ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ, ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ପୂର୍ବ ଅପେକ୍ଷା ଚଳିତ ବର୍ଷ କରୋନା ମହାମାରୀ ଭୟଙ୍କର ହେବାରେ ଲାଗିଛି। ଦୈନିକ ସଂକ୍ରମଣ ଦୁଇଗୁଣା ବୃଦ୍ଧି ପାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୂତାବକ, ଗତ ୨୪ଘଣ୍ଟା ମଧ୍ୟରେ ୨ଲକ୍ଷ ୭୩୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟାରେ ବି ବୃଦ୍ଧି ଘଟୁଛି। ସୂଚନା ଅନୁସାରେ ୧୦୩୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

ନୂଆ ପଜିଟିଭ୍‌କୁ ମିଶାଇ ସମୁଦାୟ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪୦ ଲକ୍ଷ ୭୪ ହଜାର ୫୬୪ ରେ ପହଞ୍ଚିଛି। ନୂଆ ମୃତକଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୩ ହଜାର ୧୨୩ ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଥିବା ୯୩ହଜାର ୫୨୮ ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ଦେଶରେ ୧କୋଟି ୨୪ଲକ୍ଷ ୨୯ହଜାର ୫୬୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏଯାବତ୍ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ଲକ୍ଷ ୭୧ହଜାର ୮୭୭ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ୧୧କୋଟି ୪୪ଲକ୍ଷ ୯୩ହଜାର ୨୩୮ ହିତାଧିକାରୀଙ୍କୁ ଟିକା ଦିଆସରିଛି। ବିଶ୍ୱରେ କରୋନା ସଂକ୍ରମଣରେ ଆମେରିକା ପ୍ରଥମ ସ୍ଥାନରେ ରହିଥିବାବେଳେ, ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ମହାରାଷ୍ଟ୍ରରୁ ପ୍ରତିଦିନ ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏଥିସହ କୁମ୍ଭ ମେଳା ଓ ନିର୍ବାଚନ ପ୍ରଚାର ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି। ଛତିଶଗଡ଼, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଦିଲ୍ଲୀ, ମଧ୍ୟ ପ୍ରଦେଶ, ତାମିଲନାଡୁ, କେରଳ, ରାଜସ୍ଥାନ ଓ ଗୁଜରାଟରେ ଦୈନିକ ସଂକ୍ରମଣ ଅଧିକ ରହିଛି।