- ଲିଭର ସିରୋସିସ୍ କ’ଣ?
- ଲିଭର ସିରୋସିସ୍ର କାରଣ
- ପତଳା ଲୋକଙ୍କୁ ବି ହୋଇପାରେ ଲିଭର ସିରୋସିସ୍
- ଲିଭର ସିରୋସିସ୍ର ଲକ୍ଷଣ
- ଲିଭର ସିରୋସିସ୍କୁ ଚିହ୍ନିବା ପାଇଁ ପରୀକ୍ଷା
- ଲିଭର ସିରୋସିସ୍ର ଚିକିତ୍ସା
- ଲିଭର ଟ୍ରାନ୍ସପ୍ଲାଣ୍ଟ କେତେବେଳେ ଦରକାର?
- ଲିଭର ସିରୋସିସ୍ର ନିରାକରଣ
- ଡାକ୍ତରଙ୍କ ପରାମର୍ଶ
ଲିଭର ସିରୋସିସ୍ର କାରଣ କ’ଣ? ବିଶିଷ୍ଟ ପେଟ ଓ ଲିଭର ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ଲିଭର ସିରୋସିର ମୁଖ୍ୟ କାରଣ ହେଉଛି ମଦ୍ୟପାନ ଓ ମେଦବହୁଳତା। ହେଲେ ବର୍ତ୍ତମାନ ସମୟରେ ମଦ୍ୟପାନ କରୁନଥିବା ଏବଂ ପତଳା ଲୋକଙ୍କଠାରେ ମଧ୍ୟ ଲିଭର ସିରୋସିସ୍ ଦେଖିବାକୁ ମିଳୁଛି।
ଲିଭର ସିରୋସିସ୍ କ’ଣ? (What is liver cirrhosis in Odia)
ସାଧାରଣ ଭାବେ କହିଲେ, ଲିଭର ବା ଯକୃତ ହେଉଛି ଏକ ନରମ ଅଙ୍ଗ, ଅର୍ଥାତ୍ ଲିଭରକୁ ଛୁଇଁଲେ ନରମ ଲାଗେ। ଯେତେବେଳେ ନରମ ଲିଭର ଟାଣ ହୋଇଯାଏ, ସେହି ଅବସ୍ଥାକୁ ଲିଭର ସିରୋସିସ୍ ବୋଲି କହିଥାଉ।
ଲିଭର ଖରାପ ହେବାର ତିନୋଟି ପର୍ଯ୍ୟାୟ ଥାଏ। ଯଥା:
ପ୍ରଥମ ପର୍ଯ୍ୟାୟ – ଲିଭର ଉପରେ ଚର୍ବି ଜମା ହୋଇଯାଏ, ଯାହାକୁ ଫ୍ୟାଟି ଲିଭର କହିଥାଉ।
ଦ୍ବିତୀୟ ପର୍ଯ୍ୟାୟ – ଲିଭର ଭିତରେ ଅଳ୍ପ ପରିମାଣର ଚର୍ବି ପଶିଲେ, ତାକୁ ହେପାଟାଇଟିସ୍ କୁହାଯାଏ।
ତୃତୀୟ ପର୍ଯ୍ୟାୟ – ଲିଭର ଭିତରେ ଚର୍ବି ପଶି ଲିଭରକୁ ଟାଣ କରିଦେଲେ, ତାକୁ ଲିଭର ସିରୋସିସ୍ କହିଥାଉ।
ଲିଭର ସିରୋସିସ୍ର କାରଣ (Causes of liver cirrhosis in Odia)
୧- ଭାରତରେ ଲିଭର ସିରୋସିସ୍ର ପ୍ରଥମ ଏବଂ ମୁଖ୍ୟ କାରଣ ହେଉଛି ମଦ୍ୟପାନ।
