ପ୍ରତିବର୍ଷ ମାର୍ଚ୍ଚ ୨୪କୁ ବିଶ୍ୱ ଯକ୍ଷ୍ମା ଦିବସ ଭାବେ ପାଳନ କରାଯାଏ। ଯକ୍ଷ୍ମା ରୋଗର ଭୟାବହତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଚଳିତବର୍ଷ ବିଶ୍ୱ ଯକ୍ଷ୍ମା ଦିବସର ଥିମ୍ ରହିଛି, ‘ଦ କ୍ଲିକ୍ ଇଜ୍ ଟିକିଙ୍କ୍’।
ଯକ୍ଷ୍ମା ବା ଟିବି (Tuberculosis) ରୋଗ ବିଷୟରେ ପ୍ରାୟ ସମସ୍ତଙ୍କୁ ଜଣା। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ୨୦୧୯ ଟିବି ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ୧କୋଟି ଲୋକ ଯକ୍ଷ୍ମା ରୋଗରେ ପୀଡ଼ିତ ଥିବା ବେଳେ ୧୪ ଲକ୍ଷ ଲୋକ ଯକ୍ଷ୍ମା ଯୋଗୁଁ ପ୍ରାଣ ହରାଇଛନ୍ତି। ସେହିପରି ଭାରତୀୟ ଟିବି ରିପୋର୍ଟ ଅନୁଯାୟୀ, ୨୦୧୯ରେ ସମୁଦାୟ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ୫୩୬୧୨।
ଜଣେ ସୁସ୍ଥ ଲୋକ ତୁଳନାରେ ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତିଙ୍କଠାରେ ଯକ୍ଷ୍ମା ରୋଗ ହେବାର ଆଶଙ୍କା ୧୮ଗୁଣ ଅଧିକ।
ଯକ୍ଷ୍ମା ରୋଗର କାରଣ
ମାଇକ୍ରୋବ୍ୟାକ୍ଟେରିୟମ୍ ଟ୍ୟୁବରୋକୁଲୋସିସ୍ ନାମକ ଜୀବାଣୁ ଯୋଗୁଁ ଯକ୍ଷ୍ମା ରୋଗ ହୋଇଥାଏ। ଯକ୍ଷ୍ମା କେବଳ ଛାତିରେ ହୁଏ ନାହିଁ। ଏହି ରୋଗ ଶରୀରର କୌଣସି ଅଙ୍ଗରେ ବି ହୋଇପାରେ। ଏହା ଫୁସ୍ଫୁସ୍କୁ ପ୍ରଭାବିତ କରେ ତାହା ନୁହେଁ, ଏହା ମସ୍ତିଷ୍କ, ହାଡ଼, ଗଣ୍ଠି, ଚର୍ମ, ଫୁସ୍ଫୁସ୍ର ବାହାର ଅଂଶରେ ବି ହୋଇପାରେ।
ଯକ୍ଷ୍ମାରୋଗରେ କାଶ, କଫ, ଛିଙ୍କ ଆଦିରୁ ଜୀବାଣୁ ବାୟୁମଣ୍ଡଳରୁ ଆସି ସୁସ୍ଥଲୋକର ଦେହରେ ପ୍ରବେଶ କରେ। ଯେଉଁ ରୋଗୀମାନଙ୍କ କଫରେ ଟ୍ୟୁବରୋକୁଲୋସିସ୍ ନାମକ ଜୀବାଣୁ ଥାଏ ଓ ଦୀର୍ଘ ଦିନ ଧରି ସେମାନଙ୍କ ସଂସ୍ପର୍ଶରେ ଆସୁଥିବା ସୁସ୍ଥ ବ୍ୟକ୍ତିଙ୍କ ଦେହରେ ଜୀବାଣୁ ପ୍ରବେଶ କରେ। ଏହା ସୁସ୍ଥ ରୋଗୀ ଦେହରେ ବହୁତ ଦିନ ଧରି ରହିପାରେ। ଯେତେବେଳେ ବ୍ୟକ୍ତିଙ୍କର କୌଣସି କାରଣରୁ ରୋଗ ପ୍ରତିରୋଧକ ଶକ୍ତି କମିଯାଏ, ସେତେବେଳେ ଟ୍ୟୁବରୋକୁଲୋସିସ୍ ଭୂତାଣୁ ସଂକ୍ରମଣ କରିଥାଏ।
ଯକ୍ଷ୍ମା ରୋଗର ଲକ୍ଷଣ
ଯକ୍ଷ୍ମାର ମୁଖ୍ୟ ଲକ୍ଷଣଗୁଡ଼ିକ ହେଉଛି:
- ଅଧିକ ଦିନ ଧରି ଜ୍ୱର ଲାଗି ରହିବା
- ସନ୍ଧ୍ୟା ସମୟରେ ଜ୍ୱର ହେବା
- ଓଜନ କମିଯିବା
- ଭୋକ ନ ହେବା
- ଦେହ ହାତ ଦରଜ ହେବା
- ଦୁର୍ବଳ ଲାଗିବା
- ରାତିରେ ଝାଳ ବାହାରିବା
- ଛାତିରେ ଯନ୍ତ୍ରଣା ହେବା
ଶରୀରର କେଉଁ ଅଙ୍ଗରେ ଯକ୍ଷ୍ମା ହୋଇଛି, ସେହି ଅନୁଯାୟୀ ତା’ର ଲକ୍ଷଣ ଭିନ୍ନ ଭିନ୍ନ। ଯେପରିକି ମସ୍ତିଷ୍କରେ ଟ୍ୟୁବରୋକୁଲୋସିସ୍ ହେଲେ ବାତ ମାରିବା, ବାଉଳିଚାଉଳି ହେବା, ସବୁବେଳେ ମୁଣ୍ଡ ବଥା ହେବା, ମୁଣ୍ଡ ବିନ୍ଧିବା ସହ ଜ୍ୱର ହେବା, ବାନ୍ତି ବାରମ୍ବାର ହେବା ଭଳି ଲକ୍ଷଣ ଦେଖାଦିଏ।
ପେଟରେ ଟ୍ୟୁବରୋକୁଲୋସିସ୍ ହେଲେ ପେଟ କାଟିବା, କୋଷ୍ଠକାଠିନ୍ୟ, ପେଟ ଫୁଲିବା, ବାନ୍ତି ହେବା, ଜ୍ୱର ହେବା ଭଳି ଲକ୍ଷଣମାନ ଦେଖାଦେଇପାରେ। ସେହିପରି ହାଡ଼ ଏବଂ ଗଣ୍ଠିରେ ଟ୍ୟୁବରୋକୁଲୋସିସ୍ ହେଲେ ଗୋଡ଼ ହାତ ବିନ୍ଧା ହେବା, ଗଣ୍ଠି ଫୁଲିବା, ଦରଜ ହେବା ଭଳି ଲକ୍ଷଣ ଦେଖାଦିଏ।
ଯକ୍ଷ୍ମା ରୋଗର ଚିକିତ୍ସା
ଡଟ୍ସ ପଦ୍ଧତିରେ ଚିକିତ୍ସା ଦ୍ୱାରା ଯକ୍ଷ୍ମା ରୋଗରେ ସମ୍ପୂର୍ଣ୍ଣ ଆରୋଗ୍ୟ ମିଳିପାରିବ। ଏହି ଚିକିତ୍ସା ପଦ୍ଧତିରେ ଔଷଧ ନିୟମିତ ଖାଆନ୍ତୁ। କୌଣସି ବି ଗୋଟିଏ ମାତ୍ରା ଔଷଧ ବନ୍ଦ କରନ୍ତୁ ନାହିଁ।
