ଅଟିଜିମ୍‌ ହେଲେ ପିଲାର ବୁଦ୍ଧିର ବିକାଶ ହେବାରେ ଅସୁବିଧା ହୋଇଥାଏ। ଅଟିଜିମ୍‌ ବା ସ୍ୱପରାୟଣତା କ’ଣ? ଏହା ହେବାର କାରଣ କ’ଣ? ଏନେଇ ସ୍ପିଚ୍‌ ଲାଙ୍ଗୁଏଜ୍‌ ପାଥୋଲୋଜିଷ୍ଟ ଡାକ୍ତର ସ୍ମରଣିକା ମିଶ୍ର କ’ଣ କହୁଛନ୍ତି, ଜାଣନ୍ତୁ।

ଅଟିଜିମ୍ ମାନସିକ ରୋଗ ନୁହେଁ। ଅଟିଜିମ୍‌ ସ୍ପେକ୍ଟ୍ରମ୍‌ ଡିସ୍‌ଅର୍ଡର ବା ସ୍ଵପରାୟଣତା ହେଉଛି ମସ୍ତିଷ୍କର ବିକାଶ ସହିତ ଜଡ଼ିତ ଏକ ଅବସ୍ଥା। ଅଟିଜିମ୍‌ ସମସ୍ୟାରେ ପୀଡ଼ିତ ପିଲା ନିଜ ଦୁନିଆରେ ରହିବାକୁ ପସନ୍ଦ କରନ୍ତି, ଯାହା ତା’ର ସାମାଜିକ ଚାଲିଚଳନ ଉପରେ ପ୍ରଭାବ ପକାଇଥାଏ।ଫଳରେ ସେ ଅନ୍ୟମାନଙ୍କ ସହିତ ମିଳାମିଶା କରିବାରେ ତଥା ଅନ୍ୟମାନଙ୍କ ସହ କଥାବାର୍ତ୍ତା ଏବଂ ଯୋଗାଯୋଗରେ ସମସ୍ୟା ସୃଷ୍ଟି ହୋଇଥାଏ। ଏହାସହ ସେ ନିଜର ଭାବନା ଅନ୍ୟ କାହା ସହ ବାଣ୍ଟିପାରେ ନାହିଁ।

ପିଲାକୁ ଅଟିଜିମ୍ ହେବାର କାରଣ କ’ଣ? (What causes a child to have Autism in Odia)

ଅଟିଜିମ ସ୍ପେକ୍ଟ୍ରମ ଡିସଅର୍ଡରର କୌଣସି ଜଣାଶୁଣା କାରଣ ନାହିଁ। ଉଭୟ ଜେନେଟିକ ଏବଂ ପରିବେଶଗତ କାରଣ ଯୋଗୁଁ ଏପରି ସମସ୍ୟା ଦେଖାଯାଇଥାଏ।

କେତେକ କ୍ଷେତ୍ରରେ ଜନ୍ମରୁ ଏହି ସମସ୍ୟା ଦେଖାଦେଇପାରେ ଏବଂ ଅନ୍ୟ କେତେକ କ୍ଷେତ୍ରରେ ବର୍ଷେରୁ ଦେଢ଼ ବର୍ଷ ଭିତରେ ପିଲାଠାରେ କୌଣସି ଲକ୍ଷଣ ନଥିବ କିନ୍ତୁ ଏହାପରେ ପିଲାଠାରେ ଲକ୍ଷଣ ପରିଲିକ୍ଷିତ ହୋଇଥାଏ।

ଗର୍ଭାବସ୍ଥାରେ ଡାକ୍ତରଙ୍କ ବିନା ପରାମର୍ଶରେ କେତେକ ଔଷଧର ସେବନ ବା ବିଳମ୍ବରେ ପିଲା ଜନ୍ମ ପାଇଁ ଗର୍ଭନିରୋଧକ ବଟିକା ଖାଇବା କିମ୍ବା ମଦ୍ୟପାନ, ଧୂମପାନ ଭଳି ମାଦକଦ୍ରବ୍ୟ ସେବନ ଦ୍ୱାରା ଗର୍ଭସ୍ଥ ଶିଶୁର ବିକାଶରେ ଅସୁବିଧା ହୋଇପାରେ।

