ସ୍ୱାସ୍ଥ୍ୟପ୍ଲସ୍ ସମ୍ପାଦକୀୟ
କୋଭିଡ ପୂର୍ବବର୍ତ୍ତୀ ସମୟରେ ବିଶ୍ୱକୁ ଟିକା ଯୋଗାଉଥିଲା ଭାରତ। ସାରା ପୃଥିବୀର ଟିକା ଚାହିଦାର ପ୍ରାୟ ୬୦% ଉତ୍ପାଦନ ସମ୍ଭାଳି ନେଉଥିଲା ଆମ ଦେଶ। କିନ୍ତୁ ଆଜି ଭାରତରେ ଟିକା ଅବସ୍ଥା ଏକ ପ୍ରକାର ଅସମ୍ଭାଳ ସ୍ଥିତିରେ ପହଞ୍ଚିଛି। ଏଥିପାଇଁ ଦାୟୀ କିଏ?
ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ), ଭାରତର ଏକ ଘରୋଇ କମ୍ପାନି। ଏହା ହେଉଛି ବିଶ୍ୱର ବୃହତ୍ତମ ଟିକା ଉତ୍ପାଦନକାରୀ ସଂସ୍ଥା। ଏହା ପ୍ରତି ବର୍ଷ ପ୍ରାୟ ୧୫୦ କୋଟି ଡୋଜ୍ ଟିକା ତିଆରି କରିଥାଏ। କୋଭିଡ ମହାମାରୀ ସମୟରେ ସାରା ବିଶ୍ୱ ତଥା ଭାରତବାସୀଙ୍କୁ ଟିକା ଯୋଗାଇବା ପାଇଁ ଭାରତ ହିଁ ଆଶା ସଞ୍ଚାର କରିଥିଲା। ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାବେ ପରିଚିତ ଆମ ଦେଶ ‘ଭ୍ୟାକ୍ସିନ୍ ଡିପ୍ଲୋମାସି’ ବା ‘ଟିକା କୁଟନୀତି’କୁ ବେଶ୍ ପ୍ରଭାବିତ କରିଥିଲା ଏବଂ ଫାର୍ମା ସୁପର୍ ପାୱାର ଭାବରେ ମଧ୍ୟ ପ୍ରତିଷ୍ଠା ଲାଭ କରିବାର ସୁଯୋଗ ସୃଷ୍ଟି ହୋଇଥିଲା। କିନ୍ତୁ ଆଜି କୋଭିଡ୍ ଟିକା ଲାଗି ଯୋଜନା, ଉତ୍ପାଦନ ଏବଂ ବ୍ୟବହାର କଥା ଉଠିଲା ବେଳେ ଭାରତ ପଛରେ ପଡ଼ିଗଲା ଭଳି ମନେ ହେଉଛି। ଏହା ପଛରେ କ’ଣ ସବୁ କାରଣ ରହିଛି ଆଜି ତାହା ଚର୍ଚ୍ଚା ଓ ସମୀକ୍ଷାର ବିଷୟ ହୋଇଛି। କେବଳ ସେତିକି ନୁହେଁ ଏହି ବିଫଳତା ପାଇଁ ଆଜି ଭାରତୀୟମାନଙ୍କୁ ତା’ର ମୂଲ୍ୟ ଦେବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଲେଣି।
କୋଭିଡ୍ ଟିକା ଲାଗି ଯୋଜନା କରିବା କ୍ଷେତ୍ରରେ ସତରେ ପଛରେ ପଡ଼ିଯାଇଛି ଭାରତ। କାରଣ ଠିକଣା ସମୟରେ ଠିକଣା ସୁଯୋଗକୁ ଭାରତ ସରକାର ସୁଯୋଗକୁ ଅଣଦେଖା କରିଛନ୍ତି। ସରକାରଙ୍କର ବ୍ୟାପକ ସମ୍ବଳ ସତ୍ତ୍ୱେ, ପିଏମ୍ କେୟାର୍ ଫଣ୍ଡରେ ୩ ହଜାର କୋଟିଠାରୁ ଅଧିକ ଟଙ୍କାର ଦାନ ଜମା ହେବା ସତ୍ତ୍ୱେ, ଟିକା ନୀତି କ୍ଷେତ୍ରରେ ଭାରତ ବିଫଳ ହୋଇଛି। ଦେଶରେ ଏବେ ଟିକାର ଅଭାବ ଯୋଗୁଁ ବିଭିନ୍ନ ରାଜ୍ୟରେ ଟିକାକରଣ କେନ୍ଦ୍ରରେ ତାଲା ଝୁଲୁଛି। ଟିକା ନେବାକୁ ଯୋଗ୍ୟ ଲୋକେ ମୋବାଇଲରେ ନିମନ୍ତ୍ରଣ ପାଇ ମଧ୍ୟ ଟିକା କେନ୍ଦ୍ରକୁ ଯାଇ ହତାଶ ହୋଇ ଫେରୁଛନ୍ତି। ଅନ୍ୟ ପକ୍ଷରେ ଏହାକୁ ନେଇ ଆରମ୍ଭ ହୋଇଛି ଟିକା ରାଜନୀତି।
