାଏ। ପାଣି ହେଉଛି ଏକ ମାଧ୍ୟମ, ଯେଉଁଥିରେ ଶବ୍ଦ ତରଙ୍ଗ ଗଲେ ଭଲ ଛବି ସୃଷ୍ଟି ହୁଏ।
ଗୋଟେ ଅଲଟ୍ରାସାଉଣ୍ଡ ପେଟ ଉପରେ କରାଯାଏ ଓ ଅନ୍ୟଟି ଟ୍ରାନ୍ସ ଭଜାଇନାଲ ଅଲଟ୍ରାସାଉଣ୍ଡ। ଏହି ଅଲଟ୍ରାସାଉଣ୍ଡ ଭାଜିନା ଦ୍ୱାର ଦେଇ କରାଯାଏ।
ଆଉ ଏକ ଅଲଟ୍ରାସାଉଣ୍ଡ ହେଲା ଡପଲର ଅଲଟ୍ରାସାଉଣ୍ଡ। ଏହି ଅଲଟ୍ରାସାଉଣ୍ଡ ଦ୍ୱାରା ପିଲାର ରକ୍ତସଞ୍ଚାଳନ କେମିତି ହେଉଛି, ପିଲା ଅମ୍ଳଜାନ ପାଉଛି କି ନାହିଁ ତାହା ଜାଣିହୁଏ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର କୋକିଳା ଦାସଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Ultrasound in Odia language, is based on an extensive interview with a Obstetrician and Gynaecologist Dr Kokila Das.