କାହିଁକି ଖରାପ ହୁଏ କିଡନି? କିଡନି ଖରାପ ହେଲେ କ’ଣ କରିବେ? ବିଶିଷ୍ଟ ୟୁରୋଲଜିଷ୍ଟ ଡାକ୍ତର ମାନସ ରଞ୍ଜନ ପ୍ରଧାନ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

କିଡ୍‌ନିର କାମ କ’ଣ? (What is the work of kidney in Odia)

ବୃକକ ବା କିଡ୍‌ନି ହେଉଛି ଶରୀରର ଅବିଚ୍ଛେଦ୍ୟ ଅଙ୍ଗ। ମଣିଷ ଶରୀରରେ ଦୁଇଟି କିଡ୍‌ନି ଥାଏ। ଏହା ଫିଲଟର ଭଳି କାମ କରେ। ଆମେ ଯାହା ଖାଉଛେ, ସେଥିରୁ ଆବଶ୍ୟକୀୟ ଉପାଦାନ ଆମ ଶରୀର ବ୍ୟବହାର କରେ ଓ ବାକି ଅଦରକାରୀ ଉପାଦାନଗୁଡ଼ିକ ଝାଳ, ଝାଡ଼ା ଓ ପରିସ୍ରା ବାଟେ ବାହାରିଯାଏ। ଯାହା ଆମେ ଖାଉଛେ, ତାହା ରକ୍ତରେ ମିଶେ। ଯେତିକି ରକ୍ତରେ ମିଶିବା କଥା ମିଶେ ଓ ବାକି ଜିନିଷକୁ କିଡ୍‌ନି ଛାଣି ବାହାର କରିଦିଏ।

କିଡନି ଖରାପ ହେବାର କାରଣ କ’ଣ? (Cause of kidney disease in Odia)

କିଡ୍‌ନି ଖରାପ ହେବାର ସବୁଠୁ ବଡ଼ କାରଣ ହେଉଛି ଡାଏବେଟିସ୍‌। କିଡ୍‌ନି ଖରାପ ହେବାର ସବୁଠୁ ବଡ଼ କାରଣ ହେଉଛି ଡାଏବେଟିସ୍‌। ପାଖାପାଖି ୬୦ ପ୍ରତିଶତ ଲୋକଙ୍କର ଡାଏବେଟିସ୍‌ ଯୋଗୁଁ କିଡ୍‌ନି ଖରାପ ହେଉଛି।

ଏହାଛଡ଼ା ଉଚ୍ଚ ରକ୍ତଚାପ, କିଡ୍‌ନି ଜନିତ ରୋଗ ଯେପରିକି କିଡ୍‌ନି ଷ୍ଟୋନ୍‌ ଗ୍ଲୋମେରୁଲୋନ୍‌ ନେଫ୍ରାଇଟିସ୍‌ ହେଲେ ମଧ୍ୟ କିଡ୍‌ନି ଖରାପ ହୋଇପାରେ। ତା’ଛଡ଼ା କେତେକ ଖାଦ୍ୟପାନୀୟ ଯୋଗୁଁ ମଧ୍ୟ କିଡ୍‌ନି ଖରାପ ହୋଇପାରେ।

ଏହାସହ ଭାରତର କେତେକ ଅଞ୍ଚଳରେ କିଡ୍‌ନି ରୋଗୀଙ୍କ ସଂଖ୍ୟା ଅଧିକ। କାରଣ ସେହି ଅଞ୍ଚଳର ପାଣିରେ ଧାତୁ ଅଂଶ ଅଧିକ ଥାଏ। ଏହାସହ ଲମ୍ବା ସମୟ ଧରି ପେନ୍‌ କିଲର ସେବନ ଯୋଗୁଁ ମଧ୍ୟ କିଡ୍‌ନି ଖରାପ ହୋଇପାରେ।

ଅଧିକ ପଢ଼ନ୍ତୁ: କିଡ୍‌ନିକୁ ସୁସ୍ଥ ରଖିବେ କେମିତି?