ସଙ୍ଗୀନ ହେଉଛି କରୋନା ସ୍ଥିତି
ଭାରତରେ କୋଭିଡ୍ ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ସଙ୍କଟ ଅଧିକ ସଙ୍ଗୀନ ହେବାରେ ଲାଗିଛି। ଦିନକୁ ଦିନ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବିସ୍ଫୋରକ ଭାବରେ ବୃଦ୍ଧି ପାଇବାରେ ଲାଗିଛି। କରୋନାର ପ୍ରଥମ ଲହର ବେଳେ ଲକ୍ ଡାଉନ୍ ଓ ସଟ୍ ଡାଉନ୍ କରି କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯେଉଁ ବାହାଦୁରୀ ନେଇଥିଲେ ଦ୍ୱିତୀୟ ଲହର ତା’ ଠାରୁ ଅଧିକ ଆହ୍ୱାନ ସୃଷ୍ଟି କଲାଣି। ଅନ୍ୟପକ୍ଷରେ ବିଭିନ୍ନ ରାଜ୍ୟରେ ଚାଲିଥିବା ନିର୍ବାଚନ ଓ ଉପ ନିର୍ବାଚନରେ ପ୍ରମୁଖ ଦଳର ନେତାମାନେ ବିରାଟ ନିର୍ବାଚନୀ ରାଲି କରି ଯେଉଁଭଳି ଭାବରେ କୋଭିଡ ନିୟମ ଉଲ୍ଲଂଘନ କରୁଛନ୍ତି ସେଥିରୁ ସାଧାରଣ ଜନତାଙ୍କୁ ଭୁଲ ବାର୍ତ୍ତା ଯାଉଛି। ପଶ୍ଚିମବଙ୍ଗ ଓ ତାମିଲନାଡ଼ୁ ନିର୍ବାଚନ ତା’ର ଉଦାହରଣ। ଏପରିକି ଓଡ଼ିଶାର ଡେଲାଙ୍ଗ – ପିପିଲି ବିଧାନସଭା ଉପନିର୍ବାଚନ ପ୍ରଚାର ବେଳେ ଏହା ଜଳ ଜଳ ହୋଇ ଦିଶୁଛି। ନିର୍ବାଚନ କମିଶନ ମଧ୍ୟ ସବୁ ଦେଖି ଚୁପ୍!
ଭାରତର ଟିକା ଉତ୍ପାଦନକାରୀ କମ୍ପାନି ଅନ୍ୟ ଦେଶକୁ ଟିକା ଯୋଗାଇବା ପାଇଁ ଅଗ୍ରିମ ନେଇଛି। କିନ୍ତୁ ଟିକା ରପ୍ତାନି ଉପରେ ଭାରତର କଟକଣା ଯୋଗୁଁ ଏହା ପ୍ରଭାବିତ ହୋଇଛି। ଫଳରେ ଯେଉଁ ଦେଶଗୁଡ଼ିକ ଭାରତର ସେରମ୍ କମ୍ପାନିକୁ ପଇସା ଦେଇ ଟିକା ନେବା ପାଇଁ ଅପେକ୍ଷା କରି ବସିଛନ୍ତି ସେମାନଙ୍କ ନିକଟରେ କମ୍ପାନି ଠିକ୍ ସମୟରେ ଟିକା ପହଞ୍ଚାଇ ପାରୁନି। ଏହାଫଳରେ ସେହି ଦେଶଗୁଡ଼ିକର ନାଗରିକମାନଙ୍କର ସ୍ୱାସ୍ଥ୍ୟ ସଙ୍କଟ ମଧ୍ୟ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ଭାବେ ଦେଖାଯାଉଛି। ଏହା କରୋନା ଜନିତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍କଟକୁ ଅଧିକ ଗମ୍ଭୀର କରିଛି।
ସୁଯୋଗକୁ ହାତଛଡ଼ା କରିଛି ଭାରତ!