୨- ଦ୍ୱିତୀୟ କାରଣ ହେଉଛି ନ୍ୟାସ୍ (Nash- Non-Alcoholic Steatohepatitis) ଅର୍ଥାତ୍ ଯେଉଁମାନେ ମଦ ପିଅନ୍ତି ନାହିଁ କିନ୍ତୁ ମଧୁମେହ, ମୋଟାପଣ ଭଳି ସମସ୍ୟାର ଶିକାର ଥାଆନ୍ତି। ଧୀରେ ଧୀରେ ଏହି କାରଣ ଲିଭର ପ୍ରତିରୋପଣର କାରଣ ପାଲଟିବାକୁ ଯାଉଛି।
୩- ତୃତୀୟ କାରଣ ହେଉଛି ଅଟୋ ଇମ୍ୟୁନ୍ ହେପାଟାଇଟିସ୍, ଅର୍ଥାତ୍ ନିଜ ଶରୀର ନିଜ ଲିଭରକୁ ଚିହ୍ନିବା ବନ୍ଦ କରିଦେଉଛି ଓ ପ୍ରତିରୋଧକ ଶକ୍ତି କମିଯାଉଛି ଓ ଧୀରେ ଧୀରେ ଲିଭର ନଷ୍ଟ ହୋଇ ଲିଭର ସିରୋସିସ୍ର କାରଣ ପାଲଟୁଛି।
୪- ଲିଭର ସିରୋସିସ୍ର ଚତୁର୍ଥ କାରଣ ହେଉଛି ହେପାଟାଇଟିସ୍ ବି’ କିମ୍ବା ସି’ର ସଂକ୍ରମଣ।
୫- ପଞ୍ଚମ କାରଣ ହେଉଛି ଓ୍ୱିଲ୍ସନ୍ ରୋଗ। ଏହି ରୋଗ ପିଲାମାନଙ୍କଠାରେ ଅଧିକ ଦେଖାଦିଏ। ଏହା ହେବା ଫଳରେ ସ୍ନାୟୁ ଓ ଲିଭରଜନିତ ରୋଗ ଅଧିକ ଦେଖାଦିଏ।
ପତଳା ଲୋକଙ୍କୁ ବି ହୋଇପାରେ ଲିଭର ସିରୋସିସ୍ (Even lean people can have liver cirrhosis in Odia)
ମଦ ନ ପିଉଥିବା ଲୋକଙ୍କୁ ମଧ୍ୟ ହୋଇପାରେ ଲିଭର ସିରୋସିସ୍, ଯାହାକୁ ନ୍ୟାସ୍ (Non-Alcoholic Steatohepatitis) କୁହାଯାଏ। ଏହାର କାରଣ ଜେନେଟିକ୍ ହୋଇପାରେ। ତେଣୁ, ଯଦି ପରିବାରରେ କାହାକୁ ଲିଭରଜନିତ ସମସ୍ୟା ଥାଏ, ତେବେ ନିୟମିତ ବ୍ୟବଧାନରେ ପରୀକ୍ଷା କରାନ୍ତୁ ଏବଂ ଉଚ୍ଚତା ଅନୁସାରେ ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ। ଉଦାହରଣସ୍ୱରୁପ, ଯଦି ଆପଣଙ୍କ ଉଚ୍ଚତା ୧୬୫ ସେଣ୍ଟିମିଟର, ତାହାହେଲେ ଆପଣଙ୍କ ଓଜନ ୬୫ କିଲୋଗ୍ରାମ୍ ରହିବା ଦରକାର। ଯେଉଁମାନଙ୍କ ପରିବାରରେ ଲିଭର ସମସ୍ୟା ଅଛି, ସେମାନେ ଯେତିକି ଓଜନ ରହିବା କଥା ତା’ଠାରୁ ୧୦ କିଲୋଗ୍ରାମ୍ କମ୍ ରହିବାକୁ ଚେଷ୍ଟା କରନ୍ତୁ। ମନେକର ଆପଣଙ୍କ ଉଚ୍ଚତା ୧୬୫ ସେଣ୍ଟିମିଟର, ତେବେ ଆପଣଙ୍କ ଓଜନ ପ୍ରାୟ ୫୮.୫ ଭିତରେ ରହିବା ଆବଶ୍ୟକ। ଏହାଦ୍ୱାରା ଲିଭର ଖରାପ ହେବାର ଆଶଙ୍କା କମିଯିବ।