କିଡ୍‌ନି ଖରାପ ହେବାର ଲକ୍ଷଣ (Symptoms of kidney disease in Odia)

ଆମ ଶରୀର ଦୈନିକ ଅଧଲିଟରରୁ ୭୫୦ ମିଲିଲିଟର ପାଣି ବ୍ୟବହାର କରେ। ଆପଣ ଯେତିକି ପାଣି ପିଇଲେ ସେଥିରୁ ଯେତିକି ଆବଶ୍ୟକ ସେତିକି ପାଣି ଶରୀର ବ୍ୟବହାର କରେ ଓ ବାକିତକ ପାଣି ଝାଡ଼ା ଓ ପରିସ୍ରା ବାଟେ ବାହାରିଯାଏ। ଯଦି କିଡ୍‌ନି ଖରାପ ହୁଏ, ତେବେ ଅତ୍ୟାବଶ୍ୟକ ପାଣି ବାହାରି ପାରିବ ନାହିଁ। ଫଳରେ ପାଣି ଦେହରେ ଜମା ହୋଇ ଦେହ ହାତ ଫୁଲିବ, ମୁହଁ ଫୁଲିବ, ପେଟରେ ପାଣି ଜମା ହେବ, ଛାତିରେ ପାଣି ଜମା ହେବ, ନିଶ୍ୱାସ ଠିକ୍‌ ଭାବେ ନେଇପାରିବେ ନାହିଁ, ଚାଲିବା ବେଳେ ଧଇଁସଇଁ ଲାଗିବ, ଶୋଇଲା ବେଳେ ନିଶ୍ୱାସ ନେବାରେ କଷ୍ଟ ହେବ।

ପରିସ୍ରାରେ ଯେଉଁସବୁ ବର୍ଯ୍ୟବସ୍ତୁ ବାହାରିବା କଥା ତାହା ବାହାରିପାରେ ନାହିଁ। ଫଳରେ ରୋଗୀଙ୍କୁ ଭୋକ ହେବ ନାହିଁ, ଦୁର୍ବଳ ଲାଗିବା, ବାନ୍ତି ଲାଗିବା, ଅଳ୍ପ କାମ କଲେ ହାଲିଆ ଲାଗିବା ଭଳି ଲକ୍ଷଣ ଦେଖାଦିଏ।

କିଡ୍‌ନି ରୋଗରେ ଦେଖାଦେଉଥିବା ଲକ୍ଷଣକୁ ଲୋକେମାନେ ଅଣଦେଖା କରିଥାଆନ୍ତି। ଫଳରେ ରୋଗ ଗୁରୁତର ହେବା ପରେ ଲୋକେ ଡାକ୍ତରଙ୍କ ପାଖକୁ ଯାଇଥାଆନ୍ତି।

କିଡନି ରୋଗକୁ ଚିହ୍ନିବା କେମିତି? (Diagnose kidney disease in Odia)

କିଡ୍‌ନି ରୋଗକୁ ଚିହ୍ନିବା ପାଇଁ ରକ୍ତ ପରୀକ୍ଷା ଦ୍ୱାରା ହିମୋଗ୍ଲୋବିନ୍‌ର ସ୍ତର, ୟୁରିଆ କ୍ରିଏଟେନିନ୍‌, ୟୁରିକ୍‌ ଏସିଡ୍‌ ପରୀକ୍ଷା କରାଯାଏ। ଏହାଛଡ଼ା ପରିସ୍ରା ପରୀକ୍ଷା ଦ୍ୱାରା ପ୍ରୋଟିନ୍‌, ସୁଗାର ଯାଉଛି କି ନାହିଁ ଦେଖାଯାଏ। ଏହାପରେ ଅଲଟ୍ରାସାଉଣ୍ଡ କରି କିଡ୍‌ନିର ଅନ୍ୟ କୌଣସି ସମସ୍ୟା ବିଷୟରେ ଦେଖାଯାଏ।

ଏହାଛଡ଼ା ଅଲଟ୍ରାସାଉଣ୍ଡ କରି କିଡ୍‌ନିର ଆକାର ଦେଖାଯାଏ। କିଡ୍‌ନିର ଆକାର ଛୋଟ ହୋଇଯାଇଥିଲେ ବା ଶୁଖିଯାଇଥିଲେ, ତାହାହେଲେ କିଡ୍‌ନି ଖରାପ ହେବାର ଆଶଙ୍କା ବହୁତ ଅଧିକ।

କିଡ୍‌ନି ରୋଗର ଚିକିତ୍ସା କେମିତି ହୁଏ? (How is kidney disease treated in Odia)

କିଡ୍‌ନି ଖରାପକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଆକ୍ୟୁଟ୍‌ କିଡ୍‌ନି ଫେଲ୍ୟୁୟର, କ୍ରୋନିକ୍‌ କିଡ୍‌ନି ଫେଲ୍ୟୁୟର।