କୌଣସି ବ୍ୟକ୍ତିଙ୍କର ଯକ୍ଷ୍ମା ରୋଗ ଚିହ୍ନଟ ହେଲେ ଯେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅନ୍ୟାନ୍ୟ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ମାଗଣାରେ ଚିକିତ୍ସା ସେବା ପାଇପାରିବେ। ଏହାଛଡ଼ା ଏହି ରୋଗର ଚିକିତ୍ସା ପାଇଁ ଏଚ୍ଆର୍ଜେଡ୍ଇ, ଆଇଏନ୍ଏଚ୍, ଇଥାମ୍ବୁଟଲ, ପାଇରାଜିନାମିଡ୍, ଥିଆସିଟାଜୋନ୍ ଔଷଧ ଦିଆଯାଏ। ପ୍ରଥମ ପର୍ଯ୍ୟାୟରେ ରୋଗୀଙ୍କୁ ଦୁଇରୁ ତିନି ମାସ ଯାଏଁ ଔଷଧ ଦିଆଯାଏ। ବେଳେ ବେଳେ ରୋଗୀଙ୍କୁ ୯ରୁ ୧୨ ବା ୧୮ମାସ ପର୍ଯ୍ୟନ୍ତ ଔଷଧ ଖାଇବାକୁ ପରାମର୍ଶ ଦିଆଯାଏ।
କେତେକ କ୍ଷେତ୍ରରେ ଯକ୍ଷ୍ମା ରୋଗୀ ଠିକ୍ ସମୟରେ ଔଷଧ ଖାଆନ୍ତି ନାହିଁ। କିଛି ଦିନ ଖାଇଲା ପରେ ସେମାନେ ଔଷଧ ଖାଇବା ବନ୍ଦ କରି ଦେଇଥାଆନ୍ତି। ଫଳରେ ଡ୍ରଗ୍ସ ରେଜିଷ୍ଟାନ୍ସ ହେବାର ଆଶଙ୍କା ଥାଏ।
ଘରେ କାହାକୁ ଯକ୍ଷ୍ମା ହୋଇଥିଲେ କ’ଣ କରିବେ?
ଯକ୍ଷ୍ମାରେ ପୀଡ଼ିତ ବ୍ୟକ୍ତି କାଶିବା ଓ ଛିଙ୍କିବା ବେଳେ ମୁହଁରେ ଟିସ୍ୟୁ ଦିଅନ୍ତୁ।
ଯକ୍ଷ୍ମା ରୋଗୀ ବାହାରେ ଛେପ ବା ଖଙ୍କାର ପକାନ୍ତୁ ନାହିଁ।
ଯଦି ପରିବାରରେ କାହାକୁ ଯକ୍ଷ୍ମା ହୋଇଥାଏ, ତେବେ ପରିବାରର ଅନ୍ୟ ସଦସ୍ୟ ଯକ୍ଷ୍ମାର ପରୀକ୍ଷା କରାଇନିଅନ୍ତୁ।
ଛୋଟ ପିଲାଙ୍କୁ ଅଧିକ ଦିନ ଧରି କାଶ ଲାଗି ରହିଲେ ଏବଂ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେଲେ ତୁରନ୍ତ ଡାକ୍ତରଖାନା ନେଇଯାଆନ୍ତୁ।
ଯେଉଁମାନେ ଯକ୍ଷ୍ମା ରୋଗରେ ଚିକିତ୍ସିତ ହେଉଛନ୍ତି, ସେମାନେ ଅନ୍ୟମାନଙ୍କଠାରୁ ଅଲଗା ରହିବା ଆବଶ୍ୟକ। ସେମାନେ ଅଲଗା ଖାଇବା ସହ ଅଲଗା ରୁମ୍ରେ ଶୋଇବା ଦରକାର।
ପୁଷ୍ଟିକର ଖାଦ୍ୟ ଖାଆନ୍ତୁ ଏବଂ ବ୍ୟାୟାମ କରନ୍ତୁ। ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ଏବଂ ବିଭିନ୍ନ ରୋଗର ସଂକ୍ରମଣରୁ ସୁରକ୍ଷିତ ରହିପାରିବେ।
ଛୋଟ ପିଲାଙ୍କୁ ବିସିଜି ଟିକା ଦିଅନ୍ତୁ।