ଏଥିସହ ଜେନେଟିକ୍‌ କାରଣ ଯୋଗୁଁ ମଧ୍ୟ ପିଲାଠାରେ ଅଟିଜିମ୍‌ ସ୍ପେକ୍ଟ୍ରମ୍‌ ଡିସ୍‌ଅର୍ଡର ହୋଇଥାଏ।

ଆଜିକାଲି ବହୁ ଲୋକ କାମକାର୍ଯ୍ୟ ପାଇଁ ପରିବାରଠୁ ଦୂରରେ ରହୁଛନ୍ତି। ବର୍ତ୍ତମାନ ପୁରୁଷ ଓ ମହିଳା ଉଭୟ ଚାକିରି କରୁଛନ୍ତି। ଫଳରେ ତାଙ୍କ ପିଲା ଘରେ ଏକୁଟିଆ ରହୁଛି। ପିଲା ସହ କଥାବାର୍ତ୍ତା ହେବା ପାଇଁ ସମୟ ବିତାଇବା ପାଇଁ ପାଖରେ କେହି ରହୁନାହାନ୍ତି। ଏହାସହ କେତେକ ଲୋକ ନିଜ ଜନ୍ମଭୂମି ଛାଡ଼ି ବିଦେଶରେ ବସବାସ କରୁଛନ୍ତି ଓ ସେମାନଙ୍କ ପିଲା ଘରେ ଗୋଟେ ଭାଷାରେ କଥା ହେଉଥିବ ଓ ବାହାରେ ଭାଷା ଅଲଗା, ଫଳରେ ପିଲା କେଉଁ ଭାଷାରେ କଥା ହେବ ସେନେଇ ଦ୍ୱନ୍ଦ୍ୱରେ ପଡ଼ିଥାଏ।

ବର୍ତ୍ତମାନ ପିଲାମାନେ ମୋବାଇଲ, କମ୍ପ୍ୟୁଟର, ଟିଭି ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି। ପିଲା କାନ୍ଦିଲେ, ପିଲା ହଇରାଣ କଲେ ବାପାମା’ମାନେ ପିଲାକୁ ମୋବାଇଲ ଧରାଇଦେଉଛନ୍ତି। ଫଳରେ ପିଲା ଦିନକୁ ୬ରୁ ୭ ଘଣ୍ଟା ଧରି ମୋବାଇଲରେ ବ୍ୟସ୍ତ ରହୁଛି। ଏହାଯୋଗୁଁ ପିଲା କାହାସହ କଥାବାର୍ତ୍ତା କରିପାରିଲା ନାହିଁ। ଧୀରେ ଧୀରେ ପିଲା ମୋବାଇଲ ପ୍ରତି ଆକର୍ଷିତ ହୁଅନ୍ତି।

ଅଟିଜିମର ଲକ୍ଷଣ କ’ଣ? (Symptoms of Autism in Odia)

ବୟସ ଅନୁଯାୟୀ ଅଟିଜିମ୍‌ର ଲକ୍ଷଣ ଭିନ୍ନ ଭିନ୍ନ। ପିଲାର ଅଟିଜିମ୍‌ ସମସ୍ୟା ଅଛି କି ନାହିଁ, ତାହା ଆମେ ତିନିମାସରୁ ବି ଜାଣିପାରିବା।

ସାଧାରଣତଃ ଚାରି ପାଞ୍ଚ ମାସରୁ ପିଲାକୁ ଡାକିଲେ ପିଲା ବୁଲିକି ଚାହାନ୍ତି, ହସନ୍ତି ଏବଂ ଛଅମାସ ବେଳକୁ ପିଲା ବାବାବା… ମାମାମା… କହିପାରନ୍ତି। ହେଲେ ଅଟିଜିମ୍‌ ଥିଲେ ପିଲା କୌଣସି ଶବ୍ଦ ଉଚ୍ଚାରଣ କରିବ ନାହିଁ।  

ଅଟିଜିମ୍ ସମସ୍ୟା ଥିଲେ ପିଲା ଗୋଟେ ସ୍ଥାନରେ ଅଧିକ ସମୟ ପାଇଁ ବସିପାରେ ନାହିଁ। ଏପଟସେପଟ ହୋଇଥାଏ।

