ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଦିନକରେ ଦୁଇ ହଜାରକୁ ମୁହାଁଇଲାଣି ସଂକ୍ରମିତଙ୍କ ସଂଖ୍ୟା। ଆଜି ରାଜ୍ୟରୁ ୧୭୪୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୦୧୫ଜଣ ଥିବାବେଳେ, ୭୨୬ ସ୍ଥାନୀୟ ସଂକ୍ରମିତ। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ନୂଆ ସଂକ୍ରମିତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୩ଲକ୍ଷ ୫୧ହଜାର ୩୦୨ରେ ପହଞ୍ଚିଛି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୬୮ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ଖୋର୍ଦ୍ଧା ଜିଲ୍ଲାରୁ ୨୦୪ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କରୋନାର ଦ୍ୱିତୀୟ ଲହରରେ ପ୍ରଥମଥର ପାଇଁ ବାଲେଶ୍ୱର ଜିଲ୍ଲାରୁ ୧୫୮ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଗତ ୨୪ଘଣ୍ଟା ମଧ୍ୟରେ ୪୫୯ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥ ସଂଖ୍ୟାକୁ ମିଶାଇ ସମୁଦାୟ ୩ଲକ୍ଷ ୪୦ହଜାର ୦୬୨ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୯୨୫୯ ସକ୍ରିୟ ମାମଲା ରହିଛି।

ଅନ୍ୟପଟେ ଟିକାକରଣ ପ୍ରକ୍ରିୟା ଜାରି ରହିଛି। କରୋନା ସଂକ୍ରମଣ ବଢ଼ୁଥିବାରୁ ସବୁ ସ୍ଥାନରେ ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।  ଏହାସହ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ ଦେଖାଇ ଓଡ଼ିଶା ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି।

ସୌଜନ୍ୟ- ଓଡ଼ିଶାଲାଇଭ୍