ଆସନ୍ତୁ, ଜାଣିବା ଲିଭରକୁ କିପରି ରଖିବେ ସୁସ୍ଥ?

ଲିଭର ବା ଯକୃତ ମଣିଷ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଲିଭର ବିନା ଜୀବନ ଅସମ୍ଭବ। ଲିଭର ଶରୀରରେ ଅହରହ କାମ କରିଥାଏ। ଆମେ ଯାହା ବି ଖାଦ୍ୟ, ଔଷଧ ଖାଇଥାଉ ତାହା ରକ୍ତରେ ମିଶି ପ୍ରଥମେ ଲିଭରକୁ ଯାଇ ବିଶୁଦ୍ଧ ହୋଇଥାଏ। ଏହାଛଡ଼ା ଲିଭର ପ୍ରୋଟିନ୍‌ ମଧ୍ୟ ତିଆରି କରିଥାଏ। ପ୍ରାଥମିକ ଅବସ୍ଥାରେ ଲିଭର ପ୍ରଭାବିତ ହେଲେ ତାହା ଜଣାପଡ଼ିନଥାଏ। କାରଣ ଲିଭର ତା’ର କାମ କରିଚାଲିଥାଏ। ଯେତେବେଳେ ଲିଭରର ବେଶୀ ଅଂଶ ନଷ୍ଟ ହୋଇଯାଏ, ସେତେବେଳେ ଦୁର୍ବଳ ଲାଗିବା, ଭୋକ ନ ଲାଗିବା, ପାଦ ଫୁଲିଯିବା, ରକ୍ତ ବାନ୍ତି ହେବା, କଳା ଝାଡ଼ା ହେବା କିମ୍ବା ଜଣ୍ଡିସ୍‌ ହେବା ଭଳି ଲକ୍ଷଣ ଦେଖାଦିଏ। ତେଣୁ ଲିଭରକୁ ସୁସ୍ଥ ରଖିବା ନିହାତି ଜରୁରୀ।

healthy food

ସ୍ୱାସ୍ଥ୍ୟକର ଖାଦ୍ୟ 

ଲିଭର ସୁସ୍ଥ ରଖିବାକୁ ହେଲେ ଖାଦ୍ୟପେୟ ଓ ଜୀବନଶୈଳୀ ଉପରେ ଧ୍ୟାନ ଦେବା ଜରୁରୀ। ଖାଦ୍ୟରେ ତେଲ ମସଲାଯୁକ୍ତ ଖାଦ୍ୟ, ଚର୍ବି ଯୁକ୍ତ ଖାଦ୍ୟ, କାର୍ବୋହାଇଡ୍ରେଟ୍‌ର ମାତ୍ରାକୁ କମ୍‌ କରିବାକୁ ହେବ।

ସବୁଜ ପନିପରିବା, ଫଳମୂଳ, ସାଲାଡ୍‌କୁ ଖାଦ୍ୟରେ ସାମିଲ କରିବା ଆବଶ୍ୟକ। ଏହାଛଡ଼ା ଦେଶୀ ମାଛ, ଅଲିଭ ତେଲ, ବାଦାମ୍‌, ଲିଭର ପାଇଁ ଭଲ।

ଅଧିକ ଲୁଣ, ଚିନି, ମଇଦା, ଫାଷ୍ଟଫୁଡ୍‌, ଜଙ୍କଫୁଡ୍‌ ଓ ମଦ୍ୟପାନ ଏବଂ ଧୂମପାନରୁ ନିଜକୁ ଦୂରେଇ ରଖନ୍ତୁ।

କମଳା ଜୁସ୍, ବିଟ୍ ଜୁସ୍, ଗ୍ରୀନ୍ ଟି ଏବଂ କଫି ଲିଭରକୁ ସୁସ୍ଥ ରଖିଥାଏ।

exercise

ବ୍ୟାୟାମ୍ ଜରୁରୀ

ଓଜନକୁ ସନ୍ତୁଳିତ ରଖନ୍ତୁ। ସବୁବେଳେ ଉଚ୍ଚତା ଅନୁସାରେ ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ। କାରଣ ମୋଟାପଣ ଲିଭର ରୋଗର କାରଣ ହୋଇପାରେ।

ପ୍ରତ୍ୟେକ ଦିନ ୪୫ରୁ ଗୋଟେ ଘଣ୍ଟା ବ୍ୟାୟାମ କରନ୍ତୁ। ଯୋଗ, ପ୍ରାଣାୟାମ, ଏରୋବିକ୍‌, ଯୁମ୍ବା, କାର୍ଡିଓ, ସାଇକେଲ ଚାଳନା ଭଳି ବ୍ୟାୟାମ କରିପାରିବେ। ନଚେତ୍‌ ଦିନକୁ ୩୦ ମିନିଟ୍‌ ଦ୍ରୁତ ଗତିରେ ଚାଲନ୍ତୁ, ଏହାଦ୍ୱାରା ସମ୍ପୂର୍ଣ୍ଣ ଶରୀର ସୁସ୍ଥ ରହିଥାଏ।