ଆକ୍ୟୁଟ୍‌ କିଡ୍‌ନି ଫେଲ୍ୟୁୟର – ମନେକର, ଜଣେ ବ୍ୟକ୍ତିଙ୍କର କିଡ୍‌ନି ସୁସ୍ଥ ଥିଲା ଏବଂ କୌଣସି ସଂକ୍ରମଣ କାରଣରୁ କିଡ୍‌ନି ଖରାପ ହୋଇଯିବାକୁ ଆକ୍ୟୁଟ୍‌ କିଡ୍‌ନି ଫେଲ୍ୟୁୟର କୁହାଯାଏ। ମନେକର ଦୁଇପଟ କିଡ୍‌ନିରେ ଷ୍ଟୋନ୍‌ ହୋଇଗଲା ଓ ପରିସ୍ରା ଆସିପାରିଲା ନାହିଁ, ତେବେ ମଧ୍ୟ ଆକ୍ୟଉଟ୍‌ କିଡ୍‌ନି ଫେଲ୍ୟୁୟର ହୋଇପାରେ। ଏହି ସମସ୍ୟାର ଚିକିତ୍ସା କରି କିଡ୍‌ନିକୁ ସମ୍ପୂର୍ଣ୍ଣ ଭାବେ ଭଲ କରାଯାଇପାରିବ ଓ ରୋଗୀ ସାଧାରଣ ଭାବେ ଜୀବନଯାପନ କରିପାରିବେ।

କ୍ରୋନିକ କିଡ୍‌ନି ରୋଗ – କ୍ରୋନିକ କିଡ୍‌ନି ରୋଗର ଅର୍ଥ ହେଉଛି ଏଥିରେ କିଡ୍‌ନି ଧୀରେ ଧୀରେ କରି ଖରାପ ହୋଇଥାଏ। ଅଲଟ୍ରାସାଉଣ୍ଡ ଦ୍ୱାରା ଜଣାପଡ଼େ ଯେ, କିଡ୍‌ନି ଦୁଇଟା ଛୋଟ ହୋଇଯାଇଥିବ। ଏଥିରେ କିଡ୍‌ନି ସ୍ଥାୟୀ ଭାବେ ନଷ୍ଟ ହୋଇଯାଏ। ଏହାକୁ ଔଷଧ କିମ୍ବା ଅପରେସନ୍‌ ଦ୍ୱାରା ଠିକ୍‌ କରାଯାଇ ପାରିବ ନାହିଁ।

କ୍ରୋନିକ କିଡ୍‌ନି ରୋଗରେ ରୋଗୀଙ୍କୁ ଔଷଧ ଦେଇ ନଷ୍ଟ ହେବାର ପ୍ରକ୍ରିୟାକୁ ଧୀର କରାଯାଏ। ଏଥିରେ ଖାଦ୍ୟପେୟରେ ନିୟନ୍ତ୍ରଣ ସହ ନିୟମିତ ବ୍ୟବଧାନରେ ଡାକ୍ତରଙ୍କ ପରାମର୍ଶ କରାଯାଏ।

kidney dialysis

ଅଧିକ ପଢ଼ନ୍ତୁ: ଜାଣନ୍ତୁ, କିଡ୍‌ନି ଫେଲ୍ୟୁଅରର କାରଣ କ’ଣ?

କିଡନି ଡାଏଲିସିସ୍ ଓ କିଡନି ଟ୍ରାନ୍ସପ୍ଲାଣ୍ଟେସନ କ’ଣ? (What are Kidney Dialysis and Kidney Transplant in Odia)

ଦୁଇପଟ କିଡ୍‌ନି ସମ୍ପୂର୍ଣ୍ଣ ଖରାପ ହୋଇଗଲେ ଶରୀରରେ ଅନାବଶ୍ୟକ ପାଣି, ୟୁରିଆ, କ୍ରିଏଟେନିନ୍‌ ଭଳି ପଦାର୍ଥ ଜମା ହୋଇକି ରହିଥାଏ। ଏଭଳି କ୍ଷେତ୍ରରେ ରକ୍ତକୁ ପରିଷ୍କାର କରିବା ପାଇଁ କିଡ୍‌ନି ଡାଏଲିସିସ୍‌ କିମ୍ବା କିଡ୍‌ନି ପ୍ରତିରୋପଣ କରିବାକୁ ପଡ଼େ।