ଲିଭର ସିରୋସିସ୍ର ଲକ୍ଷଣ (Symptoms of liver cirrhosis in Odia)
ଲିଭର ସିରୋସିସ୍ର ଲକ୍ଷଣକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି।
୧- ପ୍ରମୁଖ ଲକ୍ଷଣ
- ଜଣ୍ଡିସ୍ ହେବା (ଶରୀରରେ ବିଲୁରୁବିନ୍ ମାତ୍ରା ୩ ଉପରେ ରହିବ।) ଫଳରେ ହଳଦିଆ ପରିସ୍ରା ହେବା,
- ପେଟରେ ପାଣି ଜମିବା ଫଳରେ ଗୋଡ଼ ହାତ ଫୁଲିଯିବା (Ascites),
- ଲୋକେମାନେ ଚିହ୍ନି ନ ପାରିବା ବା ଇଆଡ଼ୁ ସିଆଡ଼ୁ କଥା ହେବା ବା ମନେ ରଖିନପାରିବା (Hepatic encephalopathy)
- ରକ୍ତ ବାନ୍ତି ହେବା
୨- ସାମାନ୍ୟ ଲକ୍ଷଣ
ଆମେ ଯାହା ଖାଦ୍ୟ ଖାଉଛେ, ତାହା ହଜମ ହେବା ପରେ ଯେଉଁ ବର୍ଜ୍ୟବସ୍ତୁ ବାହାରେ ତାହା ଲିଭରକୁ ଆସେ। ଲିଭର ତାକୁ ଫିଲଟର କରି ହାର୍ଟକୁ ଦିଏ ଓ ହାର୍ଟ ପମ୍ପ କରି ଶରୀରକୁ ଦିଏ। ବର୍ଜ୍ୟବସ୍ତୁ ଛାଣି ନ ହେଲେ ତାହା ଲିଭରରେ ରହିଯାଏ। ଫଳରେ ଆମୋନିଆ ନିର୍ଗତ ହୁଏ ଓ ଯେଉଁଥିପାଇଁ ହାଲିଆ ଲାଗିବା, କାମ କରିବାକୁ ଇଛା ନ ହେବା, ଦୁର୍ବଳ ଲାଗିବା ଭଳି ଲକ୍ଷଣ ଦେଖାଦିଏ।
ଲିଭରର ଆଉ ଏକ କାମ ଥାଏ ଶର୍କରାକୁ ନିୟନ୍ତ୍ରଣରେ ରଖିବା। ଯଦି ଲିଭର ଖରାପ ଥାଏ, ତାହାହେଲେ ଶର୍କରା ନିୟନ୍ତ୍ରଣରେ ରହିପାରେ ନାହିଁ। ଏହାସହ ଲିଭର ସିରୋସିସ୍ ହେଲେ ରକ୍ତଚାପ ସ୍ତର କମିଯାଏ।
ଲିଭର ଖରାପ ହେଲେ ତ୍ୱଚାର ରଙ୍ଗ କଳା ପଡ଼ିଯାଏ। ଯଦି ଜଣେ ବ୍ୟକ୍ତିଙ୍କ ତ୍ୱଚା ଧୀରେ ଧୀରେ କଳା ପଡ଼ିଯାଉଛି, ତେବେ ଏହା ଲିଭର ଖରାପ ହେବାର ଲକ୍ଷଣ ହୋଇପାରେ।
ଲିଭର ସିରୋସିସ୍କୁ ଚିହ୍ନିବା ପାଇଁ ପରୀକ୍ଷା (Diagnosis of liver cirrhosis in Odia)