ଟିକେ ଗଭୀର ଭାବେ ଦେଖିବାକୁ ଗଲେ ଆମେ ଜାଣିପାରିବା ଭାରତ କିପରି ଏହି କୋଭିଡ ଟିକା ଉତ୍ପାଦନର ସୁଯୋଗକୁ ହାତଛଡ଼ା କରିଛି। ବିଶ୍ୱର ବିଭିନ୍ନ ଦେଶ ପ୍ରମୁଖ ଟିକା ଉତ୍ପାଦନକାରୀ କମ୍ପାନି ସହ ଅନେକ ଦିନରୁ ବୁଝାମଣା ଆରମ୍ଭ କରିଥିଲେ। ସେମାନେ କୋଟି କୋଟି ପାନ ବା ଡୋଜ୍ କିଣିବା ପାଇଁ ଆଗୁଆ ଅର୍ଡର, ଏପରିକି ଅଗ୍ରିମ ଅର୍ଥ ପୈଠ କରିଛନ୍ତି। କେତେକ ଦେଶ ପ୍ରମୁଖ ଗବେଷଣା ସଂସ୍ଥାକୁ କୋଟି କୋଟି ଟଙ୍କାର ସହାୟତା ଦେଇ କୋଭିଡ ଟିକା ପ୍ରସ୍ତୁତିରେ ସହଯୋଗ କରିବାକୁ ପଛାଇ ନାହାନ୍ତି। ଉଦାହରଣ ସ୍ୱରୂପ- ଯୁକ୍ତରାଷ୍ଟ୍ର ଆମେରିକା ଟିକା ନିର୍ମାତାମାନଙ୍କୁ ଆଗୁଆ ଅର୍ଥ ପୈଠ କରି ନିଜ ଦେଶ ପାଇଁ ଟିକା ବରାଦ କରି ରଖିଥିଲା। ଫାଇଜର କମ୍ପାନିକୁ ଜୁଲାଇ ୨୦୨୦ରେ ୧୦ କୋଟି ପାନ ପାଇଁ ଆଗୁଆ ଅର୍ଥ ଦେଇଥିଲା। ତା’ ଛଡ଼ା ଆବଶ୍ୟକ ହେଲେ ଅଧିକ ୫୦କୋଟି କିଣିବା ଲାଗି ମଧ୍ୟ ବରାଦ କରିଥିଲା । କିନ୍ତୁ ଭାରତରେ ସେଭଳି ଦୂରଦୃଷ୍ଟି ଦେଖିବାକୁ ମିଳିନାହିଁ। ଭାରତ ସରକାର ସେରମ୍ ଇନଷ୍ଟିଚ୍ୟୁଟଠାରୁ ମାତ୍ର ୧.୧ କୋଟି ପାନ ପାଇଁ ଜାନୁୟାରୀ ୨୦୨୧ ବେଳକୁ ବରାଦ କରିଥିଲେ। ତେଣୁ ଭାରତ ପାଖରେ ସମ୍ବଳ, ସମୟ, ଦକ୍ଷତା ସବୁକିଛି ଥାଇ ମଧ୍ୟ ରାଜନୈତିକ ଦୂରଦୃଷ୍ଟିର ଅଭାବ ଏବଂ ଅମଲାତନ୍ତ୍ରର ନାଲି ଫିତା ପାଇଁ ଆଜି ଏହି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିଲେ ଭୁଲ ହେବ ନାହିଁ।
ଅନ୍ୟ ଦେଶର ଷ୍ଟ୍ରାଟେଜି ଆଗରେ ଫିକା ପଡ଼ିଯାଇଛି ଭାରତ। ଆଜି ଅର୍ଥନୀତିର ସବୁଠାରୁ ବଡ଼ ସମ୍ବଳ ହେଉଛି ଜନସଂଖ୍ୟାର ସ୍ୱାସ୍ଥ୍ୟ। ତେଣୁ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷିତ ରହିଲେ ଦେଶର ଅର୍ଥନୀତି ସମୃଦ୍ଧ ହୋଇପାରିବ। ତେଣୁ ବିଶେଷଜ୍ଞମାନଙ୍କ କହିବା କଥା ହେଲା ଯେ ଭାରତ ଚାହିଁଥିଲେ ଟିକା ଉତ୍ପାଦନକାରୀ ସଂସ୍ଥାକୁ ଯଥେଷ୍ଟ ପରିମାଣର ଡୋଜ୍ ପାଇଁ ଆଗୁଆ ଅର୍ଡର ଦେବା, ଆବଶ୍ୟକ ସ୍ଥଳେ ଅଗ୍ରିମ ପ୍ରଦାନ କରିବା ଏପରିକି କିଛି ଅନୁଦାନ ବା ଗ୍ରାଣ୍ଟ ସହାୟତା ଦେଇ ପାରିଥାନ୍ତା। କିନ୍ତୁ ଭାରତ ସେହି ନିଷ୍ପତ୍ତି ନେଇପାରିଲା ନାହିଁ।
କେତେ ଆତ୍ମନିର୍ଭର ଭାରତ?