ଗୋଟେ କାମକୁ ବାରମ୍ବାର କରେ।

ଖାଲି ଖାଲିରେ ଶବ୍ଦ କରୁଥିବ, ଚିଲେଇବ।

ରାଗିଗଲେ ଜିନିଷପତ୍ର ଫୋପାଡ଼ିବାକୁ ଲାଗିବ।

କାହିଁକି ବଢ଼ୁଛି ଅଟିଜିମ୍ (Why is Autism on the rise in Odia)

ଆଗରୁ ବହୁତ କମ୍ ପରିମାଣରେ ଅଟିଜିମ୍ ଡିସ୍ଅର୍ଡର ହେଉଥିଲା। ଏବେ ଅଟିଜିମ୍ର ମାତ୍ରା ଅଧିକ ମାତ୍ରାରେ ଦେଖାଦେଉଛି। ଏହାର କାରଣ ହେଲା ବର୍ତ୍ତମାନର ଲାଇଫଷ୍ଟାଇଲ। ଆଜିକାଲି ପିଲାମାନେ ମୋବାଇଲର ବ୍ୟବହାର ବେଶି ମାତ୍ରାରେ କରୁଛନ୍ତି ଏବଂ ସାମାଜିକ ବ୍ୟବହାର କମ୍ ମାତ୍ରାରେ କରୁଛନ୍ତି।

ଅଟିଜିମ୍ ପରୀକ୍ଷଣ କେମିତି ହୁଏ? (How is Autism tested in Odia)

ଅଟିଜିମ୍ ସମସ୍ୟା ଝିଅମାନଙ୍କ ଅପେକ୍ଷା ପୁଅମାନଙ୍କ କ୍ଷେତ୍ରରେ ଅଧିକ ଦେଖାଦିଏ। ଅଟିଜିମ୍ ସମସ୍ୟା ଅଛି କି ନାହିଁ ଜାଣିବା ପାଇଁ ବାପାମା’ଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଯଦି ପିଲାର ବ୍ୟବହାରରେ କୌଣସି ପରିବର୍ତ୍ତନ ଦେଖାଦିଏ, ତାହାହେଲେ ଶିଶୁ ବିଶେଷଜ୍ଞଙ୍କ ପାଖକୁ ନିଅନ୍ତୁ। ଶିଶୁ ବିଶେଷଜ୍ଞ ଶିଶୁର ସମସ୍ୟାକୁ ଦେଖି ସ୍ପିଚ୍ ଲାଙ୍ଗୁଏଜ୍ ସ୍ପେସିଆଲିଷ୍ଟ ପାଖକୁ ପଠାନ୍ତି। ଡାକ୍ତରମାନେ ବିଭିନ୍ନ ଥେରାପି କରି ପିଲାର ବ୍ୟବହାର ଓ ସାମାଜିକ ଚାଲିଚଳନ ଉପରେ କାମ କରାଯାଏ।

ଅଟିଜିମର ଚିକିତ୍ସା କେମିତି ହୁଏ? (Treatments of Autism in Odia)

ଅଟିଜିମ୍ ଡିସ୍ଅର୍ଡରର ଚିକିତ୍ସା ୨ ବର୍ଷରୁ ଆରମ୍ଭ କରିବା ଦରକାର। ଅଧିକାଂଶ ଅଭିଭାବକ ଭାବନ୍ତି ଅଟିଜିମ୍ ଚିକିତ୍ସା ବହୁତ ସମୟ ଧରି ହୋଇଥାଏ। ତେଣୁ ସେମାନେ ଅଧାରୁ ଥେରାପି ବନ୍ଦ କରିଦିଅନ୍ତି। ସଠିକ୍ ବୟସରୁ ପିଲାର ଥେରାପି କରାଗଲେ ପିଲା ସାଧାରଣ ପିଲାଙ୍କ ଭଳି ଜୀବନଯାପନ କରିପାରିବ। ଯଦି ୫ ବର୍ଷ ପରେ ଅଟିଜିମ୍ ପିଲାର ଥେରାପି କରୁଛନ୍ତି, ତା’ର ସ୍ପିଚ୍ ଆସିବାରେ ବହୁତ ବିଳମ୍ବ ହୋଇଥାଏ। ଏଥିରେ ଡାକ୍ତର ଓ ବାପାମା’ଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସ୍ମରଣିକା ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Autism in Odia, is based on an extensive interview with Speech-Language Pathologist Dr Smaranika Mishra.