କିଡ୍‌ନି ଡାଏଲିସିସ୍‌ ହେଉଛି ଏକ ପ୍ରକାର ଫିଲଟର ମେସିନ୍‌। ଏହା କିଡ୍‌ନି ଭଳି କାର୍ଯ୍ୟ କରିଥାଏ। ଏହା ଏକ ପ୍ରକାର ରକ୍ତ ଛଣା ଯନ୍ତ୍ର। ଏଥିରେ ରୋଗୀ ଶରୀରରେ ଦୁଇଟା ଛୁଞ୍ଚି ଫୋଡ଼ାଯାଏ। ସେଥିରୁ ଗୋଟେ ଛୁଞ୍ଚି ବାଟେ ରକ୍ତ ମେସିନ୍‌ ଭିତରକୁ ଯାଏ ଓ ମେସିନ୍‌ ଭିତରେ ରକ୍ତ ଫିଲଟର ହୋଇ ଅନ୍ୟ ଛୁଞ୍ଚି ବାଟେ ପରିଷ୍କାର ରକ୍ତ ରୋଗୀର ଶରୀରକୁ ଯାଏ। ରୋଗୀଙ୍କୁ ସପ୍ତାହକୁ ଦୁଇ ବା ତିନି ଥର ଡାଏଲିସିସ୍‌ କରିବାକୁ ପଡ଼େ।

କିଡ୍‌ନି ଟ୍ରାନ୍ସପ୍ଲାଣ୍ଟ କ’ଣ?

ଜଣେ ସୁସ୍ଥ ଲୋକଠାରୁ କିଡ୍‌ନି ଆଣି ରୋଗୀର ଦେହରେ ପ୍ରତିରୋପଣ କରିବାକୁ କିଡ୍‌ନି ଟ୍ରାନ୍ସପ୍ଲାଣ୍ଟେସନ କୁହାଯାଏ।

ଡାଏବେଟିସ୍‌ ରୋଗୀଙ୍କ ପାଇଁ ଡାକ୍ତରଙ୍କ ପରାମର୍ଶ (Doctor’s advice for diabetes patient in Odia)

କେତେ ବର୍ଷ ଧରି ଡାଏବେଟିସ୍‌ ହୋଇଛି ଏବଂ ତାହା କେତେ ନିୟନ୍ତ୍ରଣରେ ଅଛି, ତା’ଉପରେ କିଡ୍‌ନି ଖରାପ ହେବା ନିର୍ଭର କରେ। ତେଣୁ ମଧୁମେହକୁ ନିୟନ୍ତ୍ରଣରେ ରଖିବାକୁ ହେବ। ନିୟମିତ ବ୍ୟାୟାମ କରିବା ଆବଶ୍ୟକ। ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବା ଜରୁରୀ। ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା ଜରୁରୀ। ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଉଚିତ।

kidney stone

ଅଧିକ ପଢ଼ନ୍ତୁ: ଅତ୍ୟଧିକ ପେନ୍‌କିଲର ଖାଇବା ହୋଇପାରେ କିଡ୍‌ନି ଫେଲ୍ୟୁଅରର କାରଣ

କିଡ୍‌ନିକୁ କେମିତି ରଖିବେ ସୁସ୍ଥ? (How to keep your kidneys healthy in Odia)

ପାଣିକୁ ନେଇ ଆମ ସମାଜରେ ବହୁତଗୁଡ଼ିଏ ଭୁଲ ଧାରଣା ରହିଛି। ଲୋକେ ଭାବନ୍ତି ବହୁତ ପାଣି ପିଇଲେ ଭଲ। ହେଲେ ବହୁତ ପାଣି ପଇବା ଚକ୍କରରେ କେତେ ପାଣି ପିଇବା ଆବଶ୍ୟକ ତାହା ଜାଣିନଥାଆନ୍ତି। କେତେକ ଲୋକ ଗୋଟେ ଦିନରେ ୧୦-୧୨ ଲିଟର ପାଣି ପିଇଥାଆନ୍ତି। ହେଲେ ଏହା କିଡ୍‌ନି ଉପରେ ଖରାପ ପ୍ରଭାବ ପକାଇଥାଏ। ଜଣେ ସାଧାରଣ ଲୋକ ଦୈନିକ ୮-୧୦ ଗ୍ଲାସ୍‌ ପାଣି ପିଇବା ଆବଶ୍ୟକ।

ଜଙ୍କଫୁଡ୍‌, ପ୍ୟାକେଟ୍‌ ଖାଦ୍ୟ, ଫାଷ୍ଟଫୁଡ୍‌ ଖାଆନ୍ତୁ ନହିଁ।

ସନ୍ତୁଳିତ ଓ ତାଜା ଆହାର ସେବନ କରନ୍ତୁ।

ପେନ୍‌କିଲର ସେବନ କରନ୍ତୁ ନାହିଁ।

ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଆନ୍ତୁ ନାହିଁ।

ସପ୍ତାହକୁ ୫ ଦିନ ୩୦ ମିନିଟ୍‌ ବ୍ୟାୟାମ କରନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ମାନସ ରଞ୍ଜନ ପ୍ରଧାନଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Kidney Disease, in Odia language, is based on an extensive interview with Urologist Dr Manas Ranjan Pradhan.