ଦ୍ୱିତୀୟ ଲହର କରୋନା ସଂକ୍ରମଣକୁ ନେଇ ସତର୍କ କରାଇଲେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ।
ଦେଶରେ ଦ୍ୱିତୀୟ ଲହରରେ କରୋନା ଅଧିକ ସଂକ୍ରମକ ହୋଇପଡ଼ିଛି। ଏବେ ଦୈନିକ ସଂକ୍ରମଣ ୩ ଲକ୍ଷ ମୁହାଁ ହୋଇଛି। ଦେଶରେ ଏହି ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିବା ସହିତ କାହିଁକି ଦେଶରେ ଦ୍ରୁତଗତିରେ ସଂକ୍ରମଣ ବଢ଼ୁଛି କହିଛନ୍ତି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ।
ଦେଶରେ କରୋନା ଅଧିକ ସଂକ୍ରାମକ ହେବାର ୨ଟି କାରଣ ରହିଛି ବୋଲି କହିଛନ୍ତି ରଣଦୀପ ଗୁଲେରିଆ। ପ୍ରଥମ କାରଣ ହେଉଛି, ଜାନୁଆରୀ/ଫେବ୍ରୁଆରି ମାସରେ ଟିକାକରଣ ଆରମ୍ଭ ହୋଇଥିଲା। ଟିକା ନେଲେ ଆଉ କରୋନା ହେବ ନାହିଁ ବୋଲି ଲୋକ ଭାବୁଥିଲେ। ତେଣୁ ଟିକାକରଣ ଆରମ୍ଭ ହେବା ପରେ କୋଭିଡ ନିୟମାବଳୀ ଲୋକେ ଆଉ ମାନିନଥିଲେ, ଯାହାଫଳରେ କରୋନା ଦ୍ରୁତଗତିରେ ମାଡ଼ି ଚାଲିଛି ବୋଲି କହିଛନ୍ତି କରୋନା ସଂକ୍ରମଣ।
ଅନ୍ୟ ଏକ କାରଣ ଦର୍ଶାଇ ଡାକ୍ତର ଗୁଲେରିଆ କହିଛନ୍ତି,‘‘ଯେତେବେଳେ ଦେଶରେ କରୋନା ସଂକ୍ରମଣ ବଢ଼ଛି ସେହିସମୟରେ ଅନେକ ରାଜ୍ୟରେ ଧାର୍ମିକ କାର୍ଯ୍ୟ, ସଭାସମିତି, ନିର୍ବାଚନମାନ ହେଉଛି, ଯେଉଁଠାରେ କୋଭିଡ ନିୟମ ପାଳିତ ହେଉନାହିଁ। ଲୋକେ ମାସ୍କ ପିନ୍ଧୁ ନାହାନ୍ତି କି ସାମାଜିକ ଦୂରତା ରଖୁନାହାନ୍ତି। ଫଳରେ କରୋନା ବଢ଼ୁଛି’’।
ଅନ୍ୟପଟେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ଯୁବବର୍ଗ କରୋନାକୁ ନେଇ ଯତ୍ନବାନ ନାହାନ୍ତି। ଏହାକୁ ଏକ ସାଧାରଣ ଥଣ୍ଡା ଜ୍ୱର ବୋଲି ସେମାନେ ଭାବୁଛନ୍ତି। ହେଲେ ଏହି ଦ୍ୱିତୀୟ ଲହରରେ ଯୁବଗୋଷ୍ଠୀଙ୍କ ଉପରେ ଅଧିକ ଭୟ ରହିଛି। ତେଣୁ ଯୁବବର୍ଗ ସତର୍କ ରହିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି।
ଦ୍ୱିତୀୟ ଲହରର ମୁକାବିଲା ପାଇଁ ବାଟ
ଦ୍ୱିତୀୟ ଲହର ସଂକ୍ରମଣ ସହ ଲଢ଼ିବା ପାଇଁ ଦ୍ୱିତୀୟ ଲହରର ମୁକାବିଲା ପାଇଁ ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ୩ଟି ପ୍ରମୁଖ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି। ଏଗୁଡ଼ିକ ହେଉଛି କଣ୍ଟେନମେଣ୍ଟ ଜୋନ୍ ଘୋଷଣା। ଭିଡ଼ କମାଇବା ଓ ଟିକାକରଣକୁ ତ୍ୱରାନ୍ୱିତ କରିବା।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୁର୍ବ ଅପେକ୍ଷା କରୋନା ବେଶୀ ସାଂଘାତିକ ହେଉଛି। ତେଣୁ ସମସ୍ତଙ୍କୁ ଅଧିକ ସଚେତନ ରହିବାକୁ ପଡ଼ିବ। ଦ୍ୱିତୀୟ ଲହର ଅଧିକ ଭୟଙ୍କର। କିନ୍ତୁ ଏହାସତ୍ତ୍ୱେ ଲୋକମାନେ ଏବେ ବିନା ଭୟରେ ବାହାରକୁ ଯାଉଛନ୍ତି ଏବଂ ସଂକ୍ରମଣ ବଢ଼ୁଛି।
ଦେଶରେ ରେକର୍ଡ ଭାଙ୍ଗୁଛି କରୋନା
ଦିନକୁ ଦିନ ଦେଶରେ ଅସମ୍ଭାଳ ହେଉଛି କରୋନା ପରିସ୍ଥିତି। ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଦିନକରେ ରେକର୍ଡ ସଂଖ୍ୟକ ୨ଲକ୍ଷ ୭୩ହଜାର ୮୧୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ସଂକ୍ରମିତଙ୍କ ସଂଖ୍ୟା ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗୋଟିଏ ଦିନରେ କରୋନାରେ ୧୬୧୯ ଜଣଙ୍କ ମୃତ୍ୟୁ ହୋଇଛି।
ସୌଜନ୍ୟ: ଓଡ଼ିଶାଲାଇଭ୍