ପଖାଳ ସହ ଓଡ଼ିଆ, ଓଡ଼ିଆଙ୍କ ସମ୍ପର୍କ ଏବଂ ସଂସ୍କୃତି ଯୋଡ଼ି ହୋଇ ରହିଛି। ବର୍ତ୍ତମାନ ପିଢ଼ିରେ ବି ପରମ୍ପରାଠୁ ଦୂରେଇ ଯାଇନି ପଖାଳ। ପଖାଳ ଯେତିକି ସ୍ୱାଦିଷ୍ଟ ଦେହପାଇଁ ସେତିକି ହିତକର।
ଖରାଦିନେ ତାତିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ବର୍ଗର ଲୋକ ଆପଣେଇଥାନ୍ତି ଥଣ୍ଡାର ଉପଚାର। ଗରମରୁ ରକ୍ଷା ପାଇବା ପାଇଁ ଏବଂ ପେଟକୁ ଥଣ୍ଡା ରଖିବା ଓ ଦେହରେ କମୁଥିବା ଜଳୀୟ ଅଂଶକୁ ଭରଣା କରିଥାଏ ପଖାଳ।
ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଵିଶେଷଜ୍ଞମାନେ ଅଧିକ ଜଳୀୟାଂଶ ଥିବା ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥାନ୍ତି। ସେଥିରେ ପଖାଳ ହେଉଛି ପ୍ରମୁଖ। ଓଡ଼ିଶାର ଏହି ପାରମ୍ପରିକ ଖାଦ୍ୟ ଯୋଗୁଁ ଅନେକାଂଶରେ ଅଂଶୁଘାତକୁ ପ୍ରତିରୋଧ କରିହେଉଛି। ଖରାଦିନେ ବାହାରକୁ ଯିବା ବେଳେ ପଖାଳ ଓ ତୋରାଣି ପିଇ ଗଲେ ଅଂଶୁଘାତରୁ ରକ୍ଷା ମିଳିଥାଏ।
ଗ୍ରାମାଞ୍ଚଳରେ ପରିଶ୍ରମୀ ଲୋକମାନେ ଦିନକୁ ଦୁଇଓଳି ପଖାଳ ଖାଇଥା’ନ୍ତି। ତେଣୁ ସେମାନଙ୍କୁ ଅଂଶୁଘାତ ଜନିତ କଷ୍ଟ ଭୋଗିବାକୁ ପଡ଼େନାହିଁ।
ପ୍ରତିଦିନ ସକାଳୁ ସଜ୍ଜ ପଖାଳ ବା ଚାଇଁ ପଖାଳ ଖାଇବା ଦ୍ୱାରା ପେଟ ଥଣ୍ଡା ରହିବା ସହ ଶରୀରରେ ଜଳୀୟଅଂଶ ନିୟନ୍ତ୍ରଣ ରହିଥାଏ।
ନିଦ୍ରାହୀନତା ଦୂର କରେ ପଖାଳ। ବାସି ପଖାଳ ଖାଇଲେ ନିଦ୍ରାହୀନତା ଭଳି ସମସ୍ୟା ଦୂର ହୋଇଥାଏ। ରାତିରେ ନିଦ ହେଉ ନଥିଲେ ବାସି ପଖାଳର ତୋରାଣି ପିଅନ୍ତୁ। ଏହା ଶରୀରକୁ ଆରାମ ଦେବା ସହ ନିଦ ବି କରାଇବ।
ପଖାଳ ପିତ୍ତ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ଚାଇଁ ପଖାଳ ଖାଇ ତା’ ତୋରାଣି ପିଇଲେ କୋଷ୍ଠକାଠିନ୍ୟ, ଅଗ୍ନୀମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟ ଵ୍ୟଥା ଆଦି ଉପଶମ ହୋଇଥାଏ।
ହାଣ୍ଡି କାଞ୍ଜିଦ୍ୱାରା ପେଟ ଥଣ୍ଡା ରହେ। ପିତ୍ତ ରୋଗ, ଅତିସାର ବା ଡାଇରିଆ ଆଦିରେ ପଖାଳ ତୋରାଣି ଅତ୍ୟନ୍ତ ଉପକାରୀ ଅଟେ।
ରକ୍ତଚାପ କମାଇଥାଏ ଓ ଶରୀରର ତାପମାତ୍ରା ନିୟନ୍ତ୍ରଣ ମଧ୍ୟ କରିଥାଏ। ପେଟକୁ ଥଣ୍ଡା ରଖିବା ସହ ଦେହକୁ ଆବଶ୍ୟକ ଜଳୀୟଅଂଶ ଯୋଗାଇଥାଏ।
ପରିସ୍ରାପୋଡ଼ାରୁ ଉପଶମ ଦେଇଥାଏ ପଖାଳ। ବାସି ପଖାଳରେ ଦହି ବା ଲେମ୍ବୁ ରସ ଚିପୁଡ଼ି ସେହି ଭାତ ଏବଂ ତୋରାଣିକୁ ପିଇଲେ ପରିସ୍ରାପୋଡ଼ାରୁ ଉପଶମ ମିଳିବ।
ପଖାଳ ତୋରାଣି ଶରୀରକୁ ଶକ୍ତି ଯୋଗାଇଥାଏ।