ଟିକା ଉତ୍ପାଦନ ଏକ ଅତି ସମ୍ବେଦନଶୀଳ ବିଷୟ। ଏଥିପାଇଁ ଜ୍ଞାନକୌଶଳ ସହିତ ଶହ ଶହ କୋଟି ଟଙ୍କାର ପୁଞ୍ଜିନିବେଶ ଆବଶ୍ୟକ ହୋଇଥାଏ। ସେହିପରି ଟିକାକରଣ ଏକ ସାର୍ବଜନୀନ ବିଷୟ ହୋଇଥିବାରୁ ସରକାରଙ୍କ ହସ୍ତକ୍ଷେପ ଛଡ଼ା ଏହି କାରବାରକୁ ଆଗକୁ ନେବା ସମ୍ଭବ ନୁହେଁ। ତେଣୁ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ କଥା କହୁଥିବା ଦେଶ ଆଜି କୋଭିଡ ଟିକା ଉତ୍ପାଦନ କ୍ଷେତ୍ରରେ ଯେପରି ବାଟବଣା ହୋଇଗଲା ଭଳି ମନେହେଉଛି!
ଭାରତର ଜନସଂଖ୍ୟାକୁ ବିଚାର କଲେ ମନେହେଉଛି ଆମକୁ ଅନ୍ତତଃ ୨୦୦ କୋଟି ଡୋଜ୍ର କରୋନା ଟିକାର ଆବଶ୍ୟକତା ପଡ଼ିବ। ଯଦି ଆମେ ସମ୍ପୂର୍ଣ୍ଣ ଟିକାକରଣ କଥା ଭାବିବା ତେବେ ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ। କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦୁଇଟି ଡୋଜ୍ ଦିଆଯିବା ଦରକାର। ସୂଚନାରୁ ଜଣାଯାଇଛି ଯେ ଭାରତରେ ଏପର୍ଯ୍ୟନ୍ତ ୧୦ କୋଟିରୁ ଅଧିକ ଡୋଜ୍ ସ୍ୱାସ୍ଥ୍ୟ ବିଭାଗକୁ ମିଳିଛି। ଏହା ସହିତ ସେରମ୍ ଇନଷ୍ଟିଚ୍ୟୁଟ୍ ପ୍ରାୟ ୬ କୋଟି ଡୋଜ୍ ବିଭିନ୍ନ ଦେଶକୁ ରପ୍ତାନି କରିଛି। ତେଣୁ ଭାରତରେ ଅଧିକ ପରିମାଣରେ ଟିକା ଉତ୍ପାଦନ ହେବାର ଆବଶ୍ୟକତା ରହିଛି।
ସେରମ୍ ଇନଷ୍ଟିଚ୍ୟୁଟ୍ ବର୍ତ୍ତମାନ ମାସକୁ ୬ରୁ ୬.୫ କୋଟି ଡୋଜ୍ର କରୋନା ଟିକା ଉତ୍ପାଦନ କରୁଛି। ଏହି ଉତ୍ପାଦନ କ୍ଷମତାକୁ ମାସିକ ୧୦ କୋଟି ଡୋଜ୍କୁ ବଢ଼ାଇବା ପାଇଁ କମ୍ପାନି ଯୋଜନା କରିଛି। କିନ୍ତୁ, ଏହି ଟିକା ଉତ୍ପାଦନର ସଂଖ୍ୟା ବଢ଼ାଇବା ପାଇଁ ବହୁ ପରିମାଣର ଅର୍ଥ ଆବଶ୍ୟକ। ସେରମ୍ ଇନଷ୍ଟିଚ୍ୟୁଟ୍ ଭାରତ ସରକାରଙ୍କୁ ୩୦୦୦ କୋଟି ଟଙ୍କାର ସହାୟତା ମାଗିଛି। ତେବେ ଏ ବାବଦରେ ଭାରତ ସରକାର କମ୍ପାନିକୁ କ’ଣ ଜବାବ ବା ପ୍ରତିଶ୍ରୁତି ଦେଇଛନ୍ତି କି ନାହିଁ ତାହା ଜଣାପଡ଼ିନାହିଁ।
ବିଦେଶରୁ ଟିକା ଆମଦାନି ହେବ କି?
