ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ‘ହେଲ୍ଥ ଇଜ ୱେଲଥ୍’ ଅର୍ଥାତ୍ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’। ଏହି ଉକ୍ତିଟି କେବଳ ମଣିଷଜଗତ ପାଇଁ ପ୍ରଯୁଜ୍ୟ ତାହା ନୁହେଁ ସମଗ୍ର ଜୀବଜଗତ ପାଇଁ ଏହା ଅତ୍ୟନ୍ତ ଜରୁରୀ।
ପ୍ରତିବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏପ୍ରିଲ ୭କୁ ବିଶ୍ୱ ସ୍ଵାସ୍ଥ୍ୟ ଦିବସ ଭାବେ ପାଳନ କରିଥାଏ। ଏହି ଦିନର ଉଦ୍ଦେଶ୍ୟ ହେଉଛି ସମଗ୍ର ବିଶ୍ୱର ଲୋକଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ କରିବା ଏବଂ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି ଲୋକଙ୍କୁ ସଚେତନ କରାଇବା। ୧୯୪୮ ମସିହାରେ ଏପ୍ରିଲ ୭ ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା କରାଯାଇଥିଲା। ୧୯୫୦ରୁ ଏହା କାର୍ଯ୍ୟକାରୀ ହୋଇଥିଲା। ପ୍ରତ୍ୟେକ ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସ୍ୱାସ୍ଥ୍ୟ ଦିବସ ଉପରେ ଏକ ବିଷୟବସ୍ତୁ ନିର୍ଦ୍ଧାରିତ କରିଥାଏ। ଚଳିତବର୍ଷ ସ୍ୱାସ୍ଥ୍ୟ ଦିବସର ଥିମ ହେଉଛି ‘ଏକ ସୁନ୍ଦର ଏବଂ ସୁସ୍ଥ ବିଶ୍ୱ ଗଠନ କରିବା’।
ଏକ ଉତ୍ତମ ସ୍ୱାସ୍ଥ୍ୟ ସେତେବେଳେ କହିବା, ଯେତେବେଳେ ଉଭୟ ଶରୀର ଓ ମନ ସୁସ୍ଥ ରହିବ। ଅନେକ ଉଭୟ ଶାରୀରିକ ଓ ମାନସିକ କାରଣରୁ ହୋଇଥାଏ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ପରିଷ୍କାର ପରିଚ୍ଛନ୍ନ ପରିବେଶର ଆବଶ୍ୟକତା ରହିଛି।
ସୁନ୍ଦର ସୁସ୍ଥ ବିଶ୍ୱର ପରିକଳ୍ପନା ହୋଇପାରିବ, ଯଦି ଆମେ କୌଳିକ ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକ ଜନସାଧାରଣଙ୍କ ପାଖରେ ପହଞ୍ଚାଇପାରିବା। ଯେପରିକି ଗୃହ, ପୁଷ୍ଟିକର ଖାଦ୍ୟ, ନିରାପଦ ପାନୀୟ ଜଳ, ସ୍ୱାସ୍ଥ୍ୟ ପରୀକ୍ଷା, ନିଶାଦ୍ରବ୍ୟରେ ନିୟନ୍ତ୍ରଣ ଭଳି ଅନେକ ମୌଳିକ ଅଧିକାର ଲୋକଙ୍କ ନିକଟରେ ପହଞ୍ଚିପାରିବ।
୨୦୨୦ବର୍ଷଠାରୁ ସମଗ୍ର ବିଶ୍ୱକୁ କବଳିତ କରିଛି କରୋନା ମହାମାରୀ। ଏହି ମହାମାରୀଠାରୁ ରକ୍ଷା ପାଇବା ପାଇଁ ଟିକା ପ୍ରସ୍ତୁତ ହୋଇଥିଲେ ହେଁ, ଏପର୍ଯ୍ୟନ୍ତ ଆମେ କେହି ସୁରକ୍ଷିତ ବୋଲି କହିହେବନି। ପ୍ରତ୍ୟେକ ସ୍ଥାନରେ ସୁସ୍ଥ ସ୍ୱାସ୍ଥ୍ୟ ଜଗତ ଗଠନ କରିବାର ଏହାହିଁ ହେଉଛି ପ୍ରକୃତ ସମୟ।
କରୋନା ମହାମାରୀର ଗୋଟିଏ ମାତ୍ର ଉପଯୁକ୍ତ ଚିକିତ୍ସା ସଚେତନତା। ଯେପରିକି, ପରିଷ୍କାର ପରିଚ୍ଛନତା ପ୍ରତି ଧ୍ୟାନ ଦେବେ, ମୁହଁରେ ମାସ୍କ ବ୍ୟବହାର କରିବେ, ସାମାଜିକ ଦୂରତା ରକ୍ଷା କରିବେ, ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ, ପୁଷ୍ଟିକର ଓ ସନ୍ତୁଳିତ ଆହାର ସେବନ କରନ୍ତୁ, ଫିଟ୍ ଓ ସୁସ୍ଥ ରହିବା ପାଇଁ ନିୟମିତ ବ୍ୟାୟାମ କରନ୍ତୁ, ୭ରୁ ୮ ଘଣ୍ଟା ଶୁଅନ୍ତୁ, ଚିନ୍ତାମୁକ୍ତ ରହନ୍ତୁ, ପ୍ରାଣାୟାମ କରନ୍ତୁ ଓ ସୁସ୍ଥ ରହନ୍ତୁ।