କୋଭିଡ୍‌-୧୯କୁ ପ୍ରତିହତ କରିବା ପାଇଁ କରୋନିଲକୁ କୌଣସି ମାନ୍ୟତା ଦେଇନାହିଁ WHO।

ଆୟୁର୍ବେଦ କମ୍ପାନି ପତଞ୍ଜଳି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କରୋନା ଔଷଧ ‘କରୋନିଲ’ ଉପରେ ଆଇଏମ୍‌ଏ (ଭାରତୀୟ ଚିକିତ୍ସା ସଙ୍ଘ) ପ୍ରଶ୍ନ ଉଠାଇଛି। କରୋନିଲ କରୋନାର ଔଷଧ ବୋଲି ରାମଦେବ ଦାବି କରୁଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏନେଇ କୌଣସି ପ୍ରମାଣ ମିଳିନାହିଁ।

ନିକଟରେ ପତଞ୍ଜଳି ପକ୍ଷରୁ ଏକ କାର୍ଯ୍ୟକ୍ରମରେ ବାବା ରାମଦେବ ‘କରୋନିଲ’କୁ କରୋନାର ମହୋଷଧି ବୋଲି ଦର୍ଶାଇଥିଲେ। ଏହା ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ଦ୍ଵାରା ପ୍ରମାଣସିଦ୍ଧ ବୋଲି ରାମଦେବ ଦାବି କରିଥିଲେ। ହେଲେ ଏହି କଥାକୁ ଏଡ଼ାଇ ଦେଇଛି ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ (WHO)। କରୋନାର ଚିକିତ୍ସାରେ କୌଣସି ପାରମ୍ପରିକ ଔଷଧର ସମୀକ୍ଷା କରାଯାଇ ନାହିଁ ଓ ପ୍ରମାଣପତ୍ର ଦିଆଯାଇ ନାହିଁ ବୋଲି ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି।

ଅନ୍ୟପଟେ ଆଇଏମ୍‌ଏ କରୋନିଲ ଔଷଧ ବିକ୍ରି ପାଇଁ WHO ଅନୁମତି ଦେଇଛି ବୋଲି ପତଞ୍ଜଳି ପକ୍ଷରୁ କରାଯାଇଥିବା ଦାବିକୁ ଡାହା ମିଛ ବୋଲି ଦର୍ଶାଇଛି।