ମସ୍ତିଷ୍କ ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଅନ୍ୟତମ। ମସ୍ତିଷ୍କକୁ କ୍ଷତି ପହଞ୍ଚିଲେ ବିଚାର, ସ୍ମୃତି, ସମ୍ବେଦନା ଇତ୍ୟାଦି ଉପରେ ପ୍ରଭାବ ପଡ଼ିଥାଏ। ଏଭଳି କ୍ଷେତ୍ରରେ ମସ୍ତିଷ୍କ ସୁସ୍ଥ ରହିବା ଲାଗି କିଛି କୁଅଭ୍ୟାସକୁ ବଦଳାନ୍ତୁ।

ଜଳଖିଆ ନ ଖାଇବା: ଅନେକ ସମୟରେ ଲୋକମାନେ କାମର ଚାପ, ଓଜନ କମାଇବା ଲକ୍ଷ୍ୟରେ ସକାଳ ଜଳଖିଆ ଖାଇନଥା’ନ୍ତି। ପ୍ରକୃତରେ ଏହା ଅତି ଖରାପ ଅଭ୍ୟାସ। ଜଳଖିଆ ନ ଖାଇଲେ ମସ୍ତିଷ୍କକୁ ଆବଶ୍ୟକ ପୋଷକ ତତ୍ତ୍ୱ ମିଳିନଥାଏ। ତେଣୁ ମସ୍ତିଷ୍କର କାର୍ଯ୍ୟପ୍ରଣାଳୀ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଥାଏ।
ଚିନି ଅଧିକ ଖାଇବା: ବହୁତ ଅଧିକ ଚିନିଜାତୀୟ ଖାଦ୍ୟ ଖାଇଲେ ମସ୍ତିଷ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ। ଅଧିକ ଚିନି ଖାଇଲେ ଆମ ଶରୀରର ପ୍ରୋଟିନ୍ ଏବଂ ପୋଷକ ତତ୍ତ୍ୱକୁ ଅବଶୋଷିତ କରିବାର କ୍ଷମତା ଉପରେ ପ୍ରଭାବ ପଡ଼େ। ଏହାଯୋଗୁଁ ରକ୍ତରେ ପୋଷକ ତତ୍ତ୍ୱର ଅଭାବ ଦେଖାଯାଏ, ଯେଉଁଥିପାଇଁ ମସ୍ତିଷ୍କର ବିକାଶ ଠିକ୍ ଭାବେ ହୋଇପାରେନାହିଁ। ସେହିପରି ଅତ୍ୟଧିକ ଚିନିଜାତୀୟ ଖାଦ୍ୟ ଖାଇଲେ ସ୍ମୃତିଶକ୍ତି ଏବଂ ଚିନ୍ତା କରିବାର କ୍ଷମତା ପ୍ରଭାବିତ ହୋଇଥାଏ।

ପାଣି କମ୍ ପିଇବା: କୌଣସି ପ୍ରସଙ୍ଗରେ ଶୀଘ୍ର ଚିନ୍ତା କରିବା ଏବଂ ତା’ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ମସ୍ତିଷ୍କକୁ ପର୍ଯ୍ୟାପ୍ତ ପାଣିର ଆବଶ୍ୟକତା ହୋଇଥାଏ। ଅଧିକ ପାଣି ପିଇଲେ ଶରୀର ଏବଂ ମସ୍ତିଷ୍କ ଠିକ୍ ଭାବେ କାମ କରେ।
ବିଳମ୍ବିତ ରାତିରେ ଶୋଇବା: ବିଳମ୍ବିତ ରାତିରେ ଶୋଇଲେ କେବଳ ଯେ ନିଦ୍ରାହୀନତା ସମସ୍ୟା ହୁଏ ତା’ ନୁହେଁ, ଏହା ମସ୍ତିଷ୍କ ଉପରେ ବି ଖରାପ ପ୍ରଭାବ ପକାଇଥାଏ। ମସ୍ତିଷ୍କର କାର୍ଯ୍ୟଦକ୍ଷତା ଏଥିଯୋଗୁଁ କମିଯାଏ।

ମୁହଁ ଢାଙ୍କି ଶୋଇବା: ଶୀତଦିନେ ଆରାମ ଲାଗିବା ଲାଗି କିଛି ଲୋକ ଟୋପି ବା ମୋଜା ପିନ୍ଧି ଶୋଇଥା’ନ୍ତି। କିନ୍ତୁ ଏହି ଅଭ୍ୟାସ ବିପଜ୍ଜନକ। ଏହାଦ୍ୱାରା ଅମ୍ଳଜାନର ଅଭାବ ଦେଖାଯାଇଥାଏ। ମସ୍ତିଷ୍କର କାର୍ଯ୍ୟ ପାଇଁ ଅମ୍ଳଜାନ ବହୁତ ଜରୁରୀ ହୋଇଥିବାବେଳେ ମୁହଁ ଢାଙ୍କି ଶୋଇଲେ ସେହି ଆବଶ୍ୟକତା ପୂରଣ ହୋଇପାରେ ନାହିଁ। ଏହାଯୋଗୁଁ ମସ୍ତିଷ୍କର କୋଷିକା ପ୍ରଭାବିତ ହୋଇଥାଏ।