ଆଜି, ବିଶ୍ୱର ସର୍ବାଧିକ ଟିକା ଉତ୍ପାଦନକାରୀ ଦେଶ ଭାବେ ଆମେରିକା (ଜନସନ୍ ଆଣ୍ଡ ଜନସନ୍, ଫାଇଜର୍) ଏବଂ ରୁଷିଆ (ସ୍ପୁଟନିକ୍ ଭ୍ୟାକସିନ୍) ଛିଡ଼ା ହୋଇଛନ୍ତି। ତେଣୁ ସେହିସବୁ ଦେଶରୁ ଭାରତ ଟିକା ଆମଦାନୀ କରିବାର କଥା ମଧ୍ୟ ଚିନ୍ତା କରାଯାଉଛି। କିନ୍ତୁ ଜନସନ୍ ଆଣ୍ଡ ଜନ୍ ସନ୍, ଫାଇଜର୍ କିମ୍ବା ସ୍ପୁଟନିକ୍ ଭଳି କରୋନା ଟିକା ଭାରତରେ ବ୍ୟବହାର କରିବାକୁ ହେଲେ ଏହାର ବିଧିବଦ୍ଧ ପରୀକ୍ଷା ହେବା ଦରକାର। ବିଶେଷଜ୍ଞମାନେ କହୁଛନ୍ତି ଯେ ଭାରତ ସରକାର ଯଦି ବିଦେଶରୁ ଟିକା ଉତ୍ପାଦନକୁ ଅନୁମତି ଦିଅନ୍ତି ତେବେ ସରକାରୀ ଭାବେ ନ ହେଲେ ମଧ୍ୟ ଘରୋଇ ଡାକ୍ତରଖାନା ମାଧ୍ୟମରେ ଅନେକ ଲୋକ ଏହା କିଣି ନେଇପାରିବେ। ତେବେ ଏ ବାବଦରେ ଭାରତ ମଧ୍ୟ ଗୁରୁତ୍ୱର ସହ ବିଚାର କରି ଶୀଘ୍ର ପଦକ୍ଷେପ ନେବା ଆବଶ୍ୟକ।
କରୋନା ଟିକା ଉତ୍ପାଦନ ଓ ବ୍ୟବହାର ବିଷୟରେ ଭାରତ ଯେ ପଛରେ ପଡ଼ିଯାଇଛି ସେ ବାବଦରେ କୌଣସି ସନ୍ଦେହ ନାହିଁ। ତେଣୁ ଆମ ରାଜନେତା, ପ୍ରଶାସନିକ ଅଧିକାରୀ ବା ନୀତି ନିର୍ଦ୍ଧାରଣ ବ୍ୟବସ୍ଥା ସହ ସମ୍ପୃକ୍ତ ସମସ୍ତେ ଆଜି ବିଚାର କରିବା କଥା ଯେ କେଉଁଠି ଆମର ଭୁଲ ରହିଗଲା। ତା’ ସହିତ ସେହି ତ୍ରୁଟିକୁ କିପରି ତୁରନ୍ତ ସଂଶୋଧନ କରାଯାଇପାରିବ ଏବଂ ଭାରତୀୟମାନଙ୍କ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରାଯାଇପାରିବ ସେ ଦିଗରେ ପଦକ୍ଷେପ ନିଆଯିବା ଜରୁରୀ।