ଲିଭର ସିରୋସିସ୍ ଚିହ୍ନିବା ପୂର୍ବରୁ ପ୍ରଥମେ ଜାଣିବାକୁ ହେବ ଯେ, ଲିଭର କେଉଁ କାରଣ ପାଇଁ ଖରାପ ହୋଇଛି, ଲିଭର କେତେ ମାତ୍ରାରେ ଖରାପ ହୋଇଛି ଏବଂ ଶେଷରେ ଲିଭର ଖରାପ ହୋଇ ଅନ୍ୟ କେଉଁ ଅଙ୍ଗକୁ ଖରାପ କରିଛି।
ପ୍ରଥମେ ରକ୍ତ ପରୀକ୍ଷା କରି ଦେଖାଯାଏ ଯେ, କେଉଁ କାରଣ ପାଇଁ ଲିଭର ଖରାପ ହୋଇଛି। ଲିଭର କେତେ ମାତ୍ରାରେ ଖରାପ ହୋଇଛି ତାହା ଜାଣିବା ପାଇଁ ‘ଲିଭର ଫଙ୍କସନ୍ ଟେଷ୍ଟ’ କରାଯାଏ। ଅଲଟ୍ରାସାଉଣ୍ଡ କରି ପେଟରେ ପାଣି ଜମା ହୋଇଛି କି ନାହିଁ ଦେଖାଯାଏ। ଏଣ୍ଡୋସ୍କୋପି କରି ଦେଖାଯାଏ ଯେ, ରକ୍ତ ଶୀର ଫୁଲିଛି କି ନାହିଁ।
ଲିଭର ଖରାପ ହେଲେ ଏହା ହାର୍ଟ, କିଡ୍ନି ଏବଂ ଫୁସ୍ଫୁସ୍କୁ ଖରାପ କରିଥାଏ। ତେଣୁ ଲିଭର ସଙ୍ଗେ ସଙ୍ଗେ ହାର୍ଟ, ଫୁସ୍ଫୁସ୍ ଓ କିଡ୍ନିର ପରୀକ୍ଷା ମଧ୍ୟ କରାଯାଏ।
ଲିଭର ସିରୋସିସ୍ର ଚିକିତ୍ସା (Treatment of liver cirrhosis In Odia)
ଯଦି ଜଣେ ରୋଗୀ ଡାକ୍ତରଙ୍କ ପାଖକୁ ଯାଉଛନ୍ତି, ତାହାହେଲେ କେଉଁ କାରଣ ପାଇଁ ଲିଭର ଖରାପ ହୋଇଛି ତାହା ଦେଖିବାକୁ ପଡ଼ିଥାଏ। ଅଟୋ ଇମ୍ୟୁନ୍ ହେପାଟାଇଟିସ୍ ଯୋଗୁଁ ଲିଭର ଖରାପ ହୋଇଥିଲେ ଷ୍ଟେରୋଏଡ୍ ମାଧ୍ୟମରେ ଚିକିତ୍ସା କରାଯାଏ। ମଦ୍ୟପାନ ଯୋଗୁଁ ଲିଭର ଖରାପ ହୋଇଥିଲେ ଏବଂ ସମସ୍ୟା ପ୍ରଥମ ପର୍ଯ୍ୟାୟରେ ଥିଲେ, ରୋଗୀଙ୍କୁ ମଦ୍ୟପାନ ବନ୍ଦ କରିବାକୁ ପରାମର୍ଶ କରିବା ସହିତ କେତେକ ମେଡିସିନ୍ ଖାଇବାକୁ ଦେଇଥାଉ। ଯଦି ଲିଭର ଖରାପ ଯୋଗୁଁ ରୋଗୀଙ୍କୁ ଜଣ୍ଡିସ୍ ହୋଇଯାଇଛି, ତାହାହେଲେ ଷ୍ଟେରୋଏଡ୍ ଏବଂ ଏଫ୍ଏମ୍ଟି ମାଧ୍ୟମରେ ଚିକିତ୍ସା କରାଯାଏ।
ଓ୍ୱିଲସନ୍ ଯୋଗୁଁ ଲିଭର ଖରାପ ହୋଇଥିଲେ ପେନିସିଲାମିନ୍ ଓ ଜିଙ୍କ୍ ମାଧ୍ୟମରେ ଚିକିତ୍ସା କରାଯାଏ।
ଲିଭର ସିରୋସିସ୍ ଯୋଗୁଁ ଯଦି ରୋଗୀଙ୍କ ସ୍ମୃତି ଶକ୍ତି ହ୍ରାସ ପାଏ ବା ବ୍ୟକ୍ତି କାହାକୁ ଚିହ୍ନିପାରନ୍ତି ନାହିଁ, ତେବେ ଲୋଲା (LOLA- L-Ornithine L-Aspartate) ଚିକିତ୍ସା କରାଯାଏ।
ଲିଭର ସିରୋସିସ୍କୁ ନେଇ ଆମ ସମାଜରେ ବହୁତଗୁଡ଼ିଏ ଅନ୍ଧବିଶ୍ୱାସ ରହିଛି। ଯେପରିକି ଘିଅ ଖାଇବେ ନାହିଁ, କୌଣସି ହଳଦିଆ ଜିନିଷ ଖାଇବେ ନାହିଁ। ଏମିତି ନୁହେଁ ଯେ, ଲିଭର ସିରୋସିସ୍ ରୋଗୀ କେବଳ ସିଝା ଖାଦ୍ୟ ଖାଇବେ। ସେମାନେ ଅଣ୍ଡା, ମାଛ, ଛେନା, ପନିର, ସୋୟାବିନ୍ ଡାଲି ଭଳି ଖାଦ୍ୟ ଖାଇପାରିବେ। ଏହା ଖାଇବା ଦ୍ଵାରା ଶରୀରରେ ପ୍ରୋଟିନ୍ ମାତ୍ରା ବଢ଼ିବ।
ଲିଭର ଟ୍ରାନ୍ସପ୍ଲାଣ୍ଟ କେତେବେଳେ ଦରକାର? (When is liver transplant needed in Odia)
ଅତ୍ୟଧିକ ମାତ୍ରାରେ ଲିଭର ଖରାପ ଥିଲେ ଓ କୌଣସି ଔଷଧ ଦ୍ୱାରା ଠିକ୍ ହୋଇ ନ ପାରିଲେ, ଲିଭର ପ୍ରତିରୋପଣର ଆବଶ୍ୟକତା ପଡ଼ିଥାଏ।
ଲୋକମାନଙ୍କ ମନରେ ଭୟ ଥାଏ ଯେ, ଲିଭର ପ୍ରତିରୋପଣ କରିବା ଦ୍ୱାରା ବେଶୀ ବର୍ଷ ବଞ୍ଚିବା କଷ୍ଟକର। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ। ଲିଭର ପ୍ରତିରୋପଣ କରିବା ପରେ ବି ସୁସ୍ଥ ଲୋକଙ୍କ ଭଳି ଜୀବନଯାପନ କରିପାରିବେ।
ଲିଭର ଟ୍ରାନ୍ସପ୍ଲାଣ୍ଟ ଦୁଇ ପ୍ରକାରର। ୧- କାଡାଭରିକ୍ ଓ ୨- ଲାଇଭ୍
୧- କାଡାଭରିକ୍ ଲିଭର ଟ୍ରାନ୍ସପ୍ଲାଣ୍ଟ – ଜଣେ ମୃତ ଲୋକର ଲିଭର ଜଣେ ଲିଭର ରୋଗୀଙ୍କ ଦେହରେ ପ୍ରତିରୋପଣ କରିବାକୁ କାଡାଭରିକ୍ ଲିଭର ଟ୍ରାନ୍ସପ୍ଲାଣ୍ଟ କୁହାଯାଏ।
୨- ଲାଇଭ୍ ଡୋନର – ଜଣେ ଲିଭର ରୋଗୀଙ୍କ ପରିବାରର କେହି ଜଣେ ବ୍ୟକ୍ତି ତାଙ୍କ ଲିଭର ଦାନ କରିବାକୁ ଲାଇଭ୍ ଡୋନର କୁହାଯାଏ। ଯେଉଁ ବ୍ୟକ୍ତି ଲିଭର ଦାନ କରୁଛନ୍ତି, ତାଙ୍କୁ କୌଣସିପ୍ରକାର ସମସ୍ୟା ହୁଏ ନାହିଁ। ଯେମିତି, ଆମେ ନଖ କାଟିବାର ତିନି ମାସ ଭିତରେ ନଖ ପୁଣି ବଢ଼ିଯାଏ। ସେହିପରି ଲିଭର ଦାନ କରିଥିବା ବ୍ୟକ୍ତିଙ୍କର ତିନି ମାସ ଭିତରେ ଲିଭର ପୁଣି ବଢ଼ିଯାଏ।
ଲିଭର ସିରୋସିସ୍ର ନିରାକରଣ (Prevention of liver cirrhosis in Odia)
ଯେଉଁମାନେ ମଦ୍ୟପାନ କରୁଛନ୍ତି, ତାକୁ ବନ୍ଦ କରିବାକୁ ହେବ।
ମୋଟା ଥିଲେ ପତଳା ହୁଅନ୍ତୁ। ଉଚ୍ଚତା ଅନୁସାରେ ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ।
ଯଦି ଆପଣଙ୍କ ଉଚ୍ଚତା ୧୬୫ ସେଣ୍ଟିମିଟର, ତାହାହେଲେ ଆପଣଙ୍କ ଓଜନ ୬୫ କିଲୋଗ୍ରାମ୍ ରହିବା ଦରକାର। ଯେଉଁମାନଙ୍କ ପରିବାରରେ ଲିଭର ସମସ୍ୟା, ଡାଏବେଟିସ୍ ଭଳି ରୋଗ ଅଛି, ସେମାନେ ଯେତିକି ଓଜନ ରହିବା କଥା ତା’ଠାରୁ ୧୦ କିଲୋଗ୍ରାମ୍ କମ୍ ରହିବାକୁ ଚେଷ୍ଟା କରନ୍ତୁ।
ଡାଏବେଟିସ୍ ଥିଲେ ନିୟନ୍ତ୍ରଣରେ ରଖନ୍ତୁ ଏବଂ ପରିବାରରେ କାହାକୁ ଲିଭର ସମସ୍ୟା ଥାଏ, ତେବେ ନିୟମିତ ବ୍ୟବଧାନରେ ଲିଭର ପରୀକ୍ଷା କରାଇନିଅନ୍ତୁ।
ଲିଭର କ୍ୟାନ୍ସରର ମୁଖ୍ୟ କାରଣ ହେଉଛି ହେପାଟାଇଟିସ୍ ବି। ତେଣୁ ହେପାଟାଇଟିସ୍ ‘ବି’ ଓ ‘ସି’କୁ ନେଇ ସଚେତନତା ହେବା ଦରକାର। ଠିକ୍ ସମୟରେ ହେପାଟାଇଟିସ୍ ବି’ ଓ ସି’ର ପରୀକ୍ଷା କରି ଚିକିତ୍ସା କଲେ ଲିଭର ସିରୋସିସ୍ ବଢ଼ିବା ପୂର୍ବରୁ ତାକୁ ରୋକିପାରିବା।
ଡାକ୍ତରଙ୍କ ପରାମର୍ଶ (Doctor’s advice)
ସନ୍ତୁଳିତ ଆହାର ସେବନ କରନ୍ତୁ।
ଓଜନ ନିୟନ୍ତ୍ରଣରେ ରଖନ୍ତୁ।
ଡାଏବେଟିସ୍ ଥିଲେ ନିୟନ୍ତ୍ରଣରେ ରଖନ୍ତୁ।
ମଦ୍ୟପାନରୁ ଦୂରେଇ ରହନ୍ତୁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Liver cirrhosis, in Odia language, is based on an extensive interview with Gastroenterologist & Hepatologist Dr Shakti Prasad